Advertisment

‘ନବୀନ ବାବୁ ତୁମକୁ ଆଉ ଶୋଇବାକୁ ଦେବୁନି’, ନୂଆ ବିଜେପି ସଭାପତି କଲେ ଟାର୍ଗେଟ

ଆଜି ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବରେ ଏଭଳି ତୀର ମାରିଛନ୍ତି ମନମୋହନ।

author-image
Niranjan Mishra
ଅଦ୍ୟତନ ହୋଇଛି
BJP

BJP

ନବୀନ ବାବୁ ତୁମକୁ ଆଉ ଶୋଇବାକୁ ଦେବୁନି। ୨ ହଜାର ମସିହାରେ କଂଗ୍ରେସକୁ କ୍ଷମତାରୁ ହଟାଇଥିଲୁ। ଏବେ ବିଜେଡିକୁ ହଟାଇବାକୁ ଶପଥ ନେଇଛୁ। ବିଜେପି ରାଜ୍ୟ ମୁଖ୍ୟାଳୟରେ ଆଜି ସମ୍ବର୍ଦ୍ଧନା ଅବସରରେ ଏଭଳି ରଣହୁଙ୍କାର ଦେଇଛନ୍ତି ନୂଆ ସଭାପତି ମନମୋହନ ସାମଲ। ଆଜି ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବରେ ଏଭଳି ତୀର ମାରିଛନ୍ତି ମନମୋହନ।

Advertisment

ସମ୍ବର୍ଦ୍ଧନା ମଂଚରୁ ସିଧାସଳଖ ନବୀନ ସରକାରଙ୍କୁ ନିଶାନା କରି ସେ କହିଛନ୍ତି, ଆଗାମୀ ନିର୍ବାଚନ ଐତିହାସିକ ହେବ। ସାଧାରଣ ଲୋକେ ତାତି କି ଅଛନ୍ତି। ଆଉ ଲୋକେ ଯେତେବେଳେ ତାତିବେ, ସେମାନଙ୍କୁ କେହି ରୋକି ପାରିବେ ନାହିଁ। ନବୀନ କେବଳ ପ୍ରସଙ୍ଗ ଏଡ଼ାଇବାର ଶିଖିଛନ୍ତି। ରାଜ୍ୟରେ ପଲିଟିକାଲ୍ ସିଷ୍ଟମ ନଷ୍ଟ ହୋଇଯାଇଛି। ମନ୍ତ୍ରୀମାନଙ୍କ ପାଖକୁ ଆଉ ଫାଇଲ୍ ଯାଉନାହିଁ। ଆଜି ବିଜେଡି ମନ୍ତ୍ରୀ ଓ ବିଧାୟକ ମୁଖ୍ୟମନ୍ତ୍ରୀକୁ ଭେଟିପାରୁ ନାହାନ୍ତି। ମନ୍ତ୍ରୀ ବାହାରେ ବସିଛନ୍ତି। ଫାଇଲ୍‌ ସେମାନଙ୍କ ପାଖକୁ ଯାଉନି। ବିହାରୀ ଫିଲ୍ମ ଷ୍ଟାଇଲ୍‌ରେ ସରକାରୀ ହୁକୁମ ଚାଲିଛି। ଏଠି କେଉଁ ସରକାର ଚାଲିଛି? ରାଜ୍ୟରେ ଯେତେବେଳେ ବି ନିର୍ବାଚନ ହେବ ଆମେ ପ୍ରସ୍ତୁତ ଅଛୁ। ଆଜିଠାରୁ ଆମେ ଶୋଇବୁ ନାହିଁ, କି କାହାକୁ ଶୋଇବାକୁ ଦେବୁନାହିଁ। ସାଧାରଣ ଲୋକେ ଅନ୍ୟାୟ, ଅତ୍ୟାଚାରରେ ବୁଡ଼ିଥିବା ବିଜେଡି ସରକାର ବିରୋଧରେ ଭୋଟ୍ ଦେବେ ଓ ବିକଳ୍ପ ସରକାର ଗଢ଼ିବେ। ସାଧାରଣ ଲୋକଟିଏ ମୁଖ୍ୟମନ୍ତ୍ରୀ ହେଲେ ନବୀନଙ୍କଠୁ ଭଲ ହେବ।

ସେହିପରି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସେ ଆହ୍ୱାନ ଦେଇ କହିଥିଲେ, ଘରଦ୍ୱାର ଛାଡ଼ନ୍ତୁ। ପରିବାରକୁ ଦାୟିତ୍ୱ ଦିଅନ୍ତୁ। ନିର୍ବାଚନ ସରିଲେ ଫେରିବା। ନିଜ ଭିତରେ ଯେଉଁ ଶକ୍ତି ଅଛି। ବିଜେଡି ବିରୋଧରେ ଲଗାଇବା। ବିଜେପିର ଭୋଟ ପ୍ରତିଶତ ୧ ପ୍ରତିଶତରୁ ବଢ଼ି ଏବେ ପ୍ରାୟ ୪୦ ପ୍ରତିଶତରେ ପହଞ୍ଚିଥିବାରୁ ସରକାର ଗଠନ ନିମନ୍ତେ ସମସ୍ତେ ହାତ ଲଗାନ୍ତୁ ବୋଲି ସେ କହିଥିଲେ।

Advertisment

ଦଳର ଅନ୍ୟ ନେତାମାନେ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଶାସକ ଦଳକୁ ନୋଟିସ୍‌ ଦିଆଗଲା। ଆଜିଠୁ ନୋଟିସ୍‌ ପିରିୟଡ୍‌ ଆରମ୍ଭ ହେଲା। ମନମୋହନ ସାମଲଙ୍କ ନେତୃତ୍ୱରେ ସରକାରକୁ ବରଖାସ୍ତ କରିବା ପାଇଁ ବାଟ ତିଆରି ହେଲା। ଏଥରେ ରାଜ୍ୟରେ ବିଜେପି ସରକାର କରିବା ସୁନିଶ୍ଚିତ।

ସାଂସଦ ଜୁଏଲ ଓରାମ ଏଠାରେ ଯୋଗଦେଇ କହିଲେ, କଂଗ୍ରେସ ଅତ୍ୟାଚାର ଚରମ ସୀମାରେ ଥିବାରୁ ବିଜେଡିକୁ ଗଠନ କରିଥିଲୁ। ବିଜେଡି ଯିଏ ଗଠନ କରିଥିଲେ ସେମାନେ ଆଉ ନାହାନ୍ତି। ବିଜେଡି କଂଗ୍ରେସଠୁ ବଳିଗଲାଣି। ରାଜ୍ୟରେ ବିକଳ୍ପ ସରକାର ଗଠନ ପାଇଁ ମିଳିତ ଲଢ଼େଇ ହେବ।

ଉତ୍ସବରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ୧୯୯୭ରେ କଂଗ୍ରେସକୁ ବିଦା କରିବାକୁ ବିଜେଡି ସହ ମେଣ୍ଟ କରିଥିଲୁ। ୨୦୦୯ ପରେ ଏ ସରକାର କଂଗ୍ରେସଠୁ ବି ବିପଜ୍ଜନକ ହୋଇଛି। ଯେତେ ଶୀଘ୍ର ଏ ସରକାର ଯିବ ଓଡ଼ିଶାର କଲ୍ୟାଣ ହେବ।

ମନମୋହନ ବିଜେଡି ପାଇଁ କାଳ ହେବେ ଓ ୨୦୨୪ରେ ବିଜେପି ରାଜ୍ୟରେ ବିକଳ୍ପ ସରକାର ଗଠନ କରିବ ବୋଲି ବୋଲି ବସନ୍ତ ପଣ୍ଡା କହିଥିଲେ।ସାସଂଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ଠିକ୍‌ ଲୋକ ଠିକ୍‌ ଜାଗାରେ ବସିଛନ୍ତି। ଦଳର କେବଳ ଗୋଟିଏ ଲକ୍ଷ୍ୟ ୨୦୨୪ରେ ସରକାର ଗଠନ। ସେହିପରି ଦଳୀୟ ଅନ୍ୟ ତୁଙ୍ଗ ନେତାମାନେ ମଧ୍ୟ ମନମୋହନଙ୍କ ସହ କାର୍ଯ୍ୟ କରିବା ସମୟ ସଂଘର୍ଷ ଅନୁଭୂତି ବଖାଣିବା ସହ ବିଜେଡି ସରକାରୀ ବ୍ୟବସ୍ଥାକୁ ସମାଲୋଚନା କରି  ବିଜେପି ସରକାର ଆଣିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

ନୂଆ ଦାୟିତ୍ୱ ନେବା ପରେ ଆଜି ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱରରେ ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା ଦିଆଯାଇଥିଲା। ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା ହୋଇଥିଲା। ଆଉ ଶେଷରେ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସୂଚନା ମୁତାବକ, କ୍ଷେତ୍ରୀୟ ପ୍ରଭାରୀ ଭାବେ ସୁନିଲ ବଂଶଲ ଦାୟିତ୍ୱ ନେବା ପରେ ଆଗ୍ରେସିଭ ନେତା ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ ଦିଆଯାଇଥିବା ବେଳେ ଏବେ ମନମୋହନ ସାମଲଙ୍କୁ ଧରାଯାଇଛି ଦଳର ମଙ୍ଗ। ନୂଆ ସଭାପତିଙ୍କ ନେତୃତ୍ୱରେ ଦଳ ବିଜେଡିକୁ କେତେଦୂର ଚ୍ୟାଲେଞ୍ଜ ଦେଇପାରୁଛି ତା ଉପରେ ନଜର ରହିବ।

Bjp Odisha Politics Bjp Politics