Advertisment

ସୁରଙ୍କ ପୁତ୍ରମୋହ: ଜଟଣୀରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ୩ କାଉନସିଲର ଓ ବହୁ କର୍ମୀ

ଆଜି ଶଙ୍ଖ ଭବନରେ ଜଟଣୀ କଂଗ୍ରେସର ବହୁ ନେତା ଓ କର୍ମୀ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି

Sura Routray

Sura Routray

Advertisment

ବରିଷ୍ଠ କଂଗ୍ରେସ ନେତା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁତ୍ରମୋହ ଯୋଗୁ ଏବେ ଜଟଣୀରେ କଂଗ୍ରେସ ଗଡ଼ ଭୁଷୁଡ଼ିବାରେ ଲାଗିଛି । ନିଜକୁ ସଚ୍ଚା କଂଗ୍ରେସୀ ବୋଲି ଦାବି କରୁଥିବା ସୁରଙ୍କ ଦୋମୁହାଁ ଚରିତ୍ର ପଦାରେ ପଡ଼ିଛି । ଆଉ ଜଟଣୀରେ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି । ଆଜି ସୁରଙ୍କ ପୁଅ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ଉପସ୍ଥିତିରେ ଜଟଣୀ ମ୍ୟୁନିସପାଲଟିର ୩ଜଣ କଂଗ୍ରେସ କାଉନସିଲର ଓ ବହୁ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ମଲାପର୍ଯ୍ୟନ୍ତ କଂଗ୍ରେସରେ ରହିବି ବୋଲି ଦାବି କରୁଥିବା ସୁର କ୍ରମାଗତ କିଛିଦିନ ଧରି ଏଭଳି ଅନ୍ତର୍ଘାତୀ କାର୍ଯ୍ୟ କରୁଥିବା ସତ୍ତ୍ୱେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ କଂଗ୍ରେସ ନେତୃତ୍ୱ ସକ୍ଷମ ହୋଇପାରିନାହାନ୍ତି।

Advertisment

ସୂଚନା ଅନୁସାରେ, ଆଜି ଶଙ୍ଖ ଭବନରେ ଜଟଣୀ କଂଗ୍ରେସର ବହୁ ନେତା ଓ କର୍ମୀ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରମୋଦ ହରିଚନ୍ଦନଙ୍କ ସମେତ ଜଟଣୀ ମ୍ୟୁନିସିପାଲଟିର କଂଗ୍ରେସ କାଉନସିଲର ଇତିଶ୍ରୀ ଦାସ,ଅନୀତା ମହାପାତ୍ର ଓ କୃଷ୍ଣଚନ୍ଦ୍ର ନାୟକ, ମେଣ୍ଢାଶାଳ ସରପଂଚ କଂଗ୍ରେସ ନେତ୍ରୀ କୌଶଲ୍ୟା ବଳିୟାର ସିଂ ଓ ଅନ୍ୟ କଂଗ୍ରେସ କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣପର୍ବରେ ବିଜେଡି ସାଂସଦ ମାନସ ମଙ୍ଗରାଜ, ଜଟଣୀରୁ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟ ପ୍ରମୁଖଙ୍କ ସମେତ ସୁରଙ୍କ ସାନପୁଅ ମନ୍ମଥ ଉପସ୍ଥିତ ଥିଲେ ।  ମନ୍ମଥଙ୍କୁ ବିଜେଡି ଏବେ ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ କରିଛି । ପୁଅମୋହରେ ସୁର ଏବେ କଂଗ୍ରେସ ସହ ବିଶ୍ୱାସଘାତକତା କରିବାରେ ଲାଗିଥିବା ଚର୍ଚ୍ଚା ହେଉଛି । ଯେଉଁ କାରଣରୁ କଂଗ୍ରେସ ସହ ଜଡ଼ିତ ଥିବା କର୍ମୀ ଓ ନେତାମାନେ ବିଜେଡିକୁ ଡିଆଁ ମାରିବାରେ ଲାଗିଛନ୍ତି । ଆଉ ଏସବୁ ଦଳଡ଼ିଆଁକୁ ରୋକିବା ପାଇଁ ସୁର କୌଣସି ପଦକ୍ଷେପ ନେଉନଥିବା ପରୋକ୍ଷରେ ଏହା ସୁରଙ୍କ ଦୋମୁହାଁ ନୀତିର ସନ୍ଦେଶ ଦେଇଛି।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁର କହିଛନ୍ତି ଯେ, ସେ ମଲାପର୍ଯ୍ୟନ୍ତ କଂଗ୍ରେସରେ ରହିବେ । ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇସିସିକୁ ସୁପାରିସ କରାଯାଇଥିବା ଗଣମାଧ୍ୟମରୁ ଜାଣିଲେ । ମାତ୍ର ସେ କଂଗ୍ରେସରେ ଅଛନ୍ତି, ତାଙ୍କୁ କାଢ଼ିଦେଲେ ବି ସେ କଂଗ୍ରେସରେ ରହିବେ ବୋଲି କହିଛନ୍ତି । ତାଙ୍କ ପୁଅ ପାଇଁ ସେ ପ୍ରଚାର କରୁନାହାନ୍ତି ବୋଲି ପୁଣିଥରେ ଦୋହରାଇଛନ୍ତି । ଯଦିଓ ସେ ନିୟମିତ ଭାବେ ସାନପୁଅ ବିଜେଡି ପ୍ରାର୍ଥୀ ମନ୍ମଥଙ୍କ ସପକ୍ଷରେ ପ୍ରଚାର କରୁଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହେଉଛି।

Advertisment

ସୁରଙ୍କ ଏଭଳି ଆଚରଣକୁ ନେଇ ଜଟଣୀ ଓ ଖୋର୍ଦ୍ଧା କଂଗ୍ରେସରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ତେବେ ସୁରଙ୍କ ବିରୁଦ୍ଧରେ କଂଗ୍ରେସ ନେତୃତ୍ୱ ଦିନେ ଦୁଇଦିନ ମଧ୍ୟରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ଆଶଙ୍କାକୁ ଦେଖି ସେ ଆଗୁଆ ନିଜର ସମର୍ଥକମାନଙ୍କୁ ବିଜେଡିକୁ ସ୍ଥାନାନ୍ତର କରୁଥିବା କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe