Advertisment

ବିଜେଡି ଶାସନର ୪ବର୍ଷ ପୂର୍ତ୍ତି ନେଇ ବର୍ଷିଲା କଂଗ୍ରେସ; କହିଲା- ଉପେକ୍ଷିତ ଓଡ଼ିଶା, ଉପକୃତ ବିଜେଡି

ବିଜେଡିକୁ ନିଜ ଶାସନର ପୂର୍ତ୍ତି ପାଇଁ କଂଗ୍ରେସ ଅଭିନନ୍ଦନ ଜଣାଇଥିଲେ ମଧ୍ୟ ଓଡ଼ିଶାବାସୀଙ୍କ ସ୍ଥିତି କ’ଣ, ରାଜ୍ୟର ସ୍ଥିତି କ’ଣ ସେନେଇ ଇଣ୍ଡିଆ ଟୁଡ଼େ ଓ ନିତି ଆୟୋଗର ସଦ୍ୟ ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି ଶ୍ରୀ ବେହେରା କହିଥିଲେ ।

author-image
Ordigital Desk
ଅଦ୍ୟତନ ହୋଇଛି
congress Press Meet

congress Press Meet

ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ରାଜ୍ୟରେ ବିଜେଡି କ୍ଷମତାରେ ରହିଛି । ଆଉ ଏହି ଅବଧି ମଧ୍ୟରେ ଓଡ଼ିଶା ଉପେକ୍ଷାର ଶିକାର ହୋଇଥିବାବେଳେ ବିଜେଡି ଉପକୃତ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍‌ଅଧ୍ୟକ୍ଷ ଗଣେଶ୍ୱର ବେହେରା, ମୁଖପାତ୍ର ମନୋରଞ୍ଜନ ଦାସ ଓ  ରଜନୀ କୁମାର ମହାନ୍ତି କହିଛନ୍ତି ଯେ, ବିଜେଡି ସରକାରର ପଂଚମ ପାଳିର ୪ବର୍ଷ ପୂର୍ତ୍ତି ପାଳନ କରୁଛି । କିନ୍ତୁ ବିଜେଡି ଶାସନରେ ବିଜେଡ଼ି ଉପକୃତ ହୋଇଥିବାବେଳେ ଓଡ଼ିଶା ଉପେକ୍ଷିତ ହୋଇଛି ।

Advertisment

ବିଜେଡିକୁ ନିଜ ଶାସନର ପୂର୍ତ୍ତି ପାଇଁ କଂଗ୍ରେସ ଅଭିନନ୍ଦନ ଜଣାଇଥିଲେ ମଧ୍ୟ ଓଡ଼ିଶାବାସୀଙ୍କ ସ୍ଥିତି କ’ଣ, ରାଜ୍ୟର ସ୍ଥିତି କ’ଣ ସେନେଇ ଇଣ୍ଡିଆ ଟୁଡ଼େ ଓ ନିତି ଆୟୋଗର ସଦ୍ୟ ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି ଶ୍ରୀ ବେହେରା କହିଥିଲେ । ଇଣ୍ଡିଆ ଟୁଡ଼େ ରିପୋର୍ଟ ଅନୁସାରେ ଭଲ ପ୍ରଦର୍ଶନ କରିଥିବା ୧୭ ରାଜ୍ୟ ମଧ୍ୟରେ ୧୬ ସ୍ଥାନରେ ଅର୍ଥାତ ତଳଆଡ଼ୁ ଦ୍ୱିତୀୟ, କୃଷି କ୍ଷେତ୍ରରେ ୨୦ ରାଜ୍ୟ ମଧ୍ୟରେ ୧୪, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧୩, ଆଇନ ଶୃଙ୍ଖଳା କ୍ଷେତ୍ରରେ ୧୪, ଭିତିଭୂମି ସଂରଚନା କ୍ଷେତ୍ରରେ ୧୦ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ୧୬ ସ୍ଥାନରେ ରହିଛିି । ସେହିପରି ନିତି ଆୟୋଗର ସଦ୍ୟତମ ପ୍ରକାଶିତ ରିପୋର୍ଟ ଅନୁସାରେ ଇନୋଭେସନ ଇଣ୍ଡେକ୍ସରେ ଓଡ଼ିଶା ସ୍ଥାନ ୧୭ ରାଜ୍ୟ ମଧ୍ୟରୁ ୧୬ ଓ ସ୍ୱାସ୍ଥ୍ୟ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୧୪ ରହିଛି । ଏହା ହିଁ ବିଜେଡି ସରକାରର ପାରଦର୍ଶିତା ଓ ପ୍ରଦର୍ଶନ ବୋଲି କହି କଂଗ୍ରେସ କଟାକ୍ଷ କରିଛି ।

ବିଜେଡି ସରକାର ସମସ୍ତ ନିଅଂଟିଆ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ସାମର୍ଥ ସୃଷ୍ଟି କରିବାର ପ୍ରତିଶ୍ରୁତି ୫ ବର୍ଷରେ ଦେଇଥିଲେ ମଧ୍ୟ ୧୮ ବର୍ଷ ବିତିଗଲା କିନ୍ତୁ ଆହୁରି ୩୨ ବ୍ଲକ ରହିଗଲା । ପ୍ରତିବର୍ଷ ୧ ଲକ୍ଷ ନିଯୁକ୍ତି ଦେବାକୁ କହି ୨୩ ବର୍ଷ ମଧ୍ୟରେ ୨୩ ଲକ୍ଷ ନିଯୁକ୍ତି ପାଣିରେ ଗାର ହେଲା । ଛଟେଇ ହେଲା ଏବଂ ଏଥିସାଙ୍ଗକୁ ସରକାରୀ ଖାଲି ଥିବା ପଦବୀ ୨୦୧୯ ରେ ୧ .୩୧ ଲକ୍ଷ ଥିବାବେଳେ ଏବେ ଏହା ୨ ଲକ୍ଷ ୩୬ ହଜାରରେ ପହଂଚିଛି । ପ୍ରତି ପଂଚାୟତରେ ଶୀତଳ ଭଣ୍ଡାର ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପଂଚାୟତ ପରିବର୍ତେ ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦାବି ଦାବିରେ ରହିଗଲା । ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ବିଶେଷଜ୍ଞ ପଦବୀ ସଂଖ୍ୟା ୩୭୪୪ ପଦବୀ ଖାଲି ପଡ଼ିଛି । ଆଜି ଗଣମାଧ୍ୟମ ରିପୋର୍ଟ ଅନୁସାରେ କଟକ ଏସ୍‌ସିବି ମେଡ଼ିକାଲ କଲେଜକୁ ଖାଲି ସ୍ଥାନ ୩୦ ଦିନ ମଧ୍ୟରେ ପୂରଣ ନ କଲେ ସ୍ୱୀକୃତି ପ୍ରତ୍ୟାହାର କରିବାକୁ କାରଣ ଦର୍ଶାଅ ନୋଟିସ୍ ମେଡ଼ିକାଲ କମିଶନ ଜାରି କରିଛନ୍ତି । ଏହି ତ ସରକାରଙ୍କ ପାରିବାପଣ ।

Advertisment

ମହିଳା ଅପରାଧ କ୍ଷେତ୍ରରେ ଓଡ଼ିଶା ଭାରତ ବର୍ଷରେ ଦ୍ୱିତୀୟ । ଘରୋଇ ବିଭାଗର ଶ୍ୱେତପତ୍ର ଅନୁସାରେ ଓଡ଼ିଶା ଦୈନିକ ୯ ଟି ଧର୍ଷଣ ଓ ଗଣଧର୍ଷଣ ମାମଲା ରୁଜୁ ହୋଇଥିବା ସ୍ଥଳେ ବର୍ଷକୁ ୯ ଜଣଙ୍କୁ ମଧ୍ୟ ଦଣ୍ଡ ବିଧାନ କରାଯାଇନାହିଁ । ରାଜ୍ୟର କ୍ରାଇମ୍ ବ୍ରାଂଚ କ୍ରାଇମ୍ ପ୍ରୋଟେକ୍‌ସନ ବ୍ରାଂଚରେ ପରିଣତ ହୋଇଛି ।

ସ୍ୱଚ୍ଛ ଉତରଦାୟୀ ଶାସନର ଡେଙ୍ଗୁରା ପିଟୁଥିବା ବିଜେଡ଼ି ସରକାରର ଅସଲ ମୁଖା ବେଦାନ୍ତ ବିଶ୍ୱବିଦ୍ୟାଳୟରେ ମାମଲାରେ ସୁପ୍ରିମକୋର୍ଟ ଖୋଲି ଦେଇଛନ୍ତି । ଅତ୍ୟନ୍ତ କଠୋର ଭାବରେ ଭର୍ତ୍ସନା କରି ରାଜ୍ୟ ସରକାର ଅବିଚାରିତ ଭାବେ ନିଷ୍ପତି ନେବା, ସମ୍ବିଧାନର ଧାରା ୧୪ର ଉଲଘଂନ କରିବା, ସାଧାରଣଙ୍କ ପ୍ରତି ବିଶ୍ୱାସଘାତକତା କରିବା ସହ ବେଦାନ୍ତ କଂପାନୀ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ରାଜ୍ୟ ସ୍ୱାର୍ଥକୁ ବିକି ଦେଇଛନ୍ତି । ପୃଷ୍ଠା ପରେ ପୃଷ୍ଠାର ମନ୍ତବ୍ୟ ଉପସ୍ଥାପନା କରି ଭ୍ରଷ୍ଟାଚାରର ଆରୋପ କରିଥିଲେ । ଶ୍ରୀ ବେହେରା ସମାଲୋଚନା କରି କହିଥିଲେ ଯେ, ୪ ବର୍ଷ ପୂର୍ତିରେ ବିଜେଡ଼ି ଦଳ ଓ ସରକାରର ଉଲ୍ଲାସ ମନୋଜ ଦାସଙ୍କ ଭାଷାରେ ‘ଅରଣ୍ୟ ଉଲ୍ଲାସ’ ବ୍ୟତୀତ କିଛି ନୁହେଁ । ଓଡ଼ିଶାବାସୀ ଠିକ୍ ସମୟରେ ଠିକ୍ ବିଚାର କରିବେ ବୋଲି ସେ କହିଛନ୍ତି ।

ସେହିପରି ରଜନୀ କୁମାର ମହାନ୍ତି କହିଥିଲେ ଯେ, ୨୪ ବର୍ଷର କ୍ରମାଗତ ନବୀନ ସରକାର ଓଡ଼ିଶାବାସୀଙ୍କ ଯେତେଗୁଡ଼ିଏ ପ୍ରତିଶ୍ରୁତି ଦେଇଥିଲେ ସେଥିରୁ କୌଣସି ପ୍ରତିଶ୍ରୁତି ପାଳନ ହେଲାଭଳି ଲାଗୁନାହିଁ । ଗୋଟିଏ ରାଜ୍ୟର ସର୍ବଶ୍ରେଷ୍ଠ ସମ୍ଭଳ ହେଉଛି ମାନବ ସମ୍ଭଳ । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ବିଡ଼ମ୍ବନାର ବିଷୟ ଏହି ୨୪ ବର୍ଷର ଶାସନ ବ୍ୟବସ୍ଥାରେ  ୬୨ ହଜାର ଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ପୂରଣ ନ ହୋଇ ପଡ଼ିରହିଛି । ସେହିଭଳି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଶତକଡ଼ା ୫୦ ରୁ ୬୦ ଭାଗ ଅଧ୍ୟାପକ, ରିଡ଼ର ଓ ପ୍ରଫେସର ପଦବୀରେ ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ୧ ନମ୍ବର । ରାଜ୍ୟର ଶିକ୍ଷା ବ୍ୟବସ୍ଥା ଅଧୋଗତି କାହିଁକି? ୨୦୧୨ ମସିହା ପାଖରୁ ଆଜି ପର୍ଯ୍ୟନ୍ତ କୃଷକ ପରିବାରର ମାସିକ ଆୟ ୧୦ ଟଙ୍କା ବି ବୃଦ୍ଧି ଘଟିନି । ଯଦି ୭୦ ଭାଗ ଲୋକ ଯଦି ଆୟ ବୃଦ୍ଧି ଘଟୁ ନାହିଁ, ତେବେ ରାଜ୍ୟ କିଭଳି ପ୍ରଗତି କରିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

Odisha Politics Odisha Congress Bjd Politics