V.K.Pandian- Shreemayee Mishra
ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ମୁଣ୍ଡବ୍ୟଥା ବଢ଼ାଇଲେଣି ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର । ପୌରାଣିକ ଓ କାଳ୍ପନିକ କାହାଣୀ ଆଳରେ ଶ୍ରୀମୟୀ କ୍ରମାଗତ ଭାବେ ପାଣ୍ଡିଆନଙ୍କୁ ବୁଲେଇବଙ୍କେଇ ଟାର୍ଗେଟ୍ କରିବାରେ ଲାଗିଥିବାବେଳେ ଆଜି ଘରଜ୍ୱାଇଁ ପ୍ରସଙ୍ଗ ଉଠାଇ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତାଙ୍କୁ ମଧ୍ୟ ତେରଚ୍ଛା ବାଣ ମାରିଛନ୍ତି । ବିଜେଡିରୁ ନିଲମ୍ବିତ ହେବାର କିଛି ଘଣ୍ଟା ମଧ୍ୟରେ ଶ୍ରୀମୟୀ ନିଜର ଦଳୀୟ ସଦସ୍ୟତା ନବୀକରଣ ନମ୍ବର ମାଗି ବିଜେଡି ନେତୃତ୍ୱଙ୍କୁ ଅଡ଼ୁଆରେ ପକାଇଛନ୍ତି । ଇତିମଧ୍ୟରେ ୧୦ଦିନ ବିତିଯାଇଥିଲେ ବି ଶ୍ରୀମୟୀଙ୍କ ସଦସ୍ୟତା ନମ୍ବରକୁ ସାର୍ବଜନୀନ କରିବାରେ ବିଜେଡି ସକ୍ଷମ ହୋଇପାରିନାହିଁ । ସେପଟେ, ଗଣତାନ୍ତ୍ରିକ ଉପାୟରେ ବିଜେଡିର ଆଭ୍ୟନ୍ତରୀଣ ସାଂଗଠନିକ ନିର୍ବାଚନ ହୋଇନଥିବାର ଅଭିଯୋଗ ଜାତୀୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଜଣାପଡ଼ିଛି ।
‘ଭଣ୍ଡ ସନ୍ୟାସୀରୁ ଘରଜ୍ୱାଇଁ’: ପାଣ୍ଡିଆନଙ୍କ ମାମଲାତିକୁ ଶକ୍ତଧକ୍କା
ବିଜେଡିର ପୂର୍ବତନ ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର(Shreemayee Mishra) ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ‘ଅନାମ ବାବୁଙ୍କ ଘରଜ୍ୱାଇଁ’ ନାମକ ଏକ କାଳ୍ପନିକ କାହାଣୀଟିଏ ଲେଖିଛନ୍ତି । ଯେଉଁଥିରେ ଜ୍ୱାଇଁ କିଭଳି ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନସମ୍ମାନକୁ ଧୂଳିସାତ୍ କରିଦେଲା ବୋଲି ଉଲ୍ଲେଖ କରିଛନ୍ତି । ଆଉ ଶ୍ରୀମୟୀଙ୍କ ଏହି କାହାଣୀରେ ଅନାମ ବାବୁ, ଝିଅ ଓ ଜ୍ୱାଇଁ ଚରିତ୍ରରେ ନବୀନ ପଟ୍ଟନାୟକ, ସୁଜାତା ଓ ପାଣ୍ଡିଆନଙ୍କୁ ସେ ଟାର୍ଗେଟ୍ କରିଥିବା ଚର୍ଚ୍ଚା ହେଉଛି । ଶ୍ରୀମୟୀ ପୂର୍ବରୁ ନିଜର ପୌରାଣିକ-କାଳ୍ପନିକ ଆଦି କାହାଣୀ ମାଧ୍ୟମରେ ବୁଲେଇବଙ୍କେଇ ଧୃତରାଷ୍ଟ୍ର, ଦୁର୍ଯ୍ୟୋଧନ ଓ ଭଣ୍ଡ ସନ୍ୟାସୀ ଆଦି କହି ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ ମଧ୍ୟ ଆଜି ପ୍ରଥମଥର ପାଇଁ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କୁ ତେରଚ୍ଛା ବାଣ ମାରିଛନ୍ତି। ନବୀନଙ୍କ ବଳରେ ବିଜେଡିରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ପାଣ୍ଡିଆନ(Pandian) ଦମ୍ପତିଙ୍କୁ ଶ୍ରୀମୟୀଙ୍କ ଏଭଳି ତେରଚ୍ଛା ବାଣ ବିଜେଡି ରାଜନୀତିକୁ ଉଷ୍ମ କରିଥିବା ଜଣାପଡ଼ିଛି ।
ଶ୍ରୀମୟୀ ଲେଖିଛନ୍ତି ଯେ, “ ଜମିଦାର ଅନାମ ବାବୁ ନିଜର ଝିଅକୁ ଅନ୍ୟ ରାଜ୍ୟରେ ବିବାହ କରିବା ପରଠୁ ତାଙ୍କର ସଚ୍ଚୋଟତା, ନିଷ୍ଠା ଓ ଖ୍ୟାତି ମଳିନ ହେବାରେ ଲାଗିଲା । ଅଷ୍ଟମଙ୍ଗଳା ପରେ ଜ୍ୱାଇଁ ସବୁଦିନ ପାଇଁ ଅନାମ ବାବୁଙ୍କ ଘରେ ରହିଗଲେ । ଧୀରେ ଧୀରେ ସେ ଶ୍ୱଶୁରଙ୍କ ସମ୍ପତ୍ତି ଓ କାର୍ଯ୍ୟକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ଆରମ୍ଭ କଲେ । ଏହା ଦେଖି ଗାଁ ଲୋକଙ୍କ ମନରେ ଅନାମ ବାବୁଙ୍କ ପ୍ରତି ଆସ୍ଥା ଓ ସମ୍ମାନ କମିବାକୁ ଲାଗିଲା । ଲୋକେ ମୁହଁରେ କିଛି ନକହିଲେ ହେଁ, ମନରେ ଅସନ୍ତୋଷ ବଢ଼ିଲା । ଅନାମ ବାବୁ ନିଜ ବୟସ ଓ ସମ୍ମାନକୁ ଦୃଷ୍ଟିରେ ରଖି ଚୁପଚାପ ସହି ଚଳିଥିଲେ । ଦିନ ଗଡ଼ିଗଲା, ଓ ଅନାମ ବାବୁ ନିଜର ସମସ୍ତ ଦାୟିତ୍ୱ ଜ୍ୱାଇଁଙ୍କୁ ହସ୍ତାନ୍ତର କରି ତୀର୍ଥ ଯାତ୍ରାକୁ ଚାଲିଗଲେ । କିନ୍ତୁ ଗାଁରେ ଲୋକଙ୍କ ମୁହଁରେ ଗପ ଚାଲିଲା ଯେ, “ବିବାହିତା ଝିଅ ବାପଘରେ ଓ ଘରଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ ।”
୧୦ଦିନ ପରେ ବି ସଦସ୍ୟତା ନମ୍ବର ଦେଇପାରୁନି ବିଜେଡି
ଦଳରେ ପ୍ରାୟ ଏକବର୍ଷ ଧରି ନାହିଁ କି ଦଳୀୟ ସଦସ୍ୟତା ନବୀକରଣ କରିନାହିଁ ବୋଲି ଶ୍ରୀମୟୀ କହିବା ପରେ ଶଙ୍ଖଭବନରେ ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ବିଜେଡି ନିଜ ଜାଲରେ ନିଜେ ଫସିଯାଇଛି । ୧୦ଦିନ ପରେ ମଧ୍ୟ ଦଳ ଶ୍ରୀମୟୀଙ୍କ ସଦସ୍ୟତା ନବୀକରଣ ନମ୍ବରକୁ ସାର୍ବଜନୀନ କରିପାରୁନାହିଁ । ଯଦିଓ ନିଜର ସାଇବର ଆର୍ମି ମାଧ୍ୟମରେ ଶ୍ରୀମୟୀଙ୍କ ପୁରୁଣା ଭିଡିଓ ଓ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କୁ ସମାଲୋଚନା କରୁଛି । କିନ୍ତୁ ଶ୍ରୀମୟୀଙ୍କ ବାରମ୍ବାର ଆହ୍ୱାନ ଓ ଗଣମାଧ୍ୟମରେ ଚର୍ଚ୍ଚା ପରେ ବିଜେଡି ଏହି ସଦସ୍ୟତା ନମ୍ବର ଦେଇପାରୁନଥିବାରୁ ଶ୍ରୀମୟୀଙ୍କ ସମ୍ପର୍କରେ ବିଜେଡି ମିଛ କହିଥିବା ଏବେ ପ୍ରମାଣିତ ହେବାରେ ଲାଗିଛି । ସଦସ୍ୟତା ନବୀକରଣ ନକରି ଶ୍ରୀମୟୀ କିଭଳି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ସାଧାରଣ ସମ୍ପାଦକ ପଦବୀରେ ଥିଲେ ତାହା ବି ଦଳୀୟ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାର ଅଗଣତାନ୍ତ୍ରିକ ଦିଗକୁ ଉଜାଗର କରିଛି।
ନିର୍ବାଚନ କମିଶନଙ୍କ ପାଖରେ ଫେରାଦ
ଗଣତାନ୍ତ୍ରିକ ପଦ୍ଧତିରେ ବିଜେଡିର ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ । ଶ୍ରୀମୟୀ ମିଶ୍ର ନିଜର ସଦସ୍ୟତା ନମ୍ବର ମାଗିବା ପରେ ଏହି ଗୁମର ଲୋକଲୋଚନକୁ ଆସିଛି । ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ଓ ଜନପ୍ରତିନିଧି ଆଇନ-୧୯୫୧ ଧାରା ୨୯-କ ଅନୁସାରେ ଗଣତାନ୍ତ୍ରିକ ଉପାୟରେ ପଞ୍ଜିକୃତ ଆଂଚଳିକ ଦଳ ଭାବେ ବିଜେଡି ନିଜର ସାଂଗଠନିକ ନିର୍ବାଚନ କରିବା ବାଧ୍ୟତାମୂଳକ । ସେହିପରି ବିଜେଡିର ସମ୍ବିଧାନକୁ ଉଲ୍ଲଘଂନ କରି ଓ ଦଳର ସଦସ୍ୟତା ନବୀକରଣ କରିନଥିବା ଶ୍ରୀମୟୀଙ୍କୁ କିଏ ଓ କିଭଳି ରାଜ୍ୟ ପରିଷଦ ଓ ସେଠାରୁ ୮୧ଜଣିଆ ରାଜ୍ୟ କାର୍ଯ୍ୟକାରିଣୀକୁ ନିର୍ବାଚିତ କରାଇଲା ଏବଂ ଦଳୀୟ ପଦାଧିକାରୀ (ରାଜ୍ୟ ସାଧାରଣ ସମ୍ପାଦକ ପଦବୀ) ଭାବେ ଅବସ୍ଥାପିତ କରାଇଲେ ସେ ସଂକ୍ରାନ୍ତୀୟ ଅଭିଯୋଗ ସେପ୍ଟେମ୍ବର ୨୯ତାରିଖରେ ଜାତୀୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଜଣାପଡ଼ିଛି । ଯାହା ବିଜେଡି ପାଇଁ ଅଡ଼ୁଆ ବଢ଼ିବାର ଆଶଙ୍କା ରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us