Advertisment

ଆସନ୍ତାକାଲି ୧୨ଘଣ୍ଟିଆ ‘ଓଡ଼ିଶା ବନ୍ଦ’: ସଂସଦ ଘେରିବ କଂଗ୍ରେସ, ନୈତିକ ସମର୍ଥନ ଦେଲା ବିଜେଡି

ପିସିସି ଅଧ୍ୟକ୍ଷ ଭକ୍ତ ଦାସ ବୁଧବାର ଗଣମାଧ୍ୟମ ଜରିଆରେ ଆସନ୍ତାକାଲି ବନ୍ଦ ପାଳନ ନିମନ୍ତେ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ବନ୍ଦକୁ କଂଗ୍ରେସ ସମେତ ୮ଟି ରାଜନୀତିକ ଦଳ ଓ ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି ।

undefined

Congress Flag

Advertisment

ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ ବିଫଳତା ପ୍ରତିବାଦରେ ଆସନ୍ତାକାଲି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ହେବ । କଂଗ୍ରେସ ନେତୃତ୍ୱରେ ଏହି ବନ୍ଦକୁ ୮ଟି ରାଜନୀତିକ ଦଳ ସମେତ ବିଭିନ୍ନ କୃଷକ ସଂଗଠନ, ଟ୍ରେଡ ୟୁନିଅନ, ସ୍ୱେଚ୍ଛାସେବୀ ସଂଗଠନ ଆଦି ସମର୍ଥନ କରିବେ । ଏହି ବନ୍ଦକୁ ବିଜେଡି ନୈତିକ ସମର୍ଥନ ଦେବାକୁ ଆଜି ବିଳମ୍ବିତ ରାତ୍ରିରେ ଘୋଷଣା କରିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେବାକୁ ଥିବା ଏହି ବନ୍ଦକୁ ଦୃଷ୍ଟିରେ ରଖି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଜନସାଧାରଣଙ୍କୁ ଅପିଲ୍ କରିବା ସହ ଯେଉଁ ଅସୁବିଧା ହେବ ସେଥିପାଇଁ ଆଗୁଆ କ୍ଷମା ପ୍ରାର୍ଥନା କରିଛନ୍ତି । ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ରାଜ୍ୟରେ ଉଭୟ ସରକାରୀ-ବେସରକାରୀ ପରିବହନ ସେବା, ଟ୍ରେନ ସେବା, ସରକାରୀ-ବେସରକାରୀ ଅଫିସ୍ , ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଆଦିକୁ ଠପ୍ କରିଦିଆଯିବ ବୋଲି କଂଗ୍ରେସ ସୂଚନା ଦେଇଛି। ଏହାସହିତ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବନ୍ଦ ପାଳନ କରିବା ଓ ସବୁ ପ୍ରମୁଖ ସ୍ଥାନରେ ପିକେଟିଂ କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ଆତ୍ମାହୁତି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ରାଜନୀତିକ ଦଳଗୁଡ଼ିକର ଏହି ବନ୍ଦକୁ ଦୃଷ୍ଟିରେ ରଖି ଆବଶ୍ୟକ ପ୍ରସ୍ତୁତି କରିଛନ୍ତି ।

Advertisment

ପିସିସି ଅଧ୍ୟକ୍ଷ ଭକ୍ତଦାସଙ୍କ ଅପିଲ

ପିସିସି ଅଧ୍ୟକ୍ଷ ଭକ୍ତ ଦାସ ବୁଧବାର ଗଣମାଧ୍ୟମ ଜରିଆରେ ଆସନ୍ତାକାଲି ବନ୍ଦ ପାଳନ ନିମନ୍ତେ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ବନ୍ଦକୁ କଂଗ୍ରେସ ସମେତ ୮ଟି ରାଜନୀତିକ ଦଳ ଓ ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି । ମୃତ ଛାତ୍ରୀଙ୍କୁ ନ୍ୟାୟ ଦେବା ଓ ରାଜ୍ୟର ମହିଳାମାନଙ୍କ ବିରୁଦ୍ଧରେ ବଢ଼ୁଥିବା ହିଂସା ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦରେ ସମସ୍ତେ ସାମିଲ ହେବାକୁ ସେ ଅନୁରୋଧ କରିବା ସହ ଘରେ ରହି ଜଣେ ଜଣେ ଯୋଦ୍ଧା ଭାବେ ସମର୍ଥନ ଦେବାକୁ ଅପିଲ କରିଛନ୍ତି । ମୃତ ଛାତ୍ରୀଙ୍କୁ ନିଜ ଭଉଣୀ ଓ ଝିଅ ଭାବି ସହଯୋଗ କରିବା ସହ ବନ୍ଦ ଯୋଗୁ ଯେଉଁ ଅସୁବିଧା ହେବ ତାକୁ ସହ୍ୟ କରିବାକୁ ଅନୁରୋଧ କରିଛନ୍ତି । ଏହି ଅସୁବିଧା ପାଇଁ ସେ ଆଗୁଆ କ୍ଷମା ମାଗିଛନ୍ତି । ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଥିବାରୁ ସନ୍ତୁଳନ ବଜାୟ ରଖିବା ପାଇଁ ଓ ସରକାରଙ୍କ ଉପରେ ଚାପ ସୃଷ୍ଟି ନିମନ୍ତେ ଏହା ଜରୁରୀ ଥିବା କହିଛନ୍ତି । ତେବେ ଅତ୍ୟାବଶ୍ୟକ ସେବା, ପରୀକ୍ଷାର୍ଥୀ, ରୋଗୀ ଓ ଏୟାରପୋର୍ଟରୁ ଆସୁଥିବା ଲୋକଙ୍କୁ ଏହି ବନ୍ଦରୁ ବାଦ୍ ଦେବାକୁ ସେ ଅପିଲ କରିଛନ୍ତି । ବନ୍ଦ ଶୃଙ୍ଖଳାର ସହ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପାଳନ ହେବ ବୋଲି ସେ ସୂଚନା ଦେଇଛନ୍ତି । ଓଡ଼ିଶାରେ ମହିଳା ସୁରକ୍ଷା, ଆଇନ ଶୃଙ୍ଖଳା ଓ ନ୍ୟାୟ ପ୍ରଣାଳୀ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ ସୃଷ୍ଟି ହୋଇଛି ।  ରାଜ୍ୟରେ ନାରୀ ସୁରକ୍ଷା ଓ ଆଇନର ଶାସନ ପ୍ରତିଷ୍ଠା ନ ହେବା ଯାଏ, ସଡ଼କରୁ ସଂସଦ ଯାଏ ଏହି ଲଢ଼େଇ ଜାରି ରହିବ ବୋଲି ମଧ୍ୟ ବନ୍ଦକୁ ସମର୍ଥନ କରୁଥିବା ରାଜନୀତିକ ଦଳଗୁଡ଼ିକ ସୂଚନା ଦେଇଛନ୍ତି ।

କ’ଣ ବନ୍ଦ ରହିବ ?

ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବନ୍ଦ ପାଳନ ହେବ । ଏହି ବନ୍ଦକୁ ବିଭିନ୍ନ ମହଲରୁ ସମର୍ଥନ ମଧ୍ୟ ମିଳିବାରେ ଲାଗିଛି । ରାଜନୀତିକ ଦଳଗୁଡ଼ିକର ଅପିଲ ଓ ପିକେଟିଂକୁ ଦୃଷ୍ଟିରେ ରଖି ରାଜ୍ୟରେ ଦୋକାନ, ବଜାର ଓ ବ୍ୟାବସାୟିକ ପ୍ରତିଷ୍ଠାନ, ବସ୍‌, ଅଟୋ ଓ ଅନ୍ୟାନ୍ୟ ସାର୍ବଜନୀନ ପରିବହନ ସେବା ବନ୍ଦ ରହିବ । ସରକାରୀ-ବେସରକାରୀ ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ପେଟ୍ରୋଲ ପମ୍ପଗୁଡ଼ିକ ବନ୍ଦ ରହିବ ବୋଲି ଏହାର ସଂଘ ଘୋଷଣା କରିସାରିଥିବାବେଳେ ସରକାରୀ ଓ ବେସରକାରୀ ସ୍କୁଲ,କଲେଜ ଓ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ । କୋର୍ଟ , ବ୍ୟାଙ୍କ, ବୀମା ଓ ରାଷ୍ଟ୍ରାୟତ ଉଦ୍ୟୋଗ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି । ତେବେ ଏହି ବନ୍ଦରୁ ଅତ୍ୟାବଶ୍ୟକ ସେବା ଯଥା- ଆମ୍ବୁଲାନ୍ସ, ହସ୍ପିଟାଲ, ଔଷଧ ଦୋକାନ ଓ ଅଗ୍ନିଶମ ସେବା ବାଦ୍ ରହିବ ।

Advertisment

ବିଜେଡିର ନୈତିକ ସମର୍ଥନ

ଆସନ୍ତାକାଲିର ଏହି ୧୨ଘଣ୍ଟିଆ ବନ୍ଦରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି ସିଧାସଳଖ ସାମିଲ ହୋଇନଥିଲେ ମଧ୍ୟ ନୈତିକ ସମର୍ଥନ ଦେବ ବୋଲି ସଙ୍କେତ ଦେଇଛି । ଆସନ୍ତାକାଲିର ବନ୍ଦ ଡାକରା ପ୍ରସଙ୍ଗରେ ଦଳର ଉପସଭାପତି ପ୍ରତାପ ଜେନା  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଯେଉଁମାନେ ସ୍ୱର ଉଠାଇବେ ଆମେ ତାକୁ ସମ୍ମାନ ଜଣାଇବୁ ।”

ସଂସଦ ଘେରିବ ମହିଳା କଂଗ୍ରେସ

ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୂତି ପ୍ରସଙ୍ଗକୁ ଜାତୀୟସ୍ତରରେ ଉଠାଇଥିବା କଂଗ୍ରେସ ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅଧିକ ଚାପ ସୃଷ୍ଟି ନିମନ୍ତେ ରଣନୀତି ପ୍ରସ୍ତୁତ କରିଛି । ସଂସଦର ଅଧିବେଶନ ୨୧ତାରିଖରୁ ଆରମ୍ଭ ହେଉଥିବାବେଳେ ଏହି ପ୍ରସଙ୍ଗରେ ସଂସଦ ଘେରାଉ କରିବାକୁ ମହିଳା କଂଗ୍ରେସ ନିଷ୍ପତ୍ତି ନେଇଛି । ଜାତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଅଳକା ଲାମ୍ବା ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ମହିଳା ନିର୍ଯାତନା ଓ ହିଂସା ମାମଲା ବୃଦ୍ଧି ଯୋଗୁ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବି କରିଛନ୍ତି । ଏହି ମୃତ୍ୟୁ ମାମଲାର ବିଚାରବିଭାଗୀୟ ତଦନ୍ତ ଦାବି କରିବା ସହ ରାହୁଲ ଗାନ୍ଧି ନିଜେ ମୃତ ଛାତ୍ରୀଙ୍କ ପିତାଙ୍କ ସହ କଥା ହୋଇଥିବାର ସୂଚନା ଦେଇଥିଲେ । ଛାତ୍ରୀ ଜଣଙ୍କ ତାଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ପ୍ରଶାସନର ସମସ୍ତଙ୍କୁ ଅବଗତ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ପୂର୍ବରୁ ଓଡ଼ିଶାରେ ମହିଳା ନିର୍ଯାତନା ପାଇଁ କଂଗ୍ରେସ ନିଜର ଏକ ଅନୁଧ୍ୟାନ କମିଟି ପଠାଇଥିଲା ।  ତେଣୁ ଏହି ପ୍ରସଙ୍ଗରେ ମହିଳା କଂଗ୍ରେସ ଆଗାମୀ ଦିନରେ ସଂସଦ ଘେରିବାକୁ ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି ।

Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe