Rajiv
ନିର୍ବାଚନ ପାଇଁ ଫୁଲ ଦମରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ବିହାରରୁ ୫ଥର ଲୋକସଭାକୁ ଯାଇଥିବା ବିଜେପି ନେତା ରାଜୀବ ପ୍ରତାପ ରୁଡୀ। ଆପଣ ବିହାର ନିର୍ବାଚନ କଥା ଭାବୁଥିବେ। କିନ୍ତୁ ଏହା ଭୁଲ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ପ୍ରତାପ ଦୀର୍ଘ ୨୦ ବର୍ଷ ହେଲା ଯେଉଁ କ୍ଲବର ସମ୍ପାଦକ(ପ୍ରଶାସନିକ) ଭାବେ କାର୍ଯ୍ୟ କରୁଛନ୍ତି, ସେଠାରେ ଭୋଟିଂ ହେବାକୁ ଯାଉଛି। ସମ୍ପାଦକ ପଦ ପାଇଁ ଏଥର ରାଜୀବ ପ୍ରତାପଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନ।
ଦୁଇ ବିଜେପି ହେଭିୱେଟଙ୍କ ପାଇଁ ଯୁଦ୍ଧ କ୍ଷେତ୍ର ପ୍ରସ୍ତୁତ ରହିଛି। ଆସନ୍ତାକାଲି ହେବାକୁ ଥିବା ଏହି ବିରାଟ ନିର୍ବାଚନ ପାଇଁ ଦୁଇ ନେତା ନିଜ ଭିତରେ ଲଢ଼େଇ ଆରମ୍ଭ କରି ଦେଇଛନ୍ତି। ଉଭୟ ନେତା ଦଳର ସହକର୍ମୀ ଓ ବିରୋଧୀ ଦଳର ସାଂସଦମାନଙ୍କ ପାଖକୁ ଯାଇ ଭୋଟ ମାଗିଛନ୍ତି। ଦୁଇ ନେତା ବିଜୟ ପାଇଁ ଦମ୍ଭୋକ୍ତି କରିଥିବା ବେଳେ ଏହା ସମ୍ମାନର ଲଢ଼େଇ ଭାବେ ଉଭା ହୋଇଛି।
ଏବେ କାର ସାଂସଦ ଓ ପୂର୍ବତନ ସାଂସଦ ହେଉଛନ୍ତି ୮୦ ବର୍ଷ ପୁରୁଣା ସମ୍ବିଧାନ କ୍ଲବର ସଦସ୍ୟ। ସାଧାରଣତଃ ବିନା ନିର୍ବାଚନରେ ବିଭିନ୍ନ ପଦବୀମାନେ ସଦସ୍ୟଙ୍କୁ ଚୟନ କରାଯାଏ। କ୍ଲବ ମାତ୍ର ୩ଟି ନିର୍ବାଚନ ଦେଖିଛି। ଏଥିର ମଧ୍ୟ ସମ୍ପାଦକ(କ୍ରୀଡ଼ା), ସମ୍ପାଦକ(ସାଂସ୍କୃତିକ) ଓ କୋଷାଧ୍ୟକ୍ଷ ପଦ ଯଥାକ୍ରମେ କଂଗ୍ରେସର ରାଜୀବ ଶୁକ୍ଳା, ଡିଏମକେର ତିରୁଚି ଶିବା ଓ ବିଆରଏସର ପୂର୍ବତନ ସାଂସଦ ଏପି ଜୀତେନ୍ଦ୍ର ରେଡ୍ଡୀଙ୍କ ପାଖକୁ ବିନା ନିର୍ବାଚନରେ ଯାଇଛି। ହେଲେ ସମ୍ପାଦକ(ପ୍ରଶାସନିକ) ପଦ ପାଇଁ ୨ ବିଜେପି ନେତାଙ୍କ ମଧ୍ୟରେ ଲଢ଼େଇ ହେବ।
ସମ୍ବିଧାନ କ୍ଲବ ପାଇଁ ନିଜ କାର୍ଯ୍ୟକାଳରେ ଅନେକ କାମ କରିଥିବା ରାଜୀବ ପ୍ରତାପ ଦାବି କରିଛନ୍ତି। ସେ ଦାୟିତ୍ୱରେ ଥିବା ବେଳେ କନଫରେନ୍ଦ ରୁମ, ଟ୍ରାଞ୍ଜିଟ ବ୍ୟବସ୍ଥା, ଗୋଟିଏ ସ୍ପିକର ହଲ, ଡେପୁଟି ସ୍ପିକର ହଲ, ସଦସ୍ୟଙ୍କ ପାଇଁ ଲାଉଞ୍ଜ, ଗୋଟିଏ ଜିମ, ସେଲୁନ, ସ୍ପା, କ୍ରୀଡ଼ା ବ୍ୟବସ୍ଥା, ସଦସ୍ୟମାନଙ୍କ ପାଇଁ ରେଷ୍ଟୁରାଣ୍ଟ, ଗୋଟିଏ ବାହ୍ୟ କାଫେ ଓ ଗୋଟିଏ ଆଇସି କ୍ରିମ ପାର୍ଲର ଖୋଲି ଥିବା କହିଛନ୍ତି।
ସବୁଠାରୁ କୌତୁହଳର ବିଷୟ ହେଲା ୨ ଦଶନ୍ଧି ତଳେ ହୋଇଥିବା ନିର୍ବାଚନରେ ରାଜୀବ ପ୍ରତାପ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପରାସ୍ତ କରି କ୍ଲବର ସମ୍ପାଦକ ହୋଇଥିଲେ। ଏଥର ସଞ୍ଜୀବ ବାଲିୟାନ କିଛି ଗୋଟିଏ ପରିବର୍ତ୍ତନ ଲକ୍ଷ୍ୟରେ ରହିଛନ୍ତି।
ଦଳୀୟ ସାଂସଦଙ୍କ ବ୍ୟତୀତ ରାଜୀବ ପ୍ରତାପଙ୍କୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ସଦସ୍ୟଙ୍କ ସମର୍ଥନ ରହିଛି। ତଥାପି ବାଲିୟାନ ମଧ୍ୟ ସମସ୍ତଙ୍କ ସମର୍ଥନ ହାସଲ କରିବା ପାଇଁ ଲାଗି ପଡ଼ିଛନ୍ତି। କୁହାଯାଉଛି ଯେ ବାଲିୟାନ ହେଉଛନ୍ତି ‘ସରକାରୀ ପ୍ରାର୍ଥୀ’।
ସମ୍ବିଧାନ କ୍ଲବର ସଦସ୍ୟଙ୍କ ସଂଖ୍ୟା ୧୨୦୦। କିନ୍ତୁ ଭୋଟ ଦେବାକୁ ପ୍ରାୟ ୧୦୦ ଜଣ ଆସନ୍ତି। କିନ୍ତୁ ଏଥର ନିର୍ବାଚନକୁ ନେଇ ବେଶ ଚର୍ଚ୍ଚା ଓ ଉତ୍ସାହ ଦେଖିବାକୁ ମିଳିଛି। ତେଣୁ ଭୋଟରଙ୍କ ସଂଖ୍ୟା ୫୦୦ରେ ପହଞ୍ଚିବ ବୋଲି ଆଶା କରାଯାଉଛି।
ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କ୍ଲବ ନିର୍ବାଚନରେ ଭୋଟ କରିବାକୁ ଆସନ୍ତି, ତା’ହେଲେ ଏହା ରୋମାଞ୍ଚକର ହେବ ବୋଲି କୁହାଯାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rajiv_1754912287.jpg)