Advertisment

ନୂଆ ପୌରାଂଚଳ: ବିଜେଡି ତାଲିକାରୁ ୪୦ଟି ଏନଏସି ବାଦ୍ ପଡ଼ିଲା , ବିଜେପି ସରକାର ନିଜଆଡ଼ୁ ଘୋଷଣା କଲେ ୧୩

ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ମୋଟ ୫୭ଟି ଏନଏଏସି ଗଠନକୁ ମାନ୍ୟତା ଦେଇଥିଲେ ମଧ୍ୟ ବିଜେପି ସରକାର ସେଥିରୁ ୪୦ଟି ଏନଏସିକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି । ଦୁଇଟି ପର୍ଯ୍ୟାୟରେ ଯେଉଁ ୨୮ଟି ଏନଏସି ଘୋଷଣା କରିଛନ୍ତି ସେଥିରୁ ବିଜେଡି ସରକାରଙ୍କ ସ୍ୱୀକୃତି ପାଇଥିବା ମାତ୍ର ୧୭ଟି ଏନଏଏସି ରହିଛି ।

Loka Seva Bhaban

Loka Seva Bhaban

Advertisment

ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଦୁଇଟି ପର୍ଯ୍ୟାୟରେ ମୋଟ ୨୮ଟି ନୂଆ ଏନଏଏସି ଓ ୭ଟି ମ୍ୟୁନିସପାଲଟି ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ନୂଆ ପୌରାଂଚଳ ଦାବିରେ ରାଜ୍ୟର ବିଭିନ୍ନ ଭାଗରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ବିଜେଡି ସରକାର ସମୟରେ ଘୋଷଣା ହୋଇଥିବା ୫୭ଟି ଏନଏଏସି ତାଲିକାରୁ ୪୦ଟି ଏନଏସି ବାଦ୍ ପଡ଼ିଛି । ବିଜେଡି ସରକାରର ୫ଟି ନୂଆ ମ୍ୟୁନିସପାଲଟିକୁ ବିଜେପି ସରକାର ସ୍ୱୀକାର କରିଥିଲେ ମଧ୍ୟ ନବୀନ ପଟ୍ଟନାୟକ ପରାଜିତ ହୋଇଥିବା କଂଟାବାଞ୍ଜିକୁ ଏହି ତାଲିକାରେ ସ୍ଥାନ ମିଳିନାହିଁ । ରାଜ୍ୟର ବିଜେପି ସରକାର ନିଜଆଡ଼ୁ ୧୧ଟି ନୂଆ ଏନଏସି ଓ ୨ଟି ମ୍ୟୁନିସପାଲଟ ଘୋଷଣା କରିଥିବା ଜଣାପଡ଼ିଛି ।

Advertisment

୨୨ ପୌରାଂଚଳକୁ ପୁନଃ ଘୋଷଣା କଲେ ବିଜେପି ସରକାର

ରାଜ୍ୟରେ ବିଜେପି ସରକାର ଆସିବାର ଦୀର୍ଘ ୧୪ମାସ ପରେ ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ପର୍ଯ୍ୟାୟରେ ୧୨ଟି ନୂଆ ଏଏନଏସି ପାଇଁ ଘୋଷଣା କରିଥିଲେ । ଗତକାଲି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆଉ ୧୬ଟି ନୂଆ ଏନଏଏସି ଓ ୭ଟି ମ୍ୟୁନିସପାଲଟି ଘୋଷଣା କରିଛନ୍ତି । ଏହାପୂର୍ବରୁ ପୁରୀ ସହରକୁ ମହାନଗର ନିଗମ ଭାବେ ଉନ୍ନୀତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଥିଲେ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତତକାଳୀନ ବିଜେଡି ସରକାର ଫେବୃୟାରୀ-ମାର୍ଚ୍ଚ ମାସରେ ୩ଟି ପର୍ଯ୍ୟାୟରେ ମୋଟ ୫୭ଟି ନୂଆ ଏନଏଏସି ଓ ୬ଟି ନୂଆ ମ୍ୟୁନିସପାଲଟି ଘୋଷଣା କରିଥିଲେ । ତେବେ ବିଜେଡି ସରକାରର ଏହି ତାଲିକା ମଧ୍ୟରୁ ମୋହନ ମାଝୀଙ୍କ ସରକାର ଦୁଇଟି ପର୍ଯ୍ୟାୟରେ ମୋଟ ୨୨ଟି ପୌର ସଂସ୍ଥା( ୧୭ଟି ଏନଏଏସି ଓ ୫ଟି ମ୍ୟୁନିସପାଲଟି)କୁ ପୁଣିଥରେ ପୌରାଂଚଳ ଭାବେ ଘୋଷଣା କରିଛନ୍ତି । ଏଥିରେ ୧୭ଟି ନୂଆ ଏନଏସି ହେଉଛି: ପାଲଲହଡ଼ା, ବସ୍ତା, ସିମୁଳିଆ, ସୋହେଲା,ଲୋଇସିଂହା,ବଡମ୍ବା,ନରସିଂହପୁର,ସାଲେପୁର, ଚଣ୍ଡିଖୋଲ, ଜୟପାଟଣା, ନର୍ଲା, ଟାଙ୍ଗୀ,ବୋରିଗୁମ୍ମା, ବେତନଟୀ,ବିଷମକଟକ,ବାମରା ଓ ରେଙ୍ଗାଲି ରହିଛି । ସେହିପରି ବିଜେଡି ସରକାର ଘୋଷଣା କରିଥିବା ନୂଆ ୬ଟି ମ୍ୟୁନିସପାଲଟି ମଧ୍ୟରୁ କେବଳ କଂଟାବାଞ୍ଜିକୁ ବାଦ୍ ଦେଇ ମୋହନ ସରକାର ବୌଦ୍ଧ ଗଡ଼ (ବୌଦ୍ଧ),କରଞ୍ଜିଆ,ଛତ୍ରପୁର,ଆସ୍କା ଓ ଭଞ୍ଜନଗରକୁ ମ୍ୟୁନିସପାଲଟି ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି । ଅଗଷ୍ଟ ୧୬ ଓ ୩୧ତାରିଖରେ ଏହି ନୂଆ ପୌରାଂଚଳ ଘୋଷଣା ହୋଇଛି ।

Advertisment

ନିଜଆଡ଼ୁ ଘୋଷଣା କଲେ ୧୩ ପୌରାଂଚଳ

ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ନିଜ ଆଡ଼ୁ ୧୧ଟି ନୂଆ ଏନଏଏସି ଓ ୨ଟି ମ୍ୟୁନିସପାଲଟି ଘୋଷଣା କରିଛନ୍ତି । ଯେଉଁ ୧୧ଟି ଅଂଚଳକୁ ଏନଏସି ମାନ୍ୟତା ଦେବାକୁ ସରକାର ଘୋଷଣା କରିଛନ୍ତି ସେଥିରେ  ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଧୂଷୁରୀ, ଢେଙ୍କାନାଳ ଜିଲ୍ଲାର ଗଦିଁଆ, ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଜଗନ୍ନାଥ ପ୍ରସାଦ, ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି, ଚିତ୍ରଡ଼ା, କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର ଏବଂ ସୋନପୁର ଜିଲ୍ଲାର ବୀରମହାରାଜପୁର ଏନଏସି ରହିଛି । ସେହିପରି ଗଞ୍ଜାମ ଜିଲ୍ଲାର ୨ଟି ଏନଏସି ଯଥା- କବିସୂର୍ଯ୍ୟନଗର ଓ ପୋଲସରାକୁ ମ୍ୟୁନିସପାଲଟି ଭାବେ ବିଜେପି ସରକାର ଘୋଷଣା କରିଛନ୍ତି ।

ଘୋଷଣା ହୋଇ ବାଦ୍ ପଡ଼ିଥିବା ୪୦ ନୂଆ ଏନଏଏସି

ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସରକାର ମୋଟ ୫୭ଟି ଏନଏଏସି ଗଠନକୁ ମାନ୍ୟତା ଦେଇଥିଲେ ମଧ୍ୟ ବିଜେପି ସରକାର ସେଥିରୁ ୪୦ଟି ଏନଏସିକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି । ଦୁଇଟି ପର୍ଯ୍ୟାୟରେ ଯେଉଁ ୨୮ଟି ଏନଏସି ଘୋଷଣା କରିଛନ୍ତି ସେଥିରୁ ବିଜେଡି ସରକାରଙ୍କ ସ୍ୱୀକୃତି ପାଇଥିବା ମାତ୍ର ୧୭ଟି ଏନଏଏସି ରହିଛି । କଂଟାବାଞ୍ଜି ମ୍ୟୁନିସପାଲଟି ସମେତ ବାକି ଯେଉଁ ୪୦ଟି ଏନଏଏସିକୁ ବିଜେପି ସରକାର ବିଚାରକୁ ନେଇନାହାନ୍ତି ସେଗୁଡ଼ିକ ହେଲା-

ଅନୁଗୁଳ: ଛେଣ୍ଡିପଦା , ବାଲେଶ୍ୱର: ବାଲିଆପାଳ ଓ ଖଇରା , ବରଗଡ: ପାଇକମାଳ ଓ ଭେଡେନ, ଭଦ୍ରକ: ଅଗରପଡା, ଧାମରା, ବଲାଙ୍ଗୀର: ବେଲପଡା, ସଂଇତଳା ଓ ସିନ୍ଧେକେଲା, ବୌଦ୍ଧ: କଂଟାମାଳ, ମନମୁଣ୍ଡା, ପୁରୁଣାକଟକ ଓ ବାଉଁଶୁଣି, କଟକ: ନିଆଳି , ଢେଙ୍କାନାଳ: ପରଜଙ୍ଗ ଓ ରାସୋଳ, ଗଞ୍ଜାମ: ଶେରଗଡ ଓ କୁକୁଡାଖଣ୍ଡି, ଜଗତସିଂହପୁର: କୁଜଙ୍ଗ, ଯାଜପୁର: ବିଂଝାରପୁର, ପାଣିକୋଇଲି ଓ ଜାରକା, କଳାହାଣ୍ଡି: ମଦନପୁର-ରାମପୁର, କନ୍ଧମାଳ: ରାଇକିଆ, ଖୋର୍ଦ୍ଧା: ବେଗୁନିଆ ଓ ବୋଲଗଡ଼, ନୟାଗଡ଼: କଂଟିଲୋ ଓ ଶରଣକୁଳ,ନୂଆପଡା: ସିନାପାଲି, ପୁରୀ: ସାକ୍ଷୀଗୋପାଳ ଓ କାକଟପୁର, ରାୟଗଡ଼ା: ଚାନ୍ଦିଲି ଓ ମୁନିଗୁଡା, ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି, ସୁବଳୟା, ଉଲୁଣ୍ଡା ଓ ରାମପୁର ଏବଂ ସୁନ୍ଦରଗଡ: ବଣେଇକୁ ଏନଏଏସି ଭାବେ ମାନ୍ୟତା ଦେଇଥିଲେ ତତକାଳୀନ ବିଜେଡି ସରକାର ।

ଆନ୍ଦୋଳନର ଚେତାବନୀ ଦେଲା ବିଜେଡି

ରାଜ୍ୟର ବିଜେପି ସରକାର ଏହି ନୂଆ ଏନଏସି ଘୋଷଣା କରିବା ପରେ ବିଜେଡି ଏହାକୁ ଦଳୀୟ ଭିତ୍ତିରେ ଚୟନ କରାଯାଇଥିବା ଅଭିଯୋଗ କରିଛି । ଦଳର ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, କେବଳ ରାଜନୀତିକ ଉଦ୍ଦେଶ୍ୟ ରଖି ଅନେକ ଯୋଗ୍ୟ ଅଂଚଳକୁ ବାଦ୍ ଦିଆଯାଇଛି । ସେହିପରି ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ପ୍ରତାପ ଜେନା କହିଛନ୍ତି ଯେ, ବିଜେଡି ସରକାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ଏନଏସି ଓ ପୌର ପରିଷଦ ଘୋଷଣା କରିସାରିଥିଲେ । ତାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଦଳୀୟ ସୁବିଧା ଅନୁସାରେ କାର୍ଯ୍ୟ କରୁଛନ୍ତି । ଏହାକୁ ବରଦାସ୍ତ କରାଯିବ ନାହିଁ । ରାଜରାସ୍ତାରେ ସରକାରଙ୍କ ବିରୁଦ୍ଧରେ ବିଜେଡି ସ୍ୱର ଉଠାଇବ ବୋଲି ଚେତାବନୀ ଦେଇଛି । ଅନ୍ୟପକ୍ଷରେ ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ କହିଛନ୍ତି ଯେ, ଏହା ଏକ ଗତାନୁଗତିକ ପ୍ରକ୍ରିୟା । ସରକାର ବିଭିନ୍ନ ମାନଦଣ୍ଡକୁ ଦୃଷ୍ଟିରେ ରଖି ଏହି ନୂଆ ପୌରାଂଚଳ ଘୋଷଣା କରୁଛନ୍ତି । ଆଗାମୀ ଦିନରେ ଆଉ ଅଧିକ ପୌରାଂଚଳ ପାଇଁ ସରକାର ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ସାଧାରଣ ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଯେଉଁସବୁ ଅଂଚଳକୁ ସରକାର ଏହି ଘୋଷଣାରେ ସାମିଲ କରିଛନ୍ତି ସେଠାର ଲୋକେ ଖୁସି ବ୍ୟକ୍ତ କରୁଥିବାବେଳେ ବାଦ୍ ପଡ଼ିଥିବା ଅଂଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।

୫୭ଟି ନୂଆ ଏନଏଏସି ଗଠନ ପାଇଁ ନୀତିଗତ ନିଷ୍ପତ୍ତି: ନଗର ଉନ୍ନୟନ ମନ୍ତ୍ରୀ

ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ୨୦୨୪ ଜୁଲାଇ ୩୦ ତାରିଖ ଏବଂ ସତ୍ୟଜିତ୍ ଗମାଙ୍ଗଙ୍କୁ ୨୦୨୪ ଅଗଷ୍ଟ ୨୦ତାରିଖରେ ଲିଖିତ ଉତ୍ତର ଦେଇ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ “ ଗତ ଫେବୃୟାରୀ ଓ ମାର୍ଚ୍ଚ ମାସରେ ତତକାଳୀନ ରାଜ୍ୟ ସରକାର ୫୭ଟି ଏନଏଏସି ଓ ୬ଟି ମ୍ୟୁନିସପାଲଟି ଗଠନ ସଂକ୍ରାନ୍ତୀୟ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଥିଲେ । ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ସରକାରଙ୍କ ହସ୍ତଗତ ହେବାପରେ ପ୍ରଚଳିତ ଓଡ଼ିଶା ପୌର ଅଧିନିୟମ-୧୯୫୦ ଓ ନିର୍ଦ୍ଦେଶାବଳୀର ବ୍ୟବସ୍ଥା ତଥା ଗ୍ରାମୀଣ ସହରୀ ପରିବର୍ତ୍ତନ ନୀତି ଅନୁସାରେ ତର୍ଜମା କରାଯାଇ ମ୍ୟୁନିସପାଲଟି ଅଥବା ଏନଏଏସି ଗଠନ ସମ୍ବନ୍ଧୀୟ ନିଷ୍ପତ୍ତି ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ ।”

BjD State Bjp NAC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe