Advertisment

ବିଜେଡି ଛାଡ଼ିଦେଲେ ୪ ହିରୋ

ଏହି ୪ ହିରୋଙ୍କ ମଧ୍ୟରୁ ଦୁଇ ଜଣ ବିଜେପିରେ ଯୋଗ ଦେଇ ସାରିଥିବା ବେଳେ ଆଉ ଦୁଇ ଜଣ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି।

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ନିର୍ବାଚନ ବେଳେ ଓଡ଼ିଆ ସିନେମାର ୪ ହିରୋ ବିଜେଡି ଛାଡ଼ି ଦେଇଛନ୍ତି। ଅଭିନେତାରୁ ରାଜନେତା ପାଲଟିଥିବା ଏହି ୪ ହିରୋଙ୍କ ମଧ୍ୟରୁ ଦୁଇ ଜଣ ବିଜେପିରେ ଯୋଗ ଦେଇଥିବା ବେଳେ ଆଉ ଦୁଇ ଜଣ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ବିଜେଡି ଛାଡ଼ିଥିବା ଏହି ୪ ହିରୋ ହେଉଛନ୍ତି- ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ। 

Advertisment

ପ୍ରଥମେ ଦଳ ଛାଡ଼ିଥିଲେ ଅରିନ୍ଦମ ରାୟ। ସେ ମାର୍ଚ୍ଚ ୧୫ ତାରିଖରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିବା ତାଙ୍କ ଇସ୍ତଫାପତ୍ରରେ ତାଙ୍କ ଅସନ୍ତୋଷ ଜାହିର କରିଥିଲେ। ସେ ଲେଖିଥିଲେ- ମୁଁ ଆପଣଙ୍କ ଦଳରେ ୨୦୦୯ରୁ କାର୍ଯ୍ୟ କରିଆସୁଛି। ୨୦୧୪ରୁ ମୁଁ ଆପଣଙ୍କ ଦଳର ଷ୍ଟାର କ୍ୟାମ୍ପେନର ରହି ଆସିଛି। ବିଭିନ୍ନ ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବେ କଟକ, ତିର୍ତ୍ତୋଲ ଓ କୋରାପୁଟରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଛି। କିନ୍ତୁ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ମୋ କାର୍ଯ୍ୟକୁ ଆପଣ କିମ୍ବା ଆପଣଙ୍କ ଦ୍ୱାରା ନିଯୁକ୍ତ ସଦସ୍ୟମାନେ ଏଯାବତ ସ୍ୱୀକୃତି ଦେଇ ନାହାନ୍ତି। ମୁଁ ଆପଣଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ଦୁର୍ଭାଗ୍ୟ ବଶତଃ ଆପଣଙ୍କୁ ଦେଖା କରିବାକୁ ମୋତେ ସୁଯୋଗ ମିଳିଲା ନାହିଁ। ତେଣୁ ଆପଣଙ୍କୁ ଭେଟିବାର ମାପଦଣ୍ଡ ମୁଁ ପୂରଣ କରିପାରୁ ନାହିଁ ବୋଲି ଅନୁଭବ କଲି। ଆପଣଙ୍କ ଦଳରେ ମୋର ସ୍ଥାନ କିଛି ନୁହେଁ ବୋଲି ଭାବୁଛି। ଏଣୁ ମୁଁ ବିଜେଡିର ସାଧାରଣ ସଂପାଦକ ପଦ ଓ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ଆଶା କରୁଛି, ଆପଣ ମୋ ପରିସ୍ଥିତି ବୁଝିବେ ଓ ମୋ ଉପରେ କିଛି ଆକ୍ରୋଶ ରଖିବେ ନାହିଁ।

ଦୁଇ ଦିନ ତଳେ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ସିଦ୍ଧାନ୍ତ ମହାପାତ୍ର ଦୁଇ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୯ ଓ ୨୦୧୪ରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ଦଳ ଆଉ ତାଙ୍କୁ ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ଟିକେଟ ଦେଇଥିଲା। ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୦୪ରେ କଂଗ୍ରେସ ଟିକେଟ୍‌ରେ ସେ ବ୍ରହ୍ମପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଓ ୨୦୧୪ରେ ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ପରାସ୍ତ ହୋଇଥିଲେ ଚନ୍ଦ୍ରଶେଖର ସାହୁ। ୨୦୧୯ ପରଠୁ ଦଳରେ ଅଣଦେଖା ହୋଇ ରହିଯାଇଥିଲେ ସିଦ୍ଧାନ୍ତ। ୨୦୨୪ ନିର୍ବାଚନ ପାଇଁ ବିଜେଡି ଏଯାବତ ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ଦଳ ୨୧ଟିରୁ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ସୁଦ୍ଧା ତା’ ଭିତରେ ବ୍ରହ୍ମପୁର ନାହିଁ।

Advertisment

ଆଜି ଆକାଶ ଦାସ ନାୟକ ଓ ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଆକାଶ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କୋରେଇର ବିଧାୟକ ଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନଥିଲା। ୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେଡି ଏଯାଏଁ କୋରେଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ତେବେ ଆକାଶ ବୋଧେ ଇସାରା ପାଇଯାଇଥିଲେ ଯେ ତାଙ୍କୁ ଏଥର ବି ଟିକେଟ ମିଳିବ ନାହିଁ। 

ଆଜି ବିଜେଡି ଛାଡ଼ିବା ପରେ ଆକାଶ କହିଛନ୍ତି, ମୋର ଜନ୍ମମାଟି କୋରେଇ ମା’ର ସେବା କରିବା ପାଇଁ ରାଜନୀତିରେ ଯୋଗ ଦେଇଥିଲି। ୨୦୧୯ ମସିହାରେ ମୋର ଟିକେଟ ବିନା କାରଣରେ କାଟି ଦିଆଯାଇଥିଲା। ହେଲେ ବିନା ପ୍ରତିବାଦରେ ମୁଁ ଦଳ ସହିତ ଥିଲି ଓ ଶୃଙ୍ଖଳାର ସହ କାମ କରୁଥିଲି। ୫ ବର୍ଷ ବିଧାୟକ ନଥାଇ ମଧ୍ୟ ମୁଁ ଦଳ ପାଇଁ କଠିନ ପରିଶ୍ରମ କରିଛି। ଖରା ହେଉ ବା ବର୍ଷା ମୁଁ ଦଳ ପାଇଁ ପ୍ରଚାର କରିଛି। ଏତେ ସବୁ ପରେ ମଧ୍ୟ ଦଳ ମୋ ଗୁରୁତ୍ୱ ବୁଝିପାରିଲାନାହିଁ। ସେଥିପାଇଁ ମୁଁ ଦଳ ଛାଡ଼ିଦେଲି।

୨୦୧୯ରେ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି। ଏହା ପୂର୍ବରୁ ଅନୁଭବ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେଡି କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଅଂଶୁମାନ କିଛି ଦିନ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ଟିକେଟ୍ କଟିଯିବା ପରେ ଅନୁଭବ ଦଳ ଛାଡ଼ିବେ ବୋଲି ଆଲୋଚନା ହେଉଥିଲା।

ଗତ କିଛି ବର୍ଷ ହେଲା ପାରିବାରିକ ବିବାଦରେ ଫସି ଯାଇଥିବା ଅନୁଭବ ମହାନ୍ତି ଦଳରେ ମଧ୍ୟ କୋଣଠେସା ହୋଇ ରହିଯାଇଥିଲେ। ତାଙ୍କୁ ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ କରାଯାଉ ନଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଅନୁଭବଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦିଆଯାଇଥିଲା।

BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe