Advertisment

ରାଜ୍ୟର ୬୪ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା, ଜଣଙ୍କ ନାଁରେ ଅଛି ଦୁଷ୍କର୍ମ ଅଭିଯୋଗ

୬୪ ଜଣ ବିଧାୟକଙ୍କ ନାଁରେ ଅପରାଧିକ ମାମଲା ଥିବା ବେଳେ ସେମାନଙ୍କ ମଧ୍ୟରୁ ୪୬ ଜଣଙ୍କ ନାଁରେ ଗମ୍ଭୀର ଅଭିଯୋଗ ରହିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Leader

Leader

ଓଡ଼ିଶାର ୬୪ ଜଣ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା। ସେମାନଙ୍କ ମଧ୍ୟରୁ ଜଣେ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ରହିଛି। ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ ବା ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ରହିଛି ଏହି ତଥ୍ୟ।

Advertisment

ଦେଶର ୨୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ବିଧାୟକଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ଘୋଷଣା କରାଯାଇଥିବା ଅପରାଧିକ ପୃଷ୍ଠଭୂମି ବିବରଣୀକୁ ବିଶ୍ଳେଷଣ କରାଯାଇ ଏଡିଆର ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଏହି ରିପୋର୍ଟ ଅନୁସାରେ, ଓଡ଼ିଶାର ୧୪୫ ଜଣ ବିଧାୟକଙ୍କ ବିବରଣୀଙ୍କୁ ବିଶ୍ଲେଷଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୬୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ଅର୍ଥାତ୍ ରାଜ୍ୟର ୪୪% ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୪୬ ଜଣ ବିଧାୟକଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି। ଅର୍ଥାତ୍ ୩୨% ବିଧାୟକଙ୍କ ନାଁରେ ଗମ୍ଭୀର ଅପରାଧିକ ମାମଲା ରହିଛି।

Advertisment

ଓଡ଼ିଶାର ୨ ଜଣ ବିଧାୟକଙ୍କ ନାଁରେ ହତ୍ୟା, ୧୧ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ଏବଂ ୧୨ ଜଣଙ୍କ ବିରୋଧରେ ମହିଳାଙ୍କ ପ୍ରତି କରାଯାଇଥିବା ଅପରାଧ ମାମଲା ରହିଛି। ଜଣେ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ମଧ୍ୟ ପଞ୍ଜୀକୃତ ହୋଇଛି।

ଏଡିଆର ତଥ୍ୟ ଅନୁସାରେ, ବିଜେଡିର ୧୧୩ ଜଣ ବିଧାୟକଙ୍କ ସତ୍ୟପାଠ ତଥ୍ୟକୁ ବିଶ୍ଳେଷଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେହିପରି ଏହି ୪୫ ଜଣଙ୍କ ମଧ୍ୟରୁ ୩୨ ଜଣଙ୍କ ନାଁରେ ଗମ୍ଭୀର ଅପରାଧିକ ମାମଲା ରହିଛି।

ଦେଶର ୨୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ମୋଟ ୧୩୫୬ ଜଣ ବିଜେପି ବିଧାୟକଙ୍କ ତଥ୍ୟକୁ ବିଶ୍ଳେଷଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୭୯ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେହି ୪୭୯ ଜଣଙ୍କ ମଧ୍ୟରୁ ୩୩୭ ଜଣଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି। 

ସେହିପରି  କଂଗ୍ରେସ ୭୧୯ ଜଣ ବିଧାୟକଙ୍କ ତଥ୍ୟକୁ ବିଶ୍ଳେଷଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେହି ୩୩୪ ଜଣଙ୍କ ମଧ୍ୟରୁ ୧୯୪ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି।  

BjD Odisha Mlas ADR