ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଏବେ ପୌର ନିର୍ବାଚନ ପ୍ରକ୍ରିୟା ଚାଲିଛି। ଏହା ପରେ ଜୁନ ଶେଷ ଆଡ଼କୁ ବା ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟର ୪ଟି ରାଜ୍ୟସଭା ସଦସ୍ୟ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏବେ ରାଜ୍ୟ ବିଧାନସଭାର ସ୍ଥିତି ଯାହା ସେଥିରେ ବିଜେଡି ଚାରିକୁ ଚାରି ରାଜ୍ୟସଭା ସଦସ୍ୟ ପଦ ହାତେଇବା ଅସମ୍ଭବ ନୁହେଁ। କିନ୍ତୁ ଯଦି ପୂର୍ବ ରାଜ୍ୟସଭା ନିର୍ବାଚନ ଭଳି କୌଣସି ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଘୋଷଣା କରେ ତେବେ ବିଜେପିର ମଧ୍ୟ ଜଣେ ପ୍ରାର୍ଥୀ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇପାରନ୍ତି।
ଆସନ୍ତା ଜୁଲାଇ ପହିଲାରେ ରାଜ୍ୟସଭାରେ ଓଡ଼ିଶାର ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ଏନ୍. ଭାସ୍କର ରାଓ ଓ ଡକ୍ଟର ସସ୍ମିତ ପାତ୍ରଙ୍କର କାର୍ଯ୍ୟକାଳ ଶେଷ ହେବ। ପ୍ରସନ୍ନ ଆଚାର୍ଯ୍ୟ ଓ ଏନ୍. ଭାସ୍କର ରାଓ ୨୦୧୬ ଜୁଲାଇ ୨ ତାରିଖରୁ ରାଜ୍ୟସଭାର ସଦସ୍ୟ ଅଛନ୍ତି। ନିୟମ ଅନୁଯାୟୀ ସେମାନଙ୍କର ୬ ବର୍ଷର କାର୍ଯ୍ୟକାଳ ଏହି ଦିନ ଶେଷ ହେବ। ସେହିପରି ପରି ସସ୍ମିତ ପାତ୍ରଙ୍କର କାର୍ଯ୍ୟକାଳ ମଧ୍ୟ ସେହିଦିନ ଶେଷ ହେବ। କାରଣ ସେ ପୂରା ଅବଧି ପାଇଁ ଏହି ପଦକୁ ନିର୍ବାଚିତ ହୋଇନାହାନ୍ତି। ନିଜ କାର୍ଯ୍ୟକାଳ ପୂରଣର ୪ ବର୍ଷ ପୂର୍ବରୁ ପ୍ରତାପ ଦେବ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଖାଲି ହୋଇଥିବା ଆସନ ପାଇଁ ସସ୍ମିତ ପାତ୍ର ବିଜୁ ଜନତା ଦଳ ତରଫରୁ ନିର୍ବାଚିତ ହୋଇଥିଲେ। ସେ ୨୦୧୯ ଜୁନ ୨୯ ତାରିଖରେ ଏହି ପଦରେ ଯୋଗ ଦେଇଥିଲେ। ବିଧାୟକ ଭାବେ ନିର୍ବାଚିତ ହେବାରୁ ପ୍ରତାପ ଦେବ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ସେହି ସମୟରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଅମର ପଟ୍ଟନାୟକ ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ଓ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପି ତରଫରୁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେମାନଙ୍କର କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ତାରିଖରେ ଶେଷ ହେବ।
ଏବେ ରାଜ୍ୟସଭା ସଦସ୍ୟ ଥିବା ସୁବାସ ସିଂହ କଟକ ମେୟର ପଦ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ହେଉଥିବାରୁ ସେ ଯଦି ନିର୍ବାଚିତ ହେବେ ଓ ମେୟର ପଦବୀରେ ରହିବେ ତେବେ ତାଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ ହେବ। ମାର୍ଚ୍ଚ ୨୪ ତାରିଖରେ ମେୟର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ସେ ଏପ୍ରିଲ ମାସ ଭିତରେ ରାଜ୍ୟସଭାରୁ ଇସ୍ତଫା ଦେବାର ସମ୍ଭାବନା ରହିଛି। ସେ ୨୦୨୦ ଏପ୍ରିଲ ୩ ତାରିଖରେ ରାଜ୍ୟସଭା ସଦସ୍ୟ ପଦରେ ଯୋଗ ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖରେ ଶେଷ ହେବା କଥା। ସେ ଯଦି ଇସ୍ତଫା ଦିଅନ୍ତି ତେବେ ତାଙ୍କର ବଳକା ୪ ବର୍ଷର କାର୍ଯ୍ୟକାଳ ପାଇଁ ଅନ୍ୟ କେହି ରାଜ୍ୟସଭା ସଦସ୍ୟ ହେବେ।
ଏହି ଦୃଷ୍ଟିକୋଣରୁ ଆସନ୍ତା ଜୁଲାଇ ୨ ସୁଦ୍ଧା ରାଜ୍ୟର ୪ଟି ରାଜ୍ୟସଭା ଆସନ ଖାଲି ହେବାର ଅଛି। ସେହି ଚାରିଟି ଆସନ ପାଇଁ ରାଜ୍ୟ ବିଧାନସଭାର ତିନି ଚତୁର୍ଥାଂଶ ପାଖାପାଖି ଆସନ ଅକ୍ତିଆର କରିଥିବା ବିଜୁ ଜନତା ଦଳ ପ୍ରାର୍ଥୀ ଦେଲେ ସମସ୍ତେ ନିର୍ବାଚିତ ହେବା ପ୍ରାୟ ନିଶ୍ଚିତ। କେବଳ ଯଦି ପୂର୍ବ ଉଦାହରଣ ଅନୁସାରେ ବିଜେପିର କୌଣସି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଘୋଷଣା କରେ ତେବେ ଭିନ୍ନ ପରିଣାମ ମିଳିପାରେ। ତେବେ ବିଜେଡି ଭିତରେ ଏହି ଚାରି ରାଜ୍ୟସଭା ଆସନ ପାଇଁ ଦାବିଦାରଙ୍କ ସଂଖ୍ୟା ମଧ୍ୟ ଅନେକ। ପୂର୍ବରୁ ପୂର୍ବତନ ଲୋକସଭା ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ ରାଜ୍ୟସଭା ଯିବାକୁ ଅପେକ୍ଷାରେ ଅଛନ୍ତି। ତାଙ୍କୁ ସେଥିପାଇଁ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା କଥା ନିଜେ ପାଟ୍ଟଶାଣୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ତାଙ୍କ ବ୍ୟତୀତ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ବିଜେଡିକୁ ଲମ୍ଫ ପ୍ରଦାନ କରିଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମଧ୍ୟ ଜଣେ ଆଶାୟୀ ହୋଇଥାଇପାରନ୍ତି।
୨୦୧୯ ଲୋକସଭା ନିର୍ବାଚନରେ ଭୁବନେଶ୍ୱରରୁ ଲଢ଼ି ପରାସ୍ତ ହୋଇଥିବା ପୂର୍ବତନ ଆଇପିଏସ ଅଫିସର ଅରୂପ ପଟ୍ଟନାୟକ ରାଜ୍ୟସଭାରେ ଥଇଥାନ ହେବାକୁ ଆଶା କରିବା ଅସ୍ୱାଭାବିକ ନୁହେଁ। ବ୍ରହ୍ମପୁରର ବର୍ଷୀୟାନ ବିଜେଡି ନେତା ରମେଶ ଚ୍ୟାଉ ପଟ୍ଟନାୟକ କଂଗ୍ରେସରୁ ଆସିଥିବା ବିକ୍ରମ ପଣ୍ଡାଙ୍କ ପାଇଁ ବିଧାନସଭା ପ୍ରାର୍ଥିତ୍ୱରୁ ବଞ୍ଚିତ ରହିଛନ୍ତି। ତାଙ୍କର ମଧ୍ୟ ରାଜ୍ୟସଭା ଆଶା ଥାଇପାରେ। ସେହିପରି ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଦଳକୁ ଫେରିବା ପରେ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପଦ ବା ଦାୟିତ୍ୱ ନପାଇ ରହିଛନ୍ତି। ଏମାନଙ୍କ ବ୍ୟତିତ ରାଜ୍ୟସଭା ଯିବା ପାଇଁ ଆହୁରି ଅନେକ ନେତା, ସମାଜସେବୀ ଓ ପୂର୍ବତନ ଅଫିସର ମଧ୍ୟ ଲବିରେ ଥାଇପାରନ୍ତି।