Advertisment

୧୨ ବର୍ଷ ବିତିଲା: ଆକଳନ ହୋଇପାରିଲାନି ଚିଟଫଣ୍ଡ କ୍ଷତିଗ୍ରସ୍ତ, ଲୁଟେରା କମ୍ପାନୀଙ୍କ ସଂଖ୍ୟା ଓ ଦୁର୍ନୀତି ପରିମାଣ

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସଂଖ୍ୟା ଓ ଲୁଟ ପରିମାଣ ଜାଣିବା ପାଇଁ ୨୦୧୩ ଜୁଲାଇରୁ ୨୦୨୦ ଅଗଷ୍ଟ ମାସ ପର୍ଯ୍ୟନ୍ତ ଦୁଇ ଦୁଇଜଣ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଦୁଇଟି ପର୍ଯ୍ୟାୟରେ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ ହୋଇଥିଲା ।

author-image
Ordigital Desk
Assemble

Assemble

ସୁଚିନ୍ତିତ ଢଙ୍ଗରେ ଚିଟଫଣ୍ଡ କମ୍ପାନୀଗୁଡ଼ିକର ଲୁଟର ଶିକାର ହୋଇଥିବା ଲକ୍ଷ ଲକ୍ଷ ସାଧାରଣ ଲୋକଙ୍କୁ ଏବେବି ନ୍ୟାୟ ମିଳିପାରିନି । ସେମାନେ ନିଜର ସଂଚିତ ଅର୍ଥ ଫେରିପାଇବା ତ ଦୂରର କଥା ସରକାର ବିଗତ ୧୨ବର୍ଷ ମଧ୍ୟରେ କେତେ ସଂଖ୍ୟକ ଚିଟଫଣ୍ଡ କମ୍ପାନୀ କେତେ ପରିମାଣର ଟଙ୍କା କେତେ ଲୋକଙ୍କଠୁ ଲୁଟ୍ କରିଛନ୍ତି ତାହା ମଧ୍ୟ ଆକଳନ କରିପାରିନାହାନ୍ତି । ଯଦିଓ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବା ଓ ଦୋଷୀଙ୍କୁ ଦଣ୍ଡ ଦେବା ନିମନ୍ତେ ୨୦୧୨ ଡିସେମ୍ବରରୁ ରାଜ୍ୟ କ୍ରାଇମବ୍ରାଂଚ ଓ ୨୦୧୩ ମେ’ରୁ ସିବିଆଇ ତଦନ୍ତ ଜାରି ରଖିଛି । ଆଉ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସଂଖ୍ୟା ଓ ଲୁଟ ପରିମାଣ ଜାଣିବା ପାଇଁ ୨୦୧୩ ଜୁଲାଇରୁ ୨୦୨୦ ଅଗଷ୍ଟ ମାସ ପର୍ଯ୍ୟନ୍ତ ଦୁଇ ଦୁଇଜଣ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଦୁଇଟି ପର୍ଯ୍ୟାୟରେ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ ହୋଇଥିଲା । ତଥାପି ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପାଖରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସଂଖ୍ୟା, ଦୁର୍ନୀତିର ପରିମାଣ ଓ ଚିଟଫଣ୍ଡରେ ଲିପ୍ତ ସଂସ୍ଥାଗୁଡ଼ିକ ସଂଖ୍ୟାର ହିସାବ ନାହିଁ ବୋଲି ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ କରିଛନ୍ତି ।

Advertisment

ଆଜି ବିଧାନସଭାରେ ବିଧାୟକ ପବିତ୍ର ସାଉଁନ୍ତା, ମାନସ କୁମାର ଦତ୍ତ ଓ ଚକ୍ରମଣି କହଁରଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ରାଜ୍ୟରେ ଏବେ ଚିଟଫଣ୍ଡ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି । ଏହା ସମ୍ପୂର୍ଣ୍ଣ ହୋଇନଥିବାରୁ ଓଡ଼ିଶାରେ ଚିଟଫଣ୍ଡ ଦୁର୍ନୀତିରେ ଜିଲ୍ଲାୱାରି ପରିମାଣ ଓ ସମୁଦାୟ କେତେ ସଂସ୍ଥା ଏଥିରେ ଲିପ୍ତ ତାହା ଆକଳନ କରାଯାଇନାହିଁ । ଯେହେତୁ ଏବେ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି ସେଥିପାଇଁ ନିର୍ଦ୍ଦିଷ୍ଟ କ୍ଷତିଗ୍ରସ୍ତ ଜମାକାରୀଙ୍କ ସଂଖ୍ୟା ଆକଳନ ହୋଇନାହିଁ ।

କେବଳ ୩ଟି କମ୍ପାନୀ ରୋଜଭ୍ୟାଲି, ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ କମ୍ପାନୀ ଓ ହାଇଟେକ୍ ଇଷ୍ଟେଟସ୍ ଗ୍ରୁଫ୍ ଅଫ କମ୍ପାନୀର ସମ୍ପତ୍ତି ନିଲାମ ଓ ବ୍ୟାଙ୍କ ଜମା ଜବତ ଅର୍ଥରୁ ପ୍ରକୃତ କ୍ଷତିଗ୍ରସ୍ତ ଜମକାରୀଙ୍କୁ ଫେରସ୍ତ ପ୍ରକ୍ରିୟା ଚାଲୁଅଛି । ରୋଜଭ୍ୟାଲିର ୧,୭୯,୬୪୦ଜଣ ଜମାକାରୀଙ୍କୁ ୬୫.୨୬କୋଟି ଟଙ୍କା, ଗୋଲଡେନ୍ ଲ୍ୟାଣ୍ଡର ୧୭୭୬୨ଜଣ ଜମାକାରୀଙ୍କୁ ୬.୦୪କୋଟି ଟଙ୍କା, ହାଇଟେକ ଇଷ୍ଟେଟସର ୧୦୦୧ଜଣଙ୍କୁ ୮.୩୦କୋଟି ଟଙ୍କା ଫେରସ୍ତ କରାଯାଇସାରିଛି ।

Advertisment

୩୫ଟି ବେଆଇନ କମ୍ପାନୀର ମୋଟ ୧୪୭୨.୪୨୮ଏକର ସ୍ଥାବର ସମ୍ପତ୍ତି ବ୍ୟାଜ୍ୟାପ୍ତି ହୋଇଛି, ସେଥିରୁ ମାତ୍ର ୫୬.୫୪୯ଏକର ଜମି ନିଲାମ ହୋଇଛି । ୨୫ଟି କମ୍ପାନୀର ବ୍ୟାଜ୍ୟାପ୍ତ ସ୍ଥାବର ସମ୍ପତ୍ତି ନିଲାମ କରି ୮.୯୩କୋଟି ଟଙ୍କା ମିଳିଛି । ମୋଟ ୬୭ଟି ଚିଟଫଣ୍ଡ କମ୍ପାନୀର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବ୍ୟାଜ୍ୟାପ୍ତି ନିମନ୍ତେ ୮୯ଟି ପ୍ରସ୍ତାବକୁ ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ଅନ୍ତରୀଣ କୋରଖ ଆଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ତଦନ୍ତ କମିଶନ ୭ଟି ଅନ୍ତରୀଣ ରିପୋର୍ଟରେ କରିଥିବା ସୁପାରିଶ ଅନୁସାରେ କ୍ଷେତ୍ରୀୟ ତଦନ୍ତ ପରେ ଚିହ୍ନଟ ହୋଇଥିବା ପ୍ରକୃତ କ୍ଷୁଦ୍ର ଜମାକାରୀଙ୍କୁ ବାସ୍ତବ ଜମାରାଶି କର୍ପସ ପାଣ୍ଠିରୁ କ୍ଷତିପୂରଣ ଆକାରରେ ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ ପ୍ରକ୍ରିୟା ଚାଲୁଅଛି ।

ତଦନ୍ତ କମିଶନ ଆଇନ-୧୯୫୨ର ଧାରା(୩) ଉପଧାରା(୪) ଅନୁଯାୟୀ ତଦନ୍ତ କମିଶନଙ୍କ ରିପୋଟର ସୁପାରିଶ ଅନୁସାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ତଦନ୍ତ କମିଶନଙ୍କ ରିପୋର୍ଟ ଓ ଏହାର ଆକ୍ସନ ଟେକନ ରିପୋର୍ଟ ବିଧାନସଭା ଗୃହରେ ଉପସ୍ଥାପନ କରାଯିବାର ବିଧି ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୧୨ ମସିହା ଶେଷ ଭାଗରେ ରାଜ୍ୟରେ ଚିଟଫଣ୍ଡଙ୍କ କମ୍ପାନୀଗୁଡ଼ିକର ବେଆଇନ କାରବାର ପଦାକୁ ଆସିଥିଲା । ସେହିବର୍ଷ କ୍ରାଇମବ୍ରାଂଚ ତଦନ୍ତ ଭାର ହାତକୁ ନେଇଥିଲା ଓ ପ୍ରାୟ ୧୫୯ଟି କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ରାଜନୈତିକ ପୃଷ୍ଠପୋଷକତାରେ ରହି ଏହି ଚିଟଫଣ୍ଡ କମ୍ପାନୀଗୁଡ଼ିକ ରାଜ୍ୟବାସୀଙ୍କ ପ୍ରାୟ ୨୦ହଜାର କୋଟି ଟଙ୍କାକୁ ସୁଚିନ୍ତିତ ଢଙ୍ଗରେ ଲୁଟ୍ କରିନେଇଥିବା ଅଭିଯୋଗ ହୋଇଥିଲା । ୨୦୧୪ ମେ’ ମାସରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇକୁ ପ୍ରମୁଖ ୪୪ଟି ଚିଟଫଣ୍ଡ କମ୍ପାନୀର ତଦନ୍ତ ଭାର କ୍ରାଇମବ୍ରାଂଚ ହସ୍ତାନ୍ତର କରିଥିଲା । ଆଉ ତତକାଳୀନ ବିଜେଡି ସରକାର ୨୦୧୩ ଜୁଲାଇରେ ଜଷ୍ଟିସ ଆର.କେ ପାତ୍ର ଓ ୨୦୧୫ ଫେବୃୟାରୀରେ ଜଷ୍ଟିସ ମଦନମୋହନ ଦାସଙ୍କୁ ନେଇ ଚିଟଫଣ୍ଡ କମିଶନ ଗଠନ କରିଥିଲେ ।ତେବେ ଇତିମଧ୍ୟରେ ୧୨ବର୍ଷ ବିତିଯାଇଥିଲେ ସୁଦ୍ଧା ଚିଟଫଣ୍ଡ କ୍ଷତିଗ୍ରସ୍ତକାରୀଙ୍କୁ ନିଜ ଜମାଟଙ୍କା ମିଳିପାରିଲା ନାହିଁ ।

ଅବଶ୍ୟ ଚଳିିତ ନିର୍ବାଚନରେ ସରକାରକୁ ଆସିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଦେଢ଼ବର୍ଷ ମଧ୍ୟରେ ସେମାନଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା ।

BjD Bjp Chit Fund Scam