ଓମାର ଅବଦୁଲ୍ଲାଙ୍କୁ ସମର୍ଥନ କଲେ ୪ ସ୍ୱାଧୀନ ବିଧାୟକ, ଏକାକୀ ମ୍ୟାଜିକ ନମ୍ବର ଛୁଇଁଲା NC

ପୂର୍ବରୁ ଜମ୍ମୁ-କଶ୍ମୀରରେ ଏନସିର ଜୁନିୟର ପାର୍ଟନର ଥିବା କଂଗ୍ରେସ ଏବେ ୪ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପରେ ଏକ ପ୍ରକାରର ଅଲୋଡ଼ା ହୋଇଯାଇଛି।

ଓମାର ଅବଦୁଲ୍ଲା

  • Published: Thursday, 10 October 2024
  • , Updated: 10 October 2024, 09:14 PM IST

ଜମ୍ମୁ-କଶ୍ମୀର ରାଜନୀତିରେ ନୂଆ ଟ୍ୱିଷ୍ଟ। ଓମାର ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ(ଏନସି)କୁ ସମର୍ଥନ ଘୋଷଣା କରିଛନ୍ତି ୪ ସ୍ୱାଧୀନ ବିଧାୟକ। ୪ ବିଧାୟକଙ୍କ ସମର୍ଥନରେ ବିଧାନସଭା ନିର୍ବାଚନରେ ଏକାକୀ ୪୨ଟି ଆସନ ଜିତିଥିବା ଏନସି ମ୍ୟାଜିକ ନମ୍ବର ୪୬ରେ ପହଞ୍ଚି ଯାଇଛି।

ଏନସି ଓ କଂଗ୍ରେସ ଏକାଠୀ ନିର୍ବାଚନ ଲଢ଼ିଥିବା ବେଳେ ଉଭୟ ୪୮ଟି ଆସନ ଜିତିଥିଲେ। ଏନସିପି ୪୨ ଓ କଂଗ୍ରେସ ୬ଟି ଆସନ ଜିତିଥିଲା। ପୂର୍ବରୁ ଜମ୍ମୁ-କଶ୍ମୀରରେ ଏନସିର ଜୁନିୟର ପାର୍ଟନର ଥିବା କଂଗ୍ରେସ ଏବେ ୪ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପରେ ଏକ ପ୍ରକାରର ଅଲୋଡ଼ା ହୋଇଯାଇଛି। କଂଗ୍ରେସର ବିନା ସମର୍ଥନରେ ମଧ୍ୟ ଏନସି ରାଜ୍ୟରେ ସ୍ୱାଧୀନ ବିଧାୟକଙ୍କୁ ନେଇ ସରକାର ଗଠନ କରିପାରିବ।

ଆଜି ଇନ୍ଦେରୱାଲରୁ ଜିତିଥିବା ପ୍ୟାରେ ଲାଲ ଶର୍ମା, ଚାମ୍ବରୁ ଜିତିଥିବା ସତୀଶ ଶର୍ମା, ସୁରାନକୋଟେରେ ଜିତିଥିବା ଚୌଧୁରୀ ମହମ୍ମଦ ଆକ୍ରମ ଓ ବନି ଆସନରୁ ଜିତିଥିବା ଡା ରାମେଶ୍ୱର ସିଂହ ଏନସିକୁ ସମର୍ଥନ କରିଛନ୍ତି।

ହରିୟାଣାରେ ଅପ୍ରତ୍ୟାଶିତ ପରାଜୟ ପରେ ଜମ୍ମୁ-କଶ୍ମୀରରେ ଏପରି ଘଟଣା କଂଗ୍ରେସ ପାଇଁ ନୂଆ ଚିନ୍ତାର କାରଣ ପାଲଟିଛି। ତଥାପି ଏନସି ସହଯୋଗୀ କଂଗ୍ରେସକୁ ସରକାର ଗଠନ ପୂର୍ବରୁ ଛାଡ଼ିବା ବେଶ କଷ୍ଟକର। କାରଣ ଏନସି ପାଖରେ ୪ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ମୋଟ ୪୬ ଜଣ ବିଧାୟକ ହେଉଛନ୍ତି।

ଜମ୍ମୁ-କଶ୍ମୀରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬। ଯଦି ଜଣେ ବିଧାୟକ ପଟ ପରିବର୍ତ୍ତନ କରିନେବେ, ତା’ହେଲେ ଏନସି ସରକାର ଭୁଶୁଡ଼ି ପଡ଼ିବ। ତେଣୁ ଗୋଟିଏ ସଶକ୍ତ ସରକାର ଚଳାଇବା ପାଇଁ ଏନସି ୬ କଂଗ୍ରେସ ବିଧାୟକ ନିଜ ସହ ରଖିବ।

ସେହିପରି ୫ ମନୋନୀତ ବିଧାୟକଙ୍କୁ ଉପ ରାଜ୍ୟପାଳ ବିଧାନସଭାକୁ ମନୋନୀତ କରିଛନ୍ତି। ଏପରି ସ୍ଥିତିରେ ବିଲ୍‌ ପାରିତ କରିବା ପାଇଁ ବିଧାନସଭାରେ ଏନସିକୁ ୪୮ ଜଣ ସଦସ୍ୟଙ୍କ ସମର୍ଥନ ଦରକାର ପଡ଼ିବ।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ୨୯ଟି ଆସନ ଜିତିଥିବା ବିଜେପିର ବିଧାୟକଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଆଜି ଜମ୍ମୁ-କଶ୍ମୀରରେ ନିର୍ବାଚନ ଜିତିଥିବା ଆଉ ୩ ବିଧାୟକ ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି।

ଆଉ ଏକ ଘଟଣାକ୍ରମରେ ଆଜି ଏନସି ବିଧାୟକ ଦଳ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ ଓମାର ଅବଦୁଲ୍ଲା ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ତେଣୁ ସେ ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି।

Related story