Advertisment

କଂଗ୍ରେସର ୯ ବିଧାୟକ, କିନ୍ତୁ ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଚିରଞ୍ଜୀବୀ

‘ଆମ ଦଳରେ ଯିଏ ପିସିସି ସଭାପତି ହେବ, ସିଏ କାହାକୁ ପଚାରିବ ନାହିଁ।’

ଅଦ୍ୟତନ ହୋଇଛି
Chiranjib Biswal

Chiranjib Biswal

Advertisment

‘ଓଡ଼ିଶା ବିଧାନସଭାରେ କଂଗ୍ରେସରୁ ବର୍ତ୍ତମାନ ୯ ଜଣ ବିଧାୟକ ଅଛନ୍ତି। କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ଦିନକୁ ଦିନ ଏ ସଂଖ୍ୟା ବଢ଼ିବାରେ ଲାଗିଛି।’ ଦଳର ନେତୃତ୍ୱକୁ ଆଜି ଏମିତି ଢଙ୍ଗରେ ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ। ‘ଜାନକୀ ବାବୁ ଓ ବସନ୍ତବାବୁ ଯୋଡ଼ି- ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୋଗ’ ଆଲୋଚନାଚକ୍ରରେ ଭାଗ ନେଇ ଶ୍ରୀ ବିଶ୍ୱାଳ ବର୍ତ୍ତମାନ କଂଗ୍ରେସରେ ଦେଖାଇଥିବା ଗୋଷ୍ଠୀ କନ୍ଦଳର ଗୁମର ବର୍ଣ୍ଣନା କରିଥିବା ବେଳେ ୧୯୮୦ ମସିହାରେ ଥିବା ସୁବର୍ଣ୍ଣ ଯୁଗ ଗାଥାକୁ ମନେ ପକାଇଥିଲେ।

Advertisment

ଚରଞ୍ଜୀବୀ ବିଶ୍ୱାଳ କହିଥିଲେ, ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେଉଁ କଂଗ୍ରେସ ନେତାମାନେ ଦଳ ପାଇଁ ଲଢ଼େଇ କରିଛନ୍ତି, ସେମାନଙ୍କୁ ଏକଜୁଟ୍‌ କରିବାର ସମୟ ଆସିଛି। ୧୯୭୭ ମସିହାରେ ଜରୁରୀକାଳୀନ ପରିସ୍ଥିତି ପରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟରେ ହାରି ଯାଇଥିଲା। ସେହି ସମୟରେ ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକ ରାଜ୍ୟର ବହୁ ନିର୍ବାଚନମଣ୍ଡଳୀରେ ବୁଲି ବହୁ ଯୁବକଙ୍କୁ ରାଜନୀତିକୁ ଆଣିଥିଲେ। ଯାହାଫଳରେ ୧୯୮୦ ମସିହାରେ କେନ୍ଦ୍ରରେ ଶ୍ରୀମତୀ ଇନ୍ଦିରା ଗାନ୍ଧି ଓ ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକ ନେତୃତ୍ୱରେ କଂଗ୍ରେସ ସରକାର ଆସିଥିଲା। ବହୁ ଯୁବକ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ। ମନ୍ତ୍ରୀ ମଧ୍ୟ ହୋଇଥିଲେ। ୧୯୮୦ରୁ ୧୯୯୦ ଓ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ ସମୟରେ ସେମାନେ ଆଜି ପର୍ଯ୍ୟନ୍ତ ନିର୍ବାଚନରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି।

ସେ କହିଥିଲେ, ୧୯୮୦ ମସିହାରେ ‘ହଜାରେ ଦିନର ହଜାରେ ଶିଳ୍ପ’ ନାରା ଦେଇଥିଲେ ଜାନକୀବାବୁ। ଯାହାଫଳରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଜଗତପୁର ଶିଳ୍ପାଞ୍ଚଳ, ଗୋଳାବାରୁଦ ଫ୍ୟାକ୍ଟ୍ରୀ ଓ ନାଲ୍‌କୋ ପରି ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା। ବହୁ ବୃହତ୍ତ ଜଳସେଚନ ପ୍ରକଳ୍ପ, ଓଭରବ୍ରିଜ୍‌ ଓ ରିଙ୍ଗ ରୋଡ୍‌ ନିର୍ମାଣ କରାଯାଇଥିଲା।

Advertisment

ଚିରଞ୍ଜୀବୀ ବିଶ୍ୱାଳ ଆହୁରି କହିଥିଲେ, ୨୦୦୦ ମସିହାରୁ ନବୀନ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଆସୁଛନ୍ତି। ଯେଉଁ ପିଲାମାନେ ୨୦୦୦ ମସିହାରେ ଜନ୍ମଗ୍ରହଣ କରିଥିଲେ, ସେମାନଙ୍କୁ ଏବେ ୨୩ ବର୍ଷ ହେଲାଣି। ସେମାନେ ନବୀନ ପଟ୍ଟନାୟକଙ୍କ ଛଡ଼ା ଆଉ କିଛି ଶୁଣୁ ନାହାନ୍ତି। ୧୯୭୭ ମସିହାରେ କଂଗ୍ରେସ ଯେଉଁ ଭଳି ପରିସ୍ଥିତିରେ ଥିଲା, ତା’ଠାରୁ ଆହୁରି ଖରାପ ପରିସ୍ଥିତିରେ ଏବେ ରହିଛି। ଯେଉଁ କଠିନ ପରିଶ୍ରମ ଓ ନେତୃତ୍ୱର ଆବଶ୍ୟକତା ରହିବା କଥା, ଦୁଃଖର ସହ କହିବାକୁ ଚାହୁଁଛି ତାହା ବର୍ତ୍ତମାନ କଂଗ୍ରେସରେ ନାହିଁ। ତା’ର ଅର୍ଥ ନୁହେଁ କଂଗ୍ରେସ ଉନ୍ନତି କରିପାରିବ ନାହିଁ, ସଙ୍ଗଠିତ ହୋଇପାରିବ ନାହିଁ ବା ଆଗକୁ ଯାଇ ପାରିବ ନାହିଁ। ଏବେ ଆମ ଦଳର ବିଧାୟକଙ୍କ ସଂଖ୍ୟା କମି ଯାଉଛି। ୧୯୯୦ ମସିହାରେ ୧୦ ଜଣ ବିଧାୟକ ଆସିଥିଲେ। ଜାନକୀବାବୁ, ବସନ୍ତବାବୁ, ନିରଞ୍ଜନବାବୁ ଓ ଅନ୍ୟ ପୁରୁଖା ନେତାମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ୧୯୯୫ ମସିହାରେ କଂଗ୍ରେସ ପୁଣି ଥରେ ସରକାରକୁ ଆସିଥିଲା ବୋଲି ଶ୍ରୀ ବିଶ୍ୱାଳ କହିଥିଲେ।

କଂଗ୍ରେସର ବର୍ତ୍ତମାନ ସ୍ଥିତିକୁ ମନେ ପକାଇ ଶ୍ରୀ ବିଶ୍ୱାଳ କହିଥିଲେ, ଆଜି ଓଡ଼ିଶା ବିଧାନସଭାରେ ୯ ଜଣ ବିଧାୟକ ଅଛନ୍ତି। ଆଗାମୀ ଦିନରେ କେତେ ରହିବ, ତାହା କହିହେବ ନାହିଁ। ୯ ଜଣ ବିଧାୟକରେ ଆମର ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ଦିନକୁ ଦିନ ନମ୍ୱର ବଢ଼ି ଚାଲିଛି। କଂଗ୍ରେସର ଆଉ ଲଢ଼ିବା ମନୋବୃତ୍ତି ନାହିଁ। ଜଣେ ହେଲେ ଯୁବକ କଂଗ୍ରେସ ପ୍ରତି ଆକୃଷ୍ଟ ହୋଇ ଆସୁନାହାନ୍ତି। ତେଣୁ ଯୁବକମାନଙ୍କୁ ଆକୃଷ୍ଟ କରିବାର ସମୟ ଆସିଛି। ଯେଉଁ ଯୁବକମାନେ କଂଗ୍ରେସରେ ଆକ୍ଟିଭ ହୋଇ ଅଛନ୍ତି, ସେମାନ ସଠିକ ସୁଯୋଗ ଦିଆଯାଉ ନାହିଁ। କଂଗ୍ରେସର ବଡ଼ ରୋଗ ହେଉଛି, ଜଣେ ଲୋକ ନିର୍ବାଚନମଣ୍ଡଳୀରେ ସଙ୍ଗଠନ ସୁଦୃଢ଼ କରିବ କିନ୍ତୁ ଅନ୍ୟ ଜଣେ ଟିକେଟ ନେଇଯିବ। ମୋତେ ଏବେ ସନ୍ଦେହ ହେଉଛି, ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀ ପାଇଁ ସଠିକ ପ୍ରାର୍ଥୀ ମିଳିବେ କି ନାହିଁ।

ସେ କହିଥିଲେ, ଯେଉଁ ରାଜନୈତିକ ଇଚ୍ଛାଶକ୍ତି ଜାନକୀବାବୁ, ବସନ୍ତବାବୁ ଓ ନିରଞ୍ଜବାବୁଙ୍କର ଥିଲା, ତାହା ଏବେ ଆଉ ନାହିଁ। କଂଗ୍ରେସ ହାରିବ ବୋଲି ମୂଳରୁ ପ୍ରସ୍ତୁତ ହୋଇ ରହିଛି। ନୂଆ ପିଲାମାନେ କଂଗ୍ରେସକୁ ଆସିବା ପାଇଁ ମନସ୍ତ କରୁନାହାନ୍ତି। ଦଳ ମଧ୍ୟ ଚେଷ୍ଟା କରୁନାହିଁ। ଆମ ଦଳର ଗୋଟିଏ ପୁରୁଣା ରୋଗ ଅଛି, ଯିଏ ପିସିସି ସଭାପତି ହେବ, ସିଏ କାହାକୁ ପଚାରିବ ନାହିଁ। ପିସିସି ସଭାପତି ନହେବା ଯାଏଁ ସବୁ ଠିକ୍‌, ହୋଇଗଲା ପରେ ବଦଳି ଯାଆନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଥିଲେ। 

Congress Congress Mla Odisha Congress Chiranjib Biswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe