ପ୍ରତିବର୍ଷ ଏପ୍ରିଲ ୨୨ ତାରିଖକୁ ‘ବିଶ୍ଵ ଧରିତ୍ରୀ ଦିବସ’ ରୂପେ ପାଳନ କରାଯାଏ। ସର୍ବପ୍ରଥମେ ଏହା ୧୯୭୦ ମସିହାରେ ପାଳନ କରଯାଇଥିଲା। ଗାଏଲର୍ଡ ନେଲସନ୍ ହେଉଛନ୍ତି ଏହି ‘ଧରିତ୍ରୀ ଦିବସ’ର ପ୍ରଣେତା। ଲୋକମାନଙ୍କ ମଧ୍ୟରେ ଆମ ଚାରିପାଖ ପରିବେଶର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ। ପରିବେଶ ସୁରକ୍ଷା ହିଁ ଏହି ଦିବସର ଆହ୍ଵାନ ଅଟେ।
ଚଳିତବର୍ଷ ମଧ୍ୟ ଏପ୍ରିଲ ୨୨ ତାରିଖରେ ‘ଧରିତ୍ରୀ ଦିବସ’ ପାଳନ କରାଯାଇଛି। ‘ଧରିତ୍ରୀ ଦିବସ-୨୦୧୯’ ପ୍ରାୟ ୧୯୩ରୁ ଅଧିକ ରାଷ୍ଟ୍ରରେ ପାଳନ କରାହୋଇଛି। Protectourspecies- ଅର୍ଥାତ “ଜୀବ ପ୍ରଜାତିଙ୍କ ସୁରକ୍ଷା” ଧରିତ୍ରୀ ଦିବସ-୨୦୧୯ର ଥିମ୍ ବା ବିଷୟବସ୍ତୁ ଅଟେ। ଲକ୍ଷ ଲକ୍ଷ ଜୀବ ପ୍ରଜାତି ହେଉଛନ୍ତି ପ୍ରକୃତିର ଅବଦାନ। ଦୁର୍ଭାଗ୍ୟବଶତଃ ମଣିଷ, ପ୍ରକୃତି ପ୍ରତି ନିରନ୍ତର କ୍ଷତି ପହଞ୍ଚାଇ ଚାଲିଛି। ପରିଣାମ ସ୍ୱରୂପ ଅନେକ ପ୍ରଜାତି ଏବେ ପ୍ରାୟ ବିଲୁପ୍ତ ଓ ଅନେକ ପ୍ରଜାତିଙ୍କ ସଂଖ୍ୟା ହ୍ରାସ ପାଇଛି। ପ୍ରାୟ ୬୦ ବର୍ଷ ତଳୁ ଡାଇନୋସର ପ୍ରଜାତି, ମଣିଷର ଏହି ଅସ୍ଵାଭାବିକ କୁଅଭ୍ୟାସ ପାଇଁ ବିଲୁପ୍ତ ହୋଇଛି।
ମନୁଷ୍ୟକୃତ ଜଙ୍ଗଲହାନି, ବନ୍ୟଜନ୍ତୁଙ୍କ ଅବାଧ ଶିକାର ଓ ଚାଲାଣ, ବନ୍ୟାପ୍ରାଣୀଙ୍କ ବାସସ୍ଥାନ ହ୍ରାସ ଇତ୍ୟାଦି କାରଣ, ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇଁ ଦାୟୀ। ଏହା ଖୁବ ଉଦବେଗଜନକ ପ୍ରସଙ୍ଗ। ଯଦି ଆମେ ଏବେ ଏସବୁକୁ ବିରୋଧ କରିବା ନାହିଁ, ତେବେ ବନ୍ୟଜନ୍ତୁଙ୍କ ବିଲୋପ କରିବା, ମଣିଷର ଏକ ଚିରସ୍ଥାୟୀ ଅଭ୍ୟାସରେ ପରିଣତ ହେବ।
ପ୍ରତ୍ୟେକ ଜୀବନ୍ତ ବସ୍ତୁର ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ଅଛି ଏବଂ ଖାଦ୍ୟ-ଶୃଙ୍ଖଳରେ ଏମାନେ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ତେଣୁ ମିଳିତ ଭାବେ ଆମକୁ ବନ୍ୟଜନ୍ତୁଙ୍କ ଶିକାର ରୋକିବା ସହ ଏକ ସୁସ୍ଥ ଜୀବନ ଧାରଣ ନିମନ୍ତେ, ଏକ ସୁସ୍ଥ ପରିବେଶ ଯୋଗାଇଦେବା ପାଇଁ ବିଶ୍ଵସ୍ତରୀୟ ଜାଗରଣ ସୃଷ୍ଟି କରିବାକୁ ହେବ। ଛାତ୍ର, ସମାଜସେବୀ, ବୈଜ୍ଞାନିକ ତଥା ଶିକ୍ଷାବିତମାନଙ୍କୁ ଏହି ଜାଗରଣ ଜନଯାତ୍ରାକୁ ବ୍ୟାପକ କରାଇବାର ମାଧ୍ୟମ ପାଲଟିବା ଉଚିତ।
ଚଳିତବର୍ଷ ଧରିତ୍ରୀ ଦିବସର ମୂଳ ଲକ୍ଷ୍ୟ ଗୁଡ଼ିକ ହେଉଛି:
- ଜୀବଜନ୍ତୁ ଓ ସେମାନଙ୍କ ବସତି ରକ୍ଷା
- ବିଲୁପ୍ତ ହେବାକୁ ଯାଉଥିବା ଜୀବ ପ୍ରଜାତିଙ୍କସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା
- ପ୍ରାକୃତିକ ପରିବେଶ ରକ୍ଷା ଓ ଏହାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା
- ବ୍ୟକ୍ତିଗତ ସ୍ତରରେ ଶାକାହାରୀ ଖାଦ୍ୟ ଆପଣେଇବା ଓ କୀଟନାଶକ ଓ ସାର ଇତ୍ୟାଦିର ବ୍ୟବହାର ବନ୍ଦ ସମ୍ପର୍କରେ ଲୋକମାନଙ୍କୁ ବୁଝାଇବା
‘ଧରିତ୍ରୀ ଦିବସ’ ପ୍ରକୃତି ସମ୍ପର୍କରେ ଅବଗତ ରହିବା ଓ ଏହା ପ୍ରତି ଥିବା ଦାୟିତ୍ଵକୁ ହୃଦୟଙ୍ଗମ କରିବାର ଦିନ। ଆସନ୍ତୁ ପଥପ୍ରାନ୍ତ ନାଟକ, ସୋଶାଲ୍ ମିଡିଆ, ବ୍ୟକ୍ତିଗତ ଆଲୋଚନା, କିମ୍ବା ନିଜ ସଂପର୍କୀୟ ବନ୍ଧୁମାନଙ୍କୁ ଫୋନ୍ କରି ଏ ସଂପର୍କରେ ସଚେତନ କରିବା।