Advertisment

୫୪୩ ନୁହେଁ, ୫୪୪ ଲୋକସଭା ସିଟ୍‌ରେ ପଡ଼ିବ ଭୋଟ!

ଇନର ମଣିପୁରରେ ବିଜେପି ସାଂସଦ ରହିଥିବା ବେଳେ ଆଉଟର ମଣିପୁରରୁ ନାଗା ପିପୁଲ୍ସ ଫ୍ରଣ୍ଟ ୨୦୧୯ରେ ଜିତିଥିଲା। ଆଉଟର ମଣିପୁର ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ହୋଇ ରହିଛି।

author-image
Hemant Lenka
Manipur

Manipur

ଲୋକସଭାର ୫୪୩ ଆସନ ପାଇଁ ଭୋଟିଂ ପ୍ରକ୍ରିୟା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ ୧ ଯାଏ ଚାଲିବ। ୭ଟି ପର୍ଯ୍ୟାୟରେ ଦେଶବାସୀ ମତଦାନ କରି ପରବର୍ତ୍ତୀ ସରକାର ବାଛିବେ। ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Advertisment

ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିବା ବେଳେ ୫୪୩ ବଦଳରେ ୫୪୪ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ ବୋଲି କହିଛନ୍ତି। ଏହାର ଅର୍ଥ ନୁହେଁ ଯେ ଅତିରିକ୍ତ ଭାବେ ଗୋଟିଏ ନିର୍ବାଚନ ମଣ୍ଡଳୀ ପାଇଁ ଲୋକସଭା ନିର୍ବାଚନ ହେବ। 

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ୫୪୪ ଓ ୫୪୩ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି। ସେ କହିଛନ୍ତି ଯେ ମଣିପୁରରେ ୨ଟି ଲୋକସଭା ଆସନ ରହିଛି। ଏହା ମଧ୍ୟରୁ ଗୋଟିଏ ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ ହେବ। ତେଣୁ ମୋଟ ଉପରେ ଲୋକସଭା ଆସନ ସଂଖ୍ୟାକୁ ୫୪୪ ଭାବେ ବିବେଚନା କରାଯାଇଛି। ମଣିପୁରର ୨ଟି ଆସନ ପାଇଁ ଏପ୍ରିଲ ୧୯ରେ ପ୍ରଥମେ ମତଦାନ ହେବ। ଏହାପରେ ଗୋଟିଏ ଆସନ କିଛି ସ୍ଥାନରେ ଏପ୍ରିଲ ୨୬ରେ ଲୋକମାନେ ମତଦାନ କରିବେ।

Advertisment

ଇନର ମଣିପୁର ଓ ଆଉଟର ମଣିପୁରର କିଛି ଅଂଶରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୧୯ରେ ଭୋଟ ହେବ। ଏହାପରେ ୨ୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୬ରେ ଆଉଟର ମଣିପୁରର ଆଉ କିଛି ଅଂଶରେ ମତଦାନ ଗ୍ରହଣ କରାଯିବ।

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଆଉଟର ମଣିପୁରର ଲୋକମାନେ ବିସ୍ଥାପିତ ହୋଇ ରହିଛନ୍ତି। ତେଣୁ ଗୋଟିଏ ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ ହେବ।

ଇନର ମଣିପୁରରେ ବିଜେପି ସାଂସଦ ରହିଥିବା ବେଳେ ଆଉଟର ମଣିପୁରରୁ ନାଗା ପିପୁଲ୍ସ ଫ୍ରଣ୍ଟ ୨୦୧୯ରେ ଜିତିଥିଲା। ଆଉଟର ମଣିପୁର ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ହୋଇ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହିଂସା ଯୋଗୁ କ୍ୟାମ୍ପରେ ରହୁଥିବା ଲୋକମାନେ ମଧ୍ୟ ଭୋଟ ଦେବାର ଅଧିକାର ପାଇବେ। ସେମାନଙ୍କ ପାଇଁ କ୍ୟାମ୍ପ ନିକଟରେ ମତଦାନର ସୁବିଧା କରାଯିବ।

ରାଜୀବ କୁମାର କହିଛନ୍ତି, “ଆମେ ଭୋଟ ଦାନ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବୁ। ଆମେ ଗୋଟିଏ ଯୋଜନା ଲାଗୁ କରିବୁ। ଏହାଦ୍ୱାରା କ୍ୟାମ୍ପରେ ରହୁଥିବା ଲୋକମାନେ କ୍ୟାମ୍ପରୁ ହିଁ ଭୋଟ ଦେବେ। ଜମ୍ମୁ-କଶ୍ମୀରର ଶରଣାର୍ଥୀଙ୍କ ପାଇଁ ଯେଉଁଭଳି ଯୋଜନା ହୋଇଛି, ଠିକ ଅନୁରୂପ ଯୋଜନା ମଣିପୁରରେ ଲାଗୁ କରାଯିବ।”

ସରକାରୀ ତଥ୍ୟ ଅନୁଯାୟୀ, ହିଂସା ଯୋଗୁ ପ୍ରାୟ ୫୦ ହଜାର ଲୋକ ନିଜ ନିଜର ଘର ଛାଡ଼ି କ୍ୟାମ୍ପରେ ରହୁଛନ୍ତି।

Lok Sabha Election Lok Sabha Elections 2024 Lok Sabha Election 2024