Advertisment

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସ୍ଥାନ ନେବେ କି ପତ୍ନୀ? ଆପ ନେତା ଦେଲେ ଏମିତି ସଙ୍କେତ

କେଜ୍ରିୱାଲ ଜେଲରେ ଥିବା ବେଳେ ସୁନିତା ତାଙ୍କ ନିର୍ଦ୍ଦେଶ ଓ ବାର୍ତ୍ତା ଆପ୍‌ ନେତାଙ୍କ ପାଖରେ ପହଞ୍ଚାଉଛନ୍ତି। ତେଣୁ ସେ ହିଁ କେଜ୍ରିୱାଲଙ୍କ ସ୍ଥାନରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି।

author-image
Hemant Lenka
Sunita

Sunita

ଆପ୍‌ ନେତା ତଥା ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ଆଜି ବଡ଼ ବୟାନ ଦେଇଛନ୍ତି। ଅବାକାରୀ ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ଥାନ ତାଙ୍କ ପତ୍ନୀ ସୁନିତା ନେବେ ବୋଲି ତାଙ୍କ ବୟାନରୁ ସଙ୍କେତ ମିଳିଛି।

Advertisment

କେଜ୍ରିୱାଲ ଜେଲରେ ଥିବା ବେଳେ ସୁନିତା ତାଙ୍କ ନିର୍ଦ୍ଦେଶ ଓ ବାର୍ତ୍ତା ଆପ୍‌ ନେତାଙ୍କ ପାଖରେ ପହଞ୍ଚାଉଛନ୍ତି। ତେଣୁ ସେ ହିଁ କେଜ୍ରିୱାଲଙ୍କ ସ୍ଥାନରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି।

ଏସବୁ ଭିତରେ ସୌରଭ କହିଛନ୍ତି ଯେ ବର୍ତ୍ତମାନ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଦଳକୁ ଏକାଠି କରି ରଖିବାର ଉପଯୁକ୍ତ ଲୋକ ହେଉଛନ୍ତି ସୁନିତା। ଦଳରେ ତାଙ୍କର ଉପସ୍ଥିତି କ୍ୟାଡରଙ୍କ ମଧ୍ୟରେ ଗୋଟିଏ ସକାରାତ୍ମକ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତି।

Advertisment

ପିଟିଆଇକୁ ସାକ୍ଷାତକାର ଦେଇ ସୌରଭ କହିଛନ୍ତି, “ସୁନିତା କେଜ୍ରିୱାଲ ସବୁବେଳେ କହି ଆସିଛନ୍ତି ଯେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାବହ। ଗୋଟିଏ ସଂଗଠନକୁ ଏକାଠି ରଖିବା ପାଇଁ କ୍ୟାଡରଙ୍କ ମଧ୍ୟରେ ସମର୍ଥନ ଓ ଇମୋସନାଲ ସଂଯୋଗ ରହିବା ଦରକାର।

ସୁନିତା କେଜ୍ରିୱାଲଙ୍କ ଉପସ୍ଥିତି ଗୋଟିଏ ସକାରାତ୍ମକ ପରିବେଶ ସୃଷ୍ଟି କରିଛି। ସେ ଅରବିନ୍ଦ କେଜ୍ରିୱାଲ ଜୀଙ୍କ ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଉଛନ୍ତି। ସେ ବାର୍ତ୍ତା ପହଞ୍ଚାଉଥିବାରୁ ଆମ କ୍ୟାଡର ଓ ସମର୍ଥକ ବେଶ ଖୁସି। ଆମେ ଏହାର ପ୍ରଚାର କରିବାକୁ ଚାହୁଁଛୁ। ବର୍ତ୍ତମାନ ସ୍ଥିତିରେ ଦଳକୁ ଏକାଠି କରି ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସୁନିତା ହିଁ ଉପଯୁକ୍ତ ଲୋକ।”

ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି। ଦୁଇ ଥର ତାଙ୍କୁ ଇଡି ରିମାଣ୍ତରେ ନେଇଥିଲା। ଏହାପରେ କୋର୍ଟ କେଜ୍ରିୱାଲଙ୍କୁ ୧୫ ଦିନ ପାଇଁ ତିହାର ଜେଲର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

କେଜ୍ରିୱାଲ ତିହାରରେ ଥିବାରୁ ତାଙ୍କ ପତ୍ନୀ ଭିଡିଓ ବାର୍ତ୍ତା ଜାରି କରି ସ୍ୱାମୀ ଜେଲରୁ ଦେଉଥିବା ନିର୍ଦ୍ଦେଶକୁ ଦଳୀୟ କର୍ମୀ ଓ ନେତାଙ୍କ ପାଖରେ ପହଞ୍ଚାଉଛନ୍ତି।

ମାର୍ଚ୍ଚ ୩୧ରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଲ୍ଲୀରେ ହୋଇଥିବା ମହାରାଲିରେ ମଧ୍ୟ ସୁନିତା ସ୍ୱାମୀ କେଜ୍ରିୱାଲଙ୍କ ବାର୍ତ୍ତା ପଢ଼ିଥିଲେ।

କ’ଣ ସୁନିତା ଆପ ପାଇଁ ଲୋକସଭା ନିର୍ବାଚନ ବେଳେ ପ୍ରଚାର କରିବେ କି ପ୍ରଶ୍ନର ଉତ୍ତରେ ସୌରଭ କହିଛନ୍ତି, “ଯଦି ଏମିତି ହେବ, ତା’ହେଲେ ଆମେ ବହୁତ ଖୁସି ହେବୁ। ଆମେ ଚାହୁଁଛୁ ସୁନିତା ଜୀ ପ୍ରଚାରରେ ସାମିଲ ହୁଅନ୍ତୁ। କିନ୍ତୁ ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଉପରେ ନିର୍ଭର କରେ।”

ଦୀର୍ଘ ୬ ମାସ ପରେ ଜେଲରୁ ମୁକୁଳିଥିବା ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ନିଜ ଘରକୁ ଯିବା ପୂର୍ବରୁ ସୁନିତାଙ୍କ ପାଖରେ ପହଞ୍ଚିଥିଲେ। ସେ ସୁନିତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ଏ ସମ୍ପର୍କରେ ସୌରଭ କହିଛନ୍ତି, “ଏହା ଆମର ସଂସ୍କୃତି। କେଜ୍ରିୱାଲଙ୍କ ଗିରଫଦାରୀ ପରେ ବିଜେପି କହିବା ଆରମ୍ଭ କରିଥିଲା ଯେ ଦଳୀୟ କର୍ମୀଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି।

ସଞ୍ଜୟ ସିଂହ ସବୁବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ଭାଇ ଭାବେ ବିବେଚନା କରନ୍ତି। ସେ ତାଙ୍କର ବଡ଼ ଭାଇ। ତେଣୁ ସେ ଜେଲରୁ ବାହାରି ସୁନିତା କେଜ୍ରିୱାଲଙ୍କ ପାଦ ଛୁଇଁଥିଲେ। ଆମେ ସମସ୍ତେ ଗୋଟିଏ ୟୁନିଟ ଓ ଗୋଟିଏ ପରିବାର ଭାବେ କାମ କରୁଛୁ।”

Arvind Kejriwal AAP Sunita Kejriwal