ସବୁ ଥାଇ ହାରୁଛି କାହିଁକି ବିଜେପି?

ଦେବେନ୍ଦ୍ର ପୃଷ୍ଟି ୨୦୨୧ ଅକ୍ଟୋବର ୩ ତାରିଖରେ ଘୋଷଣା ହେଲା ପିପିଲି ଉପନିର୍ବାଚନର ଫଳାଫଳ। ଜିତିଲେ ବିଜେଡିର ରୁଦ୍ର ମହାରଥୀ, ହାରିଲେ ବିଜେପିର ଆଶ୍ରିତ ପଟ୍ଟନାୟକ। ବ୍ୟବଧାନ ୨୦,୯୧୬ ଖଣ୍ଡ ଭୋଟ। ୨୦୧୯ ସାଧାରଣ ନିର୍ବାଚନରେ, ଅର୍ଥାତ ମାତ୍ର ଦୁଇ ବର୍ଷ ତଳେ ହୋଇଥିବା ସାଧାରଣ ନିର୍ବାଚନରେ ରୁଦ୍ରଙ୍କ ବାପା ସ୍ୱର୍ଗତ ପ୍ରଦୀପ ମହାରଥୀ ଏଇ ଆସନରୁ ବିଜେପିର ସମାନ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କଠାରୁ ୧୦ ହଜାରରୁ କମ୍‌ ଭୋଟ ବ୍ୟବଧାନରେ ଜିତିଥିଲେ। ଏଥର ତାହା ଡବଲ୍‌ […]

BJP

BJP

Debendra Prusty
  • Published: Saturday, 09 October 2021
  • Updated: 09 October 2021, 02:54 PM IST
  • ଦେବେନ୍ଦ୍ର ପୃଷ୍ଟି

୨୦୨୧ ଅକ୍ଟୋବର ୩ ତାରିଖରେ ଘୋଷଣା ହେଲା ପିପିଲି ଉପନିର୍ବାଚନର ଫଳାଫଳ। ଜିତିଲେ ବିଜେଡିର ରୁଦ୍ର ମହାରଥୀ, ହାରିଲେ ବିଜେପିର ଆଶ୍ରିତ ପଟ୍ଟନାୟକ। ବ୍ୟବଧାନ ୨୦,୯୧୬ ଖଣ୍ଡ ଭୋଟ। ୨୦୧୯ ସାଧାରଣ ନିର୍ବାଚନରେ, ଅର୍ଥାତ ମାତ୍ର ଦୁଇ ବର୍ଷ ତଳେ ହୋଇଥିବା ସାଧାରଣ ନିର୍ବାଚନରେ ରୁଦ୍ରଙ୍କ ବାପା ସ୍ୱର୍ଗତ ପ୍ରଦୀପ ମହାରଥୀ ଏଇ ଆସନରୁ ବିଜେପିର ସମାନ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କଠାରୁ ୧୦ ହଜାରରୁ କମ୍‌ ଭୋଟ ବ୍ୟବଧାନରେ ଜିତିଥିଲେ। ଏଥର ତାହା ଡବଲ୍‌ ହୋଇଗଲା। ସେଥର ପ୍ରଦୀପ ମହାରଥୀ ପାଇଥିଲେ ୮୮,୫୧୮ ଖଣ୍ଡ ଭୋଟ। ଆଶ୍ରିତ ପଟ୍ଟନାୟକ ପାଇଥିଲେ ୭୮,୭୩୧ ଖଣ୍ଡ ଭୋଟ। କଂଗ୍ରେସର ଅଜିତ ମଙ୍ଗରାଜ ପାଇଥିଲେ ୯,୮୩୦ ଭୋଟ। ଏଥର ରୁଦ୍ର ମହାରଥୀ ପାଇଛନ୍ତି ୯୬,୯୭୨ ଖଣ୍ଡ ଭୋଟ, ଆଶ୍ରିତ ପାଇଛନ୍ତି ୭୬,୦୫୬ ଓ କଂଗ୍ରେସ ପାଇଛି ୪,୨୬୧ ଖଣ୍ଡ ଭୋଟ। ୨୦୧୯ ନିର୍ବାଚନ ତୁଳନାରେ ଏହି ଉପନିର୍ବାଚନରେ କଂଗ୍ରେସ ୫ ହଜାର ଭୋଟ ହରେଇଛି, ବିଜେଡି ୮ ହଜାର ଭୋଟ ଅଧିକ ପାଇଛି। ବିଜେପିର ଭୋଟ ସଂଖ୍ୟା ଅଢ଼େଇ ହଜାର କମିଛି।

କେବଳ ପିପିଲିରେ ନୁହେଁ, ୨୦୧୯ ପରେ ରାଜ୍ୟରେ ଆଉ ତିନିଟି ବିଧାନସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ସବୁ ଆସନରେ ବିଜେଡି ବାଜିମାତ କରିଛି। ବାଲେଶ୍ୱର ସଦର ଆସନଟି ବିଜେଡି ବିଜେପିଠାରୁ ଛଡ଼େଇ ନେଇଥିଲାବେଳେ ବିଜେପୁର ଓ ତିର୍ତ୍ତୋଲରେ ଦଳ ତାହାର ଆସନ ସୁରକ୍ଷିତ ରଖିଛି। ବିଜେପି ଏହିସବୁ ଉପନିର୍ବାଚନରେ କେବଳ ପରାସ୍ତ ହୋଇନାହିଁ, ୨୦୧୯ ନିର୍ବାଚନ ତୁଳନାରେ ଅନେକ ଭୋଟ ମଧ୍ୟ ହରେଇଛି। ବିଜେପୁରରେ ଦଳର ଭୋଟ ହାର ୨୮.୯୧ ପ୍ରତିଶତରୁ ୨୦.୬୨ ପ୍ରତିଶତକୁ କମିଥିଲାବେଳେ ବାଲେଶ୍ୱରରେ ୪୭.୨୬ ପ୍ରତିଶତରୁ ୪୩.୫୭ ପ୍ରତିଶତକୁ ଏବଂ ତିର୍ତ୍ତୋଲରେ ୩୦.୯ ପ୍ରତିଶତରୁ ୨୭.୯ ପ୍ରତିଶତକୁ କମିଥିଲା।

ଏହାର କାରଣ କ’ଣ ହୋଇପାରେ? ବିଜେପିର ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତବର୍ଷରେ ତାଙ୍କର ଲୋକପ୍ରିୟତା ସମକକ୍ଷ କୌଣସି ଦଳରେ କୌଣସି ନେତା ଏବେବି ନାହାନ୍ତି। ଗଲା ୮ ବର୍ଷ ଧରି ସେ ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି ଏବଂ ପଶ୍ଚିମ ବଙ୍ଗ ଓ ଓଡ଼ିଶା ଭଳି ଗୋଟେ ଦୁଇଟି ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ ପ୍ରାୟ ସବୁ ରାଜ୍ୟରେ ତାଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ବେଶ୍‌ ଭଲ ପ୍ରଦର୍ଶନ କରିଚାଲିଛି। ମୋଦୀ ହୈ ତୋ ମୁମ୍‌କିନ୍‌ ହୈ ସ୍ଲୋଗାନ ଦେଇ ବିଜେପି କର୍ମୀମାନେ ବିଭିନ୍ନ ରାଜ୍ୟରେ ଜିତାପଟ୍ ହାସଲ କରୁଛନ୍ତି। କିନ୍ତୁ ଓଡ଼ିଶାରେ ସେମାନେ ରାଜନୀତି ଓଲଟେଇ ପାରିନାହାନ୍ତି। ମୋଦୀ ଏଠି ତାଙ୍କ ଦଳର ସ୍ୱପ୍ନକୁ ମୁମ୍‌କିନ୍‌ ପରିପାରି ନାହାନ୍ତି ବା ତାଙ୍କ ଦଳର କର୍ମୀମାନେ ତାଙ୍କ ସମକକ୍ଷ ଯୋଦ୍ଧା ହୋଇପାରି ନାହାନ୍ତି, ତାହା ଅନ୍ୟ ଏକ ପ୍ରସଙ୍ଗ।

ବିଜେପିରେ ଅଛନ୍ତି ମୋଦୀଙ୍କର ଘନିଷ୍ଠ ସହଯୋଗୀ ତଥା ଅଧୁନା ଭାରତର ଚାଣକ୍ୟ ଭାବେ ଖ୍ୟାତି ଅର୍ଜନ କରିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। କୁହାଯାଉଛି ମୋଦୀଙ୍କର ‘କଂଗ୍ରେସ ମୁକ୍ତ ଭାରତ’ ସ୍ଲୋଗାନକୁ ସାକାର କରିବା ଦିଗରେ ଅମିତ ଶାହା ସଫଳତାର ସହିତ କାର୍ଯ୍ୟ କରି ଚାଲିଛନ୍ତି। ସେ ହିଁ ୨୦୧୭ ସେପ୍ଟମ୍ବର ମାସରେ ଓଡ଼ିଶାରେ ବିଜେପି ସରକାର ଗଠନ ଲକ୍ଷ୍ୟରେ ‘ମିଶନ୍‌ ୧୨୦’ ଘୋଷଣା କରିଥିଲେ। ଓଡ଼ିଶାର ୧୪୭ ବିଧାନସଭା ଆସନ ମଧ୍ୟରୁ ୧୨୦ ଆସନ ଜିତିବା ଲକ୍ଷ୍ୟ ନେଇ ରାଜ୍ୟର ୩୭ ହଜାର ବୁଥ୍‌ରେ ଦଳକୁ ଶକ୍ତିଶାଳୀ କରିବାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତାଙ୍କ ରଣକୌଶଳ ଅନୁଯାୟୀ ଦଳୀୟ ଖର୍ଚ୍ଚରେ ବିସ୍ତାରକମାନଙ୍କୁ ସବୁ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପଞ୍ଚାୟତରେ ମୁତୟନ କରାଯାଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରାଜ୍ୟର ୮୫୬ ଜିଲ୍ଲା ପରିଷଦ ଆସନରୁ ପ୍ରାୟ ୩୦୦ ଆସନ ହାତେଇଥିଲା। ବିଜେଡି ଏକ ନମ୍ବର ଦଳର ମାନ୍ୟତା ବଜାୟ ରଖି ପାଇଥିଲା ପ୍ରାୟ ୪୭୫ ଆସନ। କଂଗ୍ରେସ ପାଇଥିଲା ମାତ୍ର ୬୦। ଏହି ଫଳାଫଳ ଭିତ୍ତିରେ ମୋଦୀ ଓ ଶାହାଙ୍କ ସମେତ ଦଳର ରାଜ୍ୟ ସ୍ତରୀୟ ଅନେକ ନେତା ଓଡ଼ିଶାରେ ବିଜେପି ଶାସନ କ୍ଷମତା ଅକ୍ତିଆର କରିବାର ଖୁବ ନିକଟବର୍ତ୍ତୀ ହୋଇଗଲାଣି ବୋଲି ଅନୁଭବ କରିବା ଅଯୁକ୍ତିକର ନଥିଲା। ସେଥିପାଇଁ ଦଳ ଖୁବ ଜୋର୍‌ ଖଟେଇଥିଲା। ମୋଦୀ ଓ ଶାହା ରାଜ୍ୟରେ ଦଳୀୟ ପ୍ରଚାରର ନେତୃତ୍ୱ ନେଇଥିଲେ। ୨୦୧୯ ନିର୍ବାଚନ ସମୟରେ ସେମାନେ ରାଜ୍ୟରେ ଏକାଧିକ ସଭା, ସମାବେଶ ଓ ରୋଡ ଶୋ କରିଥିଲେ। ପ୍ରଚାର ସଭାରେ ଅମିତ ଶାହା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଡ଼ା ଟ୍ରାନ୍ସଫର୍ମର ସହ ତୁଳନା କରିଥିବାବେଳେ ନିଜେ ମୋଦୀ ମଧ୍ୟ କହିଥିଲେ, ନବୀନବାବୁ ତୁମ୍‌ ତୋ ଗୟେ। କିନ୍ତୁ ପୋଡ଼ା ଟ୍ରାନ୍ସଫର୍ମର ବଦଳିଲା ନାହିଁ କି ନବୀନବାବୁ ଗଲେ ନାହିଁ। ଓଲଟି ପରେ ପରେ ଯେତେ ଉପନିର୍ବାଚନ ହେଲା ସବୁଠି ହାରିଲା ବିଜେପି। ଯଦିଓ ୨୦୧୯ରେ ବିଜେଡି ଓ ବିଜେପି ମଧ୍ୟରେ ଭୋଟ ବ୍ୟବଧାନ ମାତ୍ର ୧୫ ଲକ୍ଷକୁ କମି ଆସିଥିଲା, ତେବେ ଦୁଇ ଦଳର ଆସନ ସଂଖ୍ୟା ମଧ୍ୟରେ ବ୍ୟବଧାନ ଥିଲା ଯଥେଷ୍ଟ ଅଧିକ।

କେବଳ ମୋଦୀ ଓ ଶାହାଙ୍କ ପରି ଦକ୍ଷ ଓ ଚତୁର ନେତା ନୁହନ୍ତି, ରାଜ୍ୟ ବିଜେପିରେ ଅଛନ୍ତି ଆହୁରି ଅନେକ ଆସେଟ୍‌। ବିଜୁ ପଟ୍ଟନାୟକଙ୍କ ପରେ ଜାତୀୟ ରାଜନୀତିରେ ସର୍ବାଧିକ ପ୍ରତିଷ୍ଠା ଅର୍ଜନ କରିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର, ଜାତୀୟ ସ୍ତରର ଆଦିବାସୀ ନେତା ଜୁଆଲ ଓରାମ, ସାଧୁତା ଓ ସରଳତା ପାଇଁ ଖ୍ୟାତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଆଇଏଏସ ଅଫିସରରୁ ନେତ୍ରୀ ବନିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାଧିକ ରାଜ୍ୟରେ ଦଳର ଦାୟିତ୍ୱ ସଫଳତାର ସହିତ ନିର୍ବାହ କରିଥିବା ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଜୟ ମହାପାତ୍ର, ସୁରେଶ ପୂଜାରୀ ଏମିତି ଅନେକ। ୨୦୧୯ ପରେ ପୁଣି ଏହି ଲମ୍ବା ତାଲିକାରେ ଯୋଡ଼ି ହୋଇଛନ୍ତି ଏବେକାର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସିଏ ମଧ୍ୟ ଜଣେ ପୂର୍ବତନ ଆଇଏଏସ ଅଫିସର, ଯିଏ କି ବାଜପେୟଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ତାଙ୍କ ଦପ୍ତରରେ କାର୍ଯ୍ୟ କରିବାର ସୌଭାଗ୍ୟ ଲାଭ କରିଥିଲେ।

ଏଭଳି ଦକ୍ଷ ଓ ଲୋକପ୍ରିୟ ନେତାମାନେ ଥାଉଥାଉ ନବୀନ ପଟ୍ଟନାୟକଙ୍କ ବିଜେଡି ଅପରାଜେୟ ରହିଛି ଓ ବିଜେପିର ମିଶନ ୧୨୦ ଲକ୍ଷ୍ୟ ଏବେ ବି ଅନେକ ଦୂରରେ। ୨୦୧୯ରେ ଦଳ ପାଇଥିଲା ମାତ୍ର ୨୩ଟି ବିଧାନସଭା ଆସନ। ସେଥିରୁ ଖସିଗଲାଣି ଗୋଟିଏ। ୨୦୨୪ରେ ଦଳର ଏହି ଲକ୍ଷ୍ୟ ପୂରଣ ହେବ କି ନାହିଁ ତାହା ସମୟ କହିବ। କିନ୍ତୁ ଏବେକାର ସ୍ଥିତିର ସମୀକ୍ଷା କଲେ ଦଳର କେତେକ ଅଭାବ ରହିଥିବା ପ୍ରତୀୟମାନ ହେଉଛି।

ପ୍ରଥମ କଥା ହେଲା, ବିଜେପି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଟକ୍କର ଦେବାକୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଘୋଷଣା ଏଯାଏଁ ହୋଇନାହିଁ। ୨୦୧୯ ନିର୍ବାଚନରେ ମଧ୍ୟ ହୋଇନଥିଲା। ତେଣୁ ବିଜେଡି କର୍ମୀମାନେ କହି ବୁଲୁଛନ୍ତି, ଆମର ନେତା ନବୀନ ପଟ୍ଟନାୟକ ତୁମର ନେତା କିଏ କିଏ? ପ୍ରଚାର କୌଶଳରେ ହେଲେ ବି ନବୀନବାବୁ ରାଜ୍ୟର ସର୍ବାଧିକ ଲୋକପ୍ରିୟ ନେତାର ପ୍ରତିଷ୍ଠା ଅର୍ଜନ କରିଛନ୍ତି ଓ ଗଲା ଦୁଇ ଦଶନ୍ଧି ଧରି ତାଙ୍କର ଏହି ମାନ୍ୟତା ବଜାୟ ରହିଛି। ସେ ଜଣେ ନିର୍ମଳ, ନିଷ୍କଳଙ୍କ, ଦୁର୍ନୀତିମୁକ୍ତ, ସରଳ, ନମ୍ର ଓ ମିଷ୍ଟଭାଷୀ ନେତା ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ସେ ଯେମିତି ବିଜେଡିର ପୁଞ୍ଜି ଓ ମୁହଁ ପ୍ରତିପକ୍ଷ ବିଜେପି ଏଯାଏଁ ସେପରି କୌଣସି ମୁହଁଙ୍କୁ ଆନୁଷ୍ଠାନିକ ମାନ୍ୟତା ଦେଇନାହିଁ। ଯଦିଓ ଏହା ସମସ୍ତେ ଜାଣିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଓଡ଼ିଶା ବିଜେପିର ଅଘୋଷିତ ନେତା। ରାଜ୍ୟରେ ଦଳ ଯେତେ ବାଟ ଆଗେଇଛି ତାହାର ସିଂହଭାଗ ଶ୍ରେୟ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ଯାଇଛି। ତଥାପି ତାଙ୍କ ଉଦ୍ୟମ ଓ ଉପାୟରେ କେଉଁଠି କିଛି ଅଭାବ ରହିଯାଇଛି ବୋଧହୁଏ ଯେଉଁଥିପାଇଁ ଦଳର ସଫଳତା ହାର ବଢ଼ିବା ବଦଳେ କମୁଛି।

ଏହାର ଅନ୍ୟ ଏକ କାରଣ ବି ଥାଇପାରେ। ତାହା ହେଉଛି ଦଳୀୟ ସଂଗଠନ। ରାଜ୍ୟର ୩୭ ହଜାର ବୁଥ୍‌ରେ ଶକ୍ତିଶାଳୀ ଉପସ୍ଥିତି ନଥିଲେ ଦଳ ପ୍ରତି ରହିଥିବା ସମସ୍ତ ଶୁଭେଚ୍ଛା ଭୋଟ୍‌ରେ ପରିଣତ ହୋଇପାରେ ନାହିଁ। ଗାଁରେ ବିକଳ୍ପ ସଂଗଠନ ନଥିଲେ ବିକଳ୍ପ ଖୋଜୁଥିବା ଲୋକ ବି ଷ୍ଟାଟସ୍‌ କୋ ବା ପ୍ରଚଳିତ ଶକ୍ତି ସପକ୍ଷରେ ଭୋଟ ଦେବ। ଏହା ଏକ ସ୍ୱାଭାବିକ ରାଜନୀତିକ ପ୍ରକ୍ରିୟା। କାରଣ ଲୋକଟି ଅନ୍ୟ ଦଳକୁ ଭୋଟ୍‌ ଦେଇ ଆକ୍ରୋଶର ସମ୍ମୁଖୀନ ହେଲ ତା ପାଖରେ ଠିଆ ହେବାକୁ ଯଦି କେହି ନଥିବେ ସେ କାହିଁକି ସେ ଦୁଃସାହସ କରିବ? ଓଡ଼ିଶା ବିଜେପିର ଏଇ ଅଭାବ ଏକ ବଡ଼ ଦୁର୍ବଳତା। ରାଜ୍ୟରେ ବିଜେପିର ଆଦର୍ଶଗତ ଗୁରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶକ୍ତିଶାଳୀ ଉପସ୍ଥିତି ଥିଲେ ମଧ୍ୟ ସର୍ବଧର୍ମ ସମଭାବ ସଂପନ୍ନ ଜଗନ୍ନାଥ ସଂସ୍କୃତିରେ ହିନ୍ଦୁତ୍ୱ ବିଚାରଧାରାର ରାଜନୀତିକ ଉତ୍ତରଣ ନହେବା ବିଜେପି ବିଫଳତାର ଅନ୍ୟତମ କାରଣ ହୋଇପାରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ଲକ୍ଷଣୀୟ ଅଭାବ ହୋଇପାରେ ବିଜେପିର ‘ବିକଳ୍ପ’ ଭାବମୂର୍ତ୍ତି। ରାଜ୍ୟରେ ବିଜେପି ଯେ ବିଜେଡିର ଏକ ବିକଳ୍ପ ଦଳ- ଲୋକଙ୍କ ମଧ୍ୟରେ ଏହି ଧାରଣା ବଳବତ୍ତର ହେବା ପରିବର୍ତ୍ତେ କ୍ଷୀଣ ହୋଇଚାଲିଛି। ତାହାର କାରଣ ହେଉଛି ଉଭୟ ଦଳ ମଧ୍ୟରେ ରହିଥିବା ସଂପର୍କ। ଜାତୀୟ ରାଜନୀତିର ଆବଶ୍ୟକତା କୁହନ୍ତୁ ବା ରାଷ୍ଟ୍ରୀୟ ବିଜେପିର ଜରୁରତ, ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ଓ ବିଜେପି ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ନିବିଡ଼ ହେବାରେ ଲାଗିଛି। ୩୭୦ ଧାରା, ଜାତୀୟ ନାଗରିକ ଆଇନ, ତିନି ତଲାକ ଆଦି ଅନେକ କେନ୍ଦ୍ରୀୟ ବିଲ୍‌ ଓ ନିଷ୍ପତ୍ତିକୁ ବିଜେଡି ସଂସଦରେ ସମର୍ଥନ କରିଛି। ଏପରିକି ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବାରେ ବିଜେଡି ମୁଖ୍ୟ ଭୂମିକା ଗ୍ରହଣ କରିଛି। ଅଧିକନ୍ତୁ ବିଜେପିର ହିନ୍ଦୁତ୍ୱ ଭୋଟ ହଡ଼ପ କରିବା ପାଇଁ ବିଜେଡି ମଧ୍ୟ ପୁରୀ, ଭୁବନେଶ୍ୱର, ସମ୍ବଲପୁର ଆଦି ସହରରେ ତୀର୍ଥ ଓ ମନ୍ଦିର ବିକାଶ ଯୋଜନା ଆରମ୍ଭ କରିଛି। ଅପରପକ୍ଷରେ ଭାରତର ଅନ୍ୟାନ୍ୟ ରାଜ୍ୟରେ ଇଡି ଓ ସିବିଆଇ ଯେପରି ସକ୍ରିୟ ଓଡ଼ିଶାରେ ଖଣି, ଚିଟ୍‌ ଫଣ୍ଡ ଆଦି ବହୁ ଦୁର୍ନୀତି ଅଭିଯୋଗ ରହିଥିଲେ ମଧ୍ୟ ଏ ଦୁଇ ସଂସ୍ଥାର ତଦନ୍ତ ସେପରି ତୀବ୍ର ନୁହେଁ। ଏହା ମଧ୍ୟ ଉଭୟ ଦଳ ମଧ୍ୟରେ ରହିଥିବା ସଂପର୍କ ଓ ସମନ୍ୱୟର ସଂକେତ ପ୍ରଦାନ କରୁଛି। ସେଥିପାଇଁ ବୋଧହୁଏ ସାଧାରଣ ଭୋଟର ବିଜେପିକୁ ବିଜେଡିର ବିକଳ୍ପ ଦଳ ଭାବେ ଗ୍ରହଣ କରିପାରୁ ନାହାନ୍ତି, ଯାହାର ପ୍ରଭାବ ଦଳର ଭୋଟ ଉପରେ ପଡ଼ୁଛି।

ଆଉ ଗୋଟେ କାରଣ ହେଉଛି, ଓଡ଼ିଶାରେ ଶାସକ ଦଳ ଓ ଶାସନ କଳ ମଧ୍ୟରେ ସୁଦୃଢ଼ ହୋଇଥିବା ଅସାଧୁ ମେଣ୍ଟ। ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ବାରମ୍ବାର ଏପରି ଅଭିଯୋଗ ହୋଇଆସୁଛି। ରାଜ୍ୟର ଅମଲାତନ୍ତ୍ର ଏବେ ଗଣତନ୍ତ୍ରକୁ ଦୁର୍ବଳ କରି ସ୍ୱୟଂ ସରକାରରେ ପରିଣତ ହୋଇଥିବାରୁ ପଞ୍ଚାୟତ ପିଅନ ଯାଏଁ ଶାସନ କଳର ସମସ୍ତ ସଦସ୍ୟ ଶାସକ ଦଳ ପାଇଁ କାର୍ଯ୍ୟ କରି ଜନମତର ଗତିକୁ ଅର୍ଥ ଓ କ୍ଷମତା ପ୍ରୟୋଗ କରି ମୋଡ଼ି ଦେଉଛନ୍ତି। ତେବେ, ଏପରି ଅଭିଯୋଗ କେବଳ ଗଣମାଧ୍ୟମରେ ସୀମିତ ରହିଥିବାରୁ ସତ୍ୟାସତ୍ୟ ଉନ୍ମୋଚିତ ହୋଇନାହିଁ। ବିରୋଧୀ ଦଳଗୁଡ଼ିକ ଏନେଇ ଉପଯୁକ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରି ନ୍ୟାୟିକ ମଞ୍ଚରେ ମକଦ୍ଦମା ଦାଏର କଲେ କେଜାଣି କିଛି ବଦଳିପାରେ। ସେଯାଏଁ ନବୀନ ପଟ୍ଟନାୟକ ନିଶ୍ଚିତ ଭାବରେ ଓଡ଼ିଶାର ନେତା ନମ୍ବର ୱାନ ଓ ତାଙ୍କର ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ବଳ ଭାବେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos