Advertisment

‘ପରମ୍ପରା ବଦଳିବ, କଂଗ୍ରେସ କ୍ଷମତାକୁ ଫେରିବ’

‘ଏଥର ନିର୍ବାଚନ ଐତିହାସିକ ହେବ, ପରମ୍ପରା ବଦଳିବ ଏବଂ କଂଗ୍ରେସ କ୍ଷମତାକୁ ଫେରିବ...’

author-image
Debibandita Barick
ଅଦ୍ୟତନ ହୋଇଛି
Sachin Pilot

Sachin Pilot

ଆଉ ଗୋଟିଏ ସପ୍ତାହ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏଥିପାଇଁ ସରଗରମ ରାଜସ୍ଥାନ ରାଜନୀତି। ପ୍ରଚାର ମଇଦାନରେ ଥିବା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭବିଷ୍ୟତ ମୁଖ୍ୟମନ୍ତ୍ରୀ ବାବଦରେ ଆଲୋଚନା କରିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ଏଥିସହ କଂଗ୍ରେସ ସୁପ୍ରିମୋ ତାଙ୍କୁ କ୍ଷମାକରି, ଭୁଲିଯାଇ ଆଗକୁ ବଢିବାକୁ କହିଥିବା ସେ କହିଛନ୍ତି। 

Advertisment

ଏଥର ଯଦି ଦଳ ପୁଣି ସରକାରକୁ ଆସେ ତେବେ କିଏ ମୁଖ୍ୟମନ୍ତ୍ରୀ ହେବେ ବୋଲି ଗଣମାଧ୍ୟମ ପ୍ରଶ୍ନରେ ପାଇଲଟ କହିଛନ୍ତି, "ନିର୍ବାଚିତ ବିଧାୟକ ଏବଂ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେବେ ଯେ ରାଜସ୍ଥାନରେ କିଏ ଦଳର ନେତୃତ୍ୱ ନେବେ।" କଂଗ୍ରେସ ଏକଜୁଟ ହୋଇଛି କି ନାହିଁ ପଚରାଯିବାରୁ ପାଇଲଟ କହିଛନ୍ତି, "କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଏକଜୁଟ ହୋଇଛି। ବିଜେପିରେ ତିକ୍ତତା ଏବଂ ମତାନ୍ତର ରହିଛି, ଭୁଲ ଢଙ୍ଗରେ ଟିକେଟ ବଣ୍ଟନ କରାଯାଇଛି। ଏକଥା ମୁଁ କହୁ ନାହିଁ, ସମସ୍ତେ କହୁଛନ୍ତି। କିନ୍ତୁ କଂଗ୍ରେସରେ ଏପରି ହୁଏନାହିଁ, ଆମେ ଏକାଠି ବସୁ ଏବଂ ଆଲୋଚନା କରୁ।"

ପାଇଲଟ ଆହୁରି କହିଛନ୍ତି, "କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଦଳର ନେତା ରାହୁଲ ଗାନ୍ଧି କ୍ଷମା କରିବାକୁ, ଭୁଲିଯିବାକୁ ଏବଂ ଆଗକୁ ବଢ଼ିବାକୁ କହିଛନ୍ତି। ସେଥିପାଇଁ ମୁଁ ଭବିଷ୍ୟତକୁ ଦେଖୁଛି। ମୁଁ ରାଜସ୍ଥାନ ପାଇଁ ପାଞ୍ଚ ବର୍ଷର ରୋଡ଼ମ୍ୟାପକୁ ଦେଖୁଛି। ମିଳିତ ଭାବେ ଆମେ କଂଗ୍ରେସକୁ ଜିତାଇବୁ। ଏହା ପରେ କିଏ ଦଳର ନେତୃତ୍ୱ ନେବେ, ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବେ ତାହା ବିଧାୟକ ଏବଂ ନେତୃତ୍ୱ ସ୍ଥିର କରିବେ।"

Advertisment

୨୦୧୮ ନିର୍ବାଚନଠାରୁ ଏହି ନିର୍ବାଚନ କିପରି ଭିନ୍ନ ହେବ ବୋଲି ଏକ ପ୍ରଶ୍ନର ଉତ୍ତରରେ ପାଇଲଟ କହିଛନ୍ତି, ସେତେବେଳେ କଂଗ୍ରେସ ବିରୋଧୀ ଦଳରେ ଥିଲା। ଏଥର ରାଜସ୍ଥାନବାସୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆମ କାର୍ଯ୍ୟ ଦେଖିଛନ୍ତି। ଆମେ ଗାଁ ଗାଁରେ ପହଞ୍ଚିଛୁ। ଏଥର ନିର୍ବାଚନ ଐତିହାସିକ ହେବ, ପରମ୍ପରା ବଦଳିବ ଏବଂ କଂଗ୍ରେସ କ୍ଷମତାକୁ ଫେରିବ।"

ସ୍ୱାଧୀନତା ପରେ ପ୍ରାୟ ଚାରି ଦଶନ୍ଧି ଧରି ରାଜସ୍ଥାନ ରାଜନୀତିରେ କଂଗ୍ରେସ ପ୍ରାଧାନ୍ୟ ବିସ୍ତାର କରିଛି। କିନ୍ତୁ ପାଇଲଟ ନିର୍ବାଚନ ଲଢୁଥିବା ଟୋଙ୍କ ଆସନରେ ସ୍ୱାଧୀନତା ପରଠାରୁ କୌଣସି କଂଗ୍ରେସ ନେତା ଲଗାତାର ଭାବେ ଦୁଇଥର ପାଇଁ ବିଜୟୀ ହୋଇପାରି ନାହାଁନ୍ତି। ସେ ଏହି ରେକର୍ଡକୁ ଭାଙ୍ଗିବେ କି ପଚରାଯିବାରୁ ପାଇଲଟ କହିଛନ୍ତି, "ସ୍ୱାଧୀନତା ପରଠାରୁ କୌଣସି କଂଗ୍ରେସ ନେତା ୫୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଜିତିନଥିଲେ। ରେକର୍ଡ ତିଆରି ହୋଇଛି ଭାଙ୍ଗିବା ପାଇଁ।  

ମୁଁ ରେକର୍ଡ କି ସଂଖ୍ୟାକୁ ଯିବାକୁ ଚାହିଁ ନାହିଁ। କିନ୍ତୁ ଲୋକମାନେ ମୋତେ ବିଶ୍ୱାସ କରିଛନ୍ତି। ଆମେ ଅନେକ ବିକାଶମୂଳକ କାର୍ଯ୍ୟ କରିଛୁ, କୋଭିଡ-19 ସମୟରେ ଆମେ ଲୋକଙ୍କୁ ସାହାଯ୍ୟ କରିଥିଲୁ। ତେଣୁ ମୁଁ କହିପାରେ ଯେ ଟୋଙ୍କରେ ଏକ ବଡ଼ ବ୍ୟବଧାନରେ ଆମେ ଜିତିବୁ।" 

ତେବେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ଦଳରେ ବାଦ ବିବାଦ ଦେଖିବାକୁ ମିଳିଥିଲା। କିଛି ଦଳୀୟ ଲୋକ ମୁଖ୍ୟମନ୍ତ୍ରୀ ପାଇଁ ଗେହଲଟଙ୍କୁ ନିର୍ଣ୍ଣୟ କରୁଥିବା ବେଳେ କିଛି ପାଇଲଟଙ୍କୁ ସମର୍ଥନ କରନ୍ତି। ନିକଟରେ ଗେହଲଟ କହିଥିଲେ, "ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ଅଛି, କିନ୍ତୁ ପଦ ମତେ ଛାଡୁନାହିଁ।" ତେବେ ଆଉ କିଛିଦିନ ପରେ ନିର୍ବାଚନ ଏବଂ ଡିସେମ୍ବର 3ରେ ଫଳାଫଳ ପ୍ରକାଶ ପାଇବା ପରେ ଏଥର ରାଜସ୍ଥାନରେ କିଏ ସରକାର ଗଢୁଛି ତାହା ସ୍ପଷ୍ଟ ହୋଇଯିବ। 

Rahul Gandhi Sachin Pilot Rajasthan Politics Rajasthan Assembly Election Assembly Voting