Advertisment

5T ସଚିବ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼

କାଳି 5T ସଚିବ ଭି. କେ ପାଣ୍ଡିଆନଙ୍କ ମୁହଁରେ ପଡ଼ିଥିଲା। ଏହା ସହିତ ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
VK Pandian

VK Pandian

5T ସଚିବ ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲାକୁ ଗସ୍ତ କରୁଥିବା ବେଳେ ଅନେକ ସ୍ଥାନରେ ତାଙ୍କୁ ବିରୋଧୀ ପାର୍ଟିଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି। ତେବେ ଆଜି ତାଙ୍କ ଉପରକୁ କାଳି ମାଡ଼ ହୋଇଛି। ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। କାଳି 5T ସଚିବ ଭି. କେ ପାଣ୍ଡିଆନଙ୍କ ମୁହଁରେ ପଡ଼ିଥିଲା। ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା। କାଳିମାଡ଼ କରିଥିବା ବ୍ୟକ୍ତି ଜଣଙ୍କ କଣାସ ଅଞ୍ଚଳର ଭାସ୍କର ସାହୁ ବୋଲି ଜଣାପଡ଼ିଛି। ତାଙ୍କୁ ପୁଲିସ ଗିରଫ କରିଛି। 

Advertisment

ଆଜି 5T ସଚିବ ଭି.କେ ପାଣ୍ଡିଆନଙ୍କର କାକଟପୁର, ନିମାପଡ଼ା,ପୁରୀ ଓ ସତ୍ୟବାଦୀରେ କାର୍ଯ୍ୟକ୍ରମ ଥିଲା। ସେ କାକଟପୁର, ନିମାପଡ଼ା ଓ ପୁରୀରେ କାର୍ଯ୍ୟକ୍ରମ ସାରି ସତ୍ୟବାଦୀରେ ପହଞ୍ଚିଥିଲେ। ସେଠାରେ ୟୁଜିଏସ୍ କଲେଜରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେବା ପୂର୍ବରୁ ସେ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କ ସହ ହାତ ମିଳାଇଥିଲେ। ଏହି ସମୟରେ ଭାସ୍କର ସାହୁ ହଠାତ୍ ପଶି ଆସି ବୋତଲରେ ଆଣିଥିବା କାଳିକୁ ପାଣ୍ଡିଆନଙ୍କ ଉପରକୁ ଫିଙ୍ଗି ଦେଇଥିଲା। ପାଣ୍ଡିଆନଙ୍କ ମୁହଁରେ କାଳି ପଡ଼ିଥିଲା। ତାଙ୍କ ସାଙ୍ଗରେ ଥିବା ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା। ପରେ ଭାସ୍କରଙ୍କୁ ପୁଲିସ କାବୁ କରିଥିଲା। 

ତେବେ ଭାସ୍କର କାହିଁକି ପାଣ୍ଡିଆନଙ୍କୁ କାଳିମାଡ଼ କଲେ, ତାହା ଜଣାପଡ଼ି ନାହିଁ। ପାଣ୍ଡିଆନଙ୍କ ଉପରେ କ’ଣ ରାଗ ରହିଛି, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। 5T ସଚିବଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିବା ସତ୍ତ୍ୱେ ତାଙ୍କ ଉପରେ କିପରି କାଳି ମାଡ଼ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି। 

Advertisment

ବିଜେଡି ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଏହି ଘଟଣା ପାଇଁ ବିଜେପିକୁ ଦାୟୀ କରିଛନ୍ତି। ଏହା ସତ୍ୟବାଦୀ ବିଜେଡିରେ ରହିଥିବା ଅନ୍ତର୍ଦ୍ୱନ୍ଦ୍ୱର ପରିଣାମ ବୋଲି ଯାହା କୁହାଯାଉଛି, ତାହା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ସେହିପରି ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ରହିଥିଲା ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହା ବି ଠିକ୍ ନୁହେଁ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

ଅନ୍ୟପକ୍ଷରେ ସତ୍ୟବାଦୀ ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି। ବିଜେପି ନେତା ଓମ୍ ପ୍ରକାଶ ମିଶ୍ର କହିଛନ୍ତି, ୫ଟି ସଚିବଙ୍କ ଉପରେ ହୋଇଥିବା କାଳିମାଡ଼ ଘଟଣାକୁ ବିଜେପି ଦୃଢ଼ ନିନ୍ଦା କରୁଛି। ୫ଟି ସଚିବକଙ୍କୁ କାଳିମାଡ଼ କରିଥିବା ବ୍ୟକ୍ତି (ଭାସ୍କର ସାହୁ) ବିଜେପିର ସରପଞ୍ଚ ପ୍ରାର୍ଥୀ ଥିଲେ ବୋଲି ବିଧାୟକ ଯାହା କହୁଛନ୍ତି, ତାହା ମିଛ। ଆମ ପାଖରେ ଥିବା ସୂଚନା ଅନୁଯାୟୀ, ସେ ବିଜେଡି ସମର୍ଥନରେ ଗତଥର ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। କିନ୍ତୁ ତାହା ସମ୍ଭବ ନହେବାରୁ ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିଲେ।

Puri Vk Pandian