ପ୍ରଥମ ପର୍ଯ୍ୟାୟରେ ୬୫.୦୩% ମତଦାନ: ବ୍ରହ୍ମପୁର ବିଧାନସଭାରେ ସବୁଠୁ କମ୍ ୫୪.୧୪%, ନବରଙ୍ଗପୁର ସର୍ବାଧିକ ୭୩.୪୪%

ପ୍ରଥମ ପର୍ଯ୍ୟାୟରେ ଆପାତତଃ ମୋଟ ୬୫.୦୩ପ୍ରତିଶତ ଭୋଟ୍ ପଡ଼ିଥିବାବେଳେ ବ୍ରହ୍ମପୁର ବିଧାନସଭାରେ ସବୁଠୁ କମ୍ ୫୪.୧୪% ଓ ନବରଙ୍ଗପୁର ବିଧାନସଭା ଆସନରେ ସର୍ବାଧିକ ୭୩.୪୪% ଭୋଟ୍ ପଡ଼ିଛି ।

representational image

  • Published: Monday, 13 May 2024
  • , Updated: 13 May 2024, 10:41 PM IST

କାଁ ଭାଁ ଗଣ୍ଡଗୋଳ ଓ ବୁଥ ରିଗିଂ ଅଭିଯୋଗ ମଧ୍ୟରେ ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆପାତତଃ ମୋଟ ୬୫.୦୩ପ୍ରତିଶତ ଭୋଟ୍ ପଡ଼ିଥିବାବେଳେ ବ୍ରହ୍ମପୁର ବିଧାନସଭାରେ ସବୁଠୁ କମ୍ ୫୪.୧୪% ଓ ନବରଙ୍ଗପୁର ବିଧାନସଭା ଆସନରେ ସର୍ବାଧିକ ୭୩.୪୪% ଭୋଟ୍ ପଡ଼ିଛି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ରାତି ୧୦ଟା ୩୦ ସୁଦ୍ଧା ଓଡ଼ିଶାର ଭୋଟହାର ପରିମାଣ ଏହା ରହିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, ନବରଙ୍ଗପୁର,କୋରାପୁଟ ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ହୋଇଛି । ଅଳ୍ପ କିଛି ସ୍ଥାନରେ ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍‌, ବାଲାଟ ୟୁନିଟ୍ ଓ ଭିଭିପାଟରେ ତ୍ରୁଟି ଦେଖାଦେବାରୁ ମତଦାନ ସ୍ୱଳ୍ପ ସମୟ ପାଇଁ ବାଧାପ୍ରାପ୍ତ ରହିଥିଲା ।  କୋରାପୁଟ ଜିଲ୍ଲାର କୋଟିଆ ଅଂଚଳରେ ଚଳିତଥର ରେକର୍ଡ ପରିମାଣର ମତଦାନ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଏଠାର ୯ଟି ବୁଥରେ ମୋଟ ୭୬ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି।

ନିର୍ବାଚନ କମିଶନଙ୍କ ଆପ୍ ଅନୁସାରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ୬୧.୧୪%, କଳାହାଣ୍ଡିରେ ୬୮.୫୦%,କୋରାପୁଟରେ ୬୧.୪୩% ଓ ନବରଙ୍ଗପୁର ଲୋକସଭା ଆସନରେ ୬୮.୭୪% ମତଦାନ ହୋଇଛି । ସେହିପରି ବ୍ରହ୍ମପୁର ବିଧାନସଭା ଆସନରେ ୫୪.୧୪% ଭୋଟ ପଡ଼ିଥିବାବେଳେ ଭବାନୀପାଟଣାରେ ୬୨.୦୨%, ବିଷମକଟରେ ୬୭.୯୯%, ଛତ୍ରପୁରରେ ୫୪.୬୫%, ଚିକିଟିରେ ୬୦.୦୪%, ଚିତ୍ରକୋଣ୍ଡାରେ ୬୫.୦୧%, ଡାବୁଗାଁରେ ୭୧.୩୦%, ଦିଗପହଣ୍ଡିରେ ୬୨.୭୩%, ଗୁଣୁପୁରରେ ୫୭.୪୪%, ଜୟପୁରରେ୬୬.୫୮%, ଖଡ଼ିଆଳରେ ୭୨.୫୭%, ଜୋରାପୁଟରେ ୬୫.୬୭%, ଲକ୍ଷ୍ମୀପୁରରେ ୫୮.୬୬% ଓ ମାଲକାନଗିରି ବିଧାନସଭାରେ ୬୬.୬୦% ମତଦାନ ହୋଇଛି । ଏହି ଆପାତତଃ ମତଦାନ ହାର ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ଆପରେ ଅପଡେଟ୍ ହୋଇଥିବା ତଥ୍ୟ ଉପରେ ପର୍ଯ୍ୟବେସିତ । ଏହି ମତଦାନ ହାର ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Related story