Advertisment

ମମତାଙ୍କୁ ‘ଆପଣଙ୍କ ଦାମ କେତେ’ ପଚାରି ଅଡ଼ୁଆରେ ବିଜେପି ପ୍ରାର୍ଥୀ

ସନ୍ଦେଶଖାଲି ପ୍ରସଙ୍ଗରେ ସେ ମମତା ଓ ଟିଏମସିକୁ ଘେରିବାକୁ ଚେଷ୍ଟା କରି ନିଜେ ଅଡ଼ୁଆରେ ଫସି ଯାଇଛନ୍ତି ଅଭିଜିତ ଗାଙ୍ଗୁଲି।

author-image
Hemant Lenka
Mamata

Mamata

କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ବିଜେପିର ତାମଲୁକ ପ୍ରାର୍ଥୀ ଅଭିଜିତ ଗାଙ୍ଗୁଲି ବିବାଦରେ ଫସିଛନ୍ତି। ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇଥିବାର ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ସନ୍ଦେଶଖାଲି ପ୍ରସଙ୍ଗରେ ସେ ମମତା ଓ ଟିଏମସିକୁ ଘେରିବାକୁ ଚେଷ୍ଟା କରି ନିଜେ ଅଡ଼ୁଆରେ ଫସି ଯାଇଛନ୍ତି।

Advertisment

ଗୋଟିଏ ନିର୍ବାଚନୀ କାର୍ଯ୍ୟକ୍ରମରେ ଅଭିଜିତ ଗାଙ୍ଗୁଲି କହିଛନ୍ତି, “ଟିଏମସି କହୁଛି ବିଜେପିର ସନ୍ଦେଶଖାଲି ପ୍ରାର୍ଥୀ ରେଖା ପାତ୍ରଙ୍କୁ ୨ ହଜାର ଟଙ୍କା ଦେଇ ଦଳ କିଣି ନେଇଛି। ତା’ହେଲେ ମମତା ବାନାର୍ଜୀ ଆପଣଙ୍କ ଦାମ କେତେ? ଯଦି ଆପଣଙ୍କୁ ୮ ଲକ୍ଷ ଟଙ୍କା ମିଳି ଯାଉଛି, ଆପଣ ଗୋଟିଏ ଚାକିରି ଦେଇଛନ୍ତି।

୧୦ ଲକ୍ଷ ଟଙ୍କା ମିଳିଗଲେ, ଆପଣ ରାସନ ସାମଗ୍ରୀ ଅନ୍ୟ ଦେଶକୁ ପଠାଇ ଦେଉଛନ୍ତି। କ’ଣ ଆପଣଙ୍କ ଦାମ ୧୦ ଲକ୍ଷ ଟଙ୍କା? ରେଖା ପାତ୍ର ଗରିବ ବୋଲି କ’ଣ ତାଙ୍କୁ କିଣିବା ସହଜ?”

Advertisment

ଜଣେ ମହିଳା ହୋଇ ଆଉ ଜଣେ ମହିଳାଙ୍କ ଅଭିଯୋଗ ଉପରେ ମମତା କେମିତି ପ୍ରଶ୍ନ ଉଠାଇଲେ ବୋଲି ମଧ୍ୟ ଅଭିଜିତ ପଚାରିଛନ୍ତି। ସେ କହିଛନ୍ତି, “କ’ଣ ସେ(ମମତା ବାନାର୍ଜୀ) ପ୍ରକୃତରେ ଜଣେ ମହିଳା?”

ତେବେ ଅଭିଜିତ ଗାଙ୍ଗୁଲିଙ୍କ ଏପରି ବିବାଦୀୟ ଟିପ୍ପଣୀକୁ ଟିଏମସି ନିନ୍ଦା କରିଛି। ଏଥିସହ ଦଳ ନିର୍ବାଚନ କମିଶନଙ୍କ ପାଖରେ ଏନେଇ ଅଭିଯୋଗ କରିଛି। ଟିଏମସି ପକ୍ଷରୁ ଅଭିଜିତ ଗାଙ୍ଗୁଲିଙ୍କୁ ନାରୀ ବିରୋଧୀ ବୋଲି କୁହାଯାଇଛି। ଏଥିସହ ଅଭିଜିତ ଗାଙ୍ଗୁଲିଙ୍କ ଭଳି ଲୋକଙ୍କୁ କେବେ ହେଲେ ବେଙ୍ଗଲର ମା’ ଓ ଭଉଣୀମାନେ ସହ୍ୟ କରିବେ ନାହିଁ ବୋଲି ଦଳ କହିଛି।

ବିବାଦ ବଢ଼ୁଥିବାରୁ ବିଜେପି ପୂରା ଘଟଣା ଉପରେ ତାଳି ପକାଇବାକୁ ଚେଷ୍ଟା କରିଛି। ଅଭିଜିତ ଗାଙ୍ଗୁଲିଙ୍କ ଭିଡିଓ ଫେକ ବୋଲି ଦଳ ସଫେଇ ଦେଇଛି। ବିଜେପି ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, “ଏପରି ଭିଡିଓ ସହ ଆମେ ଏକମତ ନୁହଁ।

ଏହା ଟିଏମସିର ଏକ ଚକ୍ରାନ୍ତ। ସେମାନେ ଫେକ ଭିଡିଓ ରିଲିଜ କରି ବିଜେପିକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ନିର୍ବାଚନ ଉପରେ ଏହାର କୌଣସି ପ୍ରକାରର ପ୍ରଭାବ ପଡ଼ିବ ନାହିଁ।”

Mamata Banerjee TMC Lok Sabha Election 2024