Arvind Kejriwal
ମୁମ୍ବାଇରେ ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚା। ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଆସିଲା ଡିମାଣ୍ଡ। ଏହି ଦାବି ଆମ୍ ଆଦମୀ ପାର୍ଟିରୁ କରାଯାଇଛି। ଅରବିନ୍ଦ କେଜ୍ରିୱାଲ୍ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି କହିଛନ୍ତି ଆପର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କର।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା କହିଛନ୍ତି, ଯଦି ମତେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚେହାରେ ବାବଦରେ ପଚରାଯାଏ, ତେବେ ମୁଁ ଅରବିନ୍ଦ କେଜ୍ରିୱାଲଙ୍କୁ ବାଛିବି। ସେ ଦିଲ୍ଲୀରେ ବହୁ ସୁବିଧା ଆଣିଛନ୍ତି, ଯଦି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଅର୍ଥନୀତି ସୁଦୃଢ ହେବ।
ଦିଲ୍ଲୀର ମାଗଣା ସେବାକୁ ପ୍ରଶଂସା କରିବା ସହ ଭାରତର ଅର୍ଥିନୀତି ଦୁର୍ବଳ ହୋଇଯାଇଥିବା କହିଛନ୍ତି ପ୍ରିୟଙ୍କା। ସେ କହିଛନ୍ତି, ଯଦି ଅରବିନ୍ଦ କେଜ୍ରିୱାଲ୍ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଆର୍ଥନୀତି ସୁଦୃଢ ହେବ। ସେ ଦିଲ୍ଲୀରେ ମାଗଣାରେ ପାଣିଠୁ ଆରମ୍ଭ କରି ବିଜୁଳି ସବୁ ଦେଉଛନ୍ତି। ମହିଳାଙ୍କ ପାଇଁ ବସ୍ ଯାତ୍ରା, ବରିଷ୍ଠ ନାଗରିକଙ୍କ ମାଗଣା ତୀର୍ଥଯାତ୍ରା ଭ୍ରମଣ ଆଦି ମାଗଣା କରିଛନ୍ତି। ତଥାପି ଅତିରିକ୍ତ ବଜେଟ ଉପସ୍ଥାପିତ କରୁଛନ୍ତି।"
କକ୍କର କହିଛନ୍ତି, ଅରବିନ୍ଦ କେଜ୍ରିୱାଲ କ୍ରମାଗତ ଭାବରେ ଲୋକଙ୍କ ପ୍ରସଙ୍ଗ ଉଠାଉଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମୁଖରେ ଏକ ଚ୍ୟାଲେଞ୍ଜର ଭାବରେ ଉଭା ହୋଇଛନ୍ତି। ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରସଙ୍ଗ ହେଉ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗ, ଏସବୁ କ୍ଷେତ୍ରରେ ତୀକ୍ଷ୍ଣ ନିଶାନା କରୁଛନ୍ତି କେଜ୍ରିୱାଲ୍। ତେଣୁ ତାଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଦେଖାଯାଇପାରିବ ବୋଲି ସେ କହିଛନ୍ତି।
କକ୍କର ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କର ଅର୍ଥନୈତିକ ଦୃଷ୍ଟିକୋଣ ନାହିଁ। ବର୍ତ୍ତମାନ ଉତ୍ପାଦନ ହାର ନିମ୍ନଗାମୀ ରହିଛି। ଅରବିନ୍ଦ କେଜ୍ରିୱାଲଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ଭାରତ ଉତ୍ପାଦନର ହବ୍ ହେବ। ଲାଇସେନ୍ସ ରାଜ୍ ଶେଷ ହେବ। ବ୍ୟବସାୟୀଙ୍କ ପାଇଁ ଭଲ ସୁଯୋଗ ରହିବ। ଶିକ୍ଷାକୁ ଉନ୍ନତର ଉନ୍ନତତର କରାଯିବ। ପିଲାମାନଙ୍କ ମଧ୍ୟରେ ଉଦ୍ଭାବନର ସୃଜନଶୀଳତା ବଢିବ। ବିଦେଶରୁ ଲୋକମାନେ ଡଲାର ଖର୍ଚ୍ଚ କରି ଭାରତକୁ ଅଧ୍ୟୟନ ପାଇଁ ଆସିବେ। ଆମେ ଏପରି ଭାରତ ଚାହୁଁଛୁ ବୋଲି କକ୍କର କହିଛନ୍ତି।
ଶାସକ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି ମେଣ୍ଟ ଦଳ। ଆସନ୍ତାକାଲି ମୁମ୍ୱାଇରେ ବସିବାକୁ ଯାଉଛି 'ଇଣ୍ଡିଆ' ମେଣ୍ଟର ତୃତୀୟ ବୈଠକ। ଦୁଇ ଦିନ ଧରି ବୈଠକରେ ଆଲୋଚନା ହେବ। ମୁମ୍ବାଇର ଗ୍ରାଣ୍ଡ୍ ହୟାତ୍ ହୋଟେଲରେ ଏହି ବୈଠକ ବସିବ। ସେପଟେ ସେପ୍ଟେମ୍ୱର 1ରେ ମଧ୍ୟ ଏନଡିଏ ଡାକିଛି ବୈଠକ। ବିରୋଧୀଙ୍କ ଏକତାକୁ ଦେଖି ଆଗୁଆ ସତର୍କ ହେଉଛି ଶାସକ ବିଜେପି। ତେବେ ଆଗକୁ ବିରୋଧୀ ମେଣ୍ଟ ପକ୍ଷରୁ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ତା' ଉପରେ ସମସ୍ତଙ୍କ ନଜର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us