ଆସନ୍ତାକାଲି ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳ ଆସିବ । ଭୋଟ୍ ଗଣତି ପାଇଁ ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ମୋଟ ୭୦ଟି ଭୋଟଗଣତି କେନ୍ଦ୍ର ସ୍ଥାପନ କରାଯାଇଛି । ଏସବୁ କେନ୍ଦ୍ରରେ ୩୫୮୯ଟି ଟେବୁଲରେ ଏହି ଗଣତି ହେବ । ରାଜ୍ୟର ପ୍ରାୟ ଅଢ଼େଇ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିବାବେଳେ ଏଥର ପୁରୁଷଙ୍କ ତୁଳନାରେ ୨ ପ୍ରତିଶତରୁ ଅଧିକ ମହିଳା ଭୋଟ୍ ଦେଇଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ମୋଟ ୭୦ଟି ଭୋଟ୍ ଗଣତି କେନ୍ଦ୍ରରେ ଭୋଟ ଗଣନା ହେବ । ପୋଷ୍ଟାଲ ବାଲାଟ୍ ପାଇଁ କେବଳ ଛତ୍ରପୁରରେ ଗୋଟିଏ ସ୍ୱତନ୍ତ୍ର ଭୋଟଗଣତି କେନ୍ଦ୍ର ରହିବ । ବାକି ୬୯ଟି କେନ୍ଦ୍ରରେ ଉଭୟ ଇଭିଏମ୍ ଓ ପୋଷ୍ଟାଲ ବାଲାଟ ଗଣନା ହେବ । ଏସବୁ କେନ୍ଦ୍ରରେ ବିଧାନସଭା ନିମନ୍ତେ ୧୭୯୯ଟି ଗଣନା ଟେବୁଲ ଓ ଲୋକସଭା ପାଇଁ ୧୭୯୦ଟି ଟେବୁଲରେ ଗଣନା ହେବ । କେବଳ ୮ଟି ବିଧାନସଭା କ୍ଷେତ୍ରକୁ ବାଦ୍ ଦେଲେ ବାକି ୧୩୯ଟି ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍ ଗଣତି ହେବ । ଚିତ୍ରକୋଣ୍ଡା, ବିଷମକଟକ, ମୋହନା,ଲୋଇସିଂହା, ରାଇରଙ୍ଗପୁର, ସାରସକଣା, ଆଳ ଓ ପାଟକୁରା ବିଧାନସଭା ଆସନରେ ୩୦ରାଉଣ୍ଡରୁ ଅଧିକ ଗଣତି ହେବ ।
ଚଳିତଥର ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ବିଧାନସଭା ପାଇଁ ମୋଟ ୧.୪୬ଲକ୍ଷ ଭୋଟ୍ ଓ ଲୋକସଭା ପାଇଁ ୧.୪୭ଲକ୍ଷ ଭୋଟ୍ ପଡ଼ିଛି । ରାଜ୍ୟରେ ଚଳିତଥର ମତଦାନ ହାର ବୃଦ୍ଧି ପାଇଛି । ୨୦୧୯ରେ ମତଦାନ ହାର ୭୩.୦୯% ଥିବାବେଳେ ୨୦୨୪ରେ ୭୪.୪୪% କୁ ବୃଦ୍ଧି ପାଇଛି । ୨୦୨୪ ସାଧାରଣ ନିର୍ବାଚନରେ ପୁରୁଷଙ୍କ ମତଦାନ ହାର ୭୩.୩୭% ଓ ମହିଳା ମତଦାନ ହାର ୭୫.୫୫% ରହିଛି । ଯାହାକି ପୁରୁଷ ଭୋଟର ତୁଳନାରେ ପ୍ରାୟ ୨ ପ୍ରତିଶତ ଅଧିକ । ଚଳିତଥର ରାଜ୍ୟର ୧୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ବୃଦ୍ଧି ପାଇଛି । ଅନ୍ୟ ୫ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ହ୍ରାସ ପାଇଛି । ସର୍ବାଧିକ ଆସିକା ସଂସଦୀୟ କ୍ଷେତ୍ରରେ ପ୍ରାୟ ୩ ପ୍ରତିଶତ ମତଦାନ ହାର ହ୍ରାସ ପାଇଛି । ୨୦୧୯ରେ ଏହି ସଂସଦୀୟ କ୍ଷେତ୍ରରେ ୬୫.୭୦% ମତଦାନ ଥିବାବେଳେ ଚଳିତଥର ଏହା ୬୨.୬୭% ରହିଛି । ସେହିପରି କେନ୍ଦ୍ରାପଡ଼ାରେ ୧ ପ୍ରତିଶତ ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୧ ପ୍ରତିଶତରୁ ଅଧିକ ମତଦାନ ହାର ହ୍ରାସ ପାଇଛି । ତେବେ ଭଦ୍ରକ ଓ ବ୍ରହ୍ମପୁରରେ ମତଦାନ ହାର ହ୍ରାସ ସ୍ୱଳ୍ପ ରହିଛି।
ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ କରାଯିବ । ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ରାଜ୍ୟର ଯେଉଁ ୬୯ଟି ମତଦାନ କେନ୍ଦ୍ର ହୋଇଛି ସେଥିରେ ସର୍ବାଧିକ ୫ଟି ମୟୂରଭଞ୍ଜ ଜିଲ୍ଲାରେ, ଗଞ୍ଜାମ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ୪ଟି ଲେଖାଏଁ, ବଲାଙ୍ଗୀର,କଟକ,ଖୋର୍ଦ୍ଧା ଓ ରାୟଗଡ଼ାରେ ୩ଟି ଲେଖାଁଏ ମତଦାନ କେନ୍ଦ୍ର ସ୍ଥାପନ ହୋଇଛି ।
ମତଦାନ ହାର ଜାଣିବା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ୱେବସାଇଟ୍ ମଧ୍ୟ ରହିଛି। ଭୋଟର ହେଲପଲାଇନ୍ ଆପ୍ ମାଧ୍ୟମରେ ବି ଫଳାଫଳ ଜାଣିହେବ ବୋଲି ଶ୍ରୀ ଧଳ କହିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।