Advertisment

ହରିୟାଣାରେ ବିଜେପିର ବଳ ବଢ଼ିଲା, ପଦ୍ମ ଧରିଲେ ଦୁଇ ସ୍ୱାଧୀନ ବିଧାୟକ

ଏହି ଦୁଇ ଜଣ ବିଜେପିରେ ମିଶିବା ପରେ ଦଳର ଆସନ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ସାବିତ୍ରୀ ଜିନ୍ଦଲଙ୍କ ସମର୍ଥନ ପରେ ଏହା ୫୧ରେ ପହଞ୍ଚିବ।

author-image
Hemant Lenka
BJP

BJP

ହରିୟାଣା ବିଧାନସଭାରେ ଐତିହାସିକ ବିଜୟ ହାସଲ କରିଥିବା ବିଜେପିର ଆହୁରି ଶକ୍ତିଶାଳୀ ହୋଇଛି। ହରିୟାଣାର ୯୦ଟି ଆସନରୁ ଦଳ ଏକାକୀ ୪୮ଟି ଆସନ ଜିତି କ୍ରମାଗତ ତୃତୀୟ ଥର ସରକାର ଗଠନ କରିବାକୁ ଯାଉଛି।

Advertisment

ଏପରି ସ୍ଥିତିରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ଦୁଇ ଜଣ ସ୍ୱାଧୀନ ବିଧାୟକ। ଅନ୍ୟତମ ସ୍ୱାଧୀନ ବିଧାୟକ ସାବିତ୍ରୀ ଜିନ୍ଦଲ ମଧ୍ୟ ଖୁବଶୀଘ୍ର ପଦ୍ମକୁ ସମର୍ଥନ ଘୋଷଣା କରିବେ ବୋଲି ଜଣାପଡ଼ିଛି।

ଆଜି ସ୍ୱାଧୀନ ବିଧାୟକ ଦେବେନ୍ଦ୍ର କାଡୟାନ ଓ ରାଜେଶ ଜୋନ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ସେମାନେ ପ୍ରଥମେ ବିଜେପିର ହରିୟାଣା ଇନଚାର୍ଜ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ। ଏହାପରେ ହରିୟାଣା ବିଜେପି ମୁଖ୍ୟ ମୋହନ ଲାଲ ବାଦୋଲିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।

Advertisment

ଦେବେନ୍ଦ୍ର ପୂର୍ବରୁ ବିଜେପିରେ ଥିଲେ। କିନ୍ତୁ ଟିକେଟ ନ ମିଳିବାରୁ ସେ ସ୍ୱାଧୀନ ଭାବେ ଗନାଉର ଆସନରୁ ଲଢ଼ି ବିଜୟୀ ହୋଇଥିଲେ। ସେହିପରି ରାଜେଶ ବାହାଦୂରଗଡ଼ରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ବାଜିମାତ କରିଥିଲେ। ଏହି ଦୁଇ ଜଣ ବିଜେପିରେ ମିଶିବା ପରେ ଦଳର ଆସନ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ସାବିତ୍ରୀ ଜିନ୍ଦଲଙ୍କ ସମର୍ଥନ ପରେ ଏହା ୫୧ରେ ପହଞ୍ଚିବ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ସାବିତ୍ରୀ ଜିନ୍ଦଲ ବିଜେପିରେ ମିଶିଥିଲେ। କିନ୍ତୁ ତାଙ୍କୁ ଦଳ ହରିୟାଣାରେ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇ ନଥିଲା। ତେଣୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ହିର୍ସାରୁ ଲଢ଼ି ବିଜୟୀ ହୋଇଛନ୍ତି। ସେ ମଧ୍ୟ ଆଜି ଦିଲ୍ଲୀରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ବିଜେପିକୁ ସମର୍ଥନ କରିବେ ବୋଲି କହିଥିବା ଜଣାପଡ଼ିଛି।

ସାବିତ୍ରୀ ଜିନ୍ଦଲଙ୍କ ପୁଅ ହେଉଛନ୍ତି ଶିଳ୍ପପତି ନବୀନ ଜିନ୍ଦଲ। ସେ ବିଜେପି ଟିକେଟରୁ କୁରୁକ୍ଷେତ୍ର ଲୋକସଭା ଆସନରୁ ଜିତିଛନ୍ତି। ତେଣୁ ସାବିତ୍ରୀ ବିଜେପିକୁ ହିଁ ସମର୍ଥନ କରିବା ଏକପ୍ରକାରର ନିଶ୍ଚିତ ହୋଇଛି।

Haryana News Haryana Election Result