Advertisment

ରାଜ୍ୟପାଳଙ୍କ ଅଭିଭାଷଣରୁ ଧରାପଡ଼ିଲା ଅପାରଗତା: ୫ବର୍ଷରେ ୫୩୩୮୯ଜଣଙ୍କୁ ମିଳିଛି ଚାକିରି, ଜଳସେଚନକୁ ନେଇ ନିରବ

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟପାଳ ରଘୁବର ଦାସଙ୍କ ମୁହଁରେ ସରକାର ନିଜର ପ୍ରଶଂସାର ଲମ୍ବାଚଉଡ଼ା ଚିଠା ଉପସ୍ଥାପନ କରିଛନ୍ତି।

ଅଦ୍ୟତନ ହୋଇଛି
Chief minister

Chief minister

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟପାଳ ରଘୁବର ଦାସଙ୍କ ମୁହଁରେ ସରକାର ନିଜର ପ୍ରଶଂସାର ଲମ୍ବାଚଉଡ଼ା ଚିଠା ଉପସ୍ଥାପନ କରିଛନ୍ତି। ଷୋଡ଼ଶ ବିଧାନସଭାର ଏହି ସ୍ୱଳ୍ପକାଳୀନ ଓ ଶେଷ ଅଧିବେଶନରେ ରାଜ୍ୟପାଳ ଶ୍ରୀ ଦାସ ପ୍ରଥମଥର ପାଇଁ ଅଭିଭାଷଣ ରଖିଛନ୍ତି । ଆଉ ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାର ନିଜ ପିଠି ଥାପୁଡ଼ାଇବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି । ମଠମନ୍ଦିରର ଭଙ୍ଗାଗଢ଼ା, ସ୍କୁଲ-କଲେଜ କାନ୍ଥରେ ରଙ୍ଗବୋଳି ରୂପାନ୍ତରଣର ନୂଆ ପରିଭାଷା ଦେଇଥିବା ରାଜ୍ୟ ସରକାର ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’କୁ ବିରଳ ପଦକ୍ଷେପ ବୋଲି କହିବାକୁ ପଛାଇ ନାହାନ୍ତି । ରାଜ୍ୟରେ ସବୁ ଚାଷ ଜମିକୁ ଜଳସେଚନ ସୁବିଧା ମିଳିଛି କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ୫ବର୍ଷରେ ମାତ୍ର ୫୩୩୮୯ଜଣଙ୍କୁ ସରକାରୀ ନିଯୁକ୍ତି ମିଳିଛି ବୋଲି ରାଜ୍ୟପାଳଙ୍କ ଅଭିଭାଷଣରୁ ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, କ୍ରମାଗତ ୨୪ବର୍ଷ ଧରି କ୍ଷମତାରେ ରହିଥିଲେ ମଧ୍ୟ ରାଜ୍ୟରେ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଓ ବିକାଶ ସହ ନିଯୁକ୍ତି ଓ ଜଳସେଚନ କ୍ଷମତା ବୃଦ୍ଧି ଦିଗରେ ଆଖିଦୃଶିଆ ପଦକ୍ଷେପ ନେବାରେ ବିଫଳ ହୋଇଥିବା ଆଜି ରାଜ୍ୟପାଳଙ୍କ ଅଭିଭାଷଣରୁ ସ୍ପଷ୍ଟ ହୋଇଛି । ରାଜ୍ୟରେ ଶତପ୍ରତିଶତ ବ୍ଲକକୁ ସର୍ବନିମ୍ନ ୩୫ପ୍ରତିଶତ ଜଳସେଚନ ସୁବିଧା କଥା କହିବାର ଦୁଇ ଦଶନ୍ଧି ପରେ ବି ସରକାର ଏହି ଲକ୍ଷ୍ୟକୁ ହାସଲ କରିପାରିନାହାନ୍ତି । ଆଉ ଚଳିତବର୍ଷ ରାଜ୍ୟପାଳଙ୍କ ଅଭିଭାଷଣରେ ବି ରାଜ୍ୟରେ କେତେ ଜମିକୁ ଜଳସେଚନ ସୁବିଧା ରହିଛି ତାକୁ ସମ୍ପୂର୍ଣ୍ଣ ଲୁଚାଇ ରଖିବାକୁ ଚେଷ୍ଟା କରିଛନ୍ତି । କେବଳ ସେତିକି ନୁହେଁ ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ମାତ୍ର ୫୩୩୮୯ଜଣଙ୍କୁ ସରକାରୀ ନିଯୁକ୍ତି ମିଳିପାରିଥିବା ରାଜ୍ୟପାଳଙ୍କ ମୁହଁରେ ସରକାର ସ୍ୱୀକାର କରିଛନ୍ତି । ରାଜ୍ୟରେ ବେକାରୀ ଅଭିବୃଦ୍ଧି ହାର ଏକ ପ୍ରତିଶତ ହ୍ରାସ ପାଇଛି ବୋଲି ସରକାର ଦାବି କରୁଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନାରେ ଏପର୍ଯ୍ୟନ୍ତ କେତେ ତାହା ରାଜ୍ୟପାଳଙ୍କ ଅଭିଭାଷଣରେ ଉଲ୍ଲେଖ ନାହିଁ ।

ରାଜ୍ୟପାଳଙ୍କ ଅଭିଭାଷଣ ଅନୁସାରେ, ବିଗତ ୫ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ନିଯୁକ୍ତି ସଂସ୍ଥା ଓଡ଼ିଶା ଲୋକସେବା ଆୟୋଗ ୧୫୦୬୯ଜଣଙ୍କୁ, ଓଡ଼ିଶା ଷ୍ଟାଫ ସିଲେକ୍ସନ ଆୟୋଗ ୧୨୯୮୮ଜଣଙ୍କୁ ଓ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନଙ୍କ ମାଧ୍ୟମରେ ୧୮୯୦୨ଜଣ ଏବଂ ପୁଲିସ ବୋର୍ଡ ମାଧ୍ୟମରେ ୬୪୪୦ଜଣଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ନିଯୁକ୍ତି ଦେବାକୁ ସୁପାରିଶ କରିଛନ୍ତି । ତେବେ ଏହି ୫ବର୍ଷ ମଧ୍ୟରେ ସରକାର ୬୬ଟି ନୂଆ ଥାନା, ୨ଟି ପୁଲିସ ଆଉଟପୋଷ୍ଟ ଓ ୨ଟି ଏସଡିପିଓ ଅଫିସ୍ ଖୋଲି ମୋଟ ୫୫୭୭ଟି ନୂଆ ପଦବୀ ସୃଷ୍ଟି କରିଥିଲେ ମଧ୍ୟ ପୁଲିସ ବାହିନୀରେ ମାତ୍ର ୬୪୪୦ଜଣଙ୍କୁ ନିଯୁକ୍ତି ମିଳିଛି । ଏହି ୫ବର୍ଷ ମଧ୍ୟରେ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ଅବସର ନେଇଥିବେ ।

Advertisment

ସେହିପରି ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ୨୦୦୮-୦୯ରୁ ୨୦୨୨-୨୩ ମସିହା ମଧ୍ୟରେ ବିଗତ ୧୫ବର୍ଷରେ ମୋଟ ୪୧୪୫୨ଟି ଉଦ୍ୟୋଗକୁ ସର୍ବାଧିକ ୯୪୯.୯୯କୋଟି ଟଙ୍କା ସହାୟତା ଦିଆଯାଇଥିବାବେଳେ ୩ଲକ୍ଷ ୩୭ହଜାର ୮୩ଜଣଙ୍କ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।

ଅନ୍ୟପକ୍ଷରେ ରାଜ୍ୟ ସରକାର କେତେଜଣଙ୍କୁ ନିଯୁକ୍ତି ସୁଯୋଗ ଦେଇଛନ୍ତି ତା’ର ବିବରଣୀ ରଖିନାହାନ୍ତି । ଓଲଟା ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟରେ ମୋଟ  ଏମଏସଏମଇ କ୍ଷେତ୍ରରେ ମୋଟ ୪.୬୨ଲକ୍ଷ ଉଦ୍ୟୋଗ ‘ଉଦ୍ୟମ’ପୋର୍ଟାଲରେ ପଞ୍ଜିକୃତ ହୋଇଛି ବୋଲି ହିସାବ ଦେଇଛନ୍ତି । ମାତ୍ର ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମରେ କେତେଜଣଙ୍କୁ ନିଯୁକ୍ତି ସୁଯୋଗ ଅବା ଆତ୍ମସ୍ୱାବଲମ୍ବୀ ହୋଇଛନ୍ତି ତା’ର ହିସାବ ସରକାର ଦେଇନାହାନ୍ତି ।

ସେହିପରି ରାଜ୍ୟ ସରକାର ‘ମେକ୍ ଇନ୍ ଓଡ଼ିଶା’ରେ ଲକ୍ଷ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶର ସମ୍ଭାବନା ଥିବାର ହିସାବ ଦେଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି । ରାଜ୍ୟରେ କେତେ ବୃହତ୍ ଶିଳ୍ପ ଏବେ କାର୍ଯ୍ୟକ୍ଷମ ଅଛି ଓ ସେମାନଙ୍କ ଯୋଗୁ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ତାକୁ ନେଇ ମଧ୍ୟ ସରକାର ନିରବ ରହିଛନ୍ତି ।

କୌଣସି ଗୋଟିଏ ସ୍ଥାୟୀ ଭିତ୍ତିଭୂମି ବିକାଶ ଯାହା ମାଧ୍ୟମରେ ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ତାହା ଉଲ୍ଲେଖ କରିବାକୁ ଉଚିତ୍ ମଣିନାହାନ୍ତି । ଆଉ ନିଜର ପ୍ରଚାର ପାଇଁ ୮୦୦କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ପ୍ରକଳ୍ପ, ୨୦୦କୋଟି ଟଙ୍କାର ସମଲେଇ ପ୍ରକଳ୍ପ ଓ ୨୮୩କୋଟି ଟଙ୍କାରେ ଏକାମ୍ର ପ୍ରକଳ୍ପ କାର୍ଯ୍ୟ କଥା କହି ନିଜର ପିଠି ଥାପୁଡ଼େଇଛନ୍ତି ।

ରାଜ୍ୟରେ ଦିନକୁ ଦିନ ବେକାରୀ ସମସ୍ୟା ବଢ଼ିବାରେ ଲାଗିଥିବାବେଳେ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ୧ଲକ୍ଷରୁ ଅଧିକ ସ୍ଥାୟୀ ପଦବୀ ଖାଲି ପଡ଼ିଛି । ମାତ୍ର ସରକାର ଏସବୁ ପଦବୀ ପୂରଣ କରିବାରେ ଆନ୍ତରିକତା ଦେଖାଉନାହାନ୍ତି । ସେହିପରି ରାଜ୍ୟର ମୋଟ ଅଭିବୃଦ୍ଧିରେ କୃଷି କ୍ଷେତ୍ରର ଭାଗିଦାରୀ ୨୨.୫ପ୍ରତିଶତ ଥିବା ତଥା କୃଷି ଓ ଆନୁସଙ୍ଗିକ କ୍ଷେତ୍ର ଯୋଗୁ ରାଜ୍ୟରେ ୪୫.୮୦ପ୍ରତିଶତ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିଛି ବୋଲି କହୁଥିଲେ ମଧ୍ୟ ଏହି କ୍ଷେତ୍ର ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଆଖିବୁଜି ଦେଇଥିବା ଜଣାପଡ଼ିଛି ।

BjD Raghubar Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe