/odisha-reporter/media/post_attachments/uploadimage/library/16_9/16_9_0/IMAGE_1685381549.jpg)
Loka Seva Bhaban
ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଦୁଇଟି ପର୍ଯ୍ୟାୟରେ ମୋଟ ୨୮ଟି ନୂଆ ଏନଏଏସି ଓ ୭ଟି ମ୍ୟୁନିସପାଲଟି ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ନୂଆ ପୌରାଂଚଳ ଦାବିରେ ରାଜ୍ୟର ବିଭିନ୍ନ ଭାଗରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ବିଜେଡି ସରକାର ସମୟରେ ଘୋଷଣା ହୋଇଥିବା ୫୭ଟି ଏନଏଏସି ତାଲିକାରୁ ୪୦ଟି ଏନଏସି ବାଦ୍ ପଡ଼ିଛି । ବିଜେଡି ସରକାରର ୫ଟି ନୂଆ ମ୍ୟୁନିସପାଲଟିକୁ ବିଜେପି ସରକାର ସ୍ୱୀକାର କରିଥିଲେ ମଧ୍ୟ ନବୀନ ପଟ୍ଟନାୟକ ପରାଜିତ ହୋଇଥିବା କଂଟାବାଞ୍ଜିକୁ ଏହି ତାଲିକାରେ ସ୍ଥାନ ମିଳିନାହିଁ । ରାଜ୍ୟର ବିଜେପି ସରକାର ନିଜଆଡ଼ୁ ୧୧ଟି ନୂଆ ଏନଏସି ଓ ୨ଟି ମ୍ୟୁନିସପାଲଟ ଘୋଷଣା କରିଥିବା ଜଣାପଡ଼ିଛି ।
୨୨ ପୌରାଂଚଳକୁ ପୁନଃ ଘୋଷଣା କଲେ ବିଜେପି ସରକାର
ରାଜ୍ୟରେ ବିଜେପି ସରକାର ଆସିବାର ଦୀର୍ଘ ୧୪ମାସ ପରେ ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ପର୍ଯ୍ୟାୟରେ ୧୨ଟି ନୂଆ ଏଏନଏସି ପାଇଁ ଘୋଷଣା କରିଥିଲେ । ଗତକାଲି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆଉ ୧୬ଟି ନୂଆ ଏନଏଏସି ଓ ୭ଟି ମ୍ୟୁନିସପାଲଟି ଘୋଷଣା କରିଛନ୍ତି । ଏହାପୂର୍ବରୁ ପୁରୀ ସହରକୁ ମହାନଗର ନିଗମ ଭାବେ ଉନ୍ନୀତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଥିଲେ ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତତକାଳୀନ ବିଜେଡି ସରକାର ଫେବୃୟାରୀ-ମାର୍ଚ୍ଚ ମାସରେ ୩ଟି ପର୍ଯ୍ୟାୟରେ ମୋଟ ୫୭ଟି ନୂଆ ଏନଏଏସି ଓ ୬ଟି ନୂଆ ମ୍ୟୁନିସପାଲଟି ଘୋଷଣା କରିଥିଲେ । ତେବେ ବିଜେଡି ସରକାରର ଏହି ତାଲିକା ମଧ୍ୟରୁ ମୋହନ ମାଝୀଙ୍କ ସରକାର ଦୁଇଟି ପର୍ଯ୍ୟାୟରେ ମୋଟ ୨୨ଟି ପୌର ସଂସ୍ଥା( ୧୭ଟି ଏନଏଏସି ଓ ୫ଟି ମ୍ୟୁନିସପାଲଟି)କୁ ପୁଣିଥରେ ପୌରାଂଚଳ ଭାବେ ଘୋଷଣା କରିଛନ୍ତି । ଏଥିରେ ୧୭ଟି ନୂଆ ଏନଏସି ହେଉଛି: ପାଲଲହଡ଼ା, ବସ୍ତା, ସିମୁଳିଆ, ସୋହେଲା,ଲୋଇସିଂହା,ବଡମ୍ବା,ନରସିଂହପୁର,ସାଲେପୁର, ଚଣ୍ଡିଖୋଲ, ଜୟପାଟଣା, ନର୍ଲା, ଟାଙ୍ଗୀ,ବୋରିଗୁମ୍ମା, ବେତନଟୀ,ବିଷମକଟକ,ବାମରା ଓ ରେଙ୍ଗାଲି ରହିଛି । ସେହିପରି ବିଜେଡି ସରକାର ଘୋଷଣା କରିଥିବା ନୂଆ ୬ଟି ମ୍ୟୁନିସପାଲଟି ମଧ୍ୟରୁ କେବଳ କଂଟାବାଞ୍ଜିକୁ ବାଦ୍ ଦେଇ ମୋହନ ସରକାର ବୌଦ୍ଧ ଗଡ଼ (ବୌଦ୍ଧ),କରଞ୍ଜିଆ,ଛତ୍ରପୁର,ଆସ୍କା ଓ ଭଞ୍ଜନଗରକୁ ମ୍ୟୁନିସପାଲଟି ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି । ଅଗଷ୍ଟ ୧୬ ଓ ୩୧ତାରିଖରେ ଏହି ନୂଆ ପୌରାଂଚଳ ଘୋଷଣା ହୋଇଛି ।
ନିଜଆଡ଼ୁ ଘୋଷଣା କଲେ ୧୩ ପୌରାଂଚଳ
ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ନିଜ ଆଡ଼ୁ ୧୧ଟି ନୂଆ ଏନଏଏସି ଓ ୨ଟି ମ୍ୟୁନିସପାଲଟି ଘୋଷଣା କରିଛନ୍ତି । ଯେଉଁ ୧୧ଟି ଅଂଚଳକୁ ଏନଏସି ମାନ୍ୟତା ଦେବାକୁ ସରକାର ଘୋଷଣା କରିଛନ୍ତି ସେଥିରେ ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଧୂଷୁରୀ, ଢେଙ୍କାନାଳ ଜିଲ୍ଲାର ଗଦିଁଆ, ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଜଗନ୍ନାଥ ପ୍ରସାଦ, ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି, ଚିତ୍ରଡ଼ା, କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର ଏବଂ ସୋନପୁର ଜିଲ୍ଲାର ବୀରମହାରାଜପୁର ଏନଏସି ରହିଛି । ସେହିପରି ଗଞ୍ଜାମ ଜିଲ୍ଲାର ୨ଟି ଏନଏସି ଯଥା- କବିସୂର୍ଯ୍ୟନଗର ଓ ପୋଲସରାକୁ ମ୍ୟୁନିସପାଲଟି ଭାବେ ବିଜେପି ସରକାର ଘୋଷଣା କରିଛନ୍ତି ।
ଘୋଷଣା ହୋଇ ବାଦ୍ ପଡ଼ିଥିବା ୪୦ ନୂଆ ଏନଏଏସି
ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ମୋଟ ୫୭ଟି ଏନଏଏସି ଗଠନକୁ ମାନ୍ୟତା ଦେଇଥିଲେ ମଧ୍ୟ ବିଜେପି ସରକାର ସେଥିରୁ ୪୦ଟି ଏନଏସିକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି । ଦୁଇଟି ପର୍ଯ୍ୟାୟରେ ଯେଉଁ ୨୮ଟି ଏନଏସି ଘୋଷଣା କରିଛନ୍ତି ସେଥିରୁ ବିଜେଡି ସରକାରଙ୍କ ସ୍ୱୀକୃତି ପାଇଥିବା ମାତ୍ର ୧୭ଟି ଏନଏଏସି ରହିଛି । କଂଟାବାଞ୍ଜି ମ୍ୟୁନିସପାଲଟି ସମେତ ବାକି ଯେଉଁ ୪୦ଟି ଏନଏଏସିକୁ ବିଜେପି ସରକାର ବିଚାରକୁ ନେଇନାହାନ୍ତି ସେଗୁଡ଼ିକ ହେଲା-
ଅନୁଗୁଳ: ଛେଣ୍ଡିପଦା , ବାଲେଶ୍ୱର: ବାଲିଆପାଳ ଓ ଖଇରା , ବରଗଡ: ପାଇକମାଳ ଓ ଭେଡେନ, ଭଦ୍ରକ: ଅଗରପଡା, ଧାମରା, ବଲାଙ୍ଗୀର: ବେଲପଡା, ସଂଇତଳା ଓ ସିନ୍ଧେକେଲା, ବୌଦ୍ଧ: କଂଟାମାଳ, ମନମୁଣ୍ଡା, ପୁରୁଣାକଟକ ଓ ବାଉଁଶୁଣି, କଟକ: ନିଆଳି , ଢେଙ୍କାନାଳ: ପରଜଙ୍ଗ ଓ ରାସୋଳ, ଗଞ୍ଜାମ: ଶେରଗଡ ଓ କୁକୁଡାଖଣ୍ଡି, ଜଗତସିଂହପୁର: କୁଜଙ୍ଗ, ଯାଜପୁର: ବିଂଝାରପୁର, ପାଣିକୋଇଲି ଓ ଜାରକା, କଳାହାଣ୍ଡି: ମଦନପୁର-ରାମପୁର, କନ୍ଧମାଳ: ରାଇକିଆ, ଖୋର୍ଦ୍ଧା: ବେଗୁନିଆ ଓ ବୋଲଗଡ଼, ନୟାଗଡ଼: କଂଟିଲୋ ଓ ଶରଣକୁଳ,ନୂଆପଡା: ସିନାପାଲି, ପୁରୀ: ସାକ୍ଷୀଗୋପାଳ ଓ କାକଟପୁର, ରାୟଗଡ଼ା: ଚାନ୍ଦିଲି ଓ ମୁନିଗୁଡା, ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି, ସୁବଳୟା, ଉଲୁଣ୍ଡା ଓ ରାମପୁର ଏବଂ ସୁନ୍ଦରଗଡ: ବଣେଇକୁ ଏନଏଏସି ଭାବେ ମାନ୍ୟତା ଦେଇଥିଲେ ତତକାଳୀନ ବିଜେଡି ସରକାର ।
ଆନ୍ଦୋଳନର ଚେତାବନୀ ଦେଲା ବିଜେଡି
ରାଜ୍ୟର ବିଜେପି ସରକାର ଏହି ନୂଆ ଏନଏସି ଘୋଷଣା କରିବା ପରେ ବିଜେଡି ଏହାକୁ ଦଳୀୟ ଭିତ୍ତିରେ ଚୟନ କରାଯାଇଥିବା ଅଭିଯୋଗ କରିଛି । ଦଳର ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, କେବଳ ରାଜନୀତିକ ଉଦ୍ଦେଶ୍ୟ ରଖି ଅନେକ ଯୋଗ୍ୟ ଅଂଚଳକୁ ବାଦ୍ ଦିଆଯାଇଛି । ସେହିପରି ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ପ୍ରତାପ ଜେନା କହିଛନ୍ତି ଯେ, ବିଜେଡି ସରକାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ଏନଏସି ଓ ପୌର ପରିଷଦ ଘୋଷଣା କରିସାରିଥିଲେ । ତାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଦଳୀୟ ସୁବିଧା ଅନୁସାରେ କାର୍ଯ୍ୟ କରୁଛନ୍ତି । ଏହାକୁ ବରଦାସ୍ତ କରାଯିବ ନାହିଁ । ରାଜରାସ୍ତାରେ ସରକାରଙ୍କ ବିରୁଦ୍ଧରେ ବିଜେଡି ସ୍ୱର ଉଠାଇବ ବୋଲି ଚେତାବନୀ ଦେଇଛି । ଅନ୍ୟପକ୍ଷରେ ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ କହିଛନ୍ତି ଯେ, ଏହା ଏକ ଗତାନୁଗତିକ ପ୍ରକ୍ରିୟା । ସରକାର ବିଭିନ୍ନ ମାନଦଣ୍ଡକୁ ଦୃଷ୍ଟିରେ ରଖି ଏହି ନୂଆ ପୌରାଂଚଳ ଘୋଷଣା କରୁଛନ୍ତି । ଆଗାମୀ ଦିନରେ ଆଉ ଅଧିକ ପୌରାଂଚଳ ପାଇଁ ସରକାର ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ସାଧାରଣ ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଯେଉଁସବୁ ଅଂଚଳକୁ ସରକାର ଏହି ଘୋଷଣାରେ ସାମିଲ କରିଛନ୍ତି ସେଠାର ଲୋକେ ଖୁସି ବ୍ୟକ୍ତ କରୁଥିବାବେଳେ ବାଦ୍ ପଡ଼ିଥିବା ଅଂଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।
୫୭ଟି ନୂଆ ଏନଏଏସି ଗଠନ ପାଇଁ ନୀତିଗତ ନିଷ୍ପତ୍ତି: ନଗର ଉନ୍ନୟନ ମନ୍ତ୍ରୀ
ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ୨୦୨୪ ଜୁଲାଇ ୩୦ ତାରିଖ ଏବଂ ସତ୍ୟଜିତ୍ ଗମାଙ୍ଗଙ୍କୁ ୨୦୨୪ ଅଗଷ୍ଟ ୨୦ତାରିଖରେ ଲିଖିତ ଉତ୍ତର ଦେଇ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ “ ଗତ ଫେବୃୟାରୀ ଓ ମାର୍ଚ୍ଚ ମାସରେ ତତକାଳୀନ ରାଜ୍ୟ ସରକାର ୫୭ଟି ଏନଏଏସି ଓ ୬ଟି ମ୍ୟୁନିସପାଲଟି ଗଠନ ସଂକ୍ରାନ୍ତୀୟ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଥିଲେ । ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ସରକାରଙ୍କ ହସ୍ତଗତ ହେବାପରେ ପ୍ରଚଳିତ ଓଡ଼ିଶା ପୌର ଅଧିନିୟମ-୧୯୫୦ ଓ ନିର୍ଦ୍ଦେଶାବଳୀର ବ୍ୟବସ୍ଥା ତଥା ଗ୍ରାମୀଣ ସହରୀ ପରିବର୍ତ୍ତନ ନୀତି ଅନୁସାରେ ତର୍ଜମା କରାଯାଇ ମ୍ୟୁନିସପାଲଟି ଅଥବା ଏନଏଏସି ଗଠନ ସମ୍ବନ୍ଧୀୟ ନିଷ୍ପତ୍ତି ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
