Advertisment

ବ୍ୟୁହ ରଚିଲେଣି ବିଜେଡିର ଗୋଟିଏ ଗୋଷ୍ଠୀ; ଫସିଯିବେ କି ବିଧାୟକ ପର୍ଶୁରାମ ଧଡ଼ା?

ବିଧାୟକ ବିରୋଧୀ ଗୋଷ୍ଠୀ ଆଜି ଜନ ସମ୍ପର୍କ ପଦଯାତ୍ରା କରିଛନ୍ତି। ସୋର ବ୍ଲକ୍‌ ଉପାଧ୍ୟକ୍ଷ ଭ୍ରମରବର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପଦଯାତ୍ରା ବାହାନଗା ବ୍ଲକ୍‌ ଗୋପାଳପୁରରୁ ବାହାରିଥିଲା। ଶହ ଶହ କର୍ମୀ ବିଶାଳ ବାଇକ୍‌ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଅଦ୍ୟତନ ହୋଇଛି
BJD

BJD

Advertisment

ବିଜେଡି ବିଧାୟକ ପର୍ଶୁରାମ ଧଡାଙ୍କ ପାଇଁ ସତର୍କ ଘଣ୍ଟି। ଲଗାତାର ଦୁଇ ଥର ବିଧାୟକ ହୋଇଥିବା ପର୍ଶୁରାମ ଧଡାଙ୍କ ବିରୋଧରେ ବ୍ୟୁହ ରଚିଲେଣି ବିଜେଡିର ଗୋଟିଏ ଗୋଷ୍ଠୀ। ଖାଳି ବ୍ୟୁହ ରଚି ନାହାନ୍ତି, ଜନ ସମ୍ପର୍କ ପଦଯାତ୍ରା କରି ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି। ଆଉ ମେଳିରେ ସାମିଲ୍‌ ଥିବା ନେତାମାନେ ବିଧାୟକଙ୍କ ବିରୋଧରେ ଦେଇଛନ୍ତି ରଣହୁଙ୍କାର। କୁହାଯାଉଛି ଏହି ମେଳିର ନେତୃତ୍ୱ ସୋର ବ୍ଲକ୍‌ ଉପାଧ୍ୟକ୍ଷ ଭ୍ରମରବାର ନାୟକ ନେଉଛନ୍ତି।

Advertisment

ବାଲେଶ୍ୱର ଜିଲ୍ଲାର ସୋର ନିର୍ବାଚନମଣ୍ଡଳୀ। ଦିନେ ଏହି ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଥିଲା। ହେଲେ ଗତ ଦୁଇଟି ନିର୍ବାଚନରେ ସେଠାରେ କଂଗ୍ରେସ ଧରାଶାୟୀ ହୋଇଯାଉଛି। ଆଉ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପର୍ଶୁରାମ ଧଡା। ହେଲେ ତାଙ୍କର ଆଜି କାଲି ବେଳା ଠିକ୍‌ ନାହିଁ। ତାଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି ବିଜେଡିର ଗୋଟିଏ ଗୋଷ୍ଠୀ।

ବିଧାୟକ ବିରୋଧୀ ଗୋଷ୍ଠୀ ଆଜି ଜନ ସମ୍ପର୍କ ପଦଯାତ୍ରା କରିଛନ୍ତି। ସୋର ବ୍ଲକ୍‌ ଉପାଧ୍ୟକ୍ଷ ଭ୍ରମରବର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପଦଯାତ୍ରା ବାହାନଗା ବ୍ଲକ୍‌ ଗୋପାଳପୁରରୁ ବାହାରିଥିଲା। ଶହ ଶହ କର୍ମୀ ବିଶାଳ ବାଇକ୍‌ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେହି ଶୋଭାଯାତ୍ରା ସୋର ବ୍ଲକ୍‌ ବାଗୁଡ଼ିରେ ପହଞ୍ଚିଥିଲା। ପରେ ସେଠାରେ ଏକ ସଭା ଆୟୋଜିତ ହୋଇଥିଲା। ସେଥିରେ ଭ୍ରମରବାର ନାୟକ ଅଧ୍ୟକ୍ଷତାରେ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ରେବତୀ ନାୟକ, ବାହାନଗର ବ୍ଲକ୍ ଜିଲ୍ଲାପରିଷଦ ସଭ୍ୟ ନୀଳାମ୍ୱର ମହାଳିକ, ଜିଲ୍ଲା ବିଜେଡି ଉପସଭାପତି ଅଶୋକ କୁମାର ନାୟକ, ବାହାନଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସମିତି ସଭ୍ୟ ଶରତ ରାଜ ପ୍ରମୁଖ ସାମିଲ୍ ହୋଇ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ଏଥିସହ ବିଧାୟକଙ୍କ ଉପରେ ମନଇଚ୍ଛା ବର୍ଷିଥିଲେ। ସବୁଠାରୁ ମଜାଦାର କଥା ହେଉଛି ମଞ୍ଚରେ ଲାଗିଥିବା ବ୍ୟାନ୍‌ରେ ବିଧାୟକଙ୍କ ଫଟୋ ମଧ୍ୟ ନଥିଲା।

Advertisment

ସେପଟେ ବିଧାୟକଙ୍କ ଅନୁସ୍ଥିତି ନେଇ ବିଜେଡି ଯୁବ ନେତା ଶିବାନୀ ଶଙ୍କର ରାୟ ସିଧା ସିଧା କିଛି କହୁନାହାନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡାଇ ଯାଇ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱନରେ ଜନ ସଚେତନତା, ଜନ ସମ୍ପର୍କ ଅଭିଯାନ, ଜନ ସମ୍ପର୍କ ପଦଯାତ୍ରା ପ୍ରମୁଖ ବହୁ କାର୍ଯ୍ୟକ୍ରମ କରାଯାଉଛି। ବିଧାୟକଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ହୋଇଥିଲା। ଆଉ ଆମେ ଜନ ସମ୍ପର୍କ ଅଭିଯାନ ଆରମ୍ଭ କରିଛୁ। ଏଥିରେ ୧୫ ହଜାରରୁ ଅଧିକ କର୍ମୀ ସାମିଲ୍‌ ହୋଇଛନ୍ତି ବୋଲି ଶ୍ରୀ ରାୟ କହିଛନ୍ତି।

ଅନ୍ୟପକ୍ଷରେ ବାହାନଗା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସମିତି ସଭ୍ୟ ଶରତ ରାଜ କହିଛନ୍ତି, ସୋର ନିର୍ବାଚନମଣ୍ଡଳୀର ନେତା ହେଉଛନ୍ତି ବିଧାୟକ। ସେ ପଦଯାତ୍ରା କରିଛନ୍ତି। ସେ ଯେଉଁମାନଙ୍କୁ ଉପେକ୍ଷିତ କରି ଜନ ସମ୍ପର୍କ ପଦଯାତ୍ରା କରିଛନ୍ତି, ସେମାନଙ୍କୁ ନେଇ ଜନ ସମ୍ପର୍କ ଅଭିଯାନ କରାଯାଉଛି। ମାନ୍ୟବର ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ଆଉ ଆଗାମୀ ନିର୍ବାଚନରେ ସୋରରୁ ବିଜେଡି ବିଧାୟକ ଜିତିବେ। ହେଲେ ବର୍ତ୍ତମାନର ବିଧାୟକ ଯେଉଁଭଳି ଭାବେ ଦଳକୁ ତଳକୁ ନେଉଛନ୍ତି, ତାହା ବିରୋଧରେ ଆଜିର ଏ ଜନ ସମ୍ପର୍କ ଅଭିଯାନ ବୋଲି ଶ୍ରୀ ରାଜ କହିଛନ୍ତି।

ସୂଚନାରୁ ପ୍ରକାଶ, ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ଗତ ୧୨ ତାରିଖରେ ଘଟଗାଁ ମାଆ ତାରିଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ପ୍ରାୟ ୮୦୦ରୁ ଅଧିକ କର୍ମୀ ଓ ନେତା ବସ୍‌ ଏବଂ ବୋଲେରୋରେ ନିଆଯାଇଥିଲା। କୁହାଯାଉଛି ମାଆଙ୍କୁ ଦର୍ଶନ କରିବା ସିନା ବାହାନା, ହେଲେ ସେଠାରେ କୁଆଡ଼େ ମେଳି କରାଯାଇଥିଲା। ବର୍ତ୍ତମାନର ବିଧାୟକ ପର୍ଶୁରାମ ଧଡ଼ାଙ୍କ ବିରୋଧରେ କୁଆଡ଼େ ଶପଥ ପାଠ କରାଯାଇଥିଲା। ଆଉ ସେହି ଶପଥପାଠ ଜିଲ୍ଲା ବିଜେଡି ଉପସଭାପତି ଅଶୋକ କୁମାର ନାୟକ କରାଇଥିବା କୁହାଯାଉଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଭାଇରାଲ୍‌ ହେଉଥିବା ଭିଡିଓକୁ ନେଇ ଅଶୋକ କୁମାର ନାୟକ କହିଛନ୍ତି, ସୋର ବିଧାୟକ ହେଉଛନ୍ତି ଜନ ବିରୋଧୀ ବିଧାୟକ। ତାଙ୍କୁ ଆଉ ନେତୃତ୍ୱ ଦିଆନଯାଉ। ସେ ସମ୍ପର୍କରେ ବିଜେଡିର ଶୀର୍ଷ ନେତୃତ୍ୱଙ୍କ ପାଖରେ ପହଞ୍ଚାଇବା ପାଇଁ ଇଏ ହେଉଛି ଏକ ପ୍ରଚେଷ୍ଟା ବୋଲି ଶ୍ରୀ ନାୟକ କହିଛନ୍ତି।

ତେବେ ଏନେଇ ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ସୋରରୁ ନିରଞ୍ଜଳ ବେହେରା

BjD Balasore Bjd Mla
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe