୨୦୨୪ ରଣନୀତି: ବଦଳିବେ ବିଜେଡି ଯୁବ ଓ ମହିଳା ମୁଖିଆ

ଦଳ ନିଜର ସଂଗଠନକୁ ତୃଣମୂଳସ୍ତରରେ କ୍ରିୟାଶୀଳ କରିବା ନିମନ୍ତେ ଯୁବ ଓ ମହିଳା ମୁଖିଆଙ୍କୁ ପରିବର୍ତ୍ତନ କରିବାକୁ ଯୋଜନା କରିଛି ।

ନବୀନ ପଟ୍ଟନାୟକ

  • Published: Monday, 27 March 2023
  • , Updated: 27 March 2023, 09:08 PM IST

୨୦୨୪ ସାଧାରଣ ନିର୍ବାଚନ ପାଇଁ ପରିବର୍ତ୍ତିତ ରାଜନୀତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜେଡି ନିଜର ରଣନୀତିରେ ପରିବର୍ତ୍ତନର ପ୍ରକ୍ରିୟା ଆରମ୍ଭ କରିଛି । ଦଳ ନିଜର ସଂଗଠନକୁ ତୃଣମୂଳସ୍ତରରେ କ୍ରିୟାଶୀଳ କରିବା ନିମନ୍ତେ ଯୁବ ଓ ମହିଳା ମୁଖିଆଙ୍କୁ ପରିବର୍ତ୍ତନ କରିବାକୁ ଯୋଜନା କରିଛି । ଆଜି ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଜାରି ହେବାପରେ ଏହାର ଆଭାସ ମିଳିଛି । ଗତ ଅଢ଼େଇବର୍ଷ ଧରି ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ବିଭିନ୍ନ ଘଟଣାରେ ବିବାଦୀୟ ହୋଇ ଦଳ ପାଇଁ ମୁଣ୍ଡବ୍ୟଥା ବଢ଼ାଇଥିବାବେଳେ ଯୁବ ସଂଗଠନକୁ ନିଷ୍କ୍ରିୟ କରି ରଖିଛନ୍ତି । ସେହିପରି ମହିଳା ଏସଏଚଜିକୁ ନିଜର ଟ୍ରମ୍ପ କାର୍ଡ ଭାବେ ନିର୍ବାଚନରେ ଉପଯୋଗ ପାଇଁ ବିଜେଡି ରଣନୀତି କରୁଥିଲେ ମଧ୍ୟ ମହିଳା ବିଜେଡି ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ନିଜ ନିର୍ବାଚନମଣ୍ଡଳୀ ଭିତରେ ସୀମିତ ରହିଥିବାରୁ ଦଳକୁ ବିଶେଷ ଫାଇଦା ମିଳିପାରୁନି ।

ମିଳିଥିବା ସୂଚନା ଅନୁସାରେ,  ବିଜେପିର ପରିବର୍ତ୍ତିତ ଆକ୍ରମଣାତ୍ମକ ରଣନୀତିକୁ ଦେଖି ବିଜେଡି ଏବେଠୁ ନିଜର ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିଛି । ବିଜେଡି ଖୁବଶୀଘ୍ର ନିଜର ଯୁବ ଓ ମହିଳା ମୁଖିଆଙ୍କୁ ପରିବର୍ତ୍ତନ କରି ନୂଆ ଯୁବ ଚେହେରାଙ୍କୁ ଆଗକୁ ଆଣିବ ବୋଲି ସୂଚନା ମିଳିଛି । ୨୦୨୦ ସେପ୍ଟେମ୍ବର ମାସରେ ବିଜେଡି ନିଜର ଯୁବ ସଭାପତି ଭାବେ ବିଧାୟକ ବ୍ୟୋମକେଶ ରାୟ ଦାୟିତ୍ୱ ନେବା ପରଠୁ ଯୁବ ସଂଗଠନକୁ ସକ୍ରିୟ କରିବା, ଯୁବବର୍ଗଙ୍କ ମଧ୍ୟରେ ଦଳ ପାଇଁ ଜୋସ୍ ବୃଦ୍ଧି କରିବା ଦିଗରେ କୌଣସି ପଦକ୍ଷେପ ନେଇପାରିନାହାନ୍ତି । ଯୁବ ସଭାପତି ଭାବେ ଏପର୍ଯ୍ୟନ୍ତ ୩୦ଟି ସାଂଗଠନିକ ଜିଲ୍ଲାକୁ ଯିବା ଅବା ସେଠାରେ ଯୁବ ସଂଗଠନ କର୍ମକର୍ତ୍ତା ଓ କର୍ମୀମାନଙ୍କ ମଧ୍ୟରେ ଥିବା ସମସ୍ୟାକୁ ବୁଝିବା ତ ଦୂରର କଥା ଓଲଟା ନିଜର ଆଚରଣ ପାଇଁ ବିବାଦରେ ରହି ଆସିଛନ୍ତି ।

ଦଳର ଦିଲ୍ଲୀ ସମାବେଶକୁ ଯାଇ ବିମାନବନ୍ଦରରେ ହଙ୍ଗାମା କରି ଓଡ଼ିଶାର ନାଁ ପକେଇବା ହେଉ ଅବା କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ ଭଳି ଘଟଣା ସମେତ ଧାମନଗର ଉପନିର୍ବାଚନରେ ଦଳର ପରାଜୟ ପଛରେ ବ୍ୟୋମକେଶଙ୍କ ବିବାଦୀୟ ଚେହେରା ପଦାକୁ ଆସିଛି । ଧାମନଗରରେ ବିଜେଡିର ପରାଜୟର ସିଧାସଳଖ ଫାଇଦା ବିଜେପିର ଅଭିଜ୍ଞ ମନମୋହନ ସାମଲଙ୍କୁ ମିଳିଛି । ବିଜେପି ତାଙ୍କୁ ରାଜ୍ୟ ସଭାପତି ଭାବେ ଅବସ୍ଥାପିତ କରିବା ପରେ ତାଙ୍କର ପାରମ୍ପରିକ ବିଧାନସଭା ଆସନ ଚାନ୍ଦବାଲିରେ ବ୍ୟୋମକେଶଙ୍କ ପାଇଁ ସତର୍କ ଘଣ୍ଟି ବାଜିଛି । ନିଜର ନିର୍ବାଚନମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ଓ ସମସ୍ୟା ପ୍ରତି ଧ୍ୟାନ ନଦେବା, ଅଧିକାଂଶ ସମୟ କଟକ ଓ ଭୁବନେଶ୍ୱରରେ ରହିବା, ତୀବ୍ର ଗୋଷ୍ଠୀକନ୍ଦଳ ଯୋଗୁ ବ୍ୟୋମକେଶଙ୍କ ପ୍ରତି ଜନ ଆକ୍ରୋଶ ତୀବ୍ର ହେବାରେ ଲାଗିଛି । ତାଙ୍କର ଏଭଳି ବିବାଦୀୟ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ଚାନ୍ଦବାଲିରେ ପୁଣିଥରେ ଟିକେଟ୍ ମିଳିବାର ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି । ତେଣୁ ଦଳ ତାଙ୍କୁ ଯୁବ ସଭାପତି ପଦବୀରୁ ହଟାଇ ନୂଆ ଚେହେରାକୁ ଆଗକୁ ଆଣିବ ବୋଲି ଜଣାପଡ଼ିଛି ।

ସେହିପରି ୨୦୨୦ ଡିସେମ୍ବରରେ ମହିଳା ବିଜେଡି ଦାୟିତ୍ୱ ନେଇଥିବା ସ୍ନେହାଙ୍ଗିନୀ କାଁ ଭାଁ ଗୋଟିଏ-ଦୁଇଟି ଛୋଟିଆ କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ଦଳର ମହିଳା କର୍ମୀମାନଙ୍କୁ ସଂଗଠିତ କରି ରଖିବା ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି । ଏପରିକି ଦଳ ନିଜର ଭୋଟବ୍ୟାଙ୍କ ଭାବେ ମହିଳା ଏସଏଚଜିଙ୍କୁ ଉପଯୋଗ କରୁଥିବାବେଳେ ଦଳର ମହିଳା କର୍ମୀମାନଙ୍କୁ କିଭଳି ଜିଲ୍ଲାସ୍ତରରେ ସଂଗଠିତ କରି ହେବ ସେ ନେଇ ମଧ୍ୟ କିଛି କାର୍ଯ୍ୟ କରିନାହାନ୍ତି । ଅନୁରୂପ ଢଙ୍ଗରେ ଦଳର ଛାତ୍ର ସଂଗଠନ ବି କାର୍ଯ୍ୟ କରୁଛି । ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ ଏପର୍ଯ୍ୟନ୍ତ ରାଜ୍ୟର ସମସ୍ତ କଲେଜରେ ଦଳର କ୍ୟାମ୍ପସ୍ କମିଟି ଗଢ଼ିବାରେ ବି ସକ୍ଷମ ହୋଇନଥିବା ଜଣାପଡ଼ିଛି । ଏବେ ଦଳର ବିଧାୟକମାନଙ୍କ ଭରସାରେ ହିଁ ଏହି ୩ଟି ସଂଗଠନ ସ୍ଥାନୀୟ ଅଂଚଳରେ କାର୍ଯ୍ୟ କରୁଛି ।

ଦଳର ଛାତ୍ର,ଯୁବ ଓ ମହିଳା ସଂଗଠନ ମୁଖିଆଙ୍କ ନିଷ୍କ୍ରିୟତା ଯୋଗୁ ରାଜ୍ୟବ୍ୟାପୀ ଏହାର କର୍ମକର୍ତ୍ତାମାନେ ଏକରକମ ସ୍ଥାଣୁ ହୋଇ ରହିଛନ୍ତି । ନିର୍ବାଚନରେ ପ୍ରାୟ ୪୦ ପ୍ରତିଶତ ବିଧାୟକଙ୍କ ଟିକେଟ୍ କାଟିବାକୁ ଦଳ ରଣନୀତି କରିଥିବାରୁ ତା’ପୂର୍ବରୁ ଏହି ଛାତ୍ର,ଯୁବ ଓ ମହିଳା ସଂଗଠନକୁ ସକ୍ରିୟ କରାଇବା ପାଇଁ ନୂଆ ମୁଖିଆଙ୍କୁ ଦାୟିତ୍ୱ ଦେବ ବୋଲି ଜଣାପଡ଼ିଛି ।

Related story