BJP
ଓଡ଼ିଶାରେ ଦୀର୍ଘ ୨୩ବର୍ଷ ଧରି ସ୍ଥିର ସରକାର ଥିବା ସତ୍ତ୍ୱେ ରାଜ୍ୟର ପ୍ରାୟ ୫୦ ପ୍ରତିଶତ ପିଲା ମାଟ୍ରିକରେ ଅଧାରୁ ପାଠ ଛାଡ଼ୁଛନ୍ତି । ସର୍ବଭାରତୀୟସ୍ତରରେ ଓଡ଼ିଶାରେ ଦଶମ ଶ୍ରେଣୀରେ ଡ୍ରପଆଉଟ୍ ହାର ସବୁଠୁ ଅଧିକ ଥିବାବେଳେ ମଣିପୁରରେ ଡ୍ରପଆଉଟ୍ ହାର ଶୂନ ରହିଛି । ଲୋକସଭାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଲିଖିତ ଉତ୍ତରକୁ ନେଇ ଏବେ ରାଜ୍ୟର ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଆଉ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଏ କେଉଁ ପ୍ରକାରର ରୂପାନ୍ତରୀକରଣ ବୋଲି ପ୍ରଶ୍ନ କରିଛି।
ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଏନେଇ ମୁଖ୍ୟମନ୍ତ୍ରୀ ଓ ଡିଫାକ୍ଟୋ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ଉତ୍ତର ରଖିବାକୁ ଦାବି କରିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ଓଡ଼ିଶାରେ ୨୦୨୧-୨୨ମସିହାରେ ମୋଟ ୪୯.୯ ପ୍ରତିଶତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ଅଧାରୁ ପାଠ ଛାଡ଼ିଛନ୍ତି । ଏହି ସଂଖ୍ୟା ୨୦୨୦-୨୧ରେ ୩୯.୪%, ୨୦୧୯-୨୦ରେ ୩୮.୩୫% ଓ ୨୦୧୮-୧୯ରେ ଏହା ୧୨.୮% ରହିଥିଲା ।
ଏହି ଡ୍ରପଆଉଟ୍ ହାର ନିୟମିତ ଭାବେ ବୃଦ୍ଧି ପାଇଥିବାବେଳେ କେନ୍ଦ୍ର ସରକାର ‘ସମଗ୍ର ଶିକ୍ଷା’ ଯୋଜନାରେ ଓଡ଼ିଶା ସରକାରଙ୍କୁ ୨୦୧୯-୨୦ରେ ୧୮୯୪.୮୩କୋଟି ଟଙ୍କା, ୨୦୨୦-୨୧ରେ ୧୪୯୭.୪୫କୋଟି ଟଙ୍କା,୨୦୨୧-୨୨ରେ ୧୪୫୩.୩୪କୋଟି ଟଙ୍କା ଓ ୨୦୨୨-୨୩ରେ ୧୮୪୧.୦୭କୋଟି ଟଙ୍କା ଅନୁଦାନ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଅନ୍ୟପକ୍ଷରେ ଏତେ ଟଙ୍କା କେନ୍ଦ୍ର ସରକାର ଦେଉଥିଲେ ମଧ୍ୟ ରାଜ୍ୟରେ ଡ୍ରପଆଉଟ୍ ହାରକୁ ରୋକିବା ଦିଗରେ ରାଜ୍ୟ ସରକାର ଆଖିଦୃଶିଆ ପଦକ୍ଷେପ ନେଇପାରିନଥିବା ଜଣାପଡ଼ିଛି । ମଣିପୁର ଭଳି ରାଜ୍ୟରେ ଡ୍ରପଆଉଟ୍ ହାର ଶୂନ୍ ଥିବାବେଳେ କେବଳ ବିହାର (୪୨.୧%)କୁ ବାଦ୍ ଦେଲେ କୌଣସି ରାଜ୍ୟରେ ଏହି ହାର ୪୦ପ୍ରତିଶତ ଛୁଇଁନି।
ଏହି ତଥ୍ୟ ପଦାକୁ ଆସିବା ପରେ ରାଷ୍ଟ୍ରୀୟ ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡା ନିଜର ଏକ୍ସ(ଟ୍ୱିଟର)ରେ ଉଦବେଗ ବ୍ୟକ୍ତ କରିଛନ୍ତି । ‘ମୋ ଗୃହରାଜ୍ୟକୁ ଆଉ ଗୋଟିଏ ‘ନମ୍ବର ୱାନ ର୍ୟାଙ୍କିଙ୍ଗ’ ହାସଲକୁ ନେଇ ଅତ୍ୟନ୍ତ ଦୁଃଖିତ ବୋଲି କହି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ଦଶମ ଶ୍ରେଣୀରେ ସ୍କୁଲ ଡ୍ରପଆଉଟ ହାରରେ ସମଗ୍ର ଦେଶରେ ଓଡ଼ିଶାର ହାର ୪୯.୯% ସହ ସର୍ବାଧିକ । କ୍ରମାଗତ ୨୪ବର୍ଷ ଗୋଟିଏ ଦଳ ସରକାରରେ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଓ ଡିଫାକ୍ଟୋ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ଏନେଇ ଉତ୍ତର ରଖିବା ଉଚିତ୍ ବୋଲି ସେ କହିଛନ୍ତି ।
ସେହିପରି ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶାରେ ଡ୍ରପଆଉଟ ହାର ଦେଶରେ ସର୍ବାଧିକ । ଓଡ଼ିଶାରେ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଛନ୍ତିି । ବିହାର ଭଳି ଗରିବ ରାଜ୍ୟର ଡ୍ରପଆଉଟ୍ ହାର ମଧ୍ୟ ଓଡ଼ିଶା ଠାରୁ କମ୍ । ଏଥିରୁ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା କେତେ ନିମ୍ନଗାମୀ ହୋଇଛି ତାହା ଜଣାପଡ଼ି ଯାଉଛି।
Deeply saddened at yet another “#1 ranking” achieved by my home state:
At 49.9% Odisha has the nation’s highest rate of school dropouts in Class X.
After 24 continuous years, the party in govt, the CM, & the defacto CM have much to answer. pic.twitter.com/B1bkIoKW0A— Baijayant Jay Panda (@PandaJay) December 19, 2023
ରାଜ୍ୟ ସରକାର ‘ସ୍କୁଲ ରୂପାନ୍ତୀକରଣ’କୁ ନେଇ ନିଜ ପିଠି ନିଜେ ଥାପଡ଼ାଉଛନ୍ତି କିନ୍ତୁ ଅପରପକ୍ଷରେ ଅଧା ପିଲାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ଗଲାଣି । ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଏହା ହେଉଛି ସାରା ରାଜ୍ୟର ଏକ ସାମାଜିକ ପ୍ରସଙ୍ଗ । ଫାଇଭ-ଟି ସ୍କୁଲ ରୂପାନ୍ତରୀକରଣ ନାଁରେ କେବଳ କାନ୍ଥ, ବାଡ଼ରଙ୍ଗ କରିବା ଆଳରେ ସରକାର ୫ହଜାର କୋଟି ଟଙ୍କା ଖର୍ଚ୍ଚ କଲେ । କିନ୍ତୁ ଏପଟେ ସ୍କୁଲରେ ଶିକ୍ଷକ ନାହାନ୍ତିି, ଅଧା ପିଲା ପାଠପଢ଼ା ବନ୍ଦ କରିଦେଲେଣି । ଏହା କ'ଣ ରାଜ୍ୟ ସରକାରଙ୍କ ରୂପାନ୍ତରୀକରଣର ପ୍ରଭାବ କି ବୋଲି ରାଜ୍ୟ ବିଜେପି କଟାକ୍ଷ କରିଛି।
ବିରୋଧୀଙ୍କୁ ଅନ୍ଧ ଏବଂ ବିକାଶ ବିରୋଧୀ କହୁଥିବା ଅହଂକାରୀ ଅଣଓଡ଼ିଆ ବିଜେଡି ନେତା ଥରେ ଏହି ଡ୍ରପଆଉଟ୍ ହାର ଉପରେ ପ୍ରତିକ୍ରିୟା ଦେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି । ଓଡ଼ିଶାରେ ସରକାରୀ ସ୍କୁଲରେ ଯଦି ୫୦ ପ୍ରତିଶତ ପିଲା ପାଠ ଛାଡ଼ିବେ ତାହାଲେ ଏହା କେଉଁ ବିକାଶର ମାପ କାଠି ହେବ ବୋଲି ବିଜେପି ପ୍ରଶ୍ନ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
