ବିଜେଡି ପ୍ରତିଷ୍ଠା ଦିବସ ସମାରୋହରେ ଶଙ୍ଖଭବନ ରଣକ୍ଷେତ୍ର ପାଲଟିଲା । ଦଳର ଦୁଇ ରାଜ୍ୟସ୍ତରୀୟ ମହିଳା ପଦାଧିକାରୀ ସାମାନ୍ୟ କଥାକୁ କେନ୍ଦ୍ର କରି ପରସ୍ପର ସହ ଧସ୍ତାଧସ୍ତି,ମାରପିଟ୍ ଓ ଚେୟାର ଫିଙ୍ଗାଫିଙ୍ଗି ହେଲେ । ଶଙ୍ଖଭବନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏଭଳି ଘଟିଲା । ଏପରିକି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ସମେତ କିଛି ବରିଷ୍ଠ ନେତାମାନେ ମଧ୍ୟ ଏହି ମାରପିଟ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେଲେନି । ବିଜେଡି ମୁଖ୍ୟାଳୟରେ ନବୀନଙ୍କ ଉପସ୍ଥିତିରେ ଏଭଳି ଘଟଣା ହିଁ ବିଜେଡି ଏବେ ମୁରବୀବିହୀନ ଓ ଲଗାମଛଡ଼ା ହୋଇଯାଇଥିବା ଜଳଜଳ ଦିଶିଲାଣି ।
ସୂଚନା ଅନୁସାରେ, ଆଜି ଶଙ୍ଖଭବନରେ ଆୟୋଜିତ ବିଜେଡିର ୨୭ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହରେ ଦଳର ରାଜ୍ୟ କାର୍ଯ୍ୟପରିଷଦ ସଦସ୍ୟା ତଥା ଭୁବନେଶ୍ୱର ଜୋନ୍ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା ଓ ଛାତ୍ର ବିଜେଡି ମହାସଚିବ ତଥା ଦଳର ମୁଖପାତ୍ର ଇପସିତା ସାହୁ ମୁହାଁମୁହିଁ ହୋଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଭାସ୍ଥଳକୁ ଆସିବାର ମାତ୍ର କିଛି ସମୟ ପୂର୍ବରୁ ଚେୟାରରେ ବସିବାକୁ ନେଇ ଦୁଇ ନେତ୍ରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଆଉ ସଭା ଶେଷ ହେବାପରେ ନବୀନ ସଭାମଂଚରୁ ମାତ୍ର ୫୦ମିଟର ଦୂରରେ ଶଙ୍ଖଭବନ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବାବେଳେ ଦୁଇ ନେତ୍ରୀ ପୁଣିଥରେ ମୁହାଁମୁହିଁ ହୋଇଥିଲେ । ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦୁଇ ନେତ୍ରୀ ପରସ୍ପରକୁ ଗାଳିଗୁଲଜ କରିବା ସହ ଶାଢ଼ୀ ଚିରା, ଧସ୍ତାଧସ୍ତି ଓ ଚେୟାର ଫିଙ୍ଗା ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ । ଏବେ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଇପସିତାଙ୍କୁ ପୁଷ୍ପାଞ୍ଜଳି ଦୁଇଥର ଚାପୁଡ଼ା ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟ ନେତାମାନେ ଉଭୟଙ୍କୁ ବୁଝାସୁଝା କରି ଶାନ୍ତ କରିବା ପରେ ଦେବୀ ମିଶ୍ରଙ୍କ ଉପସ୍ଥିତିରେ ଦୁଇ ନେତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ଜଣାପଡ଼ିଛି ।
ମାତ୍ର ଆଜିର ଏହି ଘଟଣା ହିଁ ଦଳ ଭିତରେ ନେତା ଓ ପଦାଧିକାରୀଙ୍କ ଉପରେ ନବୀନ ନିଜର ଲଗାମ ଓ ନିୟନ୍ତ୍ରଣ ହରାଇ ବସିଥିବାର ପ୍ରମାଣ ମିଳିଛି । ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ଆରମ୍ଭରୁ ସେଠାରେ ଥିଲେ ଏବଂ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମ୍ମୁଖରେ ଏସବୁ ଘଟିଥିଲେ ମଧ୍ୟ ଏହି ଘଟଣାକୁ ନିୟନ୍ତ୍ରଣ କରିବାରେ ସେମାନେ ସକ୍ଷମ ହୋଇପାରିନଥିଲେ । ବିଜେଡି ନିର୍ବାଚନୀ ବିପର୍ଯ୍ୟୟ ପରେ ଦେବୀଙ୍କୁ ଦଳର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅସ୍ଥାୟୀ ମୁଖିଆ କରାଯାଇଥିଲେ ମଧ୍ୟ ସେ ନିଜର ଅପାରଗତା ଓ ତୋଷାମଦକାରୀ ଆଭିମୁଖ୍ୟ ଯୋଗୁ ଏବେ ଦଳର ମିଡିଆ ଟିମ୍ କଥାରେ ଉଠବସ୍ ହେଉଥିବା ଚର୍ଚ୍ଚା ।
ସବୁଠୁ ବଡ଼କଥା ହେଉଛି, ଶଙ୍ଖଭବନର ସିଧାସଳଖ ଦୃଶ୍ୟ ଦେଖିବାର ସୁବିଧା ନବୀନ ନିବାସରେ ରହିଛି । ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ସମେତ ନବୀନ ନିବାସ କର୍ମଚାରୀମାନେ ମଧ୍ୟ ଏସବୁ ଦେଖିବାର ସୁଯୋଗ ବି ରହିଛି । ତଥାପି ଦଳର ନେତ୍ରୀମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବାକୁ ପଛାଉନାହାନ୍ତି । କାର୍ଯ୍ୟକ୍ରମସ୍ଥଳରେ ଚେୟାରରେ ବସିବାକୁ କେନ୍ଦ୍ର କରି ଏହି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।