ଲତାଙ୍କୁ ମାରିବାକୁ ବିଷ ଦିଆଯାଇଥିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ସଙ୍ଗୀତ କଥା ଉଠିଲେ ସର୍ବପ୍ରଥମେ ଯାହା ମୁହଁ ଆଖି ଆଗରେ ଝଲସି ଉଠେ, ସେ ହେଉଛନ୍ତି ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେଶକର। ଭାରତୀୟ ଚଳଚ୍ଚିତ୍ର ଜଗତ ଆଜି ଯେଉଁ ଲୋକପ୍ରିୟତା ହାସଲ କରିଛି, ସେଥିରେ ଲତାଜୀଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନକୁ କେହି ଅସ୍ୱୀକାର କରିପାରିବେ ନାହିଁ।

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ହେଉ ବା କେବ୍ରେ ସଙ୍ଗ୍, ରୋମାଣ୍ଟ୍ରିକ୍ ଟ୍ରାକ୍ ହେଉ ବା ସାଡ୍ ସଙ୍ଗ୍। ଲତାଜୀଙ୍କ ପ୍ରତିଟି ସ୍ୱାଦର ଗୀତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଛି। ଏଥିପାଇଁ ଲତାଙ୍କୁ ସ୍ୱରର ଦେବୀ ମାତା ସରସ୍ୱତୀଙ୍କ ସାକ୍ଷାତ ରୂପ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ହେଲେ ଆପଣ କଣ ଜାଣନ୍ତି ଦେଶର ଏହି ଗୌରବଙ୍କୁ ଏକଦା ଜୀବନରେ ମାରିଦେବାକୁ ମଧ୍ୟ ଷଡ଼ଯନ୍ତ୍ର କରାଯାଇଥିଲା। ହଁ, ଆପଣଙ୍କୁ ବିଶ୍ୱାସ ନ ହେଉଥିଲେ ମଧ୍ୟ ଏହା ହେଉଛି ସତ। ଲତାଜୀଙ୍କ ୩୩ବର୍ଷ ବୟସରେ ତାଙ୍କ ସହ ଏପରି ଏକ ବିଶ୍ୱାସଘାତ ହୋଇଥିଲା। ଆଜି ତାଙ୍କର ୯୧ତମ ଜନ୍ମଦିବସରେ ଆସନ୍ତୁ ସୁରର ମଲ୍ଲିକା ଲତା ମଙ୍ଗେଶକରଙ୍କ ବିଷୟ ଅଧିକା କିଛି ଜାଣିବା…

ନିଜର ସୁମଧୁର ଯାଦୁକରୀ ଚିରଯୌବନ କଣ୍ଠସ୍ୱରରେ ଦଶନ୍ଧି, ଦଶନ୍ଧି ଧରି ଶ୍ରୋତାଙ୍କୁ ମତୁଆଲା କରି ରଖିଥିବା ଲତାଙ୍କ ଜନ୍ମ ୧୯୨୯ ସେପ୍ଟେମ୍ବର ୨୮ରେ ଇନ୍ଦୋରରେ ହୋଇଥିଲା। ତାଙ୍କ ବାପା ଦୀନାନାଥ ମଙ୍ଗେଶକର ଜଣେ ଲୋକପ୍ରିୟ ସଙ୍ଗୀତଜ୍ଞ ଥିଲେ। ସେ ଜଣେ ଉଚ୍ଚକୋଟିର ମଞ୍ଚ ଅଭିନେତା ମଧ୍ୟ ଥିଲେ। ଏଥିପାଇଁ ଲତା କଥା କହିବା ଆରମ୍ଭ କରିବା ବେଳକୁ ତାଙ୍କ ବାପା ତାଙ୍କର ସଙ୍ଗୀତ ଶିକ୍ଷା ଆରମ୍ଭ କରିଦେଇଥିଲେ। କିନ୍ତୁ ସେତେବେଳେ କିଏ ଜାଣିଥିଲା ଯେ, ଦିନେ ଏହି ଝିଅ ଭାରତକୁ ଗୌରବାନ୍ୱିତ କରିବ।

ଲତାଙ୍କ ତିନି ଉଭଣୀ ମୀନା ମଙ୍ଗେଶକର, ଆଶା ଭୋଁସଲେ, ଉଷା ମଙ୍ଗେଶକର ଏବଂ ଗୋଟିଏ ଭାଇ ହୃଦୟନାଥ ମଙ୍ଗେଶକର ଥିଲେ। ଲତା ଘରେ ପ୍ରଥମ ସନ୍ତାନ ଥିଲେ। ତାଙ୍କ ପିଲାବେଳର ନାମ ହେମା ଥିଲା। କିନ୍ତୁ ଦିନେ ଥିଏଟରରେ ‘ଲତିକା’ ଚରିତ୍ରରେ ଅଭିନୟ କରିବା ପରଠାରୁ ହେମାଙ୍କ ବଦଳରେ ସେ ଲତା ହୋଇ ଜୀବନରେ ଆଗକୁ ବଢ଼ିଲେ।

ଲତାଙ୍କ ଜୀବନରେ ଏକ ଦୁଃଖଦ ବିଶ୍ୱାସଘାତର କାହାଣୀ ମଧ୍ୟ ରହିଛି। ଦିନକୁ ଦିନ ତାଙ୍କ ବଢ଼ୁଥିବା ଲୋକପ୍ରିୟତା ଏବଂ ସଫଳତାକୁ ଦେଖି ଇର୍ଶା କରିବା ଲୋକ ମଧ୍ୟ ବଢ଼ିଯାଇଥିଲେ। ଏପରି କି ତାଙ୍କୁ ଜୀବନରୁ ମାରିଦେବା ଲାଗି ମଧ୍ୟ ଚେଷ୍ଟା କରାଯାଇଥିଲା। ୧୯୬୨ରେ ୩୩ ବର୍ଷ ବୟସରେ ଲତାଙ୍କୁ ସ୍ଲୋ ପଏଜନ୍ ଦିଆଯାଇଥିଲା। ଲେଖିକା ପଦ୍ମା ସଚଦେବ ନିଜ ପୁସ୍ତକ ‘ଐସା କାହାଁ ସେ ଲାଉଁ’ରେ ଏନେଇ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି ଯେ, “ଲତାଜୀଙ୍କୁ ୩୩ ବର୍ଷ ବୟସର ହୋଇଥିଲା। ସେତେବେଳେ ଏ କଥା ମୋତେ କହିଥିଲେ। ଦିନେ ସକାଳୁ ସକାଳୁ ସେ ପେଟରେ ପ୍ରଚଣ୍ଡ ଯନ୍ତ୍ରଣା ଅନୁଭବ କଲେ। ପରେ ୨-୩ ଥର ବାନ୍ତି ମଧ୍ୟ ହେଲା। ବାନ୍ତିରେ ସବୁଜ ରଙ୍ଗର କିଛି ପଦାର୍ଥ ଦେଖିବାକୁ ମିଳିଲା। ସେ ଆଉ ଚାଲିପାରିଲେ ନାହିଁ। ସମ୍ପୂର୍ଣ୍ଣ ଶରୀରରେ ଭୀଷଣ ଯନ୍ତ୍ରଣା ଅନୁଭବ କଲେ।”

ପଦ୍ମା ସଚଦେବ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି ସ୍ଲୋ-ପଏଜନ୍ କାରଣରୁ ଲତା ମଙ୍ଗେଶକର ବହୁତ ଦୁର୍ବଳ ହୋଇପଡ଼ିଥିଲେ। ସେ ୩-୪ ମାସ ପର୍ଯ୍ୟନ୍ତ ବେଡ୍ ରେଷ୍ଟ କରିଥିବା ସହ କୌଣସି ଗୀତ ଗାଇବାକୁ ସମର୍ଥ ନ ଥିଲେ। ତାଙ୍କ ଅନ୍ତଃନଳୀରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ଯଥେଷ୍ଟ ସତର୍କ ଓ ସାବଧାନ ରହିବା ସହ କେବଳ ଥଣ୍ଡା ସୁପ୍ ପିଇ ଦିନ କାଟିଥିଲେ ଲତା।

ତେବେ ଦୁଃଖର ବିଷୟ ଆଜି ମଧ୍ୟ ଲତାଜୀଙ୍କୁ ବିଶ୍ୱାସରେ ବିଷ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନି। ଲତାଙ୍କୁ ବିଷ ଦେଇଥିବା ବ୍ୟକ୍ତି ଆଜି ବି ରହସ୍ୟ ଘେରରେ। କୁହାଯାଉଛି, ଏହି ଘଟଣା ପରେ ଲତାଙ୍କ ରୋଷେୟା ଫେରାର୍ ହୋଇଯାଇଥିଲା। ଆଉ ବଳକା ବେତନ ନେବାକୁ ମଧ୍ୟ ରୋଷୟା ଜଣକ କେବେ ବି ଫେରି ଆସି ନ ଥିଲା।