/odisha-reporter/media/post_attachments/uploadimage/library/16_9/16_9_0/BJD_1727870340.jpg)
BJD
ଆଜି ହେଉଛି ଜାତୀର ଜନକ ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ। ବାପୁଙ୍କର ପୂଣ୍ୟ ଜନ୍ମ ଦିବସକୁ ସାରା ଦେଶ ଧୂମ୍ଧାମ୍ରେ ପାଳୁଥିବା ବେଳେ ଯାଜପୁର ବିଜେଡିରେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। ଜନ ସମ୍ପର୍କ ପଦଯାତ୍ରା ନାଁରେ ନିଜ ପତିଆରା ଦେଖାଇବା ପାଇଁ ବିଜେଡିର ୩ ନେତା ଅଲଗା ଅଲଗା ଯାଇ ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପଦଯାତ୍ରା କରିଛନ୍ତି। ଆଉ ନିଜ ସମର୍ଥକଙ୍କ ମନୋବଳ ବଢ଼ାଇବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି। ସତେ ଯେମିତି ଲାଗୁଛି ବିଜେଡି ଭିତରେ ପଦଯାତ୍ରା ପ୍ରତିଯୋଗିତା ଚାଲିଛି।
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀରେ ବିଜେଡି ଆରମ୍ଭ କରିଛି ପଦଯାତ୍ରା। ତେଣୁ ଆଜି ସକାଳ ପ୍ରାୟ ୯ଟା ବେଳେ ବଡ଼ଚଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଓ ତାଙ୍କ ସମର୍ଥକ ବଇରୀରେ ପହଞ୍ଚିଥିଲେ। ପରେ ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତା’ପରେ ବିଶାଳ ଶୋଭାଯାତ୍ରାରେ ଚମ୍ପାପୁର ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ।
ଶ୍ରୀ ଶତପଥୀଙ୍କ ପରେ ସକାଳ ପ୍ରାୟ ୧୦ଟା ବେଳେ ବଇରୀଠାରେ ପହଞ୍ଚିଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସମର୍ଥକ। ବର୍ଷାଙ୍କ ସାଙ୍ଗରେ ଥିଲେ ବ୍ଲକ୍ ସଭାପତି ଅରବିନ୍ଦ ସାମଲ ଓ ବ୍ଲକ୍ ଅଧ୍ୟକ୍ଷା ମିନତୀ ସେନାପତି। ସମସ୍ତେ ବାପୁଙ୍କ ପ୍ରତିମୂର୍ତ୍ତି ଚାରି ପାର୍ଶ୍ୱରେ ସଫେଇ କରିଥିଲେ। ତା’ପରେ ବାପୁଙ୍କୁ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରି ଭାଷଣ ଦେଥିଲେ। ପରେ ପଦଯାତ୍ରାରେ ଚମ୍ପାପୁରକୁ ଯାଇଥିଲେ।
ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ବଇରୀରେ ପହଞ୍ଚିଥିଲେ କ୍ୟାପଟେନ୍ ରାଜ ନାରାୟଣ ମହାପାତ୍ର ଓ ତାଙ୍କ ସମର୍ଥକ। ତାଙ୍କ ସାଙ୍ଗରେ ଥିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, କୋଡ଼ିଏ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଜୟଶ୍ରୀ ସେଠୀଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ। ସମସ୍ତେ ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତା’ପରେ ବିଶାଳ ଶୋଭାଯାତ୍ରାରେ ଚମ୍ପାପୁର ପର୍ଯ୍ୟନ୍ତ ଯାଇଥିଲେ।
ଅଲଗା ଅଲଗା କାର୍ଯ୍ୟକ୍ରମ ଆୟୋଜନ ନେଇ ତିନି ନେତାଙ୍କୁ ପ୍ରଶ୍ନ ହୋଇଥିଲା। ହେଲେ ସମାନେ ପ୍ରଶ୍ନଠାରୁ ଦୂରେଇ ଯାଇଥିଲେ।
ରିପୋର୍ଟ- ଯାଜପୁରରୁ ଗୁଲାମ ଗସ୍
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
