ସିଏମଓରୁ ୪ ଓଏଏସ ବିଦା, ନବୀନ ସରକାରରେ ସାଜିଥିଲେ ସୁପର ମିନିଷ୍ଟର

ନବୀନ ପଟ୍ଟନାୟକ ସରକାରରେ ସୁପର ମିନିଷ୍ଟର ଭଳି କାର୍ଯ୍ୟ ତୁଲାଉଥିବା ୪ ବରିଷ୍ଠ ଓଏଏସଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ବିଦା କରାଯାଇଛି।

ଲୋକସଭା ଭବନ (ଫାଇଲ ଫଟୋ)

  • Published: Thursday, 04 July 2024
  • , Updated: 04 July 2024, 07:59 PM IST

ଲୋକସେବା ଭବନର ତୃତୀୟ ମହଲାରୁ ଆଜିଠୁ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୀର୍ଘ ୨୨ଦିନ ପରେ ଆଜି ପୂଜାର୍ଚ୍ଚନା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜିଠୁ ସିଏମଓ(ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ)ରେ ପ୍ରବେଶ କରିଛନ୍ତି। ଆଉ ଏପଟେ ନବୀନ ପଟ୍ଟନାୟକ ସରକାରରେ ସୁପର ମିନିଷ୍ଟର ଭଳି କାର୍ଯ୍ୟ ତୁଲାଉଥିବା ୪ ବରିଷ୍ଠ ଓଏଏସଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ବିଦା କରାଯାଇଛି। ଏହି ଅଫିସରମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ଫେରାଇ ନେଇଛି।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଓଏଏସ୍ ଲାଲା ମନୋଜ କୁମାର ରାୟ, ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର, ଯୁଗ୍ମ ସଚିବ ମନୋଜ କୁମାର ସ୍ୱାଇଁ ଓ ଓଏସଡି ରବୀନ୍ଦ୍ର କୁମାର ସେଠୀଙ୍କୁ ତତ୍କାଳ ପ୍ରଭାବରୁ ସାଧାରଣ ପ୍ରଶାସନ ବିଭାଗକୁ ଫେରାଇ  ଅଣାଯାଇଛି। ଏହି ୪ଜଣ ଅଫିସର ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ରହି ସୁପର ମିନିଷ୍ଟର ଭଳି କାର୍ଯ୍ୟ କରୁଥିଲେ ବୋଲି ପାୱାର କରିଡରରେ ଚର୍ଚ୍ଚା।

ସୂଚନା ଅନୁସାରେ, ବରିଷ୍ଠ ଓଏଏସ୍ ଲାଲା ମନୋଜ କୁମାର ରାୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ରହି ସାଧାରଣ ପ୍ରଶାସନ, ସମବାୟ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ ବିଭାଗର ଫାଇଲ୍ ଦେଖୁଥିଲେ। ତାଙ୍କ ବାଟ ଦେଇ ଏହି ସମସ୍ତ ବିଭାଗର ଫାଇଲ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଥିଲା।

ସେହିପରି ଓଏଏସ୍ ଶୁଭ୍ରାଂଶୁ ମିଶ୍ରଙ୍କ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ଶ୍ରମ ଓ ଇଏସଆଇ, ଅନୁସୂଚିତ ଜାତି-ଜନଜାତି କଲ୍ୟାଣ, ବାଣିଜ୍ୟ ଓ ପରିବହନ ବିଭାଗ ଦାୟିତ୍ୱରେ ରହିଥିଲେ।

ସେହିପରି ଓଏଏସ୍ ମନୋଜ କୁମାର ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ଯୋଜନା ଓ ସଂଯୋଜନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ହସ୍ତତନ୍ତ ଓ ବୟନଶିଳ୍ପ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ୱରେ ରହିଥିଲେ।

ଏହି ଅଫିସରମାନେ ନବୀନ ପଟ୍ଟନାୟକ ସରକାରରେ ଏତେ ପ୍ରଭାବଶାଳୀ ଥିଲେ ଯେ, ମନ୍ତ୍ରୀମାନଙ୍କୁ ବି ତାଗିଦ୍ କରିବାକୁ ପଛାଉନଥିଲେ ବୋଲି ଚର୍ଚ୍ଚା ହେଉଛି।

ସେହିପରି ଓଏଏସ୍ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ସେ ନବୀନ ନିବାସରେ ରହି ବିଜେଡିର ସାଂଗଠନିକ ବ୍ୟାପାର ଦାୟିତ୍ୱ ବୁଝୁଥିଲେ। ସକାଳୁ ରାତ୍ରି ପର୍ଯ୍ୟନ୍ତ ଶ୍ରୀ ସେଠୀ ନବୀନ ନିବାସରେ ରହି ବିଜେଡିର ବିଭିନ୍ନ ନେତାଙ୍କୁ ଫୋନ୍ କରିବା ଓ ବିଜେଡିର ମନ୍ତ୍ରୀ-ବିଧାୟକମାନଙ୍କୁ ସାଂଗଠନିକ ସୂଚନା ଦେବା ଆଦି କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ସ୍ୱାମୀ ରବୀନ୍ଦ୍ର ମଧ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ଖାସ୍ ଅନୁଗତ ଭାବେ ପରିଚିତ।

ଉଲ୍ଲେଖଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ଗତ ଦୁଇଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ବଦଳି ହୋଇସାରିଛି।

ନବୀନ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଚିବ ଥିବା ଆଇପିଏସ୍ ଅଫିସର ଡିଏସ କୁଟ୍ଟେ ଏବେବି ନିଲମ୍ବିତ ଅଛନ୍ତି ଓ ଛୁଟିରେ ରହିଛନ୍ତି। ଅନ୍ୟ ଦୁଇ ଆଇଏଏସ୍‌ ଆର.ଭିନିଲ କ୍ରିଷ୍ଣ ଓ ରୂପାରୋଶନ ସାହୁ ଯଥାକ୍ରମେ କ୍ରୀଡ଼ା ଓ ଯୁବବ୍ୟାପାର, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ କାର୍ଯ୍ୟ ତୁଲାଉଛନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଉନଥିବା ଜଣାପଡ଼ିଛି।

ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଏହି ଅଫିସରମାନଙ୍କୁ ଭେଟିବା ପାଇଁ ନିର୍ବାଚିତ ବିଧାୟକ ଓ ମନ୍ତ୍ରୀମାନଙ୍କୁ ‘ଚିଟ୍‌’ ଦେଇ ଅପେକ୍ଷା କରିବାକୁ ପଡ଼ୁଥିଲା ବୋଲି ଚର୍ଚ୍ଚା।

ଅନ୍ୟପକ୍ଷରେ, ରାଜ୍ୟରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବରିଷ୍ଠ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ଭାବେ ଓଏଏସ୍ ଚିତ୍ରସେନ ରାଉତ, ଓଏଫଏସ ଉମେଶଚନ୍ଦ୍ର ତ୍ରିପାଠୀ, ଯୁଗ୍ମ ସଚିବ ଭାବେ ତ୍ରିଲୋଚନ ମହାନ୍ତି, ଉପସଚିବ ଦେବୀପ୍ରସାଦ ମିଶ୍ର, ଅନୁସଚିବ ଭାବେ ସମୀର ଦାଶ ଓ ବିନୋଦ ବିହାରୀ ସିଂ ଏବଂ ଅତିରିକ୍ତ ବ୍ୟକ୍ତିଗତ ସହାୟକ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ଅବସ୍ଥାପିତ କରାଯାଇଛି।

ସୂଚନାଯୋଗ୍ୟ, ଜୁନ୍ ୧୨ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝୀ ପଦ ଓ ଗୋପନୀୟତାର ଶପଥ ନେବା ପରଠୁ ରାଜ୍ୟ ଅତିଥି ଭବନକୁ ନିଜର ଅସ୍ଥାୟୀ ଅଫିସ୍ କରି କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଜିଠୁ ଆନୁଷ୍ଠାନିକ ଭାବେ ସିଏମଓରୁ କାର୍ଯ୍ୟ ଆରମ୍ଭ କରିଛନ୍ତି।

Related story