ବିଜେଡି ସୁପ୍ରିମୋ ତଥା ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ଶାସନକାଳରେ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଅରାଜକତା ଓ ଗୁଣ୍ଡାରାଜ ରାଜ୍ୟରେ ସବୁଠୁ ବେଶୀ ଥିଲା । ଏପରିକି ଶାନ୍ତସ୍ୱଭାବର ନବୀନ ଯେବେଠୁ ହିଞ୍ଜିଳିର ବିଧାୟକ ହେଲେଣି ସେବେଠୁ ୧୦୦ଜଣଙ୍କୁ ହତ୍ୟା କରାଯାଇଛି। ଆଶ୍ଚର୍ଯ୍ୟର କଥା ଏହି ଅବଧି ମଧ୍ୟରେ ମାତ୍ର ୯ଟି ହତ୍ୟା ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି ଓ ପ୍ରମାଣ ଅଭାବରୁ ୨୨ଜଣଙ୍କ ହତ୍ୟାକାରୀଙ୍କୁ ଦଣ୍ଡିତ କରାଯାଇ ପାରିନାହିଁ । କେବଳ ସେତିକି ନୁହେଁ ନବୀନ ପଟ୍ଟନାୟକ ଶାସନରେ ସର୍ବାଧିକ ଅଶାନ୍ତ ଓ ଅପରାଧିଙ୍କ ଚରାଭୂଇଁ ରହିଥିଲା ଗଞ୍ଜାମ ।
ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ବିଗତ ୨୪ବର୍ଷ ମଧ୍ୟରେ ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ମୋଟ ୧୦୦ଟି ହତ୍ୟା ଘଟଣା ହୋଇଛି । ଏହି ହତ୍ୟା ଘଟଣାରେ ମୋଟ ୩୨୮ଜଣ ହତ୍ୟାକାରୀଙ୍କୁ ଧରି କୋର୍ଟ ହାଜତକୁ ପଠାଯାଇଛି । ତେବେ ଏହି ୧୦୦ଟି ମାମଲା ମଧ୍ୟରୁ ୯ଟି ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି, ୨୨ଟି ମାମଲାରେ ହତ୍ୟାକାରୀ ଦୋଷମୁକ୍ତ ହୋଇଛନ୍ତି ଓ ୬୯ଟି ମାମଲାରେ ଏବେ ବିଚାରାଧୀନ ରହିଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଯେଉଁ ତଥ୍ୟ ବିଧାନସଭାରେ ରଖିଛନ୍ତି ତାହା ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ତାଙ୍କ ‘ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି’ କିଭଳି ଅପରାଧୀଙ୍କ ପାଇଁ ଭୂସ୍ୱର୍ଗ ଥିଲା ତା’ର ପ୍ରମାଣ ମିଳିଛି । ନବୀନ ୨୦୦୦ ମସିହାରେ ହିଞ୍ଜିଳି ଆସନରୁ ପ୍ରଥମଥର ଜିତିକି ବିଧାନସଭା ଆସିଥିଲେ । ସେବେଠୁ ଏବେବି ନବୀନ ହିଞ୍ଜିଳିର ବିଧାୟକ ରହିଛନ୍ତି । ଅର୍ଥାତ ବିଗତ ୨୪ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ ଶାସନ କାଳରେ ତାଙ୍କ ନିଜ ନିର୍ବାଚନମଣ୍ଡଳୀର ୧୦୦ଜଣଙ୍କୁ ହତ୍ୟା କରାଯିବା ଘଟଣା ମଧ୍ୟରୁ ମାତ୍ର ୯ଟି ଘଟଣାରେ ଦୋଷୀଙ୍କୁ ଦଣ୍ଡ ଦିଆଯାଇପାରିଛି । ଗୃହ ବିଭାଗକୁ ନିଜ ପାଖରେ ରଖିଥିବା ନବୀନ ରାଜ୍ୟର ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ନିଜ ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ବିଫଳ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି ।
ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କୁ ଧରିବା ପାଇଁ ୨୦୧୬ ମସିହାରୁ ଏପର୍ଯ୍ୟନ୍ତ ମୋଟ ୩୭ଟି ମାମଲାରେ ଅପରାଧୀମାନେ ପୁଲିସ ଉପରକୁ ଗୁଳି ଚଳାଇଛନ୍ତି ଓ ଉଭୟ ପୁଲିସ-ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳିଚାଳନାରେ ୬୩ଜଣ ପୁଲିସ ଅଧିକାରୀ ଓ ୪୧ଜଣ ଅପରାଧୀ ଆଘାତପ୍ରାପ୍ତ ହୋଇଛନ୍ତି । ସେମାନେ କୌଣସି ରାଜନୀତିକ ଦଳରେ ସଂଶ୍ଲୀଷ୍ଟ ନଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ତେବେ ନବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ ନିଜ ଗୃହ ଜିଲ୍ଲା ଗଞ୍ଜାମ ଓ ନିଜ ନିର୍ବାଚନଣ୍ଡଳୀ ହିଞ୍ଜିଳି କିଭଳି ଏତେ ଅସୁରକ୍ଷିତ ହୋଇପଡ଼ିଥିଲା ତାହା ଏବେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପଦାକୁ ଆସିବାରେ ଲାଗିଛି । ବୋଧହୁଏ ଏହି କାରଣରୁ ୨୦୨୪ ସାଧାରଣ ନିର୍ବାଚନରେ ହିଞ୍ଜିଳିବାସୀ ନବୀନଙ୍କ ଉପରେ ଭରସା କରିପାରିନାହାନ୍ତି ଓ ଯେନତେନ ପ୍ରକାରେ ମାତ୍ର ୪୬୦୦ଭୋଟ ବ୍ୟବଧାନରେ ନବୀନ ଜିତିବାରେ ସକ୍ଷମ ହୋଇଥିବା ଚର୍ଚ୍ଚା ହେଉଛି ।