Advertisment

କେନ୍ଦ୍ରରେ 99% କୋଟିପତି ମନ୍ତ୍ରୀ

ପେମାସାନିଙ୍କ ପାଖରେ 5, 705 କୋଟି ଟଙ୍କାର ସମ୍ପତ୍ତି ରହିଛି। ସେ ଆମେରିକାରେ ଡାକ୍ତରୀ ପରୀକ୍ଷା ପାଇଁ ଏକ ଅନଲାଇନ୍ କୋର୍ସ କମ୍ପାନୀ ଗଢ଼ି ଏତେ ସମ୍ପତ୍ତିର ମାଲିକ ହୋଇଛନ୍ତି।

author-image
Ordigital Desk
Modi

Modi

କେନ୍ଦ୍ର କ୍ୟାବିନେଟରେ ସାରା ଦେଶରୁ 72ଜଣ ନେତା ସ୍ଥାନ ପାଇଥିବାବେଳେ ଏଥିରୁ 99 ପ୍ରତିଶତ ହେଉଛନ୍ତି କୋଟିପତି। ଏମାନଙ୍କ ମଧ୍ୟରୁ 6ଜଣ 100 କୋଟିରୁ ଅଧିକ ସମ୍ପତ୍ତିର ମାଲିକ। ଏମାନଙ୍କ ଭିତରେ ସବୁଠାରୁ ଆଗରେ ଅଛନ୍ତି- ତେଲଗୁ ଦେଶମ ପାର୍ଟି ବା ଟିଡିପିରୁ ଆନ୍ଧ୍ରର ଗୁଣ୍ଟୁର ଆସନରୁ ବିଜୟୀ ହୋଇଥିବା ସାଂସଦ ଡାକ୍ତର ପେମାସାନି ଚନ୍ଦ୍ରଶେଖର। ପେମାସାନିଙ୍କ ପାଖରେ 5, 705 କୋଟି ଟଙ୍କାର ସମ୍ପତ୍ତି ରହିଛି। ସେ ଆମେରିକାରେ ଡାକ୍ତରୀ ପରୀକ୍ଷା ପାଇଁ ଏକ ଅନଲାଇନ୍ କୋର୍ସ କମ୍ପାନୀ ଗଢ଼ି ଏତେ ସମ୍ପତ୍ତିର ମାଲିକ ହୋଇଛନ୍ତି।

Advertisment

ପେମାସାନି ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗ୍ରାମ୍ୟ ଉନ୍ନୟନ ଓ ସଂଚାର ରାଷ୍ଟ୍ର ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ତାଙ୍କ ପରେ ସମ୍ପତ୍ତିରେ ଦ୍ବିତୀୟ ସ୍ଥାନରେ ଅଛନ୍ତି କେନ୍ଦ୍ର ସଂଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ। ମଧ୍ୟପ୍ରଦେଶ ଗୁନାରୁ ଜିତିଥିବା ସିନ୍ଦିଆଙ୍କ ପାଖରେ 424 କୋଟି ଟଙ୍କାର ସମ୍ପତ୍ତି ରହିଛି। ତୃତୀୟ ସ୍ଥାନରେ ଅଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଇସ୍ପାତ ଓ ଭାରୀଶିଳ୍ପ ମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀ। କୁମାରସ୍ବାମୀଙ୍କ ପାଖରେ 217 କୋଟି ଟଙ୍କାର ସମ୍ପତ୍ତି ରହିଛି।

ଚତୁର୍ଥ ସ୍ଥାନରେ ଅଛନ୍ତି ଓଡ଼ିଶାରୁ ଯାଇଥିବା ରାଜ୍ୟସଭା ସାଂସଦ ତଥା ବର୍ତ୍ତମାନର ରେଳ, ସୂଚନା-ପ୍ରସାରଣ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ବୈଷ୍ଣବଙ୍କ ପାଖରେ 144 କୋଟି ଟଙ୍କାର ସମ୍ପତ୍ତି ରହିଛି। ହରିୟାଣା ଗୁରଗାଓଁରୁ ଆସିଥିବା କେନ୍ଦ୍ର ପରିସଂଖ୍ୟାନ ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହଙ୍କ ପାଖରେ 121 କୋଟି ଟଙ୍କାର ସମ୍ପତ୍ତି ରହିଛି। ମହାରାଷ୍ଟ୍ର ଉତ୍ତର ମୁମ୍ବାଇରୁ ଆସିଥିବା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ପାଖରେ 110 କୋଟି ଟଙ୍କାର ସମ୍ପତ୍ତି ରହିଛି।

Advertisment

ଅନ୍ୟପଟରେ କେନ୍ଦ୍ର ମନ୍ତ୍ରୀମାନଙ୍କ ଭିତରୁ 19 ଜଣ ମନ୍ତ୍ରୀଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି। 5 ବର୍ଷରୁ ଅଧିକ ଦଣ୍ଡ ମିଳିବାର ଆଶଙ୍କା ଥିବା ମାମଲାକୁ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍‌ ବା ଏଡିଆର ପକ୍ଷରୁ ଗୁରୁତର ଅପରାଧ ମାମଲା ବୋଲି ଦର୍ଶାଯାଇଛି। ଏଥର କ୍ୟାବିନେଟରେ 72ଜଣ ମନ୍ତ୍ରୀଙ୍କ ଭିତରୁ 7ଜଣ ଅର୍ଥାତ୍ 10 ପ୍ରତିଶତ ମହିଳା ମନ୍ତ୍ରୀ ଥିବା ଦେଖାଯାଇଛି।---ଭୁବନେଶ୍ବରରୁ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ, ଓଡ଼ିଶା ରିପୋର୍ଟର।

PM Modi Modi Modi 3.0