ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ଫୁ’ : ୨ମାସ ବିତିଲା, ଆଇପିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କ ବିରୁଦ୍ଧରେ ହେଲାନି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେ ଗତ ୧୮ତାରିଖ ଅପରାହ୍ନରେ ଗୃହ ବିଭାଗ ଓଏସଡି ଭାବେ ଯୋଗ ଦେଇଥିବା ନେଇ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି।

ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶୀଷ କୁମାର ସିଂ

  • Published: Monday, 29 July 2024
  • , Updated: 29 July 2024, 08:55 PM IST

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ଦୁଇ ମାସ ବିତିଲାଣି । କିନ୍ତୁ ବିଜେଡି ଶାସନର ଦୁଇ ପାୱାରଫୁଲ ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶୀଷ କୁମାର ସିଂଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇପାରିଲା ନାହିଁ । ଓଲଟା ଏହି ଦୁଇ ଅଫିସରଙ୍କୁ ରାଜ୍ୟର ମୋହନ ମାଝୀ ସରକାର ଏଭଳି ନିଯୁକ୍ତି ଦେଇଛନ୍ତି ଯାହା ସେମାନଙ୍କ ପାଇଁ ‘ଆଶୀର୍ବାଦ’ ସଦୃଶ ହୋଇଛି । ଏପଟେ ବିଜେଡି ଶାସନର ଆଉଜଣେ ପାୱାରଫୁଲ ଆଇପିଏସ୍ ରବିକାନ୍ତଙ୍କୁ ବଦଳି କରାଯିବାର ୧୫ଦିନ  ପରେ ମଧ୍ୟ ସେ କାର୍ଯ୍ୟରେ ଯୋଗ ଦେଇନଥିବା ଜଣାପଡ଼ିଛି । ତେବେ ନିର୍ବାଚନ ଆୟୋଗଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବିଜେଡି ସରକାରରେ ନିଜକୁ ସର୍ବେସର୍ବା ବୋଲାଉଥିବା ଆଇପିଏସ୍ କୁଟ୍ଟେ ଓ ତାଙ୍କ ସହଯୋଗୀ ଆଶୀଷ ସିଂଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ କାହିଁକି ବିଜେପି ସରକାର ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ଏବଂ କିଏ ସେମାନଙ୍କର ସୁରକ୍ଷାଦାତା ସାଜିଛନ୍ତି ତାକୁ ନେଇ ପାୱାର କରିଡ଼ରରେ ଚର୍ଚ୍ଚା । ଏପରିକି ଗୃହ ବିଭାଗ ଏହି ଦୁଇ ଆଇପିଏସ ଅଫିସରଙ୍କୁ ଏପର୍ଯ୍ୟନ୍ତ ଡ୍ରାଫ୍ଟ ଚାର୍ଜସିଟ୍ (ସେମାନଙ୍କ ବିରୁଦ୍ଧରେ ଥିବା ଅଭିଯୋଗ) ନୋଟିସ୍ ପଠାଇବାକୁ ସକ୍ଷମ ହୋଇପାରିନଥିବା ସୂଚନା ମିଳିଛି।

୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେ ଗତ ୧୮ତାରିଖ ଅପରାହ୍ନରେ ଗୃହ ବିଭାଗ ଓଏସଡି ଭାବେ ଯୋଗ ଦେଇଥିବା ନେଇ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି । ତେବେ କୁଟ୍ଟେଙ୍କୁ ଗୃହ ବିଭାଗ ମେ’ ୨୯ରୁ ନିଲମ୍ବନ କରିବା ଓ ଜୁଲାଇ ୧୫ତାରିଖରେ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ସେ କେଉଁଠି ଥିଲେ, କାହା ଅନୁମତିରେ ଛୁଟିରେ ରହିଥିଲେ ଓ ନିର୍ବାଚନ ଆୟୋଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଡ୍ରାଫ୍ଟ ଚାର୍ଜସିଟ୍ ନୋଟିସ୍ ଜାରି ହୋଇନଥିଲା ସେ ନେଇ ଗୃହ ବିଭାଗ ପାଖରେ କିଛି ସୂଚନା ନଥିବା ଜଣାପଡ଼ିଛି । ଚଳିତ ଜୁଲାଇ ୧୫ତାରିଖରେ ରାଜ୍ୟର ବିଜେପି ସରକାର କୁଟ୍ଟେଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରି ଓଲଟା ତାଙ୍କୁ ସମସ୍ତ ଶୃଙ୍ଖଳରୁ ‘ସମ୍ପୂର୍ଣ୍ଣ ମୁକ୍ତ’ କରିଦେଇଛନ୍ତି । ଗୃହ ବିଭାଗର ଓଏସଡି ଭାବେ କୁଟ୍ଟେଙ୍କୁ ନା ନିୟମିତ ଅଫିସ୍ ଆସିବାକୁ ପଡ଼ୁଛି, ନା ତାଙ୍କୁ ରେଜିଷ୍ଟରରେ ଦସ୍ତଖତ କରିବାକୁ ପଡ଼ୁଛି ନା ସିଏ କେଉଁଠି ରହୁଛନ୍ତି ତାହା କିଏ ଜାଣିବାର ସୁଯୋଗ ଅଛି ନା ତାଙ୍କ ଉପରେ କୌଣସି ଉତ୍ତରଦାୟିତ୍ୱ ଅଛି । ଅର୍ଥାତ୍ ବିଜେଡି ସରକାରରେ ଅଘୋଷିତ ଦ୍ୱିତୀୟ ସର୍ବେସର୍ବା କୁଟ୍ଟେଙ୍କୁ ‘ଓଏସଡି’ କରି ବିଜେପି ସରକାର ଏବେ ‘ଅବସର ବିନୋଦନ’ କରିବା ପାଇଁ ଭରପୂର ସୁଯୋଗ ଦେଇଥିବା ଚର୍ଚ୍ଚା ହେଉଛି।

ଅନୁରୂପ ଅବସ୍ଥା ମଧ୍ୟ ବିଜେଡି ଶାସନରେ ଅନ୍ୟତମ ପାୱାରଫୁଲ୍ ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ ସିଂଙ୍କର । ତାଙ୍କୁ ଜୁଲାଇ ୧୧ତାରିଖରେ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଗଲା । ସେ ୧୨ତାରିଖରେ ଯୋଗ ଦେଇଥିବା ଗୃହ ବିଭାଗର ବିଜ୍ଞପ୍ତିରେ ଉଲ୍ଲେଖ ଅଛି।

ରାଜ୍ୟରେ ବିଜେଡି ସରକାରର ପତନ ଓ ବିଜେପି ସରକାର କ୍ଷମତାସୀନ ହେବାପରେ ମଧ୍ୟ କୁଟ୍ଟେ ଓ ଆଶୀଷ ସିଂ ସରକାରଙ୍କ ଗେହ୍ଲାପୁଅ ସାଜି ବିନା କାମରେ ମୋଟା ଅଙ୍କର ଦରମା ନେବାରେ ଲାଗିଛନ୍ତି ।  ପିଅନ-ପୂଜାରୀ-ଦରୱାନ ସହ ସରକାରୀ ବଙ୍ଗଳାରେ ରହୁଛନ୍ତି । ଆଉ ଦିଲ୍ଲୀ, ମୁମ୍ବାଇ, ୟୁପି ବୁଲି ମଉଜ କରୁଥିବା ଚର୍ଚ୍ଚା ହେଉଛି । ଯଦିଓ ଏହି ଦୁଇଜଣଙ୍କ  ବିରୁଦ୍ଧରେ ‘ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ’ ପାଇଁ ନିର୍ବାଚନ ଆୟୋଗ ସ୍ପଷ୍ଟ ଭାବେ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ୨ମାସ ପରେ ବି ସରକାର କାହିଁକି ଚୁପ୍ ବସିଛନ୍ତି ଓ ସେମାନଙ୍କ ପାଇଁ କିଏ ସୁରକ୍ଷାଦାତା ସାଜିଛି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ।

ସେହିପରି ଆଇପିଏସ୍ ରବିକାନ୍ତଙ୍କୁ ଜୁଲାଇ ୧୫ତାରିଖରୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ପଦବୀରୁ ହଟାଇ ଗୃହ ବିଭାଗର ଓଏସଡି ବଦଳି କରାଯାଇଥିଲେ ବି ସେ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଉନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦୁଇ ଆଇପିଏସ୍ ଅଫିସର ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଛତ୍ରଛାୟାରେ ରହି ରାଜ୍ୟ ପୁଲିସକୁ ନିଜର ହାତବାରିସି କରି ବିଜେଡି ପାଇଁ ଭୋଟ୍ ହାତେଇବାକୁ ଉଦ୍ୟମ କରୁଥିବାର ପ୍ରମାଣ ପାଇବା ପରେ ଉଭୟଙ୍କୁ ନିର୍ବାଚନ ଆୟୋଗଙ୍କ ଛାଟ ବାଜିଥିଲା । କୁଟ୍ଟେଙ୍କୁ ଗତ ମେ’ ୨୮ତାରିଖରେ ନିର୍ବାଚନ ଆୟୋଗ ଚାକିରିରୁ ନିଲମ୍ବନ କରି ଦିଲ୍ଲୀ ଆବାସିକ କମିଶନରଙ୍କ କାର୍ଯ୍ୟାଳୟକୁ ପଠାଇବା ସହ ସର୍ବଭାରତୀୟ ସେବା ରୁଲସର ପ୍ରାବଧାନ ଆଧାରରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ‘ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ’ ପାଇଁ କୁଟ୍ଟେଙ୍କୁ ଚାର୍ଜସିଟ୍ ନୋଟିସ୍ ଜାରି କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆୟୋଗଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ଗୃହ ବିଭାଗ ମେ’ ୨୯ତାରିଖରେ କୁଟ୍ଟେଙ୍କୁ ନିଲମ୍ବନ ପାଇଁ ବିଜ୍ଞପ୍ତି ଜାରି କରିଥିଲା। ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବାପରେ ଜୁନ୍ ୬ତାରିଖରେ ନିର୍ବାଚନ ଆୟୋଗ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇଥିଲେ ମଧ୍ୟ ‘ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ’ ଜାରି ରଖିବାକୁ ସର୍ତ୍ତ ରଖିଥିଲେ। ମାତ୍ର ଦୁଇମାସ ପରେ ବି କୁଟ୍ଟେଙ୍କୁ ଚାର୍ଜସିଟ୍ ନୋଟିସ୍ ଜାରି ହୋଇପାରିନି।
ସେହିପରି ଆଶୀଷ ସିଂଙ୍କ ବିରୁଦ୍ଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜୁନ୍ ୬ତାରିଖରେ ମୁଖ୍ୟ ସଚିବଙ୍କୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ନୋଟିସ ଜାରି ହୋଇନଥିବା ଜଣାପଡ଼ିଛି।

Related story