ଏସଏଚଜିଙ୍କୁ ସୁରକ୍ଷା ଦେଇ ଅଡ଼ୁଆରେ ୨୪ ସିଡିପିଓ: ସପ୍ତାହସୁଦ୍ଧା ସ୍ପଷ୍ଟୀକରଣ ଦିଅ,ନଚେତ୍ କାର୍ଯ୍ୟାନୁଷ୍ଠାନ

ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୨୪ଜଣ ସିଡିପିଓଙ୍କୁ ଗତ ଦୁଇ ଦିନ ତଳେ କାରଣ ଦର୍ଶାଅ ନୋଟିସ୍ ଜାରି କରି କାହିଁକି ସ୍ପଷ୍ଟୀକରଣ ରଖିନାହିଁ ବୋଲି ପ୍ରଶ୍ନ କରିଛି ।

lok seva bhawan

ଲୋକସେବା ଭବନ

Ordigital Desk
  • Published: Wednesday, 26 March 2025
  • , Updated: 26 March 2025, 08:37 PM IST

ବିଜେଡି ସରକାର ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଗୁଡ଼ିକୁ ସୁରକ୍ଷା ଦେବା ଏବେ ୨୪ଜଣ ସିଡିପିଓ (ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ)ଙ୍କୁ ମହଙ୍ଗା ପଡ଼ିଛି । ନିମ୍ନମାନର ଓ ଖରାପ ଛତୁଆ ଯୋଗାଉଥିବା ଏସଏଚଜିଗୁଡ଼ିକ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନଥିଲେ, ସେଥିପାଇଁ ବିଜେପି ସରକାରଙ୍କ କାରଣ ଦର୍ଶାଅ ନୋଟିସର ଜବାବ ଦେଇନଥିବାରୁ ଏହି ଅଧିକାରୀମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି ।

ସୂଚନା ଅନୁସାରେ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ୨୪ଜଣ ସିଡିପିଓଙ୍କୁ ଗତ ଦୁଇ ଦିନ ତଳେ କାରଣ ଦର୍ଶାଅ ନୋଟିସ୍ ଜାରି କରି କାହିଁକି ସ୍ପଷ୍ଟୀକରଣ ରଖିନାହିଁ ବୋଲି ପ୍ରଶ୍ନ କରିଛି । ପୂର୍ବରୁ ୨୦୨୪ ଡିସେମ୍ବର ୨୬ତାରିଖରେ ଏହି ସିଡିପିଓମାନଙ୍କୁ ବିଭାଗ ଦ୍ୱାରା କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ଯେଉଁ ଏସଏଚଜିଗୁଡ଼ିକ ନିମ୍ନମାନର ଓ ଖରାପ ଛତୁଆ ଅଙ୍ଗନବାଡ଼ି ମାଧ୍ୟମରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ପ୍ରଦାନ କରୁଥିଲେ ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ପ୍ରଶ୍ନ କରାଯାଇଥିଲା । ମାତ୍ର ଏହି କାରଣ ଦର୍ଶାଅ ନୋଟିସ୍ ଉପରେ ସମ୍ପୃକ୍ତ ସିଡିପିଓମାନେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ରଖିନଥିବାରୁ ବିଭାଗ ପୁଣିଥରେ ମାର୍ଚ୍ଚ ୨୨ତାରିଖରେ ନୋଟିସ୍ ଜାରି କରି ସେମାନଙ୍କୁ ୭ଦିନର ସମୟ ଦେଇଛନ୍ତି । ଉକ୍ତ ଅବଧି ମଧ୍ୟରେ ସ୍ପଷ୍ଟୀକରଣ ନରଖିଲେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ସ୍ପଷ୍ଟ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୩ ଏପ୍ରିଲରୁ ୨୦୨୪ ଜୁନ୍ ମାସ ମଧ୍ୟରେ ରାଜ୍ୟ ଖାଦ୍ୟ ପରୀକ୍ଷାଗାରର ରିପୋର୍ଟ ଆଧାରରେ ସମସ୍ତ ଜିଲ୍ଲାପାଳମାନଙ୍କୁ ନିମ୍ନମାନର ଛତୁଆ(ଅତିରିକ୍ତ ପୃଷ୍ଟିକରଣ କାର୍ଯ୍ୟକ୍ରମରେ ଘରକୁ ରାସନ୍ ପଠାଯିବା) ଯୋଗାଇଥିବା ଏସଏଚଜିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ନିମ୍ନମାନର ଖରାପ ଛତୁଆ ପ୍ରଦାନ କରୁଥିବା ନେଇ ବାରମ୍ବାର ପ୍ରତିକୂଳ ରିପୋର୍ଟ ସତ୍ତ୍ୱେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ୪୨ଜଣ ସିଡିପିଓ ଓ ୧୫ଜଣ ମହିଳା ସୁପରଭାଇଜରମାନଙ୍କ ବିରୁଦ୍ଧରେ ବିଜେପି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହାସହିତ ବିଭିନ୍ନ ଜିଲ୍ଲାରେ  ଛତୁଆ ଉତ୍ପାଦନ କରୁଥିବା ୧୨୫ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିଲା ।

ଦୁଇଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସିଡିପିଓମାନଙ୍କୁ କଡ଼ା ଭାଷାରେ ତାଗିଦ୍ କରାଯାଇଛି ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ ସିଡିପିଓ ଦିବ୍ୟରୋସିତା ଲାକ୍ରା, ପୁଷ୍ପଲତା ନାୟକ, କନ୍ଧମାଳରେ କ୍ରିଷ୍ଣାକୁମାରୀ ବେହେରା, ମୌନବତୀ ପାତ୍ର, ସମ୍ବଲପୁରରେ ମମତା ପଟେଲ,ରେବତୀ ବେହେରା, ନୂଆପଡ଼ାରେ ମୀନା କୁମାର ଅଗ୍ରୱାଲ ଓ ଅର୍ଚ୍ଚନା ରାଉତ, ମୟୂରଭଞ୍ଜ ଜିଲ୍ଲାର ଗିନ୍ଧରି ମୁର୍ମୁ ଓ ଛବିରାଣୀ ବେହେରା, ପାର୍ବତୀ ସୋରେନ(ଏବେ ବାଲେଶ୍ୱର ଜିଲ୍ଲାରେ), ରାୟଗଡ଼ା ଜିଲ୍ଲାର ସୁଶୀଳା ଶବର,ବିଜୟଲକ୍ଷ୍ମୀ ନିଶାଙ୍କ, ସୁଷମା ପର୍ଷଦ ଓ ଡାଳିମ୍ବୋ ନାୟକ, ଝାରସୁଗୁଡ଼ା ଜିଲ୍ଲାର ଲକ୍ଷ୍ମୀପ୍ରିୟା ବହିଦାର ଓ ସଲମା ଟୁଡ଼ୁ, ସୋନପୁର ଜିଲ୍ଲାର ଲକ୍ଷ୍ମୀପ୍ରିୟା ମିଶ୍ର, ଜଗତସିଂହପୁର ଜିଲ୍ଲାର ତୃପ୍ତିଲତା ମହାନ୍ତି, ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ରୁକ୍ମୁଣୀ ସାହୁ, କଳାହାଣ୍ଡିରେ ସୁଚରିତା ମହାପାତ୍ର, ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ କୁସୁମ କୁମାରୀ ପ୍ରହରାଜ, ଗଞ୍ଜାମରେ କାର୍ଯ୍ୟରତ ନଳିନୀ କୁମାରୀ ମହାରଣରା ଓ ସୋନପୁରରେ କାର୍ଯ୍ୟରତ ସୁକାନ୍ତି ବେହେରା ରହିଛନ୍ତି ।

Related story