Advertisment

ଇଣ୍ଡିଆ ବ୍ଲକରେ ‍ଫାଟ, ମେଣ୍ଟରୁ ଓହରିଲା ଆପ୍‌

ଆପ୍‌ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକରୁ ଓହରି ଯାଇଛି। ସେହିପରି ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଇଣ୍ଡିଆ ବ୍ଲକ ଡାକିଥିବା ବୈଠକରେ ମଧ୍ୟ ଆପ ଯୋଗ ଦେବ ନାହିଁ।

Rahul Gandhi

Rahul Gandhi

Advertisment

ବିଜେପି ନେତୃତ୍ୱାଧୀନ ଏନଡିଏର ମୁକାବିଲା କରିବାକୁ ବିରୋଧୀ କରିଥିବା ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଏହି ମେଣ୍ଟରୁ ଓହରି ଯାଇଥିବା ଆଜି ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଆପ୍‌ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକରୁ ଓହରି ଯାଇଛି। ସେହିପରି ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଇଣ୍ଡିଆ ବ୍ଲକ ଡାକିଥିବା ବୈଠକରେ ମଧ୍ୟ ଆପ ଯୋଗ ଦେବ ନାହିଁ।

Advertisment

ଶ୍ରୀ ସିଂହ କହିଛନ୍ତି, “ଆପ ଇଣ୍ଡିଆ ବ୍ଲକରୁ ବାହାରି ଯାଇଛି। ଆମ ଦଳ ଏହା ସ୍ପଷ୍ଟ କରିଥିଲା ଓ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏକଥା କହିଥିଲେ। ଆମେ ଆଉ ମେଣ୍ଟର ଅଂଶବିଶେଷ ହୋଇ ନାହୁଁ। ଇଣ୍ଡିଆ ବ୍ଲକ କେବଳ ଲୋକସଭା ନିର୍ବାଚନ ପାଇଁ ତିଆରି ହୋଇଥିଲା। ଏହାପରେ ଅନୁଷ୍ଠିତ ସବୁ ବିଧାନସଭା ନିର୍ବାଚନଗୁଡ଼ିକ ଦଳ ଏକାକୀ ଓ ସ୍ୱାଧୀନ ଭାବେ ଲଢ଼ିଛି।”

ଆପ୍‌ ଓ କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନ ବେଳେ ପରସ୍ପର ସହ ମେଣ୍ଟ କରି ଦିଲ୍ଲୀରେ ଲଢ଼ିଥିଲେ। ଇଣ୍ଡିଆ ମେଣ୍ଟର ଅଂଶବିଶେଷ ଭାବେ ଦୁଇ ଦଳ ପରସ୍ପରର ପ୍ରାର୍ଥୀ ପାଇଁ ପ୍ରଚାର କରିଥିଲେ। କିନ୍ତୁ ଏହାପରେ ଅନୁଷ୍ଠିତ ହରିୟାଣା ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଉଭୟ ଅଲଗା ଅଲଗା ପ୍ରାର୍ଥୀ ଦେଇଥିଲେ। ଏବେ ଆପ୍‌ ସ୍ୱାଧୀନ ଭାବେ ବିହାରରେ ମଧ୍ୟ ବିଧାନସଭା ନିର୍ବାଚନ ଲଢ଼ିବ।

Advertisment

ସଞ୍ଜୟ ସିଂହ କହିଛନ୍ତି, “ଲୋକସଭା ନିର୍ବାଚନ ପରେ ଆମେ ଦୁଇଟି ବିଧାନସଭା ନିର୍ବାଚନ ଅଲଗା ଅଲଗା ଲଢ଼ିଥିଲୁ। ଆମେ ପଞ୍ଜାବ ଓ ଗୁଜରାଟ ଉପ ନିର୍ବାଚନରେ ମଧ୍ୟ ଏକାକୀ ଲଢ଼ିଛୁ।” ଆପ୍‌ ଇଣ୍ଡିଆ ମେଣ୍ଟରୁ ଓହରି ଯାଇଥିଲେ ହେଁ ସଂସଦରେ ବିରୋଧୀଙ୍କ ସହ ରଣନୀତିକ ମେଣ୍ଟ କରି କାମ କରିବ ବୋଲି ଶ୍ରୀ ସିଂହ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, “ସଂସଦ କଥା ବିଚାରକୁ ନେଲେ ଆମେ ଟିଏମସି ଓ ଡିଏମକେ ଭଳି ବିରୋଧୀ ଦଳର ସମର୍ଥନ କରିବୁ। ସେମାନେ ମଧ୍ୟ ଆମକୁ ସମର୍ଥନ କରିବେ। ଆମେ ସବୁବେଳେ ଗୋଟିଏ ଶକ୍ତିଶାଳୀ ବିରୋଧୀ ଭୂମିକାରେ ରହି ଆସିଛୁ। ଆଗକୁ ମଧ୍ୟ ଏହା ଜାରି ରହିବ। ଯେକୌଣସି ପ୍ରସଙ୍ଗ ଆସିଲେ, ଆମେ ଏହାକୁ ସଂସଦରେ ଉଠାଇବୁ।”

ଆସନ୍ତା ୨୧ ତାରିଖରୁ ସଂସଦର ମୌସୁମୀ ଅଧିବେଶ ଆରମ୍ଭ ହେବ। ଏହାପୂର୍ବରୁ ଶନିବାର ଇଣ୍ଡିଆ ମେଣ୍ଟର ବୈଠକ ହେବାର ଅଛି। କିନ୍ତୁ ଏହି ବୈଠକରେ ଆପ୍‌ ଓ ଟିଏମସି ଭଳି ଦଳ ସାମିଲ ହେବେ ନାହିଁ।

Rahul Gandhi Arvind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe