Advertisment

ପଦ ଛାଡ଼ିବାକୁ ୫ ଜିଲ୍ଲା ବିଜେଡି ସଭାପତିଙ୍କୁ ନିର୍ଦ୍ଦେଶ, ୭ ଜିଲ୍ଲାରେ ନୂଆ ମଙ୍ଗୁଆଳ ଖୁବଶୀଘ୍ର

ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ବିଜେଡି ନିଜର ୫ଜଣ ଜିଲ୍ଲା ସଭାପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛି ।

author-image
Ordigital Desk
Naveen Patnaik

Chief Minister and BJD supremo Naveen Patnaik

ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ବିଜେଡି ନିଜର ୫ଜଣ ଜିଲ୍ଲା ସଭାପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛି ।  ଚଳିତମାସ ଶେଷ ସପ୍ତାହ ସୁଦ୍ଧା ପ୍ରାୟ ୭ଟି ସାଂଗଠନିକ ଜିଲ୍ଲାରେ ନୂଆ ଜିଲ୍ଲା ସଭାପତିଙ୍କୁ ଥଇଥାନ କରିବ । ନୂଆ ସଭାପତି ଚୟନ ପାଇଁ ଦଳ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି ।

Advertisment

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ପୂର୍ବରୁ  ଜିଲ୍ଲା ସଂଗଠନଗୁଡ଼ିକ ସୁଦୃଢ଼ କରି ଦଳୀୟ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଏବଂ କିଛି ଅସନ୍ତୁଷ୍ଟ ନେତାଙ୍କୁ ଥଇଥାନ ଉଦ୍ଦେଶ୍ୟରେ ବିଜେଡି ଏବେ ନିଜର କିଛି ଜିଲ୍ଲା ସଭାପତିଙ୍କୁ ଦାୟିତ୍ୱମୁକ୍ତ କରିବାକୁ ଚାହିଁଛି । ଯେଉଁ ଜିଲ୍ଲା ସଭାପତିମାନେ ଏବେ ବିଭିନ୍ନ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଜିଲ୍ଲା ସଭାପତି ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର, ରାଉରକେଲା ଓ ମୟୂରଭଞ୍ଜ ସଦର ସମେତ ମୋଟ ୩୩ଟି ସାଂଗଠନିକ ଜିଲ୍ଲା ଦାୟିତ୍ୱରେ ଦଳ ପକ୍ଷରୁ ୩୦ଜଣ ପର୍ଯ୍ୟବେକ୍ଷକଙ୍କୁ(ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ବାଦ୍ ଦେଇ) ନିଯୁକ୍ତି ଦିଆଯାଇଛି । ତେବେ ସେହି ବିଜେଡି ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରୁ ୫ଜଣ ଏବେ ବିଭିନ୍ନ ଜିଲ୍ଲା ସଭାପତି ଦାୟିତ୍ୱରେ ରହିଥିବାବେଳେ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ବିଜେଡି ସଭାପତି ଦୀର୍ଘଦିନ ଧରି ଖାଲି ପଡ଼ିଛି ।

ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନା ଏବେ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ଥିବାବେଳେ ରାଉରକେଲା ଜିଲ୍ଲା ବିଜେଡି ସଭାପତି ଶାରଦା ନାୟକ (ଝାରସୁଗୁଡ଼ା), ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରଫୁଲ୍ଲ ମଲ୍ଲିକ(କଟକ), ଜଗତସିଂହପୁର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି(ମୟୂରଭଞ୍ଜ), କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ(ନବରଙ୍ଗପୁର) ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଛନ୍ତି । ଏହି ୫ଜଣ ଜିଲ୍ଲା ସଭାପତିଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି ଓ ସେମାନଙ୍କ ସ୍ଥାନରେ ନୂଆ ଜିଲ୍ଲା ସଭାପତି ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅବଶ୍ୟ ଏହି ୫ଜଣ ଜିଲ୍ଲା ସଭାପତିଙ୍କୁ ନିଜ ଜିଲ୍ଲାର ବିଧାୟକମାନଙ୍କ ସହ ବିଚାରବିମର୍ଶ କରି ଜିଲ୍ଲା କମିଟିର ପୁନର୍ଗଠନ(ଯେଉଁ ଜିଲ୍ଲାରେ ପୁନର୍ଗଠନ ହୋଇନି) କରିବାକୁ ପରାମର୍ଶ ଦିଆଯାଇଛି । ଏହି ସମସ୍ତ ପ୍ରକ୍ରିୟା ରଜପର୍ବ ପୂର୍ବରୁ ଶେଷ ହେବ ।

Advertisment

ସେହିପରି ପୁରୀ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି ଏବେ ବରିଷ୍ଠ ପର୍ଯ୍ୟବେକ୍ଷକ ଥିବାବେଳେ ବିଜୁ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ା ପର୍ଯ୍ୟବେକ୍ଷକ ଅଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇ ନେତାଙ୍କୁ ମଧ୍ୟ ଗୋଟିଏ ପଦ ଛାଡ଼ିବାକୁ କୁହାଯାଇଥିବା ସୂଚନା ମିଳିଛି । କିଶୋର ମହାନ୍ତି ଓ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଯଥାକ୍ରମେ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲା ବିଜେଡି ସଭାପତି ପଦ ଖାଲି ପଡ଼ିଛି । ତେଣୁ ଏସବୁ ଦୃଷ୍ଟିରୁ ବାଲେଶ୍ୱର, ରାଉରକେଲା, ଢେଙ୍କାନାଳ, ଜଗତସିଂହପୁର, କୋରାପୁଟ, ଝାରସୁଗୁଡ଼ା, ବରଗଡ଼ ସମେତ ପୁରୀ ଜିଲ୍ଲାରେ ନୂଆ ବିଜେଡି ସଭାପତିଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି ।

ସୂଚନା ଅନୁସାରେ, ଦଳ ଏହି ନୂଆ ସଭାପତି ନିଯୁକ୍ତି ମାଧ୍ୟମରେ ଜିଲ୍ଲାରେ ଟିକେଟ୍ ଆଶାୟୀ ଥିବା ବରିଷ୍ଠ ନେତାଙ୍କୁ ଆଗୁଆ ଥଇଥାନ କରି ଗୋଷ୍ଠୀକନ୍ଦଳକୁ ଏଡ଼ାଇବାକୁ ଲକ୍ଷ୍ୟ ରଖିଛି । ତେବେ ଏହି ସମସ୍ତ ଜିଲ୍ଲାରେ ବିଦାୟୀ ଜିଲ୍ଲା ସଭାପତିମାନଙ୍କ ସୁପାରିଶକୁ ଗୁରୁତ୍ୱ ଦେଇ ନୂଆ ଜିଲ୍ଲା ସଭାପତି ଚୟନ କାର୍ଯ୍ୟ କରାଯାଉଥିବା ଜଣାପଡ଼ିଛି ।

Naveen Patnaik Bjd Politics