ବର୍ଷ ସରିଗଲା, ଯୁଦ୍ଧ ଶେଷ ହେଲାନି

ସରିବାକୁ ବସିଛି ୨୦୨୨।  ଆସିବ ୨୦୨୩ ।  ୨୦୨୨ ବେଶ୍‌ ଘଟଣା ବହୁଳ ରହିଛି। ବିଶ୍ୱ ଅନେକ ବଡ଼ବଡ଼ ଲୋକଙ୍କୁ ହରାଇଛି। ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଦାୟୀ ବର୍ଷର ସବୁଠାରୁ ଭୟଙ୍କର ଘଟଣା, ଯାହାର ଅନ୍ତ ହେଉ ନାହିଁ। ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ହେଉ କି ଇରାନର ହିଜାବ ବିରୋଧୀ ଆନ୍ଦୋଳନ, ସବୁ କିଛି ୨୦୨୨ରେ ହିଁ ଘଟିଛି। ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଏଲନ ମସ୍କ କିଣିବା ୨୦୨୨ର ଅନ୍ୟତମ ଚର୍ଚ୍ଚିତ […]

2022 events

  • Published: Wednesday, 28 December 2022
  • , Updated: 28 December 2022, 06:30 PM IST

ସରିବାକୁ ବସିଛି ୨୦୨୨।  ଆସିବ ୨୦୨୩ ।  ୨୦୨୨ ବେଶ୍‌ ଘଟଣା ବହୁଳ ରହିଛି। ବିଶ୍ୱ ଅନେକ ବଡ଼ବଡ଼ ଲୋକଙ୍କୁ ହରାଇଛି। ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଦାୟୀ ବର୍ଷର ସବୁଠାରୁ ଭୟଙ୍କର ଘଟଣା, ଯାହାର ଅନ୍ତ ହେଉ ନାହିଁ। ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ହେଉ କି ଇରାନର ହିଜାବ ବିରୋଧୀ ଆନ୍ଦୋଳନ, ସବୁ କିଛି ୨୦୨୨ରେ ହିଁ ଘଟିଛି। ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଏଲନ ମସ୍କ କିଣିବା ୨୦୨୨ର ଅନ୍ୟତମ ଚର୍ଚ୍ଚିତ ବିଷୟ। ଅନ୍ତର୍ଜାତୀୟ ସ୍ତରରେ ଘଟିଥିବା ଏମିତି କିଛି ଘଟଣାକୁ ନେଇ ଆମର ଏହି ପ୍ରସ୍ତୁତି। 

[caption id="attachment_715148" align="aligncenter" width="650"] ରାଣୀ ଏଲିଜାବେଥ-୨[/caption]

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ

୨୦୨୨ ମସିହା ସେପ୍ଟେମ୍ବର ୮ ତାରିଖରେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ। ମୃତ୍ୟୁ ବେଳକୁ ୯୬ ବର୍ଷ ବୟସରେ ପହଞ୍ଚି ସାରିଥିବାର ରାଣୀ ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସ୍କଟଲ୍ୟାଣ୍ଡରେ ରହୁଥିଲେ। ବ୍ରିଟେନରେ ସେ ୭୦ ବର୍ଷ ଶାସନ ଗାଦିରେ ରହିଥିଲେ। ରାଣୀ ଭିକ୍ଟୋରିଆଙ୍କ ଠାରୁ ଏହା ୭ ବର୍ଷ ଅଧିକ।

ବିଶ୍ୱର ସର୍ବ ପୂରାତନ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ବ୍ରିଟେନ ରାଜ ପରିବାରର ବଡ଼ ଭୂମିକା ରହିଛି। ଦେଶରେ ନିର୍ବାଚିତ ସରକାର ଥିଲେ ସୁଦ୍ଧା ରାଜ ପରିବାରର ସମ୍ମାନାର୍ଥେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରଦାନ କରାଯାଇଥାଏ। ଭାରତରେ ଯେଉଁ ସବୁ ଦାୟିତ୍ୱ ରାଷ୍ଟ୍ରପତି ତୁଲାଇ ଥାଆନ୍ତି, ଠିକ୍‌ ଅନୁରୂପ କାମ ବ୍ରିଟେନ୍ ମହାରାଣୀ ଇଂଲଣ୍ଡରେ କରନ୍ତି। ରାଣୀ ଏଲିଜାବେଥଙ୍କ ଜନ୍ମ ୧୯୨୬ ଏପ୍ରିଲ ୨୧ରେ ଲଣ୍ଡନରେ ହୋଇଥିଲା। ନୌସେନା ଅଧିକାରୀ ଫିଲିପ ମାଉଣ୍ଟ ବ୍ୟାଟେନଙ୍କ ସହ ତାଙ୍କର ବିବାହ ହୋଇଥିଲା। ସେ ବ୍ରିଟେନ୍ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡା, ଆଣ୍ଟିଗୁଆ, ବର୍ମୁଡା, ବାହାମସ୍, ବ୍ରାଜିଲ, ସେଣ୍ଟ ଲୁସିଆ ଓ ସେଣ୍ଟ ଭିନସେଣ୍ଟ ଭଳି ୧୫ଟି ଦେଶର ରାଣୀ ଥିଲେ। ତାଙ୍କ ମୃତ୍ୟୁ ପରେ ପୂରା ବିଶ୍ୱରେ ଶୋକରଚ୍ଛାୟା ଖେଳି ଯାଇଥିଲା।

ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଡେଇଁଲା

୨୦୨୨ ନଭେମ୍ବର ୧୫ରେ ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିଥିଲା। ଏଥିରେ ଭାରତର ଯୋଗଦାନ ସବୁଠାରୁ ଅଧିକ ରହିଥିଲା। ୮୦୦ କୋଟି ସଂଖ୍ୟା ଛୁଇଁବାରେ ଭାରତର ଯୋଗଦାନ ୧୭୭ ମିଲିୟନ ରହିଛି। ୧୯୭୪ରେ ବିଶ୍ୱର ଜନସଂଖ୍ୟା ୪ ବିଲିୟନ ଅର୍ଥାତ ୪୦୦ କୋଟି ଛୁଇଁଥିଲା। ୪୮ ବର୍ଷ ମଧ୍ୟରେ ବିଶ୍ୱର ଜନସଂଖ୍ୟା ୨ ଗୁଣ ବଢ଼ିଛି। ସେହିପରି ସବୁଠାରୁ ଦ୍ରୁତଗତିରେ ବିଶ୍ୱର ଜନସଂଖ୍ୟା ୧୦୦ କୋଟି ଅତିକ୍ରମ କରିଛି। ବିଶ୍ୱ ଜନସଂଖ୍ୟା ୧୦୦ କୋଟି ବଢ଼ିବା ପାଇଁ ଏଥର ମାତ୍ର ୧୧ ବର୍ଷ ସମୟ ଲାଗିଛି।

୨୦୧୧ ମସିହା ଅକ୍ଟୋବର ମାସରେ ବିଶ୍ୱ ଜନସଂଖ୍ୟା ୭୦୦ କୋଟିର ମାର୍କ ପାର କରିଥିଲା। ୧୯ତମ ଶତାବ୍ଦୀରେ ବିଶ୍ୱରେ ମାତ୍ର ୧.୬ ବିଲିୟନ ଲୋକ ରହିଥିଲେ। ଏହାପରେ ଜନସଂଖ୍ୟା ପ୍ରାୟ ୫ ଗୁଣ ବଢ଼ିଛି। ଆକଳନ ଅନୁସାରେ, ବିଶ୍ୱ ଜନସଂଖ୍ୟା ୯୦୦ କୋଟି ଛୁଇଁବାକୁ ଆଉ ୧୫ ବର୍ଷ ସମୟ ଲାଗିବ। ସେହିପରି ୯୦୦ କୋଟିରୁ ୧୦୦୦ କୋଟିରେ ପହଞ୍ଚିବା ପାଇଁ ସମସ୍ତଙ୍କୁ ଆଉ ୨୧ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଏକବିଂଶ ଶତାବ୍ବୀର ଶେଷ ବେଳକୁ ବିଶ୍ୱ ଜନସଂଖ୍ୟା ୧୦.୪୩ ବିଲୟନ ସ୍ତରରେ ପହଞ୍ଚି ଯାଇଥିବ। ଏହାପରେ ଧୀରେଧୀରେ ଏହା ହ୍ରାସ ପାଇବା ଆରମ୍ଭ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଆସନ୍ତା ୨୦୨୩ ବେଳକୁ ଭାରତ ଜନସଂଖ୍ୟା ମାମଲାରେ ଚାଇନାକୁ ଟପି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏବେ ଚାଇନା ଓ ଭାରତର ଜନସଂଖ୍ୟା ବିଶ୍ୱରେ ସର୍ବାଧିକ। ଜତିସଂଘର ଆକଳନ ଅନୁଯାୟୀ, ଆସନ୍ତା ଗୋଟିଏ ବର୍ଷ ପରେ ଭାରତର ଜନସଂଖ୍ୟା ଚାଇନାକୁ ଅତିକ୍ରମ କରିଯିବ। ବର୍ତ୍ତମାନର ଚାଇନାର ଜନସଂଖ୍ୟା ୧୪୪ ବିଲିୟନ ଥିବା ବେଳେ ଭାରତର ଜନସଂଖ୍ୟା ୧୩୮ ବିଲିୟନ ରହିଛି।

[caption id="attachment_779556" align="aligncenter" width="650"] ଏଲନ ମସ୍କ[/caption]

ଟ୍ୱିଟରକୁ କିଣିଲେ ମସ୍କ

୨୦୨୨ ଅକ୍ଟୋବର ମାସ୍କରେ ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ କିଣିଥିଲେ। ଅକ୍ଟୋବର ୨୮ରେ ସେ ଟ୍ୱିଟରକୁ ଦଖଲ କରିବା ପରେ ଏହାର ସିଇଓ ପରାଗ ଅଗ୍ରୱାଲ, ସିଏଫଓ ନେଡ ସେଗଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ କମ୍ପାନୀରୁ ବିଦା କରି ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ବିବାଦ। କେତେବେଳେ ସେ ବ୍ଲୁ ଟିକ ପାଇଁ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ ତ ଆଉ କେତେବେଳେ କିଛି ଲୋକଙ୍କ ଆକାଉଣ୍ଟକୁ ବ୍ଲକ କରି ଦେଇଥିଲେ। ସେହିପରି ସେ କମ୍ପାନୀର ୭୫% କର୍ମଚାରୀଙ୍କୁ ବିଦା କରିବେ ବୋଲି ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ପରେ କିଛି କର୍ମଚାରୀ ନିଜ ଆଡ଼ୁ ଟ୍ୱିଟରକୁ ଅଲବିଦା କହିଥିଲେ। ସେ ଟ୍ୱିଟର ସିଇଓ ପଦ ଛାଡ଼ିବେ କି ନାହିଁ ସୋଶାଲ ମିଡିଆରେ ମତାମତ ମାଗିଥିଲେ। ଅନେକ ଲୋକ ତାଙ୍କ ବିରୋଧରେ ମତ ଦେଇ ସିଇଓ ପଦ ଛାଡ଼ିବାକୁ ମଧ୍ୟ କହିଥିଲେ। ମସ୍କ ପ୍ରତି କ୍ଷଣରେ ନିଜର ଯୋଜନା ବଦଳାଉଥିବାରୁ ଟ୍ୱିଟରର ଶେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଲୋକମାନେ ମଧ୍ୟ ଟ୍ୱିଟର ଉପରୁ ବିଶ୍ୱାସ ହରାଇବାରେ ଲାଗିଛନ୍ତି।

[caption id="attachment_776432" align="aligncenter" width="650"] ଋଷି ସୁନକ[/caption]

ବ୍ରିଟେନକୁ ମିଳିଲା ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ

୨୦୨୨ରେ ବ୍ରିଟେନ ଅନେକ ଡ୍ରାମାଟିକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଗୋଟିଏ ପଟେ ଦେଶ ନିଜର ପ୍ରିୟ ରାଣୀଙ୍କୁ ହରାଇଥିବା ବେଳେ ଅନ୍ୟପଟେ ବର୍ଷକ ମଧ୍ୟରେ ୩ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛି। ଏହି ଡ୍ରାମା ଜୁଲାଇ ୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେବା ପରେ ଆରମ୍ଭ ହୋଇଥିଲା। ଲକଡାଉନ ନିୟମ ଭାଙ୍ଗି ଅଡ଼ୁଆରେ ପଡ଼ିଥିବା ଜନସନ ଇସ୍ତଫା ଦେବା ପରେ ଲିଜ୍‌ ଟ୍ରସ୍‌ ସେପ୍ଟେମ୍ବର ୬ରେ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ଦେଶର ସାଂଘାତିକ ଆର୍ଥିକ ସ୍ଥିତି ଟ୍ରସଙ୍କୁ କେବଳ ୪୫ ଦିନ ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ଅନୁମତି ଦେଇଥିଲା। ସେ ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଅକ୍ଟୋବର ୨୫ରେ ସୁନକ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୧୮୧୨ ପରେ ୪୨ ବର୍ଷୀୟ ସୁନକ ବ୍ରିଟେନର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ବି କରିଥିଲେ।

ହିଜାବ ବିରୋଧୀ ଆନ୍ଦୋଳନକୁ ନେଇ ଇରାନରେ ଲଙ୍କାକାଣ୍ଡ

ସେପ୍ଟେଟମ୍ବର ୧୪ ତାରିଖରେ ପୁଲିସ ହେପାଜତରେ ୨୨ ବର୍ଷୀୟ ମହସା ଅମିନିଙ୍କ ନାମକ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ହିଜାବ ପିନ୍ଧି ନଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିଲା। ଅମିନିଙ୍କ ମୃତ୍ୟୁ ପରେ ଇରାନରେ ହିଜାବ ବିରୋଧୀ ବିକ୍ଷୋଭ ଉଗ୍ର ରୂପ ନେଇଥିଲା। ଲୋକେ ରାସ୍ତାକୁ ଓହ୍ଲାଇଆସିଥିଲେ। ସରକାର ବିରୋଧୀ ସ୍ଲୋଗାନ ଦେବା ସହ ଦେଶରେ ଏହି କୁପ୍ରଥାକୁ ଫେରାଇନେବାକୁ ଦାବି କରୁଛନ୍ତି। ୧୯୮୩ରୁ ଇରାନରେ ମହିଳାଙ୍କ ହିଜାବ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

୨୨ ବର୍ଷୀୟ ଯୁବତୀ ମହସା ଅମିନିଙ୍କୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଅଭିଯୋଗ କରି ଶତାଧିକ ମହିଳା ଓ ଯୁବତୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନେ ଇରାନରେ ପ୍ରଚଳିତ ଡ୍ରେସ କୋଡ ଓ କଠୋର ହିଜାବ ପରିଧାନ ବ୍ୟବସ୍ଥାକୁ ବିରୋଧ କରିଥିଲେ। ତେବେ ସେମାନଙ୍କ ଦାବି ଶୁଣିବା ପରିବର୍ତ୍ତେ ଇରାନ ସରକାର ବିକ୍ଷୋଭକାରୀଙ୍କୁ ଦମନ କରିଥିଲେ। ଅନେକଙ୍କୁ ଗିରଫ କରାଯାଇଥିବା ବେଳେ ୪୪୮ ଜଣ ଲୋକଙ୍କୁ ଆନ୍ଦୋଳନ ବେଳେ ଗୁଳି କରାଯାଇ ହତ୍ୟା କରାଯାଇଥିଲା। ଏହାକୁ ନେଇ ପୂରା ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଣ୍ଟି ହଜାରବ ଆନ୍ଦୋଳନକୁ ପ୍ରଶମିତ କରିବା ଓ ଇରାନରେ ଘଟୁଥିବା ଘଟଣା, ଯେମିତି ବାହାରକୁ ନ ଯିବ ସେଥିପାଇଁ ସରକାର ଇନଷ୍ଟାଗ୍ରାମ, ଲିଙ୍କଡିନ ଓ ୱାଟଆପ୍‌ ଭଳି ପାଶ୍ଚାତ୍ୟ ଦେଶର ସୋଶାଲ ମିଡିଆ ଉପରେ ରୋକ ଲଗାଇ ଦେଇଥିଲେ। ତଥାପି ଆନ୍ଦୋଳନକାରୀ ହାର ମାନି ନଥିଲେ। ସେମାନେ ନିୟମିତ ଆନ୍ଦୋଳନ କରିବାକୁ ଇରାନ ସରକାର ଡିସେମ୍ବର ପ୍ରଥମ ଭାଗରେ ମୋରାଲିଟି ପୁଲିସ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଏଥିସହ ଡ୍ରେସ କୋଡ ନିୟମକୁ କୋହଳ କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

[caption id="attachment_775956" align="aligncenter" width="650"] ଜିନପିଙ୍ଗ[/caption]

ରେକର୍ଡ ୩ୟ ଥର ପାଇଁ କ୍ଷମତା ହାତେଇଲେ ଜିନପିଙ୍ଗ

୨୦୨୨ ଅକ୍ଟୋବର ୨୩ରେ ବଦଳିଥିଲା ଚାଇନାର ଇତିହାସ। ପୁରୁଣା ନିୟମ ବଦଳାଇ କ୍ରମାଗତ ତୃତୀୟଥର ପାଇଁ ସି ଜିନପିଙ୍ଗ ଚାଇନାର ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ। ମାଓ ଜେଡୋଙ୍ଗଙ୍କ ପରେ ଜିନପିଙ୍ଗ ଚାଇନାର ସବୁଠାରୁ ପ୍ରଭାବଶାଳୀ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ। କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା(ସିପିସି)ର ସାଧାଣ ସମ୍ପାଦକ ହେବା ସହ ସେ ଦେଶର ରାଷ୍ଟ୍ରପତି ହୋଇଥିଲେ। ଜେଡୋଙ୍ଗଙ୍କ ପରେ ୬୯ ବର୍ଷୀୟ ଜିନପିଙ୍ଗ କ୍ରମାଗତ ତୃତୀୟଥର ପାଇଁ ସିପିସିରେ ନିର୍ବାଚିତ ହୋଇଥିଲେ। ତୃତୀୟ ଥର ରାଷ୍ଟ୍ରପତି ହେବା ପରେ ସେ ଦେଶର ସେନା ବାହିନୀ ଉପରେ ବେଶୀ ଫୋକସ କରୁଛନ୍ତି। ଯୁଦ୍ଧ ପାଇଁ ସବୁବେଳେ ସେ ପ୍ରସ୍ତୁତ ରହିବାକୁ କହିବା ପୂରା ବିଶ୍ୱ ବିଶେଷ କରି ତାଇୱାନ ପ୍ରତି ବିପଦ ସୃଷ୍ଟି କରିଛି। ୨୦୨୩ରେ ଜିନିପଙ୍ଗଙ୍କ ଏପରି ଆଭିମୁଖ୍ୟ କେଉଁ ଆଡ଼େ ଯାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଚାଇନାରେ ଜିନପିଙ୍ଗ ବିରୋଧୀ ନିଆଁ

କ୍ରମାଗତ ୩ ଥର ପାଇଁ ଚାଇନାର ରାଷ୍ଟ୍ରପତି ହୋଇଥିବା ସି ଜିନପିଙ୍ଗ ୨୦୨୨ରେ ସବୁଠାରୁ କଠିନ ସମୟର ସମ୍ମୁଖୀନ ହୋଇଥିଲେ। ସେ ମହାମାରୀ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଦୀର୍ଘଦିନ ଧରି ଲକଡାଉନ ଓ ଶଟଡାଉନ ଲାଗୁ କରିବା ଲୋକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଥିଲା। ପ୍ରଥମଥର ପାଇଁ ହଜାର ହଜାର ଲୋକ ଚାଇନା ସରକାରଙ୍କ ଜିରୋ କୋଭିଡ୍ ପଲିସିକୁ ନେଇ ରାସ୍ତାରେ ବିକ୍ଷୋଭ ଆରମ୍ଭ କରିଥିଲେ। ବିଶେଷ କରି ଚାଇନାର ଉତ୍ତର ପଶ୍ଟିମରେ ଥିବା ଜିନଜିଆଙ୍ଗ ପ୍ରଦେଶରେ ଲୋକଙ୍କ ବିକ୍ଷୋଭ ଉଗ୍ର ରୂପ ଧାରଣ କରିଥିଲା। ଲୋକମାନେ ବିକ୍ଷୋଭ କରିବା ସହ ଜିନପିଙ୍ଗକୁ ଗାଦି ଛାଡ଼ିବାକୁ ଦାବି କରି ହିଂସା ମଧ୍ୟ ଘଟାଇଥିଲେ। କରୋନା କଟକଣା ହଟାଇବା ସହ ଲୋକମାନେ ରାଜନୀତିକ ସ୍ୱାଧୀନତା ମଧ୍ୟ ଦାବି କରିଥିଲେ। ଶେଷରେ ଜିନପିଙ୍ଗ ଲୋକଙ୍କ ଆକ୍ରୋଶ ଆଗରେ ମୁଣ୍ଡ ନୁଆଁଇ କଟକଣା ହଟାଇ ଦେଇଥିଲେ। ଏହାପରେ ଚାଇନାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବା ଆରମ୍ଭ ହୋଇଛି। ଡିସେମ୍ବର ୨୪ରେ ସମଗ୍ର ଚାଇନାରେ ୩ କୋଟିରୁ ଅଧିକ ଲୋକ କରୋନା ଦ୍ୱାରା ସଂକ୍ରମଣ ମଧ୍ୟ ହୋଇଥିଲେ। ସେହିପରି ଲକ୍ଷାଧିକ ଲୋକ ପ୍ରାଣ ହରାଉଛନ୍ତି। କିନ୍ତୁ ପୂର୍ବଭଳି ଏବେ ବି ଚାଇନା କରୋନା ସଂକ୍ରମଣ ଓ ମୃତ୍ୟୁକୁ ନେଇ କୌଣସି ପ୍ରକାରର ଠିକ୍‌ ତଥ୍ୟ ବିଶ୍ୱକୁ ଦେଉନାହାନ୍ତି। ହେଲେ ଏକାଧିକ ସଂସ୍ଥା ଆକଳନ କରୁଛନ୍ତି ଯେ ଚାଇନା ସ୍ଥିତି ୨୦୨୩ରେ ଆହୁରି ସାଂଘାତିକ ହେବ ବୋଲି ଆକଳ କରିଛନ୍ତି।

ଶ୍ରୀଲଙ୍କାରେ ଅର୍ଥନୀତିକ ସଙ୍କଟ ଓ ଗାଦି ପରିବର୍ତ୍ତନ

ମହାମାରୀ କରୋନାର ଦୌରାତ୍ମ୍ୟ ପରେ ଶ୍ରୀଲଙ୍କାରେ ଆରମ୍ଭ ହୋଇଥିଲା ଅର୍ଥନୀତିକ ସଙ୍କଟ। ୨୦୨୧ ମଧ୍ୟ ଭାଗରୁ ହିଁ ଶ୍ରୀଲଙ୍କାର ଅର୍ଥନୀତି ଭୁଶୁଡ଼ିବା ଆରମ୍ଭ ହୋଇଥିଲା। ୨୦୨୨ ବେଳକୁ ଏହା ଆହୁରି ସାଂଘାତିକ ସ୍ଥିତିରେ ପହଞ୍ଚି ଯାଇଥିଲା। ତୈଳ ଓ ରନ୍ଧନ ଗ୍ୟାସର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା। ମୁଦ୍ରାସ୍ଫୀତି ଉଗ୍ର ସ୍ତରରେ ପହଞ୍ଚିବାରୁ ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଦେଶ ପାଣ୍ଠି ସରିଯିବାରୁ ସରକାର ଆମଦାନୀ ବନ୍ଦ କରି ଦେଇଥିଲେ। ସ୍ଥିତି ଦିନକୁ ଦିନ ବେକାବୁ ହେବାରୁ ଏପ୍ରିଲ ମାସରୁ ଦେଶରେ ଆରମ୍ଭ ହୋଇଥିବା ବିକ୍ଷୋଭ। ବିଶାଳ ଓ ହିଂସାତ୍ମକ ବିକ୍ଷୋଭ ଯୋଗୁ ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା।

ଜରୁରୀ ଖାଦ୍ୟ ଓ ମେଡିସିନ ଲୋକଙ୍କ ପାଖରେ ପହଞ୍ଚି ପାରି ନଥିଲା। ବିଜୁଳି କାଟ ସ୍ଥିତିକୁ ଆହୁରି ସାଂଘାତିକ କରିଥିଲା। ଲୋକମାନେ ଜୀବନ ବଞ୍ଚାଇବାକୁ ଶରଣାର୍ଥୀ ଭାବେ ଭାରତକୁ ମଧ୍ୟ ଚାଲି ଆସିଥିଲେ। ସରକାର ପରିସ୍ଥିତିର ମୁକାବିଲା କରିବାକୁ ବିଫଳ ହେବାରୁ ଲକ୍ଷାଧିକ ଲୋକ ଏକାଠି ହୋଇ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷଙ୍କ ଇସ୍ତଫା ଦାବି କରିଥିଲେ। ଜୁଲାଇ ୯ରେ ବିକ୍ଷୋଭକାରୀମାନେ ରାଜପକ୍ଷଙ୍କ ବାସଭବନରେ ଧସେଇ ପଶିଥିଲେ। ଲୋକଙ୍କ ଆକ୍ରୋଶ ଯୋଗୁ ସେ ଭୟରେ ଦେଶ ଛାଡ଼ି ଦେଇଥିଲେ। ଏହାପୂର୍ବରୁ ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ମଧ୍ୟ ଇସ୍ତଫା ଦେଇଥିଲେ। ଏସବୁ ବିକ୍ଷୋଭ ଓ ହିଂସା ମଧ୍ୟରେ ଶତାଧିକ ଲୋକ ପ୍ରାଣ ହରାଇଥିଲେ। ଅନେକ ସରକାରୀ ଅଧିକାରୀ ମଧ୍ୟ ଲୋକଙ୍କ ଆକ୍ରମଣରେ ଜୀବନ ହରାଇଛନ୍ତି। ଜଣେ ମନ୍ତ୍ରୀ ଓ ସାଂସଦଙ୍କ ଜୀବନ ମଧ୍ୟ ଶ୍ରୀଲଙ୍କାର ଅର୍ଥନୀତିକ ସଙ୍କଟ ଯୋଗୁ ସୃଷ୍ଟି ହୋଇଥିବା ହିଂସାରେ ଯାଇଛି। ଦିନକୁ ଦିନ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଗୋତାବାୟା ରାଜପକ୍ଷ ଇସ୍ତଫା ଦେଇଥିଲେ। ଏହାପରେ ରାନୀଲ ବିକ୍ରମସିଂଘେ ଦେଶର ରାଷ୍ଟ୍ରପତି ହୋଇଥିଲେ। ଏବେ ଶ୍ରୀଲଙ୍କା ସ୍ଥିତି ଧୀରେଧୀରେ ସୁଧୁରିବା ଆରମ୍ଭ ହୋଇଛି।

[caption id="attachment_720316" align="aligncenter" width="650"] ରୁଷର ହମଲା ପରେ ମାରିୟୁପୋଲର ଅବସ୍ଥା[/caption]

ୟୁକ୍ରେନ ଉପରେ ରୁଷର ଆକ୍ରମଣ

୨୦୨୨ର ସବୁଠାରୁ ବଡ଼ ଓ ଭୟଙ୍କର ଘଟଣା ହେଉଛି ୟୁକ୍ରେନ ଉପରେ ରୁଷର ଆକ୍ରମଣ। ୟୁକ୍ରେନ ନାଟୋରେ ସାମିଲ ହେବାକୁ ଯାଉଥିବା ଖବର ମିଳିବା ପରେ ରୁଷ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ। କିଛି ଦିନର ଧମକ ଓ ଚେତାବନୀ ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରୁଷ ସେନା ମଧ୍ୟ ତତ୍କାଳ ଭାବେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ରୁଷ ଗୋଟିଏ ବଡ଼ ଦେଶ ହୋଇଥିବାରୁ ୟୁକ୍ରେନର ବିନାଶ ହେବ ବୋଲି ସମସ୍ତେ ଆଶଙ୍କା କରିଥିଲେ। କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି ହାର ମାନିବା ମୁଡରେ ନଥିଲେ। ସେ ରୁଷ ସେନାର ଘନଘନ ଆକ୍ରମଣକୁ ନିଜ ଦମରେ ମୁକାବିଲା କରିଥିଲେ। ରୁଷ ଆକ୍ରମଣରେ ୟୁକ୍ରେନର ଏକାଧିକ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଶତାଧିକ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ତଥାପି ଦୁଇ ଦେଶ ମଧ୍ୟରେ ଚାଲିଥିବା ଲଢ଼େଇ ଏଯାଏ ଶେଷ ହୋଇନି।

ରୁଷ ଓ ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବାକୁ ବସିଲାଣି। ହେଲେ ଏଯାଏ ରୁଷ ଯେଉଁ ଲକ୍ଷ୍ୟ ନେଇ ଆକ୍ରମଣ କରିଥିଲା, ତହା ପୂରଣ ହୋଇନି। ଏକଦା ରୁଷ ସେନା ୟୁକ୍ରେନର ଖାରକିଭ ଓ ଖେରସନ ସହରକୁ ନିଜ ଦଖଲକୁ ନେଇ ଯାଇଥିଲା। ହେଲେ ୟୁକ୍ରେନ ସେନା ପୁଣି ଏହାକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ରାଜଧାନୀ କିଭ୍‌ ଉପରେ ରୁଷର ହମଲା ମଧ୍ୟ ୟୁକ୍ରେନ ସେନା ଏଯାଏ ପ୍ରତିହିତ କରିବାକୁ ସକ୍ଷମ ହୋଇଛନ୍ତି। କମେଡିଆନରୁ ରାଷ୍ଟ୍ରପତି ହୋଇଥିବା ଜେଲେନସ୍କିଙ୍କୁ ପୂରା ବିଶ୍ୱରେ ଯୁଦ୍ଧର ହିରୋ ଭାବେ ଚିତ୍ରଣ କରାଯାଇଛି। ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱରେ ସପ୍ଲାଇ ଚେନ ପ୍ରଭାବିତ ହୋଇଛି। ଦରଦାମ ବୃଦ୍ଧି ଭାରତ ସମେତ ଏକାଧିକ ରାଷ୍ଟ୍ରରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ମହାମାରୀ କରୋନା ପରେ ୟୁକ୍ରେନ ଓ ରୁଷ ଯୁଦ୍ଧ ବିଶ୍ୱକୁ ଆର୍ଥିକ ମାନ୍ଦାବସ୍ଥା ମଧ୍ୟକୁ କେତେକାଂଶରେ ଠେଲି ଦେଇଛି। ତଥାପି ବିଶ୍ୱବାସୀଙ୍କ ଆଶା ୨୦୨୩ରେ ସବୁ କିଛି ଠିକ୍‌ ହୋଇଯିବ।

ପ୍ରଧାନମନ୍ତ୍ରୀ, ଇମ୍ରାନ ଖାନ, ଅଯୋଗ୍ୟ ଓ ଗୁଳିମାଡ଼

ଶ୍ରୀଲଙ୍କା ଭଳି ପାକିସ୍ତାନ ପାଇଁ ୨୦୨୨ ମଧ୍ୟ ବେଶ ଘଟଣା ବହୁଳ ରହିଛି। ମିଡ୍‌ ନାଇଟ୍‌ ହଙ୍ଗାମା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସରକାର ଭୁଶୁଡ଼ି ପଡ଼ିଥିଲା। ପାକିସ୍ତାନ ସଂସଦ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ ଇମ୍ରାନ ଖାନଙ୍କୁ ଶାସନ ଗାଦିରୁ ବିଦା କରିଥିଲା। ପାକିସ୍ତାନ ଇତିହାସରେ ଇମ୍ରାନ ପ୍ରଥମ ପ୍ରଧାନମନ୍ତ୍ରୀ ଯାହାଙ୍କୁ ଅନସ୍ଥା ପ୍ରସ୍ତାବ ଜରିଆରେ ହଟାଇ ଦିଆଯାଇଛି। ଇମ୍ରାନ ଶାସନ ଗାଦିରୁ ହଟିବା ପରେ ବିରୋଧୀ ଦଳର ନେତା ଶେହବାଜ ଶରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଶରିଫ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ପାକିସ୍ତାନରେ ଗୃହଯୁଦ୍ଧ ଭଳି ପରିସ୍ଥିତିର ଲାଗି ରହିଛି। ଶାସନ ଗାଦିରୁ ହଟିଥିବା ଇମ୍ରାନ ଖାନ ନିଜ ସମର୍ଥକଙ୍କ ସହ ଶରିଫ ସରକାର ବିରୋଧରେ ବିକ୍ଷୋଭ କରୁଛନ୍ତି। ତେବେ ଏହି ବିକ୍ଷୋଭ ସମୟରେ ଇମ୍ରାନ ଖାନଙ୍କୁ ଗୁଳି ମାଡ଼ ହୋଇଥିଲା। ଗୁଳିମାଡ଼ରେ ସେ ଗୁରୁତର ଆହତ ମଧ୍ୟ ହୋଇଥିଲା। ଇମ୍ରାନ ଖାନଙ୍କ ନେତୃତ୍ୱରେ ୱାଜିରାବାଦରେ ପ୍ରକୃତ ସ୍ୱାଧୀନତା ନାଁରେ ବିଶାଳ ରାଲିର ଆୟୋଜନ କରୁଥିବା ବେଳେ ଏପରି ଘଟଣା ଘଟିଥିଲା।

ଶାସନ ଗାଦିରୁ ହଟିବା ଓ ଗୁଳିମାଡ଼ ପରେ ମଧ୍ୟ ଇମ୍ରାନଙ୍କୁ ନେଇ ପାକିସ୍ତାନରେ ଡ୍ରାମା ଶେଷ ହୋଇ ନଥିଲା। ଅକ୍ଟୋବର ୨୧ ତାରିଖରେ ଉପହାର ମାମଲାରେ ପାକିସ୍ତାନ ନିର୍ବାଚନ କମିଶନ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏଥିସହ ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଆଉ ଜାତୀୟ ସଂସଦର ସଦସ୍ୟ ରହିପାରିବେ ନାହିଁ ବୋଲି କମିଶନ କହିଥିଲେ। କ୍ଷମତାରେ ଥିବା ବେଳେ ଇମ୍ରାନ ଖାନଙ୍କୁ ଅନେକ ଦେଶରୁ ଉପହାର ମିଳିଥିଲା। ହେଲେ ଏ ସମ୍ପର୍କରେ ସେ ସରକାରୀ ଅଧିକାରୀଙ୍କୁ ଉପଯୁକ୍ତ ସୂଚନା ଦେଇଥିଲେ। ଏଥିପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାବାଦ ଏକାଧିକ ବିସ୍ଫୋରଣ ଓ ଆତଙ୍କୀ ହମଲା ଯୋଗୁ ପାକିସ୍ତାନ ୨୦୨୨ରେ ବେଶ ଚର୍ଚ୍ଚାରେ ରହିଥିଲା।

ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା

୨୦୨୨ ଜୁଲାଇ ୮ ତାରିଖରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣା ଦିନ ପଶ୍ଚିମ ଜାପାନର ନାରାରେ ଏକ ସଂସଦୀୟ ନିର୍ବାଚନ ପାଇଁ ସିଞ୍ଜୋ ଆବେ ପ୍ରଚାର କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି କରିଥିଲେ। ଗୁଳିମାଡ଼ ପରେ ତଳା ପଡ଼ି ଯାଇଥିବା ଆବେଙ୍କୁ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ନାରା ମେଡିକାଲ ୟୁନିଭରସିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ୨୦୦୬ରୁ ୨୦୦୭ ଏବଂ ୨୦୧୨ରୁ ୨୦୨୦ ପର୍ଯ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଥିଲେ। ଅସୁସ୍ଥତା ହେତୁ ୨୦୨୦ରେ ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ। ମୃତର ଦୁଇ ମାସ ପରେ ଅର୍ଥାତ ସେପ୍ଟେମ୍ବର ୨୭ରେ ଟୋକିଓରେ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଏଥିରେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନେତା ଯୋଗ ଦେଇଥିଲେ।

ଏଫଏଟିଏଫର ଗ୍ରେ ଲିଷ୍ଟରୁ ହଟିଲା ପାକିସ୍ତାନ

ଆତଙ୍କବାଦ ବିରୋଧରେ ଲଢ଼େଇ କରୁଛି ବୋଲି ଦାବି କରୁଥିବା ପାକିସ୍ତାନକୁ ୨୦୨୨ ଅକ୍ଟୋବର ୨୧ରେ ବଡ଼ ସଫଳତା ମିଳିଥିଲା। ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏଫଏଟିଏଫର ଗ୍ରେ ଲିଷ୍ଟରୁ ମୁକୁଳିଥିଲେ। ଦୀର୍ଘ ୪ ବର୍ଷ ହେଲା ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟ ବା ସନ୍ଦିଗ୍ଧ ତାଲିକାରେ ରଖିଥିଲା। ୪ ବର୍ଷ ମଧ୍ୟରେ ପାକିସ୍ତାନ ଏଥିରୁ ମୁକୁଳିବା ପାଇଁ ଅନେକ ପ୍ରୟାସ କରିଥିଲା। ହେଲେ ଏଫଏଟିଏଫ ପାକିସ୍ତାନର ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ନଥିଲା। ହେଲେ ୨୦୨୨ରେ ପାକିସ୍ତାନ ତା’ର କାର୍ଯ୍ୟକଳାପରେ ଏଫଏଟିଏଫକୁ ସନ୍ତୁଷ୍ଟ କରିପାରିଛି। ତେଣୁ ଇସଲାମାବାଦ ସନ୍ଦିଗ୍ଧ ତାଲିକାରୁ ମୁକୁଳିଛି। ଏଫଏଟିଏଫ ଏମିତି ଏକ ସଂସ୍ଥା ଯିଏ ଆତଙ୍କବାଦ ବିରୋଧରେ ଲଢ଼େଇ କରୁଥିବା ଦେଶ ଗୁଡ଼ିକର ସମୀକ୍ଷା କରିଥାଏ ଓ ତଦନୁଯାୟୀ ଆର୍ଥିକ ସହାୟତା ମିଳିବାର ବ୍ୟବସ୍ଥା କରିଥାଏ। ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢ଼େଇ କରୁ ନଥିବାରୁ ଏଫଏଟିଏଫ ଇସଲାମାବାଦକୁ ଗ୍ରେ ଲିଷ୍ଟରେ ରଖିଥିଲା।

ବିଶ୍ୱରେ ଘଟିଥିବା ଆଉ କିଛି ଚର୍ଚ୍ଚିତ ଘଟଣା

  • ଏପ୍ରିଲ ୭: ୟୁକ୍ରେନ ଉପରେ ଆକ୍ରମଣ ଯୋଗୁ ମିଳିତ ଜାତିସଂଘ ୯୩-୨୪ ଭୋଟରେ ରୁଷକୁ ମାନବାଧିକାର ପରିଷଦରୁ ବିଦା କରିଥିଲେ। ଏହି ଭୋଟିଂ ପ୍ରକ୍ରିୟାରେ ୫୮ଟି ଦେଶ ସାମିଲ ହୋଇ ନଥିଲେ।
  • ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ବେଳେ କ୍ରାମାଟୋରସ୍କ ଟ୍ରେନ ଷ୍ଟେସନ ଉପରେ ରୁଷ ମିସାଇଲ ମାଡ଼ କରିଥିଲା। ଏଥିରେ ୭ ଜଣ ଛୋଟ ପିଲାଙ୍କ ସମେତ ୫୯ ଜଣଙ୍କ ଜୀବନ ଯାଇଥିଲା।
  • ମେ’ ୨୧: ଅଷ୍ଟ୍ରେଲିଆର ସାଧାରଣ ନିର୍ବାଚନରେ ଲେବାର ପାର୍ଟି ବହୁମତ ହାସଲ କରିଥିଲା। ଲେବର ପାର୍ଟିର ମୁଖିଆ ଆନ୍ଥୋନୀ ଆଲବାନେସ ଲିବେରାଲ ସରକାର ତଥା ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ହରାଇଥିଲେ।
  • ଜୁନ ୨୬: ଜର୍ମାନୀରେ ଜି୭ ନେତାମାନେ ୟୁକ୍ରେନ ସ୍ଥିତି ଉପରେ ଆଲୋଚନା କରିବାକୁ ଏକାଠି ହୋଇଥିଲେ। ସେମାନେ ଏହି ବୈଠକରେ ରୁଷର ରପ୍ତାନୀ କରୁଥିବା ସମସ୍ତ ସାମଗ୍ରୀ ଉପରେ ବ୍ୟାନ ଲଗାଇଥିଲେ।
  • ଜୁନ ୧୭: ମେକ୍ସିକୋ, ହୋଣ୍ଡାରସ, ଗୁଏତମାଲା ଓ ଏଲ ସାଲଭାଡରର ୫୩ ଜଣ ବିସ୍ଥାପିତ ଶ୍ରମିକଙ୍କ ମୃତଦେହ ଆମେରିକାରର ସାନ ଆଣ୍ଟୋନିଅ ନିକଟରେ ଥିବା ଗୋଟିଏ ଟ୍ରକ୍‌ ଡାଲାରୁ ମିଳିଥିଲା।
  • ଜୁଲାଇ ୩୧: ଓସାମା ବିନ ଲାଡେନ ପରେ ଆତଙ୍କବାଦୀ ସଂଗଠନ ଅଲକାଏଦାର ନେତୃତ୍ୱ ନେଉଥିବା ଆୟମନ ଅଲ ଜୱାହିରି କାବୁଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ ନିହତ ହୋଇଥିଲା। ଆମେରିକା ପକ୍ଷରୁ ଏପରି ଷ୍ଟ୍ରାଇକ କରାଯାଇଥିଲା।
  • ଅଗଷ୍ଟ ୪: ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିବାରୁ କ୍ଷୁବ୍ଧ ହୋଇଥିଲା ଚାଇନା। ଏଥିପାଇଁ ଚାଇନା ପକ୍ଷରୁ ସବୁଠାରୁ ବଡ଼ ସାମାରିକ ଅଭ୍ୟାସ କରାଯାଇଥିଲା। ଏପରି କି ଚାଇନାର କିଛି ଯୁଦ୍ଧ ବିମାନ ତାଇୱାନ ସୀମାରେ ପହଞ୍ଚି ସମସ୍ତଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲା।
  • ଅକ୍ଟୋବର ୨୯: ହାଲୋୱିନ୍ ପର୍ବ ପାଳନ ବେଳେ ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଘଟିଥିଲା ଦଳା ଚକଟା। ଏଥିରେ ୧୫୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯୭ ଜଣ ଆହତ ହୋଇଥିଲେ। ସିଓଲର ଇଟେଓନରେ ହାଲୋୱିନ୍ ପର୍ବ ପାଳନ ଚାଲିଥିଲା। କରୋନା ପାଇଁ ଗତ ୨ ବର୍ଷ ଧରି ପାଳନ ହୋଇନଥିବା ବେଳେ ଏଥର ବେଶ୍ ଧୁମ୍‌ଧାମରେ ପାଳନ ହେଉଥିଲା କାର୍ଯ୍ୟକ୍ରମ। ଏହି ପର୍ବରେ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଏକ ଗଳି ରାସ୍ତାରେ ଆଉଟ୍‌ଡୋର୍‌ରେ ଏହି ପର୍ବ ପାଳନ ଚାଲିଥିବା ବେଳେ ହଠାତ୍ କୌଣସି କାରଣରୁ ଆରମ୍ଭ ହୋଇଥିଲା ଦଳାଚକଟା।

Related story