/odisha-reporter/media/post_attachments/uploadimage/library/16_9/16_9_0/DMK_1709642611.jpg)
DMK
ତାମିଲନାଡୁ ସହଯୋଗୀ ଡିଏମକେର ବରିଷ୍ଠ ନେତା ଏ ରାଜାଙ୍କ ବିବାଦୀୟ ବୟାନକୁ ଦୃଢ଼ ଭାବେ ନିନ୍ଦା କରିଛି କଂଗ୍ରେସ। ଭାଷଣ ଦେବା ବେଳେ ଜଣେ ନେତା ବିବାଦୀୟ ବୟାନରୁ ଦୂରେଇ ରଖିବା ଦରକାର ବୋଲି ଦଳ କହିଛି।
ଡିଏମକେ ସାଂସଦ ରାଜା ଭାଷଣ ଦେବା ବେଳେ କହିଥିଲେ ଯେ ଭାରତ ଗୋଟିଏ ରାଷ୍ଟ୍ର ନୁହେଁ। ଏହା ଏକ ଉପ ମହାଦେଶ। ବିଭିନ୍ନ ପ୍ରଥା ଓ ସଂସ୍କୃତିର ଘର ହେଉଛି ଭାରତ। ତାଙ୍କ ଏପରି ବୟାନକୁ ବିଜେପି ବିରୋଧ କରିବା ସହ ଦେଶକୁ ଭାଗଭାଗ କରିବା ପାଇଁ ଏପରି ବୟାନ ଦିଆଯାଇଥିବା ବିଜେପି କହିଥିଲା। ଏବେ କଂଗ୍ରେସ ମଧ୍ୟ ରାଜାଙ୍କ କଥାରେ ଏକମତ ନୁହେଁ ବୋଲି କହିଛି।
ସାମ୍ନାକୁ ଆସିଥିବା ଗୋଟିଏ ଭିଡିଓରେ ଏ ରାଜା ଦଳର ସାଂଗଠନିକ ବୈଠକକୁ ସମ୍ବୋଧନ କରୁଛି। ଏହି ସମୟରେ ସେ କହିଛନ୍ତି ଯେ “ଭାରତ ଗୋଟିଏ ରାଷ୍ଟ୍ର ନୁହେଁ। ଏହାକୁ ଭଲ ଭାବେ ବୁଝନ୍ତୁ। ଭାରତ କେବେ ହେଲେ ଗୋଟିଏ ଦେଶ ନୁହେଁ। ଗୋଟିଏ ରାଷ୍ଟ୍ରରେ ଗୋଟିଏ ଭାଷା, ଗୋଟିଏ ପରମ୍ପରା, ଗୋଟିଏ ସଂସ୍କୃତି ରହିଥାଏ। ଏହି ସବୁ ବିଶେଷତା ଥିଲେ ଏହାକୁ ଗୋଟିଏ ଦେଶ କୁହାଯାଏ।
ଭାରତରେ କିନ୍ତୁ ବହୁଭାଷା, ଅନେକ ସଂସ୍କୃତି ଓ ପରାମ୍ପରା ରହିଛି। ତେଣୁ ଭାରତ ଗୋଟିଏ ରାଷ୍ଟ୍ର ନୁହେଁ, ବରଂ ଭାରତ ଗୋଟିଏ ଉପ ମହାଦେଶ।” ଏ ରାଜା ଭଗବାନ ରାମଙ୍କ ସମ୍ପର୍କରେ ମଧ୍ୟ ବିବାଦୀୟ ଟିପ୍ପଣୀ କରିଥିବା ବିଜେପି ଅଭିଯୋଗ କରିଛି।
ଆଜି ରାଜାଙ୍କ ବିବାଦୀୟ ଟିପ୍ପଣୀ ସମ୍ପର୍କରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତଙ୍କୁ ପ୍ରଶ୍ନ କରାଯାଇଥିଲା। ସେ କହିଛନ୍ତି, “ମୁଁ ତାଙ୍କ ବୟାନ ସହ ଶତ ପ୍ରତିଶତ ସହମତ ନୁହେଁ। ମୁଁ ଏଠାରେ ବସି ତାଙ୍କ ବୟାନକୁ ନିନ୍ଦା କରୁଛି। ମୋର ବିଶ୍ୱାସ ଯେ ଭାଗବାନ ରାମ ସମସ୍ତଙ୍କର। ଏଥିରେ ଦ୍ୱିମତ ନାହିଁ।
ମୁଁ ସେହି ରାମଙ୍କ ଉପରେ ବିଶ୍ୱାସ କରେ ଯିଏ ସଂପ୍ରଦାୟ, ଧର୍ମ ଓ ଜାତିରୁ ଉପରେ ବୋଲି କହୁଥିଲେ। ରାମ ହେଉଛନ୍ତି ଜୀବନ ଧାରଣର ଶୈଳୀ। ରାମ ହେଉଛନ୍ତି ସମ୍ମାନ। ରାମ ହେଉଛନ୍ତି ପ୍ରେମ। ମୁଁ ସଂପୂର୍ଣ୍ଣ ଭାବେ ଉକ୍ତ ବିବୃତିକୁ ନିନ୍ଦା କରୁଛି। ଏହା ତାଙ୍କ (ରାଜା)ର ମତ ହୋଇପାରେ। କିନ୍ତୁ ମୁଁ ଏହାକୁ ସମର୍ଥନ କରୁନାହିଁ। ମୁଁ ନିନ୍ଦା କରୁଛି। କଥା କହିବା ବେଳେ ଲୋକମାନେ ନିଜ ଶବ୍ଦ ଉପରେ କଟକଣା ଲଗାନ୍ତୁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
