Advertisment

ହିମାଚଳରେ ଭୁଶୁଡ଼ିବ କି କଂଗ୍ରେସ ସରକାର? ସାଂଘାତିକ ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ

କଂଗ୍ରେସର ୫ରୁ ୬ ଜଣ ବିଧାୟକଙ୍କୁ ପୁଲିସ୍‌ ଓ ସିରିଆରପିଏଫର କନଭୟ ସହ ହରିଆଣାକୁ ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି।

author-image
Hemant Lenka
HP

HP

ଗୋଟିଏ ପଟେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ ଚାଲିଥିବା ବେଳେ ଅନ୍ୟପଟେ ହମାଚଳ ପ୍ରଦେଶର କ୍ଷମତାସୀନ କଂଗ୍ରେସ ସରକାର ଉପରେ କଳାବାଦଲ ଘୋଟେଇ ଆସିଛି। ରାଜ୍ୟରେ କଂଗ୍ରେସ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବା ବିଜେପି ପକ୍ଷରୁ ଦାବି କରାଯାଇଛି। କଂଗ୍ରେସର ୬ ଜଣ ବିଧାୟକ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିବା ପରେ ବିଜେପି ଏପରି ଦାବି କରିଛି।

Advertisment

ବିଜେପିର ଏହି ଦାବି ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ। କଂଗ୍ରେସର ୫ରୁ ୬ ଜଣ ବିଧାୟକଙ୍କୁ ପୁଲିସ୍‌ ଓ ସିରିଆରପିଏଫର କନଭୟ ସହ ହରିଆଣାକୁ ଉଠାଇ ନିଆଯାଇଛି। ଏହା ପଛରେ ବିଜେପିର ହାତ ରହିଛି। ବିଜେପି ରାଜ୍ୟରେ କ୍ଷମତାସୀନ ସରକାରଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ରାଜ୍ୟସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ବିଜେପି ନେତାମାନେ ଯେଉଁ ଭଳି ଭାବେ ଗଣତି କରୁଥିବା ଅଧିକାରୀମାନଙ୍କୁ ଧମକ ଦେଉଛି, ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ସେମାନେ ଗଣତିକୁ ଦୀର୍ଘ ସମୟ ଧରି ବନ୍ଦ କରି ରଖିଥିଲେ। ମୁଁ ବିଜେପି ନେତାମାନଙ୍କୁ ଧୈର୍ଯ୍ୟ ଧରିବାକୁ ଅନୁରୋଧ କରୁଛି। ସେମାନେ କାହା ଉପରେ ଚାପ ପକାନ୍ତୁ ନାହିଁ। 

Advertisment

ହରିଆଣା ପୁଲିସ୍‌ ଓ ସିଆରପିଏଫର କନଭୟ ମଧ୍ୟରେ ୫ରୁ ୬ ଜଣ ବିଧାୟକଙ୍କୁ ଉଠାଇ ନିଆଯାଇଛି। ବିଧାୟକମାନଙ୍କ ପରିବାର ଲୋକ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଛନ୍ତି। ବିଧାୟକମାନେ ଘର ଲୋକଙ୍କ ସହ ଯୋଗାଯୋଗ କରନ୍ତୁ। ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଗଣତନ୍ତ୍ରରେ ଗୋଟିଏ ସରକାରର ଓ ଗୋଟିଏ ବିରୋଧୀ ରହିବା କଥା। ଏଠାରେ ଉଭୟ ଅଛନ୍ତି। କିନ୍ତୁ ବିରୋଧୀ ଦଳ ପକ୍ଷରୁ ଯେଉଁ ଭଳି ଭାବେ ଗୁଣ୍ଡାଗର୍ଦ୍ଦି କରାଯାଉଛି, ତା’କୁ କେବେ ହେଲେ ହିମାଚଳବାସୀ ଗ୍ରହଣ କରିବେ ନାହିଁ।”

କଂଗ୍ରେସର ୬ ଜଣ ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକ ଆଜି ରାଜ୍ୟସଭା ନିର୍ବାଚନରେ ବିଜେପି ପାଇଁ ଭୋଟିଂ କରିଛନ୍ତି। ସେମାନେ କ୍ରସ ଭୋଟିଂ କରିବା ସହ ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି। ସେମାନଙ୍କର ଏପରି ପଟ ପରିବର୍ତ୍ତନ ପରେ ବିଜେପି କ୍ଷମତାସୀନ କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି କହିଛି।

ବିରୋଧୀ ଦଳ ନେତା ତଥା ବିଜେପି ନେତା ଜୟରାମ ଠାକୁରଙ୍କୁ ସାମ୍ବାଦିକମାନେ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ସେ କହିଛନ୍ତି, “ଆସନ୍ତାକାଲି ଗୃହରେ ବଜେଟ ଉପସ୍ଥାପନ ହେବ। ଆମେ ବଜେଟ ଉପରେ ଆଲୋଚନା କରିବୁ। ଏହାପରେ ସ୍ଥିତିକୁ ଦେଖି ପଦକ୍ଷେପ ନେବୁ। କିନ୍ତୁ ମୁଁ ଦେଖି ପାରୁଛି ଯେ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି।”

ହିମାଚଳ ପ୍ରଦେଶର ୬୮ ଜଣ ବିଧାୟକଙ୍କ ମଧ୍ୟରୁ ୬୭ ଜଣ ରାଜ୍ୟସଭା ନିର୍ବାଚନରେ ଭାଗ ନେଇଛନ୍ତି। କଂଗ୍ରେସ ବିଧାୟକ ସୁଦର୍ଶନ ସିଂହ ବାବଲୋ ଅସୁସ୍ଥତା କାରଣରୁ ଭୋଟ ପ୍ରକ୍ରିୟାରେ ସାମିଲ ହୋଇ ନାହାନ୍ତି। କଂଗ୍ରେସର ଅଭିଷେକ ମନୁ ସିଙ୍ଘଭୀ ଓ ବିଜେପିର ହର୍ଷ ମହାଜନଙ୍କ ମଧ୍ୟରେ ଗୋଟିଏ ରାଜ୍ୟସଭା ସିଟ ପାଇଁ ଜୋରଦାର ଲଢ଼େଇ ହେଉଛି।

ମହାଜନ ୨୦୨୨ ସେପ୍ଟେମ୍ବର ମାସରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ରାଜ୍ୟର ୬୮ ଜଣ ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ପାଖରେ ୪୦ ଜଣ ବିଧାୟକ ରହିଛନ୍ତି। ସେହିପରି ସରକାରଙ୍କୁ ୩ ଜଣ ସ୍ୱାଧୀନ ବିଧାୟକ ସମର୍ଥନ କରୁଛନ୍ତି।

ବିଜେପି ପାଖରେ ମାତ୍ର ୨୫ ଜଣ ବିଧାୟକ ଥିଲେ ମଧ୍ୟ ଦଳ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେଇଛି। ବିଜେପିକୁ ପ୍ରାର୍ଥୀ ସପକ୍ଷରେ ମଧ୍ୟ ୬ ଜଣ କଂଗ୍ରେସ ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକ କ୍ରସ ଭୋଟିଂ କରିଛନ୍ତି।

Bjp Congress Himachal Pradesh