ଖଣି ଲୁଟ୍ ପାଇଁ ସାହାଣମେଲା କରିଦେଇଥିଲେ ବିଜେଡି ସରକାର, ଧରିଲେ ସିଏଜି ୨୨୩୯୨କୋଟି ଟଙ୍କାର ରାଜସ୍ୱ କ୍ଷତି

ଖଣିଜ ପଦାର୍ଥର ଉତ୍ତୋଳନ ପାଇଁ ଖଣି ଲିଜ, ପରମିଟ, ଲାଇସେନ୍ସ ମିଆଦ ବୃଦ୍ଧି ଓ ଅନୁମୋଦନ, ଲିଜଧାରୀଙ୍କ ଦ୍ୱାରା ଖଣିଜ ପଦାର୍ଥର ପ୍ରେରଣ ଓ ବିକ୍ରି ରିପୋର୍ଟ, ନିୟମ ଓ ଅନ୍ୟାନ୍ୟ ବ୍ୟବସ୍ଥା ଅନୁସାରେ ଖଣି ଗତିବିଧିର ନିୟନ୍ତ୍ରଣ, ଖଣି ରାଜସ୍ୱର ଆକଳନ ଓ ଆଦାୟ ଏବଂ ଆଭ୍ୟନ୍ତରୀଣ ନିୟନ୍ତ୍ରଣ ଆଦିର ସମୀକ୍ଷାବେଳେ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ୨୨,୩୯୨.୫୧କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Published: Saturday, 14 September 2024
  • , Updated: 14 September 2024, 04:08 PM IST

ରାଜ୍ୟରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତି ପରେ ବି ଚେତି ନଥିଲା ତତକାଳୀନ ବିଜେଡି ସରକାର । ବରଂ ସୁଚିନ୍ତିତ ଢଙ୍ଗରେ ଖଣି ଲୁଟ୍ କରିବା ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଛାଇ ନଥିଲେ । ସବୁ ନିୟମକୁ ଫୁ’ କରି ଖଣି ଲୁଟେରାମାନେ ରାଜ୍ୟର ଖଣିଜସମ୍ପଦକୁ ମନଇଚ୍ଛା ଲୁଟିଛନ୍ତି ।  କେବଳ ଘରୋଇ ଖଣି ଲିଜଧାରୀମାନେ ବେଆଇନ ଭାବେ ବେଧଡ଼କ ଖଣିଜ ସମ୍ପଦ ଲୁଟ କରିନାହାନ୍ତି ବରଂ ସରକାରଙ୍କ ମାଲିକାନାରେ ଥିବା ଓଡ଼ିଶା ଖଣି ନିଗମ(ଓଏମସି) ମଧ୍ୟ ଏଥରୁ ବାଦ୍ ପଡ଼ିନି । ସିଏଜିଙ୍କ ଅଡିଟରୁ ଏଭଳି କିଛି ତଥ୍ୟ ପଦାକୁ ଆସିଛି । ଆଉ ସିଏଜି ଯେଉଁ କିଛି ନମୂନା ଯାଂଚ କରିଛନ୍ତି ସେଥିରୁ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ  ୨୨,୩୯୨.୫୧କୋଟି ଟଙ୍କାର ଖଣି ରାଜସ୍ୱ କ୍ଷତି ହୋଇଥିବା ଆକଳନ କରିଛନ୍ତି । କେଉଁଠି  ନିୟମ ଉଲ୍ଲଘଂନ କରି ଲିଜ୍ ପ୍ରଦାନ ଓ ଲିଜ୍ ଅବଧି ବଢ଼ାଯାଇଛି ତ କେଉଁଠି ଲୁହାପଥରର ଗୁଣ୍ଡକୁ ସ୍କ୍ରିନଡ୍ ଫାଇନ୍‌ସ ଦର୍ଶାଯାଇଛି । କେଉଁଠି ଅନୁମୋଦିତ ଖଣି ଉତ୍ତୋଳନ ପରିମାଣଠୁ ଅଧିକ ଉତ୍ପାଦନ ତ ଆଉ କେଉଁଠି ପରିବେଶ ମଞ୍ଜୁରୀ ନଥାଇ ବି ଖଣିଜ ସାମଗ୍ରୀ ଉତ୍ତୋଳନ ହୋଇଛି । ଲୁହାପଥର ଗ୍ରେଡ ହ୍ରାସ, ଇ-ପାସରେ ଟ୍ରାକିଂ ନରହିବା, ଖଣିଜ ପରିବହନ ଯୋଗ୍ୟ ନଥିବା ଗାଡ଼ିକୁ ଇ-ପାସ, ଧାର୍ଯ୍ୟ ପରିମାଣଠୁ ଅଧିକ ପରିବହନ ଆଦି ଭଳି ବେଆଇନ ଖଣି କାର୍ଯ୍ୟ ସିଏଜିଙ୍କ ନଜରକୁ ଆସିଛି ।

ସିଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଖଣିଜ ପଦାର୍ଥର ଉତ୍ତୋଳନ ପାଇଁ ଖଣି ଲିଜ, ପରମିଟ, ଲାଇସେନ୍ସ ମିଆଦ ବୃଦ୍ଧି ଓ ଅନୁମୋଦନ, ଲିଜଧାରୀଙ୍କ ଦ୍ୱାରା ଖଣିଜ ପଦାର୍ଥର ପ୍ରେରଣ ଓ ବିକ୍ରି ରିପୋର୍ଟ, ନିୟମ ଓ ଅନ୍ୟାନ୍ୟ ବ୍ୟବସ୍ଥା ଅନୁସାରେ ଖଣି ଗତିବିଧିର ନିୟନ୍ତ୍ରଣ, ଖଣି ରାଜସ୍ୱର ଆକଳନ ଓ ଆଦାୟ ଏବଂ ଆଭ୍ୟନ୍ତରୀଣ ନିୟନ୍ତ୍ରଣ ଆଦିର ସମୀକ୍ଷାବେଳେ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ ୨୨,୩୯୨.୫୧କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି । ନିଲାମ ହୋଇଥିବା ନୂଆ ଖଣିଗୁଡ଼ିକରୁ ଉତ୍ତୋଳିତ ଖଣିଜ ପଦାର୍ଥର ଗ୍ରେଡ୍ ବର୍ଷେ କିମ୍ବା ଦୁଇବର୍ଷ ମଧ୍ୟରେ ହଠାତ୍ ହ୍ରାସ ପାଇଥିଲା । ଯାହାକି ଅତ୍ୟନ୍ତ ଅସମ୍ଭବ ବୋଲି ସିଏଜି କହିଚନ୍ତି । ଉଚ୍ଚ ଗ୍ରେଡ୍ ଉପରେ ଅଧିକ ରୟାଲିଟି ଓ ପ୍ରିମିୟମକୁ ଏଡ଼ାଇବା ପାଇଁ ନୂଆ ଖଣି ଲିଜଧାରୀମାନେ ଉତ୍ପାଦିତ ଲୁହାପଥରର ଗ୍ରେଡକୁ ଭୁଲ୍ ରିପୋର୍ଟ ଆକାରରେ ଦର୍ଶାଇଥିଲେ । ୬ଟି ନମୂନା ଯାଂଚ ଖଣି କ୍ଷେତ୍ରରେ ପୁରୁଣା ଲିଜଧାରୀଙ୍କ ରିପୋର୍ଟ ଅନୁସାରେ ଉତ୍ତୋଳନ କ୍ଷେତ୍ରରେ ସୁସଙ୍ଗତ ଢାଂଚା ତୁଳନାରେ ନିଲାମ ପରେ ଉତ୍ତୋଳିତ ଲୁହା ଖଣ୍ଡ ଓ ଗୁଣ୍ଡର ଗ୍ରେଡରେ ଆକାରରେ ପରିବର୍ତ୍ତନ ଯୋଗୁ ୨୦୨୦-୨୧ ଓ ୨୦୨୧-୨୨ ମସିହାରେ କମ୍ ରୟାଲିଟି ଓ ପ୍ରିମିୟମ(ନିଲାମ ପରବର୍ତ୍ତୀ) ପ୍ରାୟ ୪୧୬୨.୭୭କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ।

ସେହିପରି ୮ଟି ଖଣି କ୍ଷେତ୍ରର ଅନୁମୋଦିତ ମାଇନିଂ ପ୍ଲାନରେ ଧାର୍ଯ୍ୟ କରାଯାଇଥିବା ସୀମାଠାରୁ ଅଧିକ ଖଣିଜ ପଦାର୍ଥ ଉତ୍ତୋଳନ କରାଯାଇଛି । ଯେଉଁଥିପାଇଁ ୩୬୧୮.୫୦କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି । ଏହି ଅର୍ଥକୁ ଆଦାୟ କରାଯିବା ପାଇଁ ସିଏଜି ପରାମର୍ଶ ମଧ୍ୟ ଦେଇଛନ୍ତି ।

ପରିବେଶ ମଞ୍ଜୁରୀରେ ଧାର୍ଯ୍ୟ ସୀମାଠୁ ଅଧିକ ଖଣିଜ ପଦାର୍ଥ ଉତ୍ତୋଳନ ହୋଇଛି । ଯାହାକି ବେଆଇନ । ଏହି ଉତ୍ତୋଳିତ ଖଣିଜ ପଦାର୍ଥର ମୂଲ୍ୟ ୧୬୯୯.୦୫କୋଟି ଟଙ୍କା ବୋଲି ସିଏଜି ଆକଳନ କରିବା ସହ ଏହି ରାଜସ୍ୱ କ୍ଷତିକୁ ଆଦାୟ କରାଯିବା ଉଚିତ୍ ବୋଲି କହିଛନ୍ତି ।

ଲୁହାପଥର ଗୁଣ୍ଡକୁ ସ୍କ୍ରିନଡ୍ ଫାଇନସ୍ ବୋଲି ଦର୍ଶାଇଥିବା ଯୋଗୁ ୨୦ଟି ନମୂନା ଯାଂଚ ହୋଇଥିବା ଖଣି କ୍ଷେତ୍ରରେ ପ୍ରାୟ ୫୮୪୧.୮୦କୋଟି ଟଙ୍କାର ରୟାଲିଟି ଓ ପ୍ରାୟ ୪୪୫୨.୪୪କୋଟି ଟଙ୍କାର ପ୍ରିମିୟମ ସହିତ ମୋଟ ୧୦,୨୯୪.୨୪କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି । କେବଳ ଅଧିକ ରୟାଲିଟି ଓ ପ୍ରିମିୟମକୁ ଏଡ଼ାଇବା ପାଇଁ ଲିଜଧାରୀମାନେ ଲୁହାପଥର ଗୁଣ୍ଡର ଗ୍ରେଡକୁ ନିମ୍ନମାନର ଦର୍ଶାଇବାକୁ ପଛାଇ ନାହାନ୍ତି । ଯାହାକି ରାଜସ୍ୱ କ୍ଷତି କରାଇଛି । ସିଏଜି ତାଙ୍କ ଅଡିଟରେ ଦର୍ଶାଇଛନ୍ତି ଯେ, ୨୦୦୭-୨୦୧୦ ମସିହା ମଧ୍ୟରେ ଯୋଡ଼ା ସର୍କଲରେ ଥିବା ଗୋଟିଏ ଖଣିରେ ସ୍କ୍ରିନଡ୍ ଫାଇନସ୍ ଉତ୍ତୋଳନ ମାତ୍ର ୭ ପ୍ରତିଶତ ଥିବାବେଳେ ଏବେ ଖଣିରେ ଉକ୍ତ ପରିମାଣ ୮୬ପ୍ରତିଶତକୁ ବୃଦ୍ଧି ପାଇଛି ।

୮ଟି ନିଲାମ ହୋଇଥିବା ଖଣିର ତଥ୍ୟକୁ ଯାଂଚବେଳେ ଜଣାପଡ଼ିଛି ଯେ, ୫ଟି ଖଣିରେ ପୁରୁଣା ଲିଜଧାରୀଙ୍କ ତୁଳନାରେ ନୂଆ ଲିଜଧାରୀଙ୍କ ରିପୋର୍ଟରେ ଲୁହା ଖଣ୍ଡର ଅନୁପାତ ହ୍ରାସ ଓ ଲୁହା ଗୁଣ୍ଡର ପରିମାଣ ବୃଦ୍ଧି ହୋଇଛି ।

ସେହିପରି ସିଏଜିଙ୍କ ଅଡିଟରୁ ଜଣାପଡ଼ିଛି ଯେ, ସରକାରୀ ଉଦ୍ୟୋଗ ଓଏମସି ୨୦୧୭-୧୮ ଓ ୨୦୧୮-୧୯ରେ ଗୋଟିଏ ଖଣିରେ ପ୍ରାୟ ୧.୦୧ଲକ୍ଷ ଏମଟି ପରିମାଣର ଅଧିକ ଖଣିଜ ପଦାର୍ଥ ଉତ୍ତୋଳନ କରିଛି । ଯାହାର ପରିମାଣ ୪୮.୦୬ କୋଟି ଟଙ୍କା ଆକଳନ ହୋଇଛି ।

ସିଏଜିଙ୍କ ଏହି ଅଡିଟରୁ ସ୍ପଷ୍ଟ ହୋଇଛି ଯେ, ତତକାଳୀନ ବିଜେଡି ସରକାର ଖଣି ବ୍ୟବସାୟୀଙ୍କ ସହ ସଲାସୁତରା କରି ରାଜ୍ୟ ରାଜକୋଷକୁ ଲୁଟିବା ପାଇଁ ସୁଯୋଗ ସୃଷ୍ଟି କରିଥିଲେ । ଆଉ ରାଜ୍ୟରେ ଖଣି ଲିଜଧାରୀମାନେ ମନଇଚ୍ଛା ଆଇନକୁ ଫାଙ୍କି ଓଡ଼ିଶାର ଖଣିଜସମ୍ପଦ ଲୁଟ୍ କରିଛନ୍ତି ।

Related story