Advertisment

ମହିଳାଙ୍କ ବିରୁଦ୍ଧରେ ହିଂସା: ରାଜ୍ୟପାଳଙ୍କୁ ଫେରାଦ ହେଲେ ୮ଟି ରାଜନୀତିକ ଦଳ, ନ୍ୟାୟିକ ତଦନ୍ତ କମିଶନ ଗଠନ ଦାବି

କଂଗ୍ରେସ ନେତୃତ୍ୱରେ ୮ଟି ରାଜନୀତିକ ଦଳର ରାଜ୍ୟସ୍ତରୀୟ ନେତାମାନେ ରାଜଭବନ ଯାଇ ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟିଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେବା ସହ ପୁଲିସ ବ୍ୟବସ୍ଥାରେ ରାଜନୀତିକ ହସ୍ତକ୍ଷେପ ବନ୍ଦ କରିବାକୁ ଦାବି କରିଛନ୍ତି ।

author-image
Ordigital Desk
Cong

Cong

ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ବିରୋଧୀ ହିଂସା ପ୍ରସଙ୍ଗରେ ରାଜ୍ୟର ୮ଟି ବିରୋଧୀ ଦଳ ଏକଜୁଟ ହୋଇ ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି । ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ଜଣେ ମହିଳା ବିଚାରପତିଙ୍କ ନେତୃତ୍ୱରେ ରାଜ୍ୟରେ ଏକ ନ୍ୟାୟିକ ତଦନ୍ତ କମିଶନ ଗଠନ କରିବାକୁ ମଧ୍ୟ ଦାବି କରିଛନ୍ତି ।

Advertisment

କଂଗ୍ରେସ ନେତୃତ୍ୱରେ ୮ଟି ରାଜନୀତିକ ଦଳର ରାଜ୍ୟସ୍ତରୀୟ ନେତାମାନେ ରାଜଭବନ ଯାଇ ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟିଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେବା ସହ ପୁଲିସ ବ୍ୟବସ୍ଥାରେ ରାଜନୀତିକ ହସ୍ତକ୍ଷେପ ବନ୍ଦ କରିବାକୁ ଦାବି କରିଛନ୍ତି । ରାଜ୍ୟରେ ମହିଳା ପାଇଁ ନ୍ୟାୟିକ ତଦନ୍ତ କମିଶନ ଗଠନ କରାଗଲେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧର କାରଣ ଓ ବ୍ୟବସ୍ଥାଗତ  ବିଫଳତାର ତଦନ୍ତ କରି ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରାଯାଇପାରିବ ବୋଲି ଏହି ପ୍ରତିନିଧି ଦଳ ଦାବି ରଖିଛନ୍ତି । ଏହାସହିତ ରାଜ୍ୟରେ ସଂସ୍ଥାଗତ ସୁଧାର ଆଣିବା ପାଇଁ ଓଡ଼ିଶା ରାଜ୍ୟ ମହିଳା ଆୟୋଗରେ ତୁରନ୍ତ ଅଧ୍ୟକ୍ଷା ନିଯୁକ୍ତି , ମହିଳା ସମ୍ପର୍କିତ ୧୧ହଜାରରୁ ଅଧିକ ଅଭିଯୋଗର ତୁରନ୍ତ ସମାଧାନ, ମହିଳା ପୁଲିସ ଷ୍ଟେସନ ଓ ଟୋଲ-ଫ୍ରି ହେଲପଲାଇନ ଆରମ୍ଭ ନିମନ୍ତେ ସେମାନେ ଦାବି ଜଣାଇଛନ୍ତି । ମହିଳାଙ୍କ ବିରୁଦ୍ଧରେ  ହେଉଥିବା ଅପରାଧିକ ମାମଲା ୬ ମାସ  ସମୟସୀମା ମଧ୍ୟରେ ସମାଧାନ , ମହିଳା ଅପରାଧିକ ମାମଲାରେ ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ୮.୩%ରୁ ବଢ଼ାଇ ଜାତୀୟ ହାର ୨୬.୬% ପର୍ଯ୍ୟନ୍ତ ପହଂଚିବା ପାଇଁ ମଧ୍ୟ ଦାବି ହୋଇଛି ।  ପୁଲିସକୁ ଯୌନ ଅପରାଧ ମାମଲାରେ ସମ୍ବେଦନଶୀଳ ତଦନ୍ତ ପାଇଁ ତାଲିମ ଦିଆଯିବା ସହ କମ୍ୟୁନିଟି ପୁଲିସ୍ ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ଦାବି ହୋଇଛି ।

ଏହି ପ୍ରତିନିଧି ଦଳରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଜୟଦେବ ଜେନା, କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ତାରାପ୍ରସାଦ ବାହିନୀପତିଙ୍କ ସମେତ ସିପିଆଇ ନେତା ପ୍ରଶାନ୍ତ କୁମାର ମିଶ୍ର ଓ ଜୟନ୍ତ ଦାସ, ସିପିଆଇ(ଏମ) ରାଜ୍ୟ ସଂପାଦକ ସୁରେଶ ଚନ୍ଦ୍ର ପଣିଗ୍ରାହୀ, ସିପିଆଇ(ଏମଏଲ)-ଲିବେରେସନର ରାଜ୍ୟ ସଂପାଦକ ଯୁଧିଷ୍ଠିର ମହାପାତ୍ର, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଏସପି ରାଜ୍ୟ ସାଧାରଣ ସଂପାଦକ ପ୍ରତାପ ବାରିକ, ଆରଜେଡି ରାଜ୍ୟ ସାଧାରଣ ସଂପାଦକ ହେମନ୍ତ କୁମାର ପ୍ରମୁଖ ଏହି ପ୍ରତିନିଧି ଦଳ ରେ ନେତୃତ୍ୱ ନେଇଥିଲେ ।

Advertisment