ବିକାଶ ନା ହରିଲୁଟ୍‌: ଯାଜପୁରକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନରୁ ୩ବର୍ଷରେ ୩ହଜାର କୋଟି, ଡିଏମଏଫ ପାଣ୍ଠିରୁ ୧୦୩୨କୋଟି

୨୦୨୧-୨୨ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନରୁ ୧୭୨୯ଟି ପ୍ରକଳ୍ପ ପାଇଁ ମୋଟ ୩୦୩୭.୩୪କୋଟି ଟଙ୍କା ଯାଜପୁର ଜିଲ୍ଲାକୁ ମଞ୍ଜୁର କରାଯାଇଛି।

ନିର୍ମାଣ ହୋଇଥିବା ଷ୍ଟାଡିୟମ୍‌

  • Published: Thursday, 22 August 2024
  • , Updated: 22 August 2024, 10:23 PM IST

ବିଜେଡି ଶାସନକାଳରେ ଆଇନକୁ ଫୁ’ କରି କେବଳ ଯାଜପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନରୁ ୩୦୦୮କୋଟି ଟଙ୍କା ଦିଆଯାଇଛି । ଆଉ ଜିଲ୍ଲା ଖଣିଜ ପାଣ୍ଠିରୁ ମଧ୍ୟ ୧୦୩୨.୫୪କୋଟି ଟଙ୍କା ଯାଜପୁରକୁ ମଞ୍ଜୁର ହୋଇଛି । ବିଭିନ୍ନ ଜିଲ୍ଲା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଥିବା ପାଣ୍ଠି ବାଦ୍ ଏହି ପ୍ରାୟ ୪୦୪୦କୋଟି ଟଙ୍କାକୁ ନବୀନ ନିଜର ଶେଷ କାର୍ଯ୍ୟକାଳରେ ଯାଜପୁର ଜିଲ୍ଲାକୁ ଦେଇଛନ୍ତି । ରାଜ୍ୟର ବହୁ ପଛୁଆ ଜିଲ୍ଲାରେ ପାଣ୍ଠିର ଆବଶ୍ୟକତା ଥିବା ସତ୍ତ୍ୱେ ଯାଜପୁର ଭଳି ଆଗଧାଡ଼ିର ଜିଲ୍ଲାକୁ ଏତେ ପରିମାଣର ପାଣ୍ଠି କାହିଁକି ମଞ୍ଜୁର କରାଯାଇଥିଲା ଓ ସେସବୁ ପାଣ୍ଠି ବାସ୍ତବରେ ଖର୍ଚ୍ଚ ହୋଇଛି କି ନାହିଁ ତାକୁ ନେଇ ଏବେ ସାଧାରଣରେ ସନ୍ଦେହ ବଢ଼ିବାରେ ଲାଗିଛି ।

ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ୨୦୨୧-୨୨ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନରୁ ୧୭୨୯ଟି ପ୍ରକଳ୍ପ ପାଇଁ ମୋଟ ୩୦୩୭.୩୪କୋଟି ଟଙ୍କା ଯାଜପୁର ଜିଲ୍ଲାକୁ ମଞ୍ଜୁର କରାଯାଇଛି। ସେଥିରୁ ୧୭୨୯ଟି ପ୍ରକଳ୍ପ ପାଇଁ ୩୦୦୮.୩୮କୋଟି ଟଙ୍କାର ପାଣ୍ଠିକୁ ଜିଲ୍ଲା ଦ୍ୱାରା କାର୍ଯ୍ୟନିର୍ବାହୀ ଏଜେନ୍ସୀକୁ ପ୍ରଦାନ କରାଯାଇଛି । ମାତ୍ର ଆଶ୍ଚର୍ଯ୍ୟର କଥା ଏତେ ପରିମାଣର ପ୍ରକଳ୍ପ ମଞ୍ଜୁର ହୋଇଥିଲେ ବି ସେଥିରୁ ମାତ୍ର ୪୩୭ଟି ପ୍ରକଳ୍ପ ବାବଦରେ ୧୧୦୨କୋଟି ଟଙ୍କା ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ଆବଶ୍ୟକ ପାଣ୍ଠି ମଞ୍ଜୁର ହୋଇଥିଲେ ମଧ୍ୟ ୨୫୫ଟି ପ୍ରକଳ୍ପ କାର୍ଯ୍ୟ ଏବେ ଜାରି ରହିଛି ଓ ୧୦୩୭ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ପ୍ରକଳ୍ପ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହୁଥିଲେ ମଧ୍ୟ ଯାଜପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନ ବାବଦରେ ବିଗତ ଦୁଇବର୍ଷରେ ପ୍ରାୟ ୨୬୮୦କୋଟି ଟଙ୍କା ଦିଆଯାଇଛି ।

ସେହିପରି ଜିଲ୍ଲା ଖଣିଜ ପାଣ୍ଠିକୁ ବିଗତ ୫ବର୍ଷ ମଧ୍ୟରେ ମୋଟ ୧୩୯୧.୯୪କୋଟି ଟଙ୍କା ମିଳିଛି । ସେଥିରୁ ୩୫୯୯ଟି ପ୍ରକଳ୍ପ ପାଇଁ ୧୦୩୨.୫୪କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଜୁଲାଇ ଶେଷସୁଦ୍ଧା ଖଣିଜ ପାଣ୍ଠିରେ ୬୧୨କୋଟି ଟଙ୍କା ବଳକା ରହିଛି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଯାଜପୁର ତୁଳନାରେ ବହୁ ଜିଲ୍ଲା ଅପେକ୍ଷାକୃତ ଅନୁନ୍ନତ ହୋଇଥିଲେ ମଧ୍ୟ ନବୀନ କାହିଁକି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନ ପାଣ୍ଠିରୁ ଯାଜପୁରକୁ କୋଟିକୋଟି ଟଙ୍କା ଆଖିବୁଜି ଅଜାଡ଼ି ଦେଉଥିଲେ? ଏହି ଅର୍ଥକୁ ଯାଜପୁରରେ କାଗଜପତ୍ରରେ ଆବଂଟନ କରି ବିଜେଡି ନିଜର ଦଳୀୟ ପାଣ୍ଠି ସଂଗ୍ରହ କରୁନଥିଲା ତ? ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବପ୍ରକାଶ ଦାସଙ୍କ ମାଧ୍ୟମରେ ଏହି ସରକାରୀ ପାଣ୍ଠିର ବାଟମାରଣା ହୋଇନାହିଁ ତ?

ତେଣୁ ମୋହନ ସରକାର ଯଦି ଏହି ଯାଜପୁରକୁ ଆବଂଟିତ ‘ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଅନୁଦାନ’ର ବିସ୍ତୃତ ଅଡିଟ୍ କରନ୍ତେ ତା’ହେଲେ ବିଜେଡି ସରକାରର ଅସଲମୁଖା ପଦାକୁ ଆସିପାରନ୍ତା ବୋଲି ସାଧାରଣରେ ଦାବି ହେଉଛି ।

 

Related story