Advertisment

ବିଧାନସଭା ନିର୍ବାଚନ ଲଢ଼ିବେ ୩ କେନ୍ଦ୍ରମନ୍ତ୍ରୀ ଓ ୩ ସାଂସଦ, ବିଜେପି ଜାରି କଲା ତାଲିକା

୩ କେନ୍ଦ୍ରମନ୍ତ୍ରୀ ଓ ଜାତୀୟ ସାଧାରଣ ସମ୍ପାଦକଙ୍କ ବ୍ୟତୀତ ବିଜେପି ୩ ଜଣ ସାଂସଦଙ୍କୁ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। ଉଦୟ ପ୍ରତାପ ସିଂହ, ରିତି ପାଠକ ଓ ଗଣେଶ ସିଂହ ଯଥାକ୍ରମେ ଗଦରୱାରା, ସିଦ୍ଧି ଓ ସାତନାରୁ ପ୍ରାର୍ଥୀ ହୋଇଛନ୍ତି।

author-image
Hemant Lenka
BJP

BJP

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିବେ ୩ କେନ୍ଦ୍ରମନ୍ତ୍ରୀ। ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲ ଓ ଫଗନ ସିଂହ କୁଲସ୍ତେଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ବିଜେପି।

Advertisment

ଆଜି ଦଳ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏହି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୋପାଲରେ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ। ତାଙ୍କ କାର୍ଯ୍ୟକ୍ରମ ପରେ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏଥିରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୩ ସାଂସଦଙ୍କ ନାଁ ମଧ୍ୟ ରହିଛି। 

ତାଲିକା ଅନୁଯାୟୀ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଦିମାନ ଆସନରୁ ଲଢ଼ିବେ। ସେହିପରି ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ନରସିଂହପୁର ଓ ଗ୍ରାମୀଣ ବିକାଶ ଏବଂ ଷ୍ଟିଲ ବିଭାଗର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେଙ୍କୁ ଦଳ ନିୱାସ ଆସନରୁ ପ୍ରାର୍ଥୀ କରିଛି। ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନାଁ ଏଯାଏ ପ୍ରାର୍ଥୀ ତାଲିକାରେ ଉଲ୍ଲେଖ କରାଯାଇ ନାହିଁ।

Advertisment

ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟାଙ୍କ ନାଁ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରହିଛି। ସେ ଇନ୍ଦୋର-୧ ଆସନରୁ ଲଢ଼ିବେ। ଆଶା କରାଯାଉଥିଲା ଯେ ବିଜୟଭର୍ଗିୟାଙ୍କ ପୁଅ ଆକାଶଙ୍କୁ ଦଳ ଟିକେଟ ଦେବ। ହେଲେ ସେମିତି କିଛି ବି ହୋଇନି।

୩ କେନ୍ଦ୍ରମନ୍ତ୍ରୀ ଓ ଜାତୀୟ ସାଧାରଣ ସମ୍ପାଦକଙ୍କ ବ୍ୟତୀତ ବିଜେପି ୩ ଜଣ ସାଂସଦଙ୍କୁ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। ଉଦୟ ପ୍ରତାପ ସିଂହ, ରିତି ପାଠକ ଓ ଗଣେଶ ସିଂହ ଯଥାକ୍ରମେ ଗଦରୱାରା, ସିଦ୍ଧି ଓ ସାତନାରୁ ପ୍ରାର୍ଥୀ ହୋଇଛନ୍ତି।

ଏହାପୂର୍ବରୁ ବିଜେପି ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏହାର ଅର୍ଥ ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ୨୩୦ ଆସନ ବିଶିଷ୍ଟ ବିଧାନସଭା ଆସନରୁ ବିଜେପି ୭୮ଟି ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି।

Bjp Madhya Pradesh