ପ୍ରଚାର ସରିଲା: ଶନିବାର ଭୋଟ୍‌, ୪୬୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯.୬୧ଲକ୍ଷ ଭୋଟର

୧୪୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କରାଯିବ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ

  • Published: Thursday, 30 May 2024
  • , Updated: 30 May 2024, 06:50 PM IST

ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଏହି ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ବିଧାନସଭା ଆସନରେ ମତଦାନ ଶନିବାର ହେବ । ୪୬୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ମୋଟ ୯୯ଲକ୍ଷ ୬୧ହଜାର ୫୭ଜଣ ଭୋଟର ନିର୍ଦ୍ଧାରଣ କରିବେ । ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ରାଜ୍ୟ ପୁଲିସ ବ୍ୟତୀତ ୧୨୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ମୋଟ ୧୦୮୮୨ଟି ମତଦାନ କେନ୍ଦ୍ରରେ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ।

ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ୬ଟି ସଂସଦୀୟ କ୍ଷେତ୍ର ଯଥା-ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମେତ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ଶନିବାର ମତଦାନ ହେବ । ଏହି ପର୍ଯ୍ୟାୟରେ ବିଧାନସଭାର ୩୯୪ଜଣ ଓ ଲୋକସଭାର ୬୬ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି । ୫୦.୮୮ଲକ୍ଷ ପୁରୁଷ ଓ ୪୮.୭୨ଲକ୍ଷ ମହିଳା ଓ ୬୮୭ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ପ୍ରଥମଥର ପାଇଁ ୧୮-୧୯ବର୍ଷ ବୟସର ୨.୫୭ଲକ୍ଷ ଭୋଟର ନିଜର ମତାଦନ କରିବେ । ଏହି ପର୍ଯ୍ୟାୟରେ ୨୦-୨୯ବର୍ଷ ବୟସର ୨୦.୫୧ଲକ୍ଷ ଯୁବ ଭୋଟର ରହିଛନ୍ତି ।

୧୪୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କରାଯିବ । ଏହି ଶେଷ ପର୍ଯ୍ୟାୟରେ ମୋଟ ୭୨ହଜାର ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଜଣେ ଲେଖାଏଁ ସ୍ୱେଚ୍ଛାସେବୀ ଓ ଆଶାକର୍ମୀ ନିୟୋଜିତ ହୋଇଛନ୍ତି । ଏହି ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ୧୩୪୬୨ଟି ବାଲାଟ ୟୁନିଟ୍ ଓ ବିଧାନସଭା ପାଇଁ ୧୪୧୨୨ଟି ବାଲାଟ୍ ୟୁନିଟର ବ୍ୟବସ୍ଥଶ ହୋଇଛି।

ଶେଷ ପର୍ଯ୍ୟାୟରେ ୬ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ରାଜ୍ୟର ୮ଟି ଜିଲ୍ଲା ଅନ୍ତର୍ଗତ ରହିଛି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୨୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ପୁରୀ ଜିଲ୍ଲାର ୨ଟି ବିଧାନସଭା କ୍ଷେତ୍ରରେ ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି ।

Related story