Advertisment

‘ଆମ ଶାସନ’ର ଆରମ୍ଭ କଲେ ମୋହନ ସରକାର, ବିଜେଡି କଲା କଟାକ୍ଷ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ‘ଆମ ଶାସନ’ ହେଉଛି ଓଡ଼ିଶା ସରକାରଙ୍କର ଏକ ଅଭିନବ ପଦକ୍ଷେପ, ଯାହା ନାଗରିକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ସହ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ସ୍ମାର୍ଟ, ଆଧୁନିକ, ଦକ୍ଷ ଏବଂ ସ୍ୱଚ୍ଛ କରାଇବ ।

author-image
Ordigital Desk
CM Mohan Charan Majhi

CM Mohan Charan Majhi

ରାଜ୍ୟରେ ନାଗରିକକେନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି ‘ଆମ ଶାସନ’ ନାମକ ଏକ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶୁଭାରମ୍ଭ କରିଛନ୍ତି । ଏହି ବୈପ୍ଲବିକ ପଦକ୍ଷେପ ସରକାରୀ ସେବାର ଗୁଣବତ୍ତା ବୃଦ୍ଧି, ସ୍ୱଚ୍ଛତା ଓ ଉତ୍ତରଦାୟିତାକୁ ପ୍ରୋତ୍ସାହନ ଏବଂ ଜନସାଧାରଣଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ମୁଖ୍ୟ ବିରୋଧୀ ଦଳ ବିଜେଡି ଏହାକୁ ତାଙ୍କ ସରକାରଙ୍କ କାର୍ଯ୍ୟର ‘କପି-ପେଷ୍ଟ’ ଓ ନାମକରଣ ପରିବର୍ତ୍ତନ ବୋଲି କହି କଟାକ୍ଷ କରିଛି ।

Advertisment

‘ଆମ ଶାସନ’ର ମୂଳ ଉଦ୍ଦେଶ୍ୟ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ‘ଆମ ଶାସନ’ ହେଉଛି ଓଡ଼ିଶା ସରକାରଙ୍କର ଏକ ଅଭିନବ ପଦକ୍ଷେପ, ଯାହା ନାଗରିକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ସହ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ସ୍ମାର୍ଟ, ଆଧୁନିକ, ଦକ୍ଷ ଏବଂ ସ୍ୱଚ୍ଛ କରାଇବ ।  ଜନସାଧାରଣଙ୍କ ମତାମତକୁ ପ୍ରାଥମିକତା ଦେଇ ସେବାର ଗୁଣବତ୍ତା ଉନ୍ନତ କରିବା, ଅଧିକାରୀଙ୍କୁ ଉତ୍ତରଦାୟୀ କରିବା ଓ ସରକାରୀ କାର୍ଯ୍ୟକୁ ଅଧିକ ପାରଦର୍ଶୀ କରିବା ତଥା ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଜନସେବା ପ୍ରଦାନ ଓ ଫିଡ଼ବ୍ୟାକ ସଂଗ୍ରହ କରିବା ବୋଲି କୁହାଯାଇଛି । ଆମ ଶାସନ ହେଉଛି ଏକ ଅତ୍ୟାଧୁନିକ ଟେକ୍ନୋଲୋଜି-ଆଧାରିତ ଫିଡ଼ବ୍ୟାକ୍ ସିଷ୍ଟମ, ଯାହା ଅନଲାଇନ ଓ ଅଫଲାଇନ ପ୍ଲାଟଫର୍ମ ମାଧ୍ୟମରେ ଜନସାଧାରଣଙ୍କ ମତାମତ ସଂଗ୍ରହ କରିବ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଟେଲିଫୋନ ଜରିଆରେ ମତାମତ ଗ୍ରହଣ କରିବା ସହ  ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ ସମୟରେ ମୋବାଇଲ ଆପ୍ ମାଧ୍ୟମରେ ଫିଡ଼ବ୍ୟାକ୍ ସଂଗ୍ରହ କରିବେ । ।

ଏହା ଜରିଆରେ ନାଗରିକମାନେ ନିମ୍ନଲିଖିତ ମାଧ୍ୟମରେ ସେମାନଙ୍କ ଅଭିଯୋଗ ଓ ପରାମର୍ଶ ପ୍ରଦାନ କରିପାରିବେ:

Advertisment

ୱେବସାଇଟ୍ ଚାଟବଟ୍: https://amashasana.odisha.gov.in/ ମାଧ୍ୟମରେ ସିଧାସଳଖ ମତାମତ।

ହ୍ୱାଟସଆପ୍ ଚାଟବଟ୍: +91-7400221903 ନମ୍ବରରେ ମତାମତ ପ୍ରଦାନ।

ଟୋଲ-ଫ୍ରି ନମ୍ବର: 14471 ମାଧ୍ୟମରେ ଅଭିଯୋଗ ଓ ପରାମର୍ଶ।

ମୁଖ୍ୟମନ୍ତ୍ରୀ କ’ଣ କହିଲେ

ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାରିଟି ଜିଲ୍ଲାର ହିତାଧିକାରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରି ସରକାରୀ ଯୋଜନାର ସୁଫଳ ସଂପର୍କରେ ଜାଣିଥିଲେ । ସେ କହିଥିଲେ, ‘ଲୋକଙ୍କ ମତାମତ ଓ ପରାମର୍ଶ ହେଉଛି ସୁଶାସନର ମୁଖ୍ୟ ଉପାଦାନ । ଏହା ଶାସନ ବ୍ୟବସ୍ଥାକୁ ଅଧିକ ଦକ୍ଷ, ସ୍ୱଚ୍ଛ ଓ ଉତ୍‌ତରଦାୟୀ କରିବ ।’ ଏହି କାର୍ଯ୍ୟକ୍ରମ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଦୂରତ୍ୱ କମାଇବାରେ ସହାୟକ ହେବ ।  କାର୍ଯ୍ୟପ୍ରଣାଳୀ‘ଆମ ଶାସନ’ ନାଗରିକଙ୍କ ମତାମତ ସଂଗ୍ରହ କରିବା ପାଇଁ ଏକ ସୁନିର୍ଦ୍ଧିଷ୍ଟ ପ୍ରକ୍ରିୟା ଅନୁସରଣ କରୁଛି ।  ନାଗରିକଙ୍କ ଭୂମିକା‘ଆମ ଶାସନ’ରେ ନାଗରିକମାନେ ଏକ ପ୍ରମୁଖ ସ୍ତମ୍ଭ । ସେମାନଙ୍କର ନିରପେକ୍ଷ ମତାମତ ଓ ପରାମର୍ଶ ଶାସନ ବ୍ୟବସ୍ଥାକୁ ପ୍ରମାଣ-ଭିତ୍ତିକ, ଦକ୍ଷ ଓ ବଳିଷ୍ଠ କରିବାରେ ସହାୟକ । ଜନସାଧାରଣଙ୍କ ମତାମତ ବିନା କୌଣସି ଯୋଜନା ସଫଳ ହୋଇପାରିବ ନାହିଁ । ଏହା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ସ୍ଥାପନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଜେଡିର ସମାଲୋଚନା

ବିଜେଡିର ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ‘ଆମ ଶାସନ’କୁ କଟାକ୍ଷ କରିବା ସହ ରାଜ୍ୟରେ ଏକ କପି-ପେଷ୍ଟ ସରକାର ଚାଲିଛି ବୋଲି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ବିଜେପି ହେଉଛି ରଙ୍ଗବୋଳା ଓ ନାମ ପରିବର୍ତ୍ତନର ସରକାର । ଆମ ସରକାରର ୨୪ଟି ଯୋଜନାର ନାଁ ପରିବର୍ତ୍ତନ କରିଥିଲେ । ଏବେ ୨୫ତମ ଯୋଜନାର ନାଁ ପରିବର୍ତ୍ତନ କଲେ । ଆମ ଶାସନ ଆଉ କିଛି ନୁହେଁ ବରଂ ଆମ ସରକାର ଥିବାବେଳେ ‘ମୋ ସରକାର’ର କପି-ପେଷ୍ଟ । ରାଜ୍ୟରେ ବିଜେଡି ସରକାର ଥିବାବେଳେ ‘ମୋ ସରକାର’କୁ ଜାତୀୟସ୍ତରରେ ପ୍ରଶଂସା ମିଳିଥିଲା । ନିତି ଆୟୋଗ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଠୁ ଆରମ୍ଭ କରି ବିଭିନ୍ନସ୍ତରରେ ପ୍ରଶଂସା ମିଳିଥିଲା । ଏବେ ଏହି ସରକାର କପି-ପେଷ୍ଟ କରି ଶାସନକୁ ଆଗେଇ ନେବାକୁ ଚାହୁଁଛନ୍ତି । ମାତ୍ର ଅଧା ବାଟ ଯାଇ ଝୁଣ୍ଟିବା ନିଶ୍ଚିତ । ରକ୍ତାକ୍ତ ହୋଇ ବିଫଳ ହେବେ ବୋଲି ବିଜେଡି ଅଭିଯୋଗ କରିଛି ।

ସୂଚନାଯୋଗ୍ୟ ଯେ, ବର୍ତ୍‌ତମାନ ଅନଲାଇନ ଜରିଆରେ ସରକାର ୩୨ଟି ବିଭାଗର ୪୨୮ଟି ସେବା ଯୋଗାଇ ଦେଉଛନ୍ତି । ‘ଆମ ଶାସନ’ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ୮ଟି ବିଭାଗର ୧୩ଟି ସେବା ପାଇଁ ଫିଡ଼ବ୍ୟାକ୍ ବ୍ୟବସ୍ଥା ଆରମ୍ଭ ହୋଇଛି ।