/odisha-reporter/media/post_attachments/uploadimage/library/16_9/16_9_0/IMAGE_1690196657.jpg)
sanjay-singh
ମୌସୁମୀ ଅଧିବେଶନର ବାକି କାର୍ଯ୍ୟ ଦିବସରୁ ଆପ୍ ସାଂସଦ ସଞ୍ଜୟ ସିଂହ ନିଲମ୍ବନ ହୋଇଛନ୍ତି। ମଣିପୁର ହିଂସାକୁ ନେଇ ସରକାରଙ୍କ ଜବାବ ଅଡ଼ି ବସିବାରୁ ସଞ୍ଜୟ ସିଂହଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଶ୍ରୀ ସିଂହ ଗୃହର ମଧ୍ୟ ଭାଗକୁ ଆସିବା ସହ ବିଭିନ୍ନ ପ୍ରକାରର ନାରା ଦେଇଥିଲେ। ତାଙ୍କୁ ଗୃହର ଅଧ୍ୟକ୍ଷ ନିଜ ଆସନକୁ ଫେରି ଯିବାକୁ ବାରମ୍ବାର କହିଥିଲେ ମଧ୍ୟ ସେ କିଛି ବି ଶୁଣି ନଥିଲେ। ଏଥିପାଇଁ ତାଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯାଇଛି।
କେନ୍ଦ୍ର ସରକାର ଆଗକୁ ଦିଲ୍ଲୀ ପାଇଁ ଆଣିଥିବା ଅଧ୍ୟାଦେଶକୁ ରିପ୍ଲେସ କରିବାକୁ ରାଜ୍ୟସଭାରେ ବିଲ୍ ଆଣିବେ। ଏହାକୁ ରାଜ୍ୟସଭାରେ ମାତ୍ ଦେବାକୁ ଆପ୍ ସବୁ ବିରୋଧ ଦଳଗୁଡ଼ିକୁ ଏକାଠି କରୁଥିବା ବେଳେ ସଞ୍ଜୟ ସିଂହଙ୍କ ନିଲମ୍ବନ ଶକ୍ତ ଝଟକା ସଦୃଶ ହୋଇଛି। ଏହାକୁ ନେଇ ଆପ୍ ଆଟାକିଂ ମୋଡକୁ ଚାଲି ଆସିଛି। ବିରୋଧୀ ମଧ୍ୟ ସଞ୍ଜୟ ସିଂହଙ୍କ ନିଲମ୍ବନକୁ ନିନ୍ଦା କରିଛନ୍ତି।
ନିଲମ୍ବନ ପ୍ରସଙ୍ଗରେ ଆପ ପକ୍ଷରୁ କୁହାଯାଇଛି ରାଜ୍ୟସଭାରେ ସଞ୍ଜୟ ସିଂହ ହେଉଛନ୍ତି ବିରୋଧୀଙ୍କ ସ୍ୱର। ବିଜେପି ତାଙ୍କୁ ଦରକାର ପଡ଼ିଲେ ଜେଲରେ ପୂରାଇବାକୁ ମଧ୍ୟ ପଛାଇବ ନାହିଁ। ମଣିପୁର ପ୍ରସଙ୍ଗରେ ଶ୍ରୀ ସିଂହ ସ୍ୱର ଉଠାଇଥିଲେ ଓ ବିରୋଧୀ ଏକାଠି ହୋଇଥିଲେ। ସେ ସରକାରୀ ପକ୍ଷଙ୍କୁ ଅଡ଼ୁଆରେ ପକାଇଥିଲେ।
ତେଣୁ ସେମାନେ ତାଙ୍କର ସ୍ୱରକୁ ଚାପି ଦେବାକୁ ସବୁ ପ୍ରକାରର ଚେଷ୍ଟା କରିଛନ୍ତି। କିନ୍ତୁ ସେମାନେ ଯାହା ବି କଲେ କିଛି ଫରକ ପଡ଼ିବ ନାହିଁ। ସେମାନେ ନୂଆ ଭେଳିକି ଦେଖାନ୍ତୁ କିମ୍ବା ସିବିଆ ଓ ଇଡି ଭଳି ତଦନ୍ତକାରୀ ସଂସ୍ଥାକୁ ଲଗାନ୍ତୁ, ବିଜେପି ସରକାର ଫେରିବା ବେଶ କଷ୍ଟକର ବୋଲି ଦଳ କହିଛି।
ଶ୍ରୀ ସିଂହଙ୍କ ନିଲମ୍ବନ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଅଧ୍ୟକ୍ଷ ଜଗଦୀପ ଧନକର ରାଜ୍ୟସଭାରେ ବିରୋଧୀ ଦଳର ନେତାମାନଙ୍କୁ ଡାକିଥିଲେ। ଆପ ପକ୍ଷରୁ ରାଘବ ଚଡ୍ଡା ଓ ଟିଏମସି ପକ୍ଷରୁ ଶାନ୍ତନୁ ସେନ ବୈଠକରେ ଯୋଗ ଦେବାରୁ ଏହାକୁ ଅଧ୍ୟକ୍ଷ ଧନକର ବିରୋଧ କରିଥିଲେ। ତେଣୁ ବିରୋଧୀ ଦଳର ନେତାମାନେ ଉକ୍ତ ବୈଠକରୁ ବିନା ଆଲୋଚନାରେ ବାହାରି ଯାଇଥିଲେ।
ଆଜି ରାଜ୍ୟସଭାର କାର୍ଯ୍ୟ ଗୋଟିଏ ଘଣ୍ଟାର ମୁଲତବୀ ପରେ ଆରମ୍ଭ ହୋଇଥିଲା। ଅଧ୍ୟକ୍ଷ ଧନକର ପ୍ରଶ୍ନକାଳ ଆରମ୍ଭ କରିବାକୁ କହିଥିଲେ। ହେଲେ ବିରୋଧୀ ଦଳଗୁଡ଼ିକ ରୁଲ ୨୬୭ ଅନୁସାରେ ମଣିପୁର ହିଂସା ଉପରେ ମୁଲତବୀ ନୋଟିସ ଦେଇଥିବାରୁ ଆଲୋଚନା ପାଇଁ ଜିଦ କରିଥିଲେ। ତଥାପି ଧନକର କିଛି ବି ଶୁଣି ନଥିଲେ।
ସେ ପ୍ରଶ୍ନକାଳ ଜାରି ରଖିଥିଲେ। ଏହାକୁ ବିରୋଧ କରି ସଞ୍ଜୟ ସିଂହ ଗୃହର ମଧ୍ୟଭାଗକୁ ଆସି ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଥିଲେ। ସେ ପ୍ରଶ୍ନକାଳକୁ ବାତିଲ କରି ମଣିପୁର ହିଂସା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ।
ତାଙ୍କୁ ଧନକର ବାରମ୍ବାର ନିଜ ଆସନକୁ ଯିବା ପାଇଁ କହିଥିଲେ ମଧ୍ୟ ସେ କିଛି ବି ଶୁଣି ନଥିଲେ। ତେଣୁ ତାଙ୍କୁ ନିୟମ ଉଲ୍ଲଙ୍ଘନ ଓ ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବନ କରାଯାଇଥିଲା। ଭୟସ ଭୋଟ ଦ୍ୱାରା ପୀୟୁଷ ଗୋଏଲ ଆଣିଥିବା ପ୍ରସ୍ତାବ ବଳରେ ତାଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
