Advertisment

କମିବାରେ ଲାଗିଛି ଭୋଟିଂ ହାର, ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

୯୩ ଆସନ ପାଇଁ ହୋଇଥିବା ମତଦାନରେ ମୋଟ ୧୩୫୧ ଜଣ ପ୍ରାର୍ଥୀ ରହିଥିଲେ। ସେମାନଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍‌ ହୋଇ ଯାଇଛି। ଜୁନ ୪ରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।

author-image
Hemant Lenka
Vote

Vote

ଯେତେ ଯାହା କଲେ ମଧ୍ୟ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ଠାରୁ ଅନେକ ଲୋକ ଦୂରେଇ ରହୁଛନ୍ତି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭଳି ଆଜି ମଧ୍ୟ ତୃତୀୟ ପର୍ଯ୍ୟାୟରେ ମତଦାନ ହାର ହ୍ରାସ ପାଇଛି। ବଡ଼ବଡ଼ ସେଲେବ୍ରିଟୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ମତଦାନ କରିବାକୁ ଲୋକଙ୍କୁ ଅନୁରୋଧ କରୁଥିଲେ ହେଁ ଏହାର ପ୍ରଭାବ ଆଦୌ ପଡ଼ୁ ନାହିଁ।

Advertisment

ଆଜି ତୃତୀୟ ପର୍ଯ୍ୟାୟରେ ଭୋଟିଂ ହାର ୬୦% ସାମାନ୍ୟ ଅଧିକ ରହିଛି। ସନ୍ଧ୍ୟା ୭ଟା ସୁଦ୍ଧା ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ ଭୋଟିଂ ହାର ୬୦.୭୪% ରେକର୍ଡ ହୋଇଛି।

କିଛି ସ୍ଥାନରେ ଧାର୍ଯ୍ୟ ସମୟ ପରେ ମଧ୍ୟ ଭୋଟିଂ ଚାଲିଛି। ତେଣୁ ଭୋଟିଂ ହାର ସାମାନ୍ୟ ବଢ଼ିପାରେ। ହେଲେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ଭୋଟିଂ ହାରକୁ ଅତିକ୍ରମ କରିବା ଆଶା ବହୁତ କମ। ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହାର ୬୬.୧୪% ଓ ଦ୍ୱିତୀୟ ପର୍ଯ୍ୟାୟରେ ୬୬.୭୧% ମତଦାନ ହୋଇଥିଲା। ହେଲେ ଆଜି କେବଳ ୬୦.୭୪% ଭୋଟିଂ ହୋଇଛି।

Advertisment

୯୩ ଆସନ ପାଇଁ ହୋଇଥିବା ମତଦାନରେ ମୋଟ ୧୩୫୧ ଜଣ ପ୍ରାର୍ଥୀ ରହିଥିଲେ। ସେମାନଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍‌ ହୋଇ ଯାଇଛି। ଜୁନ ୪ରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।

ଆଜି ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ପୂର୍ବରୁ ମକ୍ ପୋଲିଂ ହୋଇଥିଲା। ଆଜି ତୃତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକା, ମଧ୍ୟପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଗୋଆ ଏବଂ ଦାଦ୍ରା ନଗର ହାବେଳୀ ଓ ଦାମନ ଡିଉ ପାଇଁ ଭୋଟ ଗ୍ରହଣ କରାଯାଇଛି।

ଗୁଜରାଟର ୨୬ରୁ ୨୫ ଲୋକସଭା ଆସନରେ ନିଆଯାଇଛି ଭୋଟ। ସୁରଟ ସିଟରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେବାରୁ ବିଜେପିର ମୁକେଶ ଦଲାଲ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ସେହିପରି କର୍ଣ୍ଣାଟକାର ୧୪, ମହାରାଷ୍ଟ୍ରର ୧୧, ତ୍ତରପ୍ରଦେଶର ୧୦, ମଧ୍ୟପ୍ରଦେଶର ୮, ଛତିଶଗଡ଼ ୭, ବିହାର ୫, ଆସାମ ଓ ପଶ୍ଚିମବଙ୍ଗର ୪ଟି ଲେଖାଏ ସିଟରେ ଲୋକମାନେ ମତାଧିକାର ସାବ୍ୟସ୍ତ କରିଛନ୍ତି।

ଆସାମରେ ୭୪.୮୬% ଭୋଟିଂ ହୋଇଥିବା ବେଳେ ବିହାରରେ ୫୬.୦୧%, ଛତିଶଗଡ଼ରେ ୬୬.୮୭%, ଦାଦ୍ର ନଗର ହାବେଳୀ, ଡାମନ ଡ୍ୟୁରେ ୬୫.୨୩%, ଗୋଆରେ ୭୨.୫୨%, ଗୁଜରାଟରେ ୫୫.୨୨%, କର୍ଣ୍ଣାଟକାରେ ୬୬.୦୫%, ମଧ୍ୟପ୍ରଦେଶରେ ୬୨.୨୮%, ମହାରାଷ୍ଟ୍ରରେ ୫୩.୪୦%, ଉତ୍ତର ପ୍ରଦେଶରେ ୫୫.୧୩% ଓ ପଶ୍ଚିମବଙ୍ଗରେ ୭୩.୯୩% ମତଦାନ ହୋଇଛି।

ତୃତୀୟ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ଇଭିଏମରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ପ୍ରହଲ୍ଲାଦ ଯୋଶୀ, ମନସୁଖ ମାଣ୍ଡଭୀୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ବହୁ ହେଭିୱେଟଙ୍କ ଭାଗ୍ୟ ସିଲ ହୋଇଛି। ଆଜି ଅହମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ସମେତ ବହୁ ଭିଭିଆଇପି ମଧ୍ୟ ଭୋଟ୍ ଦେଇଛନ୍ତି। ମୋଦି ଅହମଦାବାଦର ଗୋଟିଏ ବୁଥରେ ସକାଳୁ ସକାଳୁ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଛନ୍ତି।

ବାହାରକୁ ଆସି କଳା ସ୍ୟାହି ଲଗା ଆଙ୍ଗୁଠି ଦେଖାଇଥିଲେ ମୋଦି। ମତଦାନ କରି ଫେରି ଯିବା ପୂର୍ବରୁ ବୁଥ୍ ନିକଟରେ ଅପେକ୍ଷାରତ ସାଧାରଣ ଲୋକମାନଙ୍କୁ ଭେଟିଥିଲେ ଓ ଅଟୋଗ୍ରାଫ୍ ବି ଦେଇଥିଲେ। ତା’ସହିତ ମତଦାନ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ ହେବାକୁ ଅପିଲ୍ କରିଥିଲେ। ସେହିପରି ଅହମଦାବାଦରେ ସପରିବାର ଭୋଟ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତା’ପୂର୍ବରୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଗୁଜରାଟ ଗାନ୍ଧିନଗରରୁ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଛନ୍ତି ଶାହ।

ତୃତୀୟ ପର୍ଯ୍ୟାୟରେ ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ ଆସନରେ ଭୋଟଗ୍ରହଣ ହୋଇଛି। ସକାଳୁ ସକାଳୁ ବିଭିନ୍ନ ବୁଥରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ। ଯୁବ ଭୋଟରଙ୍କ ଭିତରେ ଜୋସ୍ ଭରି ରହିଥିଲା। ବୁଥ୍ ମୁହାଁ ହୋଇଥିଲେ ମହିଳା, ବୟସ୍କ,

ଦିବ୍ୟାଙ୍ଗ ଭୋଟର। ବିଭିନ୍ନ ଦଳର ବହୁ ହାଇପ୍ରୋଫାଇଲ୍ ନେତା ବି ମତଦାନ କରିଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଏନସିପି ଭେଟେରାନ୍ ଶରଦ ପାୱାର, ଝିଅ ସୁପ୍ରିୟା ସୁଲେଙ୍କ ଭଳି ବିରୋଧୀ ହେଭିୱେଟ୍ ଭୋଟ୍ ଦେଇଛନ୍ତି।

ପତ୍ନୀ ତଥା ମୈନପୁରୀରୁ ପ୍ରାର୍ଥୀ ଡିମ୍ପଲ ଯାଦବଙ୍କ ସହ ଆସି ଭୋଟ୍ ଦେଇଥିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଏମାନଙ୍କ ବ୍ୟତୀତ ଅହମଦାବାଦରେ ମତାଧିକାର ସାବ୍ୟସ୍ତ କରିଛନ୍ତି ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସସେନା, ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଅଦାନୀ ଓ ପରିବାର। ମହାରାଷ୍ଟ୍ର ଲାଟୁରରେ ଭୋଟ ଦେଇଛନ୍ତି ସେଲିବ୍ରିଟୀ କପୁଲ ରିତେଶ ଦେଶମୁଖ ଓ ଜେନିଲିଆ ଡିସୁଜା। କ୍ରିକେଟ ତାରକା ରବୀନ୍ଦ୍ର ଜାଡେଜା ଓ ତାଙ୍କ ପତ୍ନୀ ରେଭବା ଗୁଜରାଟରେ ଭୋଟ ଦେଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଜରାଟରେ ଗୋଡ଼ରେ ଭୋଟ୍ ଦେଇଛନ୍ତି ଜଣେ ଦିବ୍ୟାଙ୍ଗ ଭୋଟର। ମତଦାନ ପ୍ରକ୍ରିୟାରେ ନିଜକୁ ସାମିଲ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଅଙ୍କିତ ସୋନି। ୨୦ ବର୍ଷ ତଳେ ବିଦ୍ୟୁତ ଆଘାତରେ ଦୁଇ ହାତ ହରାଇଥିଲେ। ସେପଟେ ଆସାମରେ ଭୋଟ୍ ଦେବାକୁ ଡଙ୍ଗା ସାହାଯ୍ୟରେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଧୋବି ଘାଟର ମତଦାତା। କାଁ ଭାଁ କେଉଁଠି ଗଣ୍ଡଗୋଳକୁ ଛାଡିଦେଲେ ପ୍ରବଳ ଉତ୍ସାହ ଭିତରେ ସାରା ଦେଶରେ ଶାନ୍ତିଶୃଙ୍ଖଳାର ସହ ତୃତୀୟ ପର୍ଯ୍ୟାୟ ଭୋଟିଂ ସରିଛି।

ଏତେ ସବୁ ପରେ ମଧ୍ୟ ଭୋଟିଂ ହାର ଆଦୌ ଆଶାଜନକ ନାହିଁ। ତେଣୁ ୪ର୍ଥ ପର୍ଯ୍ୟାୟରେ ଅଧିକରୁ ଅଧିକ ଭୋଟ ଦାନ କରିବାକୁ ଆସନ୍ତୁ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

Vote Target Lok Sabha Election 2024